ଜନଜାତି ବିକାଶ ଆମ ପ୍ରାଥମିକତା

ଜୟ ଜଗନ୍ନାଥ
ଆଜି ଜନଜାତୀୟ ଗୌରବ ଦିବସ।ଭଗବାନ ବିର୍ସା ମୁଣ୍ଡାଙ୍କର ପବିତ୍ର ଜୟନ୍ତୀ। ବିର୍ସା ମୁଣ୍ଡା ଥିଲେ ଆଦିବାସୀମାନଙ୍କ ସ୍ବାର୍ଥ, ସ୍ବାଭିମାନ ଓ ଆତ୍ମପରିଚୟର ସୁରକ୍ଷା ପାଇଁ ସଂଘର୍ଷର ମୂର୍ତ୍ତିମନ୍ତ ପ୍ରତୀକ। ସେଥିପାଇଁ ସେ ଭଗବାନ ଓ ଧରତୀ ଆବା ଭାବରେ ଆଦିବାସୀ ସମାଜର ଚିର ପୂଜ୍ୟ ଓ ନମସ୍ୟ ଭାବରେ ବିଦିତ। ଏହି ମହାନ୍‌ ବିଭୂତିଙ୍କର ୧୫୦ ତମ ଜୟନ୍ତୀ ବର୍ଷରେ କେବଳ ରାଜ୍ୟର ୨୨ ପ୍ରତିଶତରୁ ଊର୍ଦ୍ଧ୍ୱ ଜନଜାତି ବର୍ଗଙ୍କ ତରଫରୁ ନୁହେଁ, ପୂରା ଓଡ଼ିଶାର ସାଢ଼େ ଚାରି କୋଟି ଜନତାଙ୍କ ପକ୍ଷରୁ ଏହି ମହାନ ବ୍ୟକ୍ତିତ୍ୱଙ୍କୁ କୋଟି କୋଟି ପ୍ରଣାମ କରୁଛି।
ଦେଶର ସର୍ଦ୍ଦାର- ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ୧୫୦ତମ ଜୟନ୍ତୀକୁ ଦେଶବାସୀ ଉତ୍ସାହ ଓ ଆଗ୍ରହର ସହ ଏକତା ଦିବସ ଭାବରେ ପାଳନ କରୁଛନ୍ତି।ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଦେଶର ଅଦ୍ୱିତୀୟ କୃଷକ ନେତା।କୃଷକ ଆନ୍ଦୋଳନକୁ ସେ କେବଳ କୃଷକମାନଙ୍କ ସ୍ବାର୍ଥରକ୍ଷା ପାଇଁ ନୁହେଁ, ବରଂ ଦେଶର ସ୍ବାଧୀନତା ସଂଗ୍ରାମରେ କୃଷକ ସମାଜକୁ ବ୍ୟାପକ ଭାବରେ ସାମିଲ କରିଥିଲେ। ବ୍ରିଟିଶ ସାମ୍ରାଜ୍ୟର ଡିଭାଇଡ ଆଣ୍ଡ ରୁଲ୍‌ ତତ୍ତ୍ୱରେ ଦେଶକୁ ସ୍ବାଧୀନତା ମିଳିଥିଲା। ତେବେ ଦେଶୀୟ ରାଜ୍ୟ ମିଶ୍ରଣ ସମସ୍ୟାକୁ ଅନ୍ତ କରି ସମ୍ପୂର୍ଣ୍ଣ ଭାରତକୁ ଏକତାର ସୂତ୍ରରେ ବାନ୍ଧିରଖି ସେ ହୋଇଥିଲେ ଅବିସ୍ମରଣୀୟ।
ଦେଶର ଅଦ୍ୱିତୀୟ କୃଷକ ନେତା ସର୍ଦ୍ଦାର ପଟେଲ ଏବଂ ଦେଶର ଅଦ୍ୱିତୀୟ ଆଦିବାସୀ ନେତା ଭଗବାନ ବିର୍ସା ମୁଣ୍ଡା ବୟସରେ ମୋଟାମୋଟି ସମାନ।ଦେଶମାତୃକା ଓ ସମାଜ ପାଇଁ ଉଭୟଙ୍କ ଯୋଗଦାନ ଅବିସ୍ମରଣୀୟ।ଭଗବାନ ବିର୍ସା ମୁଣ୍ଡା ଏହି ଇହଧାମରେ ମାତ୍ର ୨୫ ବର୍ଷ ଅତିବାହିତ କରିଥିଲେ।ଭାରତର ଇତିହାସର ସବୁଠାରୁ ଶକ୍ତିଶାଳୀ ଆଦିବାସୀ ମେଳି ଓ ଜନ ଆନ୍ଦୋଳନର ମହାନାୟକ ଭଗବାନ ବିର୍ସା ମୁଣ୍ଡା। ମହାନ୍‌ ବିପ୍ଳବୀ ବିର୍ସା ମୁଣ୍ଡା ରାଞ୍ଚି ଜେଲର ଏକ କୋଠରିରେ ୧୯୦୦ ମସିହା ଜୁନ୍‌ ୯ତାରିଖରେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ।ବ୍ରିଟିଶ ସରକାର ଘୋଷଣା କରିଥିଲେ ଯେ, ତାଙ୍କର ହଇଜାରେ ମୃତ୍ୟୁ ଘଟିଛି, ଯଦିଓ ତାଙ୍କଠାରେ ଏହି ରୋଗର କୌଣସି ଲକ୍ଷଣ ପରିଲକ୍ଷିତ ହୋଇ ନ ଥିଲା।
ଆଜି ତାଙ୍କର ଜନ୍ମଦିନକୁ ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଜନଜାତୀୟ ଗୌରବ ଦିବସ ଭାବରେ ପାଳନ କରିବାର ପରମ୍ପରା ସୃଷ୍ଟିକରି ଦେଶର ଆଦିବାସୀ ସମାଜକୁ ଏହାର ଇତିହାସ, ସଭ୍ୟତା, ସଂସ୍କୃତି ଓ ଆତ୍ମ ପରିଚୟକୁ ପୁଣି ଥରେ ସିଂହାବଲୋକନ କରିବାର ସୁଯୋଗ ସୃଷ୍ଟି କରିଛନ୍ତି।ସାରା ଦେଶ ସମେତ ଆମର ପ୍ରିୟ ରାଜ୍ୟ ଓଡ଼ିଶାରେ ଆଦିବାସୀମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତି ତଥା ସେମାନଙ୍କର ସାଂସ୍କୃତିକ ପରିଚୟ ଏବଂ ଅସ୍ମିତାକୁ ମନେ ପକାଇବାର ସମୟ ଆସିଛି।ଭଗବାନ ବିର୍ସା ମୁଣ୍ଡାଙ୍କ ସଂଘର୍ଷର ସ୍ବର୍ଣ୍ଣିମ କାହାଣୀ ସହ ଓଡ଼ିଶାର ବ୍ରିଟିଶ ବିରୋଧୀ ସଂଗ୍ରାମର ଆଦିବାସୀ ମହାନାୟକମାନଙ୍କୁ ମନେପକାଇ ସେମାନଙ୍କୁ ସ୍ମୃତିର ଅର୍ଘ୍ୟ ଦେବା ପାଇଁ ଆଜିର ଦିନଟି ଉଚିତ ସମୟ।
୨୦୪୭ ମସିହାରେ ଦେଶ ସ୍ବାଧୀନତାର ୧୦୦ ବର୍ଷ ଏବଂ ୨୦୩୬ରେ ଆମ ରାଜ୍ୟ ସ୍ବତନ୍ତ୍ର ପ୍ରଦେଶ ଭାବରେ ଗଠନ ହେବାର ୧୦୦ ବର୍ଷ ପୂର୍ତ୍ତି ପାଳିତ ହେବ। ଓଡ଼ିଶା ସମେତ ସମ୍ପୂର୍ଣ୍ଣ ଦେଶ ପାଇଁ ଆଗାମୀ ୨୨ ବର୍ଷ ବେଶ୍‌ ଗୁରୁତ୍ୱପୂର୍ଣ୍ଣ।କାରଣ ମୋଦିଜୀ ଆଗାମୀ ଦୁଇ ଦଶନ୍ଧିରେ ବିକଶିତ ଭାରତ ନିର୍ମାଣର ସ୍ବପ୍ନ ଦେଖିଛନ୍ତି। ଏହି ୨୨ ବର୍ଷ ଆମ ଓଡ଼ିଶାବାସୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ,ଏଥିରେ ସନ୍ଦେହ ନାହିଁ।ମାତ୍ର ଏହି ୨୨ ବର୍ଷ ଭିତରୁ ଏହାର ପ୍ରଥମ ୧୧ ବର୍ଷ, ମାନେ ପ୍ରଥମ ଦଶନ୍ଧି ଆହୁରି ଗୁରୁତ୍ୱପୂର୍ଣ୍ଣ। ମୋଦିଜୀଙ୍କ ସ୍ବପ୍ନ ବିକଶିତ ଭାରତ।ମାତ୍ର ଓଡ଼ିଆଙ୍କ କାନ୍ଧରେ ଭାର ଟିକେ ଅଧିକ। ଆମେ ସବୁ ଭାରତବାସୀଙ୍କ ପାଇଁ ଆଗାମୀ ୨୨ବର୍ଷ ସଂଘର୍ଷମୟ। ମାତ୍ର ଆମେ ଓଡ଼ିଆମାନେ ୧୧ ବର୍ଷରେ ବିକାଶର ଏତେ ବଡ଼ ଲମ୍ଫଦେବା ଯାହା ବିକଶିତ ଭାରତ ଆଧାର ସ୍ତମ୍ଭ ବନିବ। ଓଡ଼ିଶାର ଏହି ବିଶାଳ ଲକ୍ଷ୍ୟ ହାସଲର ସ୍ବପ୍ନ ସେପର୍ଯ୍ୟନ୍ତ ପୂରଣ ହୋଇପାରିବ ନାହିଁ, ଯେପର୍ଯ୍ୟନ୍ତ ରାଜ୍ୟର ୨୨ ପ୍ରତିଶତ ଆଦିବାସୀ ଜନସଂଖ୍ୟା ତଥା ଏହି ସମୁଦାୟ ଅଧ୍ୟୁଷିତ ଜିଲ୍ଲା ଓ ଅଞ୍ଚଳଗୁଡ଼ିକର ବିକାଶ ଆଗାମୀ କିଛି ବର୍ଷରେ ଖୁବ୍‌ ଦ୍ରୁତଗତିରେ ଆଗେଇବ ନାହିଁ।
ଆମ ବିକାଶର ମାପଦଣ୍ଡର ପରିସଂଖ୍ୟାନ ଆମ ସାମ୍ନାରେ ଆଇନା ଭଳି ଆମକୁ ଆମର ସ୍ଥିତି ଦେଖାଉଛି।ବିକାଶର ସବୁ ମାନଦଣ୍ଡରେ ଆମର ଆଦିବାସୀ ଭାଇ ଭଉଣୀମାନେ ସବୁଠାରୁ ପଛୁଆ।ସତ୍ୟକୁ ସତ୍ୟ ଭାବରେ ସ୍ବୀକାର କରି ଆମକୁ ଆମର ଭବିଷ୍ୟତର କାର୍ଯ୍ୟପନ୍ଥା ସ୍ଥିର କରିବାକୁ ପଡ଼ିବ।ସାକ୍ଷରତା ହାର ହେଉ ଅଥବା ମହିଳା ବର୍ଗରେ ରକ୍ତହୀନତା, ଗର୍ଭାବସ୍ଥାର ମା’ ହୁଅନ୍ତୁ ଅଥବା ନବଜାତକଙ୍କ ପୁଷ୍ଟି ଓ ସ୍ବାସ୍ଥ୍ୟ, ପିଲାମାନଙ୍କର ବୟସ ଅନୁସାରେ ଉଚ୍ଚତା ଅଥବା ଉଚ୍ଚତା ଅନୁସାରେ ଓଜନ।ସାମାଜିକ ବିକାଶର ଅନେକ ମାପ ଦଣ୍ଡରେ ସାରା ଦେଶ ତୁଳନାରେ ଓଡ଼ିଶାର ସ୍ଥିତି ସେତେ ଭଲ ନୁହେଁ।ଆମ ରାଜ୍ୟର ବିଭିନ୍ନ ବର୍ଗର ସାମାଜିକ ବିକାଶ ମାପଦଣ୍ଡର ତୁଳନାତ୍ମକ ଚିତ୍ର ଆଙ୍କିବାବେଳେ ଆମର ଆଦିବାସୀ ଭାଇଭଉଣୀଙ୍କ ସ୍ଥିତି ଆହୁରି ଖରାପ।ଖାଲି ଯଦି ସାକ୍ଷରତାର ମାପଦଣ୍ଡକୁ ଆମେ ହିସାବ କରିବା ଶେଷ ଜନଗଣନା ସମୟରେ ରାଜ୍ୟରେ ୨୭.୧ ପ୍ରତିଶତ ନିରକ୍ଷର।ଆଦିବାସୀ ସମାଜରେ ଏହା ୪୭.୮ ପ୍ରତିଶତ।ମାତ୍ର ଆଦିବାସୀ ମହିଳାମାନଙ୍କ କ୍ଷେତ୍ରରେ ଏହା ୫୮.୮ ପ୍ରତିଶତ।ଏବେ ସମୟ ଆସିଛି ଐତିହାସିକ ଭୁଲ୍‌କୁ ସଂଶୋଧନ କରିବା ପାଇଁ।ଆଦିବାସୀ ସମାଜରେ ବିକାଶର ଗଙ୍ଗାର ଅବିରତ ଗତିକୁ ଆହୁରି ଗତିବାନ କରିବା।
ଆଜି ଭଗବାନ ବିର୍ସା ମୁଣ୍ଡାଙ୍କର ପବିତ୍ର ଜୟନ୍ତୀ।ଆଦିବାସୀଙ୍କ ହକ୍‌ ଓ ଅଧିକାର ପାଇଁ ଦୁର୍ବାର ଜନ ଆନ୍ଦୋଳନର ମହାନାୟକ ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ଓଡ଼ିଶାର ଆଦିବାସୀଙ୍କ ସର୍ବାଙ୍ଗୀନ ବିକାଶ ଲାଗି ଆମ ସରକାର ବଦ୍ଧପରିକର। ମୋ ପାଇଁ ଆଜି ଦିନଟି ଆହୁରି ଗୁରୁତ୍ୱପୂର୍ଣ୍ଣ ଓ ମୋ ଦାୟିତ୍ୱକୁ ମୁଁ ମର୍ମେ ମର୍ମେ ଅନୁଭବ କରୁଛି।ଆର୍ଥିକ ଅନଟନ, ସଂଘର୍ଷ ଓ ସମର୍ପଣର ରାସ୍ତା ଦେଇ, ପଡ଼ି ଉଠି ସମ୍ପୂର୍ଣ୍ଣ ସମାଜସହ ତାଳ ଦେଇ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଓଡ଼ିଶାର ସେବା କରିବା ପାଇଁ ମୋତେ ସୁଯୋଗ ମିଳିଛି।ରାଜ୍ୟର ସମ୍ପୂର୍ଣ୍ଣ ଆଦିବାସୀ ସମାଜର ସମସ୍ୟା ଓ ସଂଘର୍ଷର କାହାଣୀ ମୋ ଜୀବନର ଅଙ୍ଗେନିଭା ଅନୁଭୂତି। ରାଜ୍ୟର ୨୨ ପ୍ରତିଶତରୁ ଊର୍ଦ୍ଧ୍ୱ ଆଦିବାସୀ ସମାଜର ଦ୍ରୁତ ବିକାଶର ଶପଥକୁ ଆଜି ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀରେ ଦୋହରାଉଛି।
ଭଗବାନ ବିର୍ସା ମୁଣ୍ଡାଙ୍କର ସଂଘର୍ଷ ଓ ଆନ୍ଦୋଳନର ଭୂମି ଥିଲା ଆଧୁନିକ ଝାଡ଼ଖଣ୍ଡ ଓ ଓଡ଼ିଶାର ଅନେକାଂଶ ଅଞ୍ଚଳ। ଆଦିବାସୀଙ୍କର ଜଙ୍ଗଲ ଓ ଜମି ଅଧିକାର ନେଇ ବ୍ରିଟିଶ ବିରୋଧୀ ଉଗ୍ର ଓ ଆକ୍ରମଣାତ୍ମକ ସଂଘର୍ଷ ଆଜି ଦେଶର ଇତିହାସ ପୃଷ୍ଠାରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି।ତାଙ୍କର ସଂଘର୍ଷର ତୀବ୍ରତା ଓ ଜନ ଭାଗୀଦାରି ଶକ୍ତିଶାଳୀ ବ୍ରିଟିଶ ସାମ୍ରାଜ୍ୟକୁ ଦୋହଲାଇ ଦେଇଥିଲା। ଆଦିବାସୀ ଜମି ଓ ଜଙ୍ଗଲ ହଡ଼ପର ନାୟକ ବ୍ରିଟିଶ ସାମ୍ରାଜ୍ୟ ମୁଣ୍ଡ ନୁଆଁଇ ଛୋଟନାଗପୁର ଟେନାନ୍ସି ଆକ୍ଟ ୧୯୦୮ ଗୃହୀତ କରିବାକୁ ବାଧ୍ୟ ହୋଇଥିଲେ।ଭଗବାନ ବିର୍ସା ମୁଣ୍ଡାଙ୍କ ଐତିହାସିକ ୧ ଅକ୍ଟୋବର ୧୮୯୪ ପ୍ରତିବାଦ ଜନ ଶୋଭାଯାତ୍ରା ଆଜି ଇତିହାସର ମୂକ ସାକ୍ଷୀ।କେବଳ ଜଙ୍ଗଲ ଓ ଜମି ଅଧିକାର ହାସଲରେ ସୀମିତ ଲକ୍ଷ୍ୟର ପୂଜାରୀ ନ ଥିଲେ ବିର୍ସା ମୁଣ୍ଡା।ତାଙ୍କର ନାରା ଥିଲା: ଆବୁଆରାଜ ସେଟାରଜାନା, ମହାରାଣୀରାଜ ତୁଣ୍ଡୁଜାନା- ଅର୍ଥାତ୍‌ ବ୍ରିଟିଶ୍‌ରାଜ ଶେଷକରି ନିଜ ଶାସନ ଲାଗୁ କରିବା। କେବଳ ଆଧୁନିକ ଝାଡ଼ଖଣ୍ଡ-ଓଡ଼ିଶାର ଆଦିବାସୀ ସ୍ବାର୍ଥ ନୁହେଁ ବରଂ ସାରା ଦେଶର ସ୍ବାଧୀନତା ପାଇଁ ବିର୍ସାଙ୍କ ଯୋଗଦାନ ଚିରସ୍ମରଣୀୟ ହୋଇ ରହିବ।
ହୁଏତ ଆମ ଦେଶର ସ୍ବାଧୀନତାର ଶ୍ରେୟ କେତୋଟି ହାତଗଣତି ପରିବାରରେ ସୀମିତ କରିବାକୁ ଅପଚେଷ୍ଟା କରାଯାଇ ଥାଇପାରେ।ମାତ୍ର ଆମର ସ୍ବାଧୀନତା ସଂଗ୍ରାମ ଥିଲା ସତରେ ବଡ଼ ଜନ ଆନ୍ଦୋଳନ।ଭଗବାନ ବିର୍ସା ମୁଣ୍ଡାଙ୍କୁ ତାଙ୍କ ଜୟନ୍ତୀରେ ଅର୍ଘ୍ୟ ଦେବାବେଳେ ବଳିଦାନ ଦେଇଥିବା ଓଡ଼ିଶାର ଜନ ସଂଘର୍ଷର ମହାନାୟକମାନେ ଆମର ଆଦିବାସୀ ସମାଜର ଓ ସାରା ଓଡ଼ିଶାର ନମସ୍ୟ।କନ୍ଧ ମେଳିର ମହାନାୟକ ଦୋରା ବିଷୋୟୀ ଓ ଚକରା ବିଷୋୟୀ, ମୟୂରଭଞ୍ଜର ୧୮୫୭ର ମହାନାୟକ ଦୟାନିଧି ଧାରୁଆ।କେଉଁଝରର ଭୂଇଁଆ ମେଳିର ରତନ ନାଏକ, ଧରଣୀଧର ନାଏକ, କୋରାପୁଟର ଲକ୍ଷ୍ମଣ ନାଏକ, ବୌଦ୍ଧ-କନ୍ଧମାଳର ନବଘନ କହଁରଙ୍କ ସମେତ ମାଦ୍ରି କାଲୋ, ନିର୍ମଳ ମୁଣ୍ଡା, ସାଧୁଜାନୀ-ଦୁନାଇ ଜାନୀ, ତମା ଦୋରା, ଶହୀଦ ମାଧୋ ସିଂ ଓ ତାଙ୍କ ପରିବାର ସମେତ ଓଡ଼ିଶାର ଅଗଣିତ ଆଦିବାସୀ ସଂଗ୍ରାମୀଙ୍କୁ ଜଣେ ଆଦିବାସୀ ଦାୟାଦ ତଥା ସାରା ଓଡ଼ିଶାବାସୀଙ୍କ ତରଫରୁ ସ୍ମରଣ କରୁଛି।
ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖାଲି ଇତିହାସକୁ ସ୍ମରଣ କରିବାରେ ସୀମିତ ନୁହନ୍ତି।ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସମୟରୁ ଶୁଭାରମ୍ଭ ହୋଇଥିବା ଆଦିବାସୀ ବିକାଶ ଗଙ୍ଗାକୁ ଜନ ଜନ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ବଡ଼ ପଦକ୍ଷେପ ନେଉଛନ୍ତି ମୋଦିଜୀ। ଅଟଳଜୀ ଆଦିବାସୀ ବିକାଶ ମନ୍ତ୍ରଣାଳୟର ଶୁଭାରମ୍ଭ କରି ଆଦିବାସୀଙ୍କୁ ବିକାଶ ନକ୍ସାର କେନ୍ଦ୍ରବିନ୍ଦୁକୁ ଆଣିଥିଲେ। ମୋଦିଜୀ ଦେଶର ୧୧ କୋଟି ପାଖାପାଖି ଆଦିବାସୀଙ୍କ ଭାଗ୍ୟ ବଦଳାଇବାରେ ଲାଗିଛନ୍ତି।ପୂର୍ବ ଭାରତ ପ୍ରାୟତଃ ଆଦିବାସୀ ଅଧ୍ୟୁଷିତ।ଓଡ଼ିଶାର ୨୨ ପ୍ରତିଶତ, ଝାଡ଼ଖଣ୍ଡର ୨୬ ପ୍ରତିଶତ, ଛତିଶଗଡ଼ରେ ୩୦ପ୍ରତିଶତ ସମେତ ଆସାମ ଓ ପଶ୍ଚିମବଙ୍ଗ ଏବଂ ସମ୍ପୂର୍ଣ୍ଣ ଭାବରେ ପୂର୍ବ ଭାରତରେ ଆଦିବାସୀ ସଂଖ୍ୟା ଢେର ଅଧିକ।ମୋଦିଜୀଙ୍କର ମିଶନ ପୂର୍ବୋଦୟ ବି ଆଦିବାସୀଙ୍କୁ ବିକାଶର ନକ୍ସାର କେନ୍ଦ୍ରବିନ୍ଦୁକୁ ଆଣିଛି।ଆଜି ଦିନରେ ମୋଦିଜୀଙ୍କର ଧରତୀଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ସରକାରଙ୍କର ବହୁ ବିଭାଗକୁ ଆଦିବାସୀ ଏକୀକୃତ ବିକାଶ ପାଇଁ ନୂଆ ରାସ୍ତା ଖୋଲିଛି।ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ବ୍ୟବସ୍ଥା, ପିଏମ୍‌ ଜନମନ ତଥା ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମି, କୌଶଳ ବିକାଶ ଆଦି ଯୋଜନାର ସୁଯୋଗ ଦେଶର ଆଦିବାସୀ ବିକାଶ କ୍ଷେତ୍ରରେ ନୂଆ ଯୁଗ ସୃଷ୍ଟି କରୁଛି।
ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆଦିବାସୀ ସ୍ବାର୍ଥର ଜାଗ୍ରତ ପ୍ରହରୀ।ଆମ ସରକାର ଶୈକ୍ଷିକ ବାତାବରଣ ଓ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନକୁ ବଢ଼ାଇବା ପାଇଁ ଶହୀଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନା ମାଧ୍ୟମରେ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପରେ ଜନଜାତି ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରୁଛନ୍ତି।
ମୁଁ ଦୃଢ଼ନିଶ୍ଚିତ, ବିକଶିତ ଓଡ଼ିଶା ବିନା ବିକଶିତ ଭାରତ ସମ୍ଭବ ନୁହେଁ ଏବଂ ବିକଶିତ ଆଦିବାସୀ ବିନା ବିକଶିତ ଓଡ଼ିଶା ସମ୍ଭବ ନୁହେଁ। ଆଜି ଜନଜାତୀୟ ଗୌରବ ଦିବସରେ ଓଡ଼ିଶାର ଆଦିବାସୀବର୍ଗଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ମୁଁ ପୁଣି ଥରେ ଆମର ପ୍ରତିବଦ୍ଧତାକୁ ଦୋହରାଉଛି।

ମୋହନ ଚରଣ ମାଝୀ
ମୁଖ୍ୟମନ୍ତ୍ରୀ, ଓଡ଼ିଶା


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

ସ୍ଲଟ୍‌ ବୁକିଂ ବ୍ୟବସ୍ଥାରେ ଶ୍ରୀଜୀଉ ଦର୍ଶନ

ଶ୍ରୀ ଜଗନ୍ନାଥଙ୍କ ଦର୍ଶନରେ ସୁଧାର ଆଣିବାକୁ ସରକାର ସ୍ଲଟ୍‌ ବୁକିଂ ବ୍ୟବସ୍ଥା ପ୍ରଚଳନ ପାଇଁ କହିଛନ୍ତି। ଏହା ଉପରେ ପ୍ରାଥମିକ ପଦକ୍ଷେପ ଆରମ୍ଭ ହୋଇଯାଇଛି ବୋଲି ଶ୍ରୀମନ୍ଦିର…

ସମୃଦ୍ଧିର ପ୍ରତୀକ

ଦେବଦତ୍ତ ପଟ୍ଟନାୟକ ଲଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ…

ଟପ୍ପର ହେବା ଜରୁରୀ କି

ନିକଟରେ ପ୍ରକାଶ ପାଇଥିବା ସିିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା ଫଳକୁ ନେଇ ଓଡ଼ିଶା ସାରା ଚର୍ଚ୍ଚା। କେବଳ ଓଡ଼ିଶା କାହିଁକି, ସାରା ଭାରତରେ ଅନେକ ଛାତ୍ରୀଛାତ୍ର ଶତକଡା…

ସମୃଦ୍ଧିର ପ୍ରତୀକ

ଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ ସମୃଦ୍ଧିର ପ୍ରତୀକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri