ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’ ସ୍ଲୋଗାନ ଦେଇ ଗଲାବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିଲେ। ଅନୁରୂପ ଭାବେ ୧୦ ଅଗଷ୍ଟରେ ଚାକିରି ଆଶାୟୀମାନେ ବାରମ୍ବାର ବ୍ୟାରିକେଡ୍‌ ଭାଙ୍ଗି ଝାଡ଼ଖଣ୍ଡ ବିଧାନସଭା ନିକଟରେ ପହଞ୍ଚିବାକୁ ଉଦ୍ୟମ କରିବା ସମୟରେ ପୋଲିସର ପାଣିମାଡ଼, ଲୁହବୁହା ଗ୍ୟାସ୍‌ ଏବଂ ଲାଠିମାଡ଼ ଖାଇଛନ୍ତି। ଝାଡ଼ଖଣ୍ଡ ସରକାର ୯ ଅଗଷ୍ଟରେ ବିରୋଧୀ ଛାତ୍ର ଗୋଷ୍ଠୀଙ୍କ ସହ ୬ ଘଣ୍ଟା ଆଲୋଚନା ପରେ ୧୪ତମ ଝାଡ଼ଖଣ୍ଡ ଲୋକ ସେବା ଆୟୋଗ (ଜେପିଏସ୍‌ସି) ପ୍ରିଲିମ୍‌ ପରୀକ୍ଷା ଏବଂ ୨୦୨୩ ଓ ୨୦୨୫ରେ ହୋଇଥିବା ଜେପିଏସ୍‌ସି ବ୍ୟାକ୍‌ଲଗ୍‌ ପରୀକ୍ଷା ବାତିଲ କରିଥିଲେ ମଧ୍ୟ ଏହି ଆନ୍ଦୋଳନ ଉଗ୍ରରୂପ ନେଇଛି। କାରଣ ସରକାର ଏପର୍ଯ୍ୟନ୍ତ ଜେଏସ୍‌ଏସ୍‌ସି-ସିଜିଏଲ୍‌ ପରୀକ୍ଷାରେ ଅନିୟମିତତା ଅଭିଯୋଗ ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବାର ଦାବିକୁ ମାନିନାହାନ୍ତି। ଦେଖିବାକୁ ଗଲେ ଦୁର୍ନୀତିପୂର୍ଣ୍ଣ ପରୀକ୍ଷା ବ୍ୟବସ୍ଥା ଓ ଉତ୍ତରଦାୟିତ୍ୱ ରହୁ ନ ଥିବାରୁ ତା’ ବିରୋଧରେ ଛାତ୍ର ଓ ଯୁବକମାନେ ଯନ୍ତରମନ୍ତର ପରି ଝାଡ଼ଖଣ୍ଡରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଯନ୍ତରମନ୍ତରରେ ମାସାଧିକ କାଳ ପ୍ରତିବାଦ ଦେଶବ୍ୟାପୀ ଚହଳ ପକାଇଥିବା ବେଳେ ଝାଡ଼ଖଣ୍ଡରେ ସମାନ ଧାରାରେ ଅଗଷ୍ଟ ୧୧ ସୁଦ୍ଧା ୧୮ ଦିନ ଆନ୍ଦୋଳନ ଜାରି ରହିବା ପ୍ରଚଳିତ ବ୍ୟବସ୍ଥାକୁ କିଭଳି ଦୁର୍ବଳ କରିଦିଆଯାଇଛି ତାହାର ପ୍ରମାଣ ମିଳୁଛି। କିନ୍ତୁ ଦୁଇଟି ପ୍ରତିବାଦକୁ ଦେଖିଲେ ଝାଡ଼ଖଣ୍ଡ ପୋଲିସ ଦିଲ୍ଲୀ ପୋଲିସ ପରି ଏତେ ନିର୍ଦ୍ଦୟ ଆକ୍ରମଣ କରି ନାହିଁ। ସେମାନେ ସଂଯମ ଆଚରଣ ପ୍ରଦର୍ଶନ କରିଥିଲେ ଏବଂ ବରିଷ୍ଠ ପୋଲିସ ଅଧିକାରୀମାନେ ଦାବି କରିଥିଲେ ଯେ, ସେମାନଙ୍କୁ କୌଣସି ବଳପ୍ରୟୋଗ ବା ଆନ୍ଦୋଳନକାରୀଙ୍କୁ ଆକ୍ରମଣ କରିବାକୁ ମନା କରାଯାଇଥିଲା। ପ୍ରତିବାଦକାରୀମାନେ ଶେଷ କର୍ଡନ ଭାଙ୍ଗି ବିଧାନସଭା ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିବାରୁ ସେମାନଙ୍କୁ ଅଟକାଇବା ପାଇଁ କେବଳ ପ୍ରଚେଷ୍ଟା କରାଯାଇଥିଲା। ପୋଲିସ ଦାବି କରିଥିଲା ଯେ, ଆନ୍ଦୋଳନକାରୀଙ୍କୁ ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ପ୍ରତିବାଦ କରିବାକୁ ସୁବିଧା ଦିଆଯାଇଥିଲା। କିନ୍ତୁ ଅସମ୍ଭାଳ ଭିଡ଼କୁ ପ୍ରଶମିତ କରିବା ଲାଗି ଶୃଙ୍ଖଳିତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ତେବେ ପ୍ରତିବାଦକାରୀଙ୍କୁ ହଟେଇବା ଲାଗି ପେଲେଟ ଗନ୍‌ ବ୍ୟବହାର କରାଯାଇ ନାହିଁ କିମ୍ବା ଦିଲ୍ଲୀରେ କଣ୍ଟା ଲଗାଯାଇଥିବା ଲାଠିରେ ନିର୍ମମ ଭାବେ ଯେଭଳି ଆଘାତ କରାଯାଇଥିଲା, ତାହା ଝାଡ଼ଖଣ୍ଡରେ ହୋଇନାହିଁ ବୋଲି ସେଠାକାର ଜଣେ ମନ୍ତ୍ରୀ କହିଛନ୍ତି।
ଯେତେବେଳେ ଦେଶର ଲୋକଙ୍କ ବିଷୟରେ ସଂସଦରେ ବିରୋଧୀ ପକ୍ଷର ବୃଥା ପ୍ରତିବାଦ ଏବଂ ସରକାର କିଛି ଶୁଣିବାକୁ ମନା କରିବାରେ କ୍ଳାନ୍ତ ହୋଇଯାଇଛନ୍ତି, ସେତେବେଳେ ଯୁବକ ଓ ଛାତ୍ରମାନଙ୍କ କାର୍ଯ୍ୟ ପରିବର୍ତ୍ତନ ଆଣୁଥିବା ପରି ମନେହେଉଛି। ସେମାନେ ସରକାରୀ ଅନ୍ୟାୟ ବିରୋଧରେ ପ୍ରତିବାଦକୁ ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱରେ ରଖି ନୂଆ ଢଙ୍ଗରେ ଉପସ୍ଥାପନ କରୁଛନ୍ତି। ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ କକ୍‌ରୋଚ ଜନତା ପାର୍ଟି (ସିଜେପି) ଓ ଜଳବାୟୁ କର୍ମୀ ସୋନମ୍‌ ୱାଙ୍ଗ୍‌ଚୁକ୍‌ଙ୍କୁ ସମର୍ଥନ କରୁଥିବା ଯୁବକ ଓ ଛାତ୍ରମାନେ ଅନେକ ସପ୍ତାହ ଧରି ଆମରଣ ଅନଶନରେ ବସିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ କଠୋର ନୀରବତା ଲକ୍ଷ୍ୟ କରାଯାଇଥିଲା। ପୋଲିସ ଏବଂ ଅନ୍ୟାନ୍ୟ ସୁରକ୍ଷାକର୍ମୀମାନେ ବିକ୍ଷୋଭକାରୀଙ୍କ ଉପରେ ବର୍ବରୋଚିତ ଆକ୍ରମଣ କରିଥିଲେ ଏବଂ ମୋଦି ସରକାରଙ୍କ ଶକ୍ତି ଭାବେ ବିବେଚନା କରାଯାଉଥିବା ସ୍ବରାଷ୍ଟ୍ରମନ୍ତ୍ରୀ ସେବେଠାରୁ ସଂସଦକୁ ଏଡ଼ାଇ ଚାଲିଛନ୍ତି; କାରଣ ଛାତ୍ରମାନଙ୍କ ବିରୋଧରେ ଅଯଥା ହିଂସାକାଣ୍ଡ ଘଟାଇବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେବାରେ ତାଙ୍କୁ ହିଁ ଦାୟୀ କରାଯାଉଛି। ଭାରତରେ ପ୍ରଥମ ଥର ପାଇଁ ଶାସକ ଗୋଷ୍ଠୀ ଏକ ପ୍ରକୃତ କଠିନ ସ୍ଥିତିର ସମ୍ମୁଖୀନ ହେଉଛନ୍ତି, କାରଣ ସେମାନଙ୍କର ବିରୋଧୀ ଏବେ କୌଣସି ବିରୋଧୀ ରାଜନୈତିକ ଦଳ ନୁହନ୍ତି, ବରଂ ଦେଶର ଛାତ୍ର ଏବଂ ଯୁବଗୋଷ୍ଠୀ। ଏହି ଯୁବବର୍ଗଙ୍କ ମୁଖ୍ୟ ଚିନ୍ତା ହେଉଛି ସେମାନଙ୍କର ସୁରକ୍ଷିତ ଏବଂ ନିଶ୍ଚିତ ଜୀବିକା ଆଧାରିତ ଭବିଷ୍ୟତ। ବର୍ତ୍ତମାନ ଦେଶର ବିଭିନ୍ନ ପ୍ରାନ୍ତରେ ଦେଖାଦେଇଥିବା ଅଶାନ୍ତି କୌଣସି ରାଜନୈତିକ ଆନ୍ଦୋଳନ ନୁହେଁ; ଏବର ପରିସ୍ଥିତିକୁ ଦେଖିଲେ ଏହାକୁ ସାମ୍ନା କରିବା ପାଇଁ ବୟସ୍କ, ପରିଚିତ, କ୍ଳାନ୍ତ ଓ ପାରମ୍ପରିକ ରାଜନେତାମାନଙ୍କ ଚତୁରତା ମାଧ୍ୟମରେ ହୋଇପାରିବ ବୋଲି ବିଶ୍ୱାସ ହେଉନାହିଁ। ମନେହେଉଛି ଯେପରି ଭାରତର ବୟସ୍କ ରାଜନେତାମାନେ ସ୍ବଇଚ୍ଛାରେ ପଦପଦବୀ ଓ କ୍ଷମତା ଲୋଭକୁ ଛାଡ଼ିବାର ସମୟ ଆସିଲାଣି।
ମୁଖ୍ୟସ୍ରୋତର ରାଜନୈତିକ ଦଳଗୁଡ଼ିକର ବିରୋଧୀମାନଙ୍କୁ ଚତୁରତାର ସହ ପରାସ୍ତ କରିବା ରାଜନୈତିକ ଖେଳାଳିମାନଙ୍କ ପାଇଁ ସହଜ, କାରଣ ଜନସେବା କ୍ଷେତ୍ରରେ ବିରୋଧୀଙ୍କର ପୂର୍ବ ରେକର୍ଡ ମଧ୍ୟ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ମାତ୍ର ଏବର ଜାଗ୍ରତ ଯୁବପିଢ଼ିଙ୍କୁ କୌଣସି ରାଜନୈତିକ ଚାଲ୍‌ ମାଧ୍ୟମରେ ଧମକାଇ ହେବ ନାହିଁ, କାରଣ ସେମାନେ କେବଳ ନିଜକୁ ରାଜନୈତିକ ଆଲୋଚନାରୁ ଦୂରେଇ ରଖୁନାହାନ୍ତି, ବରଂ ରାଜନୈତିକ ଦଳଗୁଡ଼ିକୁ ନିଜ ସହିତ ଯୋଡ଼ିବାକୁ ଇଚ୍ଛା କରୁନାହାନ୍ତି। ଏହାର ଏକ ବଡ଼ ଉଦାହରଣ ଥିଲା ୨୧ ଜୁଲାଇ ୨୦୨୬ରେ ପ୍ରଧାନମନ୍ତ୍ରୀଙ୍କ ବାସଭବନର ପଛ ପ୍ରବେଶ ଦ୍ୱାର ନିକଟରେ ରାହୁଲ ଗାନ୍ଧୀ ଏବଂ ତାଙ୍କ କଂଗ୍ରେସ ଦଳ ପକ୍ଷରୁ ଛାତ୍ରମାନଙ୍କ ସପକ୍ଷରେ କରାଯାଇଥିବା ବିକ୍ଷୋଭ ପ୍ରଦର୍ଶନ। ସରକାରୀ ସପକ୍ଷ ଗଣମାଧ୍ୟମ ତୁରନ୍ତ ଏହି ଘଟଣାକୁ ବଡ଼ କରି ଦେଖାଇଥିଲା। ସମ୍ଭବତଃ ଉଭୟ ବିରୋଧୀ ଓ ସରକାରୀ ଦଳର ଇଚ୍ଛା ଥିଲା ଛାତ୍ର ଆନ୍ଦୋଳନକୁ ପାରମ୍ପରିକ ଧାରାରେ ରଖିବା ପାଇଁ। କିନ୍ତୁ ସମଗ୍ର ଦେଶ ଏହି ଚାଲ୍‌କୁ ବୁଝିପାରିଥିଲା। ଅବଶ୍ୟ ସାଧାରଣ ନାଗରିକ ପାଇଁ ଏହି ଭିତିରି ମସୁଧା ବୁଝିବା ଅସମ୍ଭବ। ପାର୍ଲାମେଣ୍ଟରେ ହେଉଥିବା ହଟ୍ଟଗୋଳକୁ ଦେଖି ଭାରତୀୟ ନାଗରିକ ସ୍ବାଭାବିକ ଭାବେ ବିଶ୍ୱାସ କରୁଥିବେ ଯେ, ଗୋଟିଏ ପଟେ ସରକାର ଓ ଆରପଟେ ବିରୋଧୀ ବାସ୍ତବରେ ପରସ୍ପରକୁ ଘୃଣା ସହ ଲଢ଼ୁଛନ୍ତି। କିନ୍ତୁ ସମସ୍ତଙ୍କ ପଛରେ ସେହି ଅର୍ଥର ସୂତ୍ର ରହିଛି। ଟଙ୍କା ଯୁଆଡ଼େ, ସମସ୍ତେ ସିଆଡ଼େ। ଉଦାହରଣ ସ୍ବରୂପ, ଭାରତର ହାତଗଣତି କୋଟିପତିଙ୍କ ମାଲିକାନାରେ ସବୁ ଟେଲିଭିଜନ ଚ୍ୟାନେଲ ଚାଲିଛି। ସେହି ଟେଲିଭିଜନ ଚ୍ୟାନେଲରେ ବାରମ୍ବାର ପ୍ରଚାର କରାଗଲା ଯେ କକ୍‌ରୋଚ୍‌ ଜନତା ପାର୍ଟିକୁ ଏତେ ବଡ଼ ସମାଗମ ପାଇଁ ଅର୍ଥ ବାହାରୁ ଆସିଥିଲା। କେହି ଭାବି ନ ଥିବେ ଯେ, ଭାରତର କୋଟିପତିମାନେ ଦେଶର ଆଭ୍ୟନ୍ତରୀଣ ପରିସ୍ଥିତିକୁ ଦେଖି ଏବଂ ନିଜ ବ୍ୟବସାୟର ଭବିଷ୍ୟତ ପାଇଁ ନିଜେ ଅର୍ଥ ଅଜାଡ଼ି ଦେଇଥିବେ। କାରଣ ସେହି କୋଟିପତିମାନେ ବୁଝିଗଲେଣି ଯେ, ଭାରତର ରାଜନୀତିରେ ଏକ ପରିବର୍ତ୍ତନ ସୁନିଶ୍ଚିତ ଆସୁଛି, ଯେଉଁଥିପାଇଁ ବୃଦ୍ଧ ନେତାମାନେ ‘ଜେନ୍‌ ଜି’ ସାଙ୍ଗରେ ଭଲେଇ ହେବା ସକାଶେ ଧାଡ଼ିବାନ୍ଧି ଛିଡ଼ାହେଲେଣି। ଏହାର କାରଣ ଏହି ପ୍ରମୁଖ ରାଜନେତାମାନେ ବୁଝିଛନ୍ତି ଯେ, ଏହି ଯୁବ ଭୋଟରମାନେ ସମଗ୍ର ଦେଶର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ସମାନ ଭାବରେ ବିଛାଡ଼ି ହୋଇ ରହିଛନ୍ତି, କିନ୍ତୁ ସେମାନଙ୍କୁ କେବେହେଲେ କୌଣସି ନିର୍ଦ୍ଦିଷ୍ଟ ‘ଭୋଟ ବ୍ୟାଙ୍କ’ରେ ସାମିଲ କରିବା ସମ୍ଭବପର ହେବ ନାହିଁ। ନେତାମାନେ ପ୍ରତ୍ୟେକ ନାଗରିକଙ୍କୁ କେବଳ ଏକ ଚଳପ୍ରଚଳ କରୁଥିବା ଭୋଟ ଭାବରେ ଦେଖୁଥିବାରୁ ଯୁବପିଢ଼ିଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଏହି ଅସହଜ ପରିସ୍ଥିତି ସେମାନଙ୍କ ଚିନ୍ତାଧାରା ବାହାରକୁ ଚାଲିଗଲାଣି। ଭୋଟ ବ୍ୟାଙ୍କ ବିନା ଏହି ପୁରୁଣା ଚିନ୍ତାଧାରାର ଲୋକଙ୍କ ରାଜନୀତି ଶୀଘ୍ର ଦୁର୍ବଳ ହୋଇ ହଜିଯିବ।

 

Dharitri –Odisha’s No.1 Trusted Odia Daily