ଜନଜାତି ପର୍ଯ୍ୟଟନ: ବିକଳ୍ପ ଅର୍ଥନୀତି

୨୦୧୧ର ଏକ ପରିସଂଖ୍ୟାନକୁ ବିଶ୍ଲେଷଣ କଲେ ଜଣାଯାଏ ଯେ, ଓଡ଼ିଶାର ମୋଟ ଜନସଂଖ୍ୟାର ପ୍ରାୟ ଶତକଡ଼ା ୨୨.୮୪ ଭାଗ ହେଉଛନ୍ତି ଆଦିବାସୀ ଜନଜାତି ବର୍ଗର। ଏଠାରେ ପ୍ରଶ୍ନଉଠେ ଆମ ରାଜ୍ୟରେ କ’ଣ ଏହି ଜନଜାତୀୟ ମାନବ ସମ୍ବଳର ସୁବିନିଯୋଗ କରିପାରିଛୁ? ଦେଶ ସ୍ବାଧୀନ ହୋଇଥିଲା ‘ଗ୍ରାମ ସ୍ବରାଜ’ ଓ ‘କୁଟୀରଶିଳ୍ପ’ର ଆହ୍ବାନରେ। ହେଲେ ସ୍ବାଧୀନତାର ଠିକ୍‌ ପରେ ପରେ ସ୍ଲୋଗାନ ସବୁ ବଦଳିଗଲା ଦ୍ରୁତ ଶିଳ୍ପାୟନ ଓ ଖଣିଜ ସମ୍ପଦର ସୁବିନିଯୋଗରେ। ଧୀରେ ଧୀରେ ସୁବିଧାସୁଯୋଗମାନେ ଠୁଳହୋଇଗଲେ ସହରରେ। ଗାଆଁ ଉଠିଆସିଲା ସହରତଳି ବସ୍ତିଅଞ୍ଚଳକୁ। ଶୂନ୍‌ଶାନ ଗାଆଁ ମାଟିରେ ଏବେ ବେକାରି, ଦାରିଦ୍ର୍ୟ, ଆର୍ଥିକ ଅନଟନ, ଅଶିକ୍ଷା, ରୋଗ ଓ ଦାଦନର କରାଳ ଗ୍ରାସରେ ଆଉଟୁ ପାଉଟୁ ହେଉଛି। ଆଦିବାସୀଙ୍କ ପାଇଁ ତ ଏହା ଆହୁରି ମରଣାନ୍ତକ। ପ୍ରାୟ ୧୩ଗୋଟି ଲୁପ୍ତପ୍ରାୟ ଜନଜାତିଙ୍କ ବିଲୁପ୍ତର ଇତିହାସ ଖୋଜିଲେ ଜାଣିପାରିବା ଯେ, ଏହା ମୁଖ୍ୟତଃ ବିସ୍ଥାପନ (ରୋଜଗାରର ଅନ୍ବେଷଣରେ ବା ବ୍ୟବସ୍ଥାକୃତ) ଜନିତ ଓ ନିଜ ପ୍ରାକୃତିକ ପରିବେଶରୁ ଦୂରେଇ ଯିବା କାରଣରୁ ହିଁ ଘଟିଛି। ତେବେ କେବଳ ସମସ୍ୟାମାନଙ୍କ ଅବଧାରଣା କରିବା ଆମର ଲକ୍ଷ୍ୟ ନୁହେଁ ବରଂ ସମାଧାନ ଖୋଜିବା ଆମର ଧ୍ୟେୟ।
ପର୍ଯ୍ୟଟନ ଏଭଳି ଏକ ଶିଳ୍ପ, ଯାହା ମାଧ୍ୟମରେ ଗୋଟିଏ ଅଞ୍ଚଳ ତା’ର ମୂଳ ଭୂଖଣ୍ଡ ସହ ଆହୁରି ମଜଭୁତ ଭାବରେ ଯୋଡ଼ି ହେବା ସହ ଉକ୍ତ ଅଞ୍ଚଳର ଅର୍ଥନୈତିକ, ରାଜନୈତିକ, ସାଂସ୍କୃତିକ, ସାହିତି୍ୟକ, ଶୈଖିକ ବିକାଶ ହେବା ସାଥେ ସାଥେ ଭିତ୍ତିଭୂମିର ମଧ୍ୟ ତ୍ୱରିତ୍‌ ବିକାଶ ହୋଇଥାଏ। ଅର୍ଥାତ୍‌ ଅଞ୍ଚଳଟିର ସାମଗ୍ରିକ ବିକାଶ ଘଟିଥାଏ। ପର୍ଯ୍ୟଟନ, ତା’ ପୁଣି ଜନଜାତି ପର୍ଯ୍ୟଟନ! ଯେବେ ଶାଳ, ଶାଗୁଆନ, ସର୍ଗି, ଅର୍ଜୁନ ଗଛଗୁଡ଼ିକ ଗହଣରେ, ପାହାଡ଼ର ପଥୁରିଆ ଦେହରେ, ସୁଉଚ୍ଚ ପାହାଡ଼ି ଝରଣାର ଉଦ୍ଦାମତ୍ତା ସାଥିରେ, ଜଙ୍ଗଲୀ ନଈର କୁଳୁକୁଳୁ, ବଣୁଆ ପବନର ଶିରିଶିରି, କୁହୁଡ଼ି, ବାଦଲ, ବର୍ଷା ଭିଜାମାଟିର ବାସ୍ନା, ଚିହ୍ନା ଅଚିହ୍ନା ପକ୍ଷୀଙ୍କ କାକଳି ମିଶିଯାଏ, ସବୁ ଏକାଠି ହୋଇ ତିଆରି କରନ୍ତି ଏକ ଅଦ୍ଭୁତ ନିଶା। ସେ ନିଶାରେ ପର୍ଯ୍ୟଟକ ଆତ୍ମହରା ହେବା ଥୟ, ନିଜକୁ ହଜାଇ ଦେବା ଥୟ, ଜୀବନର ପ୍ରକୃତସୁଖ ଓ ଆନନ୍ଦକୁ ଭୋଗିନେବା ବି ଥୟ। ପ୍ରାକୃତିକ ଜଙ୍ଗଲ ଭଳି ପ୍ରାକୃତିକ ମଧ୍ୟ ସେ ମାଟିର ମଣିଷ। ନାଚ, ଗୀତ, ମାଦଳ, ସଲପରେ ଜିଇଯାଏ ଜୀବନଟେ। କୋଳାହଳପୂର୍ଣ୍ଣ ଯାନ୍ତ୍ରିକ ଜୀବନରେ ପ୍ରତି ମୁହୂର୍ତ୍ତରେ ଅନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ଧାଉଁଥିବା ସହରି ମଣିଷ ପାଇଁ ଏ ଜଙ୍ଗଲୀ ଜୀବନ ଜୀବନ୍ୟାସ ଭଳି। ସେମାନଙ୍କ ଗହଣରେ ସେଇଠି କିଛିଦିନ ରହି, ସେମାନଙ୍କର ପାରମ୍ପରିକ ଖାଦ୍ୟ ଖାଇ, ପୋଷାକ ପିନ୍ଧି, ସେ ନିଜ ଜୀବନକୁ ତଥା ଜନଜାତୀୟ ଜୀବନଶୈଳୀକୁ ଆବିଷ୍କାର କରିପାରିବ ଏକ ନୂଆଁଢଙ୍ଗରେ, ନିଜ ବାଗରେ, ବିମୋହିତ ମାଟି ବାସ୍ନାରେ।
ରାଜଧାନୀ ଭୁବନେଶ୍ବରରେ ପ୍ରତିବର୍ଷ ଆୟୋଜିତ ହେଉଥିବା ଆଦିବାସୀ ମେଳା, ଏ ମେଳାର ଚାହିଦା ତଥା ଆଦର ଏହାର ଏକ ଜ୍ୱଳନ୍ତ ଉଦାହରଣ ଯେ, ଆଦିବାସୀ ଅଞ୍ଚଳର ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ଓ ଉତ୍ପାଦର ଚାହିଦା କେତେ ବେଶି। କିନ୍ତୁ ବର୍ଷକୁ ଥରେ ମାତ୍ର କିଛିଦିନ ପାଇଁ ଆୟୋଜିତ ହେଉଥିବା ଏ ମେଳା କ’ଣ ସମଗ୍ର ରାଜ୍ୟର ଉପଭୋକ୍ତାଙ୍କର ଚାହିଦାକୁ ମେଣ୍ଟାଇ ପାରିବାରେ ସକ୍ଷମ? ଓଡ଼ିଶାର କୋଣ ଅନୁକୋଣର ଅନ୍ଧାରି ମୂଲକରେ ରହୁଥିବା ସମସ୍ତ ଆଦିବାସୀ କ’ଣ ଏଥିରେ ସାମିଲ ହୋଇ ବ୍ୟବସାୟିକ ଲାଭ ଉଠାଇ ପାରନ୍ତି? ନିଶ୍ଚିତରୂପେ ‘ନା’। ଏହା କେବଳ ଏକ ଶୁଭ ସୂଚନା ଯେ, ଏହି ମେଳା ମାଧ୍ୟମରେ ଆମେ ଆଦିବାସୀଙ୍କ ଉତ୍ପାଦ ପାଇଁ ଏକ ବଜାର ତିଆରି ପାରିଛୁ। ଯଦି ସେହି ଜଙ୍ଗଲଜାତ ଦ୍ରବ୍ୟ, ସେହି ଜଙ୍ଗଲର ଆଦିବାସୀଙ୍କଠାରୁ, ସେହି ଜଙ୍ଗଲରେ ହିଁ ଉପଭୋକ୍ତା(ପର୍ଯ୍ୟଟକ)ମାନେ ସିଧାସଳଖ ସେଇଠି କିଣିପାରନ୍ତେ, ତେବେ ଉଭୟପକ୍ଷ କେତେ ଲାଭାନ୍ବିତ ହୁଅନ୍ତେ ସତେ! ଚିନ୍ତା କରିବାର ବିଷୟ। ଏତଦ୍‌ବ୍ୟତୀତ ଆଦିବାସୀଙ୍କ ପାଇଁ ନିଜ ଗାଆଁରେ ଏକ ବଜାର ମଧ୍ୟ ସୃଷ୍ଟି ହୋଇପାରନ୍ତା; ଯାହା ତାଙ୍କୁ ରାଜ୍ୟ, ଦେଶ ଓ ବିଶ୍ୱ ଅର୍ଥନୀତି ସହ ଯୋଡ଼ିପାରିବାରେ ସକ୍ଷମ ହୁଅନ୍ତା। ଜଙ୍ଗଲଜାତ ଦ୍ରବ୍ୟର ଚାହିଦାକୁ ଉପଲବ୍ଧି କରି ଆଦିବାସୀ ଜଙ୍ଗଲର ରକ୍ଷଣାବେକ୍ଷଣ ତଥା ନୂତନ ଜଙ୍ଗଲ ସୃଷ୍ଟି ପାଇଁ ମଧ୍ୟ ଆଗଭର ହୋଇ ଆସନ୍ତେ।
ସ୍ଥାନୀୟ ଉତ୍ପାଦକୁ ପ୍ରକ୍ରିୟାକରଣ ମାଧ୍ୟମରେ କ୍ଷୁଦ୍ର ଓ ମଧ୍ୟମଶିଳ୍ପମାନ ସେହି ଗାଆଁରେ ପ୍ରତିଷ୍ଠା କରି ବେକାର ଜନଜାତୀୟ ଯୁବକମାନେ କର୍ମ ସଂସ୍ଥାନ ଯୋଗାଡ଼ କରିପାରିବେ। ଦାଦନଭଳି ପ୍ରମୁଖ ସମସ୍ୟାର ଏହା ଏକମାତ୍ର ସମାଧାନ। ପର୍ଯ୍ୟଟନକୁ ବ୍ୟବସାୟ ଭାବରେ ଆପଣେଇ ଆଦିବାସୀ ଗାଆଁର ଯୁବକମାନେ ନିଜଘରୁ ଖୁବ୍‌ କମ୍‌ ପୁଞ୍ଜି ବିନିଯୋଗରେ ଏହି ବ୍ୟବସାୟ ଆରମ୍ଭ କରିପାରିବେ। ବର୍ତ୍ତମାନର ଡିଜିଟାଲ ଯୁଗରେ ଆଦିବାସୀ ଯୁବକଟିଏ ମଧ୍ୟ ସାମାଜିକ ଗଣମାଧ୍ୟମର ବହୁଳ ବ୍ୟବହାର କରି ଏହାର ପ୍ରଚାରପ୍ରସାର କରିପାରିବ ଓ ଗ୍ରାହକମାନଙ୍କୁ ନିଜ ଗାଆଁ ପରିବେଶ ପ୍ରତି ଆକର୍ଷିତ କରାଇପାରିବ। କମ୍‌ ଖର୍ଚ୍ଚରେ ଜଙ୍ଗଲୀ, ଘରୁଆ, ନିର୍ଭେଜାଲ ଗାଆଁ ପରିବେଶରେ ନିଜର ବ୍ୟସ୍ତବହୁଳ ଦିନଚର୍ଯ୍ୟାର ଫୁର୍‌ସତ ନେଇ କିଛିଦିନ କାଟିବା ପାଇଁ ଲୋକଙ୍କର ଆଗ୍ରହ ପ୍ରବଳ ରହିଛି। ପର୍ଯ୍ୟଟନ ଶିଳ୍ପ ଯେ ଖଣିଖାଦାନଠାରୁ ଅଧିକ ଲାଭପ୍ରଦ, ସୁରକ୍ଷିତ ଓ ସ୍ବାସ୍ଥ୍ୟକର ଏହା ଆମେ ସମସ୍ତେ ଜାଣୁ। ସୁଇଜରଲାଣ୍ଡ, ମାଲଡେଭିସ୍‌ ଭଳି ଦେଶ, ଭାରତର କଶ୍ମୀର, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ମେଘାଳୟ ଓ କେରଳ ଭଳି ରାଜ୍ୟ ତଥା ଲାକ୍ଷାଦ୍ୱୀପ ଓ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଏହାର ଉଦାହରଣ।
ବିକାଶ କହିଲେ, କେବଳ ଦ୍ରୁତ ଶିଳ୍ପାୟନ ବା ବଡ଼ବଡ଼ ନଦୀବନ୍ଧ ଯୋଜନାକୁ ବୁଝାଏ ନାହିଁ ବରଂ ଆମ ରାଜ୍ୟର ସବୁଜବନାନୀ, ପୂର୍ବଘାଟ ଓ ପଶ୍ଚିମଘାଟ ପର୍ବତ ଶୃଙ୍ଖଳ, ଚିରସ୍ରୋତା ନଦୀ, ଝରଣା, ଉର୍ବର ଚାଷଜମି, ବିସ୍ତୀର୍ଣ୍ଣ ଜଙ୍ଗଲ, ପଶୁ, ପକ୍ଷୀ ଓ ଏହି ପ୍ରକୃତିକୁ ପାଥେୟ କରି ବଞ୍ଚୁଥିବା ମଣିଷମାନଙ୍କ ସର୍ବାଙ୍ଗୀନ ବିକାଶକୁ ବୁଝାଯାଏ। ଅନେକ ସମୟରେ ଆମେ ଭୁଲିଯାଉ ଯେ, ବିକାଶ ଚାହୁଁଥିବା ମାନବଜାତିଙ୍କ ମଧ୍ୟରେ ଆଦିବାସୀ ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ, ଯାହାଙ୍କ ଜୀବନ ତଥା ଜୀବନ ଧାରଣ ପାଇଁ ପ୍ରକୃତି ଓ ପରିବେଶ କେବଳ ଆବଶ୍ୟକତା ମାତ୍ର ନୁହେଁ, ଅଧିକନ୍ତୁ ପାହାଡ଼ ଓ ଜଙ୍ଗଲ ବିନା ଆଦିବାସୀର ଜୀବନ କଳ୍ପନା କରିବା ହିଁ ଅସମ୍ଭବ।
ଯେଉଁ ଆଦିବାସୀ ଜଙ୍ଗଲ ରକ୍ଷା କରେ, ଯିଏ ଗଛ ଓ ପାହାଡ଼କୁ ଦେବତା ବୋଲି ମାନେ, ଯେ ଡଙ୍ଗର ଓ ଝରଣାକୁ ନିଜ ପ୍ରାଣପିଣ୍ଡ ବୋଲି ଗ୍ରହଣ କରେ, ସେହି ଆଦିବାସୀଙ୍କ ଜଳ, ଜମି, ଜଙ୍ଗଲ ଓ ପାହାଡ଼କୁ କୌଣସି ପ୍ରକାର କ୍ଷତି ନ ପହଞ୍ଚାଇ ମଧ୍ୟ ଆମେ ବିକାଶର ରଥକୁ ଆଗକୁ ନେଇପାରିବା। ଆଦିବାସୀ ଅଞ୍ଚଳରେ ପର୍ଯ୍ୟଟନ ଦ୍ୱାରା ଏହି ଅଞ୍ଚଳର ସାମଗ୍ରିକ ବିକାଶ ସାଙ୍ଗକୁ ଜାତୀୟ ଅର୍ଥନୀତିରେ ସରକାରଙ୍କର ପ୍ରଣୀତ ‘ସବୁଜ କର’ରେ ମଧ୍ୟ ଆଦିବାସୀଙ୍କର ଭାଗୀଦାରିକୁ ଆମେ ସୁନିଶ୍ଚିତ କରିପାରିବା। ଜନଜାତି ଅଞ୍ଚଳରେ ପର୍ଯ୍ୟଟନ ଶିଳ୍ପକୁ ଅଗ୍ରାଧିକାର ଭିତ୍ତିରେ ଯୋଜନାରେ ସାମିଲ କରିବା ଏ ସମୟର ଅର୍ଥନୀତି ପାଇ ଁଏକ ବଡ଼ ଆହ୍ବାନ। କେବଳ ଧ୍ୟାନ ରଖିବାକୁ ହେବ ଯେ, ବିକାଶର ନକ୍ସା ଆଙ୍କୁଆଙ୍କୁ ଆଦିବାସୀର ସ୍ବାର୍ଥ ଓ ଅଧିକାରକୁ ପୁଣି ବଳି ଦିଆ ନ ଯାଉ। ସ୍ଥାନୀୟ ଜନଜାତିଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟବସାୟିକ ଗୋଷ୍ଠୀ ବାହାର ଧନିକ ଶ୍ରେଣୀଙ୍କ ଦ୍ୱାରା ଏହି ଅଞ୍ଚଳରେ ହୋଟେଲ ଆଦି ଶିଳ୍ପସଂସ୍ଥା ଗଢ଼ି ପୁଣି ସେହି ମୂଳ ଅଧିବାସୀଙ୍କୁ ବିସ୍ଥାପନ ପାଇଁ ବାଧ୍ୟ କରା ନ ଯାଉ। ପ୍ଲାଷ୍ଟିକ ଓ ଅନ୍ୟ କଠିନ ବର୍ଜ୍ୟବସ୍ତୁକୁ ଏହି ପ୍ରାକୃତିକ ଅଞ୍ଚଳରେ ସମ୍ପୂର୍ଣ୍ଣ ଭାବରେ ନିଷିଦ୍ଧ କରି କେବଳ ପରିବେଶ ଅନୁକୂଳ ସ୍ଥାନୀୟ ବସ୍ତୁକୁ ବ୍ୟବହାର ପାଇଁ ଅନୁମତି ଦିଆଯାଉ।
ଈଶ୍ବରଙ୍କ ସୃଷ୍ଟିରେ ଜଙ୍ଗଲ, ପାହାଡ଼, ଝରଣା, ନଦୀ ଓ ଡଙ୍ଗର ଆଜି ବି ନିଜ ସୌନ୍ଦର୍ଯ୍ୟରେ ଅପରୂପ। ଯାନ୍ତ୍ରିକ ଜୀବନ ଶୈଳୀରେ କବଳିତ ସହରୀ ମଣିଷ ପାଇଁ ଏହା ଏକମାତ୍ର ମାଧ୍ୟମ ଆତ୍ମିକ ଶାନ୍ତି ଓ ପରମତୃପ୍ତି ଭୋଗିବାର। ଆଜିର ହାଇଟେକ ଜୀବନକୁ ପିଠି କରି କିଛି କ୍ଷଣ ନିରୋଳାରେ ଖୁବ୍‌ ନିକଟରୁ ପ୍ରକୃତିକୁ ଭୋଗିବାକୁ ଯୁବପିଢ଼ି ପାଇଁ ଜନଜାତି ପର୍ଯ୍ୟଟନ ଅପାର ସୁଯୋଗ ଓ ପରିତୃପ୍ତିର ଗନ୍ତାଘର। ଏହି ଶିଳ୍ପ ବିକଳ୍ପ ଅର୍ଥନୀତି ଭାବରେ ଯଥେଷ୍ଟ ସମ୍ଭାବନାର ଅପେକ୍ଷା ରଖେ।

ସୁଜାତା ମହାପାତ୍ର
ଶିବାନୀ ଏନ୍‌କ୍ଲେଭ
ବମିଖାଲ କେନାଲରୋଡ୍‌,
ଭୁବନେଶ୍ୱର, ମୋ:୯୪୩୭୩୬୦୯୬୪


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri