ଆଫ୍ରିକାରୁ ପରିବର୍ତ୍ତନ

ବିଶ୍ୱ ସମ୍ମୁଖୀନ ହେଉଥିବା ସମସ୍ୟା ମଧ୍ୟରୁ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ବଡ଼ ଆହ୍ବାନ ସୃଷ୍ଟି କରିଛି। ଏହାର ପ୍ରଭାବ ଉଦ୍ଭିଦ ଓ ପ୍ରାଣିଜଗତ ଉପରେ ପ୍ରତ୍ୟକ୍ଷ ପଡ଼ିଚାଲିଛି। ବର୍ଷରେ ଅନୁଭୂତ ହୋଇଆସୁଥିବା ୬ ଋତୁ ମଧ୍ୟରୁ କେବଳ ଗ୍ରୀଷ୍ମ, ବର୍ଷା ଓ ଶୀତକୁ ମଣିଷ ଅନୁଭବ କରିପାରୁଛି। ବିଡ଼ମ୍ବନାର ବିଷୟ ଯେ, ଆଫ୍ରିକା ମହାଦେଶରେ ଥିବା ସାହାରା ମରୁଭୂମିରେ ଅତ୍ୟଧିକ ବର୍ଷା ଯୋଗୁ ବନ୍ୟା ସ୍ଥିତି ଉପୁଜିବା ଜଳବାୟୁ ପରିବର୍ତ୍ତନର ଗମ୍ଭୀରତାକୁ ସୂଚାଇଦେଇଛି। ଅନ୍ୟପକ୍ଷରେ ସେହି ମହାଦେଶର ବ୍ୟାପକ ଚାଷୋପଯୋଗୀ ଜମି ମରୁଭୂମି ପାଲଟିବାରେ ଲାଗିଛି। ପ୍ରକୃତିର ଏପରି ବିଚିତ୍ର ରୂପ ଏହି ମହାଦେଶକୁ ଅସ୍ତବ୍ୟସ୍ତ କରିଦେଇଥିବାରୁ ଏହାର ଅନେକ ରାଷ୍ଟ୍ର ପ୍ରତିକାର ଖୋଜିବାକୁ ଯାଇ ପ୍ରଥମ ଥର ପାଇଁ ଆଫ୍ରିକା ଜଳବାୟୁ ସମ୍ମିଳନୀ-୨୦୨୩ (ଏସିଏସ୍‌୨୩)ର ଆୟୋଜନ କରିଛନ୍ତି। ୪ରୁ ୬ ସେପ୍ଟେମ୍ବର ଯାଏ କେନିଆ ରାଜଧାନୀ ନାଇରୋବିଠାରେ ଏହା ଅନୁଷ୍ଠିତ ହେଉଛି। କେନିଆ ସହିତ ଆଫ୍ରିକୀୟ ସଂଘ (ଏୟୁ) ଏହାକୁ ଆୟୋଜନ କରୁଛନ୍ତି। ସବୁଜ ଅଭିବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ମୁକାବିଲା ସକାଶେ ପାଣ୍ଠି ସଂଗ୍ରହକୁ ଏହାର ମୁଖ୍ୟ ଲକ୍ଷ୍ୟ ରଖାଯାଇଛି। ଏଥିରେ ଆଦିମ ଜନଜାତି, ମହିଳା ଓ ଯୁବପିଢ଼ିର ସକ୍ରିୟ ଯୋଗଦାନ ଉପରେ ଗୁରୁତ୍ୱ ଦିଆଯାଇଛି। ବିଶେଷକରି ମହିଳାଙ୍କ ନେତୃତ୍ୱରେ ଜଳବାୟୁ ପରିବର୍ତ୍ତନ ମୁକାବିଲାଜନିତ ପଦକ୍ଷେପ ଅଗ୍ରପ୍ରାଧାନ୍ୟ ପାଇଛି। ଜଳବାୟୁ ପରିବର୍ତ୍ତନ ଦ୍ୱାରା ଆଫ୍ରିକା ମହାଦେଶର ଅଧିବାସୀମାନେ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି ବୋଲି ସୁଇଡେନ୍‌ର ଯୁବ ପରିବେଶ କର୍ମୀ ଗ୍ରେଟା ଥନ୍‌ବର୍ଗ ୨୦୨୦ରେ ଏକ କାର୍ଯ୍ୟକ୍ରମରେ କହିଥିଲେ। ଏଥିସହିତ ଉଦ୍‌ବେଗ ପ୍ରକାଶ କରିଥିଲେ ଯେ, ବିକଶିତ ରାଷ୍ଟ୍ରଗୁଡ଼ିକ ଏ ଦିଗରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ପାଳନ କରୁନାହାନ୍ତି। କେବଳ ବଡ଼ ବଡ଼ କଥା କହିଦେଲେ ଜଳବାୟୁ ପରିବର୍ତ୍ତନକୁ ରୋକାଯାଇପାରିବ ନାହିଁ ବୋଲି ସେ ଦେଇଥିବା ମନ୍ତବ୍ୟ ସେତେବେଳେ ଚର୍ଚ୍ଚାକୁ ଆସିଥିଲା। ଏଠାରେ ମନେପଡ଼େ ଡେନ୍‌ମାର୍କ ରାଜଧାନୀ କୋପେନ୍‌ହାଗେନ୍‌ରେ ୨୦୦୯ରେ ଅନୁଷ୍ଠିତ ଜାତିସଂଘର କନ୍‌ଫରେନ୍ସ ଅଫ୍‌ ପାର୍ଟିଜ୍‌ (କପ୍‌)-୧୫ରେ ବିକଶିତ ରାଷ୍ଟ୍ରଗୁଡ଼ିକ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ୨୦୨୦ ସୁଦ୍ଧା ବାର୍ଷିକ ୧୦୦ ବିଲିୟନ ଡଲାର ଦେବା ଲାଗି ଦେଇଥିବା ପ୍ରତିଶ୍ରୁତି। ଦେଖିଲା ବେଳକୁ ଧନୀ ଦେଶଗୁଡ଼ିକ ସେମାନଙ୍କ କଥା ରଖିପାରିନାହାନ୍ତି। ଏହି ଅବଧି ୨୦୨୫କୁ ଘୁଞ୍ଚତ୍ୟାଇଛି। ଅନ୍ତର୍ଜାତୀୟ ସ୍ତରରେ ଜଳବାୟୁ ପରିବର୍ତ୍ତନ ରୋକିବା ପାଇଁ ଧନୀ ଦେଶଗୁଡ଼ିକ ଲକ୍ଷ୍ୟପଥରୁ ବିଚ୍ୟୁତ ହେଉଥିବାରୁ ସେଗୁଡ଼ିକ ଉପରେ ବିକାଶଶୀଳ ଓ ଗରିବ ରାଷ୍ଟ୍ରଗୁଡ଼ିକର ଭରସା ପାଉନାହିଁି। ସମ୍ଭବତଃ ଏହି କାରଣରୁ ଆଫ୍ରିକା ଜଳବାୟୁ ସମ୍ମିଳନୀ ଆୟୋଜନ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।
ଏବର ସ୍ଥିତି ଦେଖିଲେ ଅନେକ ବିକଶିତ ରାଷ୍ଟ୍ର ଯୁଦ୍ଧ, କ୍ଷମତା ବିସ୍ତାର ଆଦି ସ୍ବାର୍ଥହାସଲ ଦିଗରେ ବୁଡ଼ିରହିଛନ୍ତି। ଉଦାହରଣ ସ୍ବରୂପ, ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ, ଚାଇନା-ତାଇଓ୍ବାନ ଉତ୍ତେଜନା ଭଳି ପ୍ରସଙ୍ଗକୁ ନେଇ କିଏ କେଉଁ ଦେଶକୁ ସମର୍ଥନ କରିବେ ସେଥିରେ ଲାଗି ପଡ଼ିଛନ୍ତି। ବିକଶିତ ରାଷ୍ଟ୍ରଗୁଡ଼ିକର ବିଶ୍ୱତାପନ ବୃଦ୍ଧିରେ ପ୍ରଚ୍ଛନ୍ନ ହାତ ଥିଲେ ମଧ୍ୟ ଏହାର ମୁକାବିଲା ଦିଗକୁ ଅଣଦେଖା କରିଚାଲିଛନ୍ତି। ସମସ୍ତେ ଜାଣନ୍ତି ଆଫ୍ରିକା ମହାଦେଶ ଜୈବ ବିବିଧତାରେ ଭରପୂର। ତେବେ ଜାତିସଂଘ ରିପୋର୍ଟ ଅନୁଯାୟୀ ଏହି ମହାଦେଶ ମାତ୍ର ୨ରୁ ୩ ପ୍ରତିଶତ ବୈଶ୍ୱିକ ଅଙ୍ଗାରକାମ୍ଳ ନିର୍ଗମନ କରୁଥିବା ବେଳେ ଏହା ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହେଉଛି। ବିତ୍ତଶାଳୀ ରାଷ୍ଟ୍ରଗୁଡ଼ିକ ପ୍ରାକୃତିକ ସମ୍ବଳକୁ ଅବିଚାରିତ ଭାବେ ବ୍ୟବହାର କରିବା ସହ ଅଙ୍ଗାରକାମ୍ଳ ନିର୍ଗମନ ବଢ଼ାଉଥିବାରୁ ତାହାର ପ୍ରଭାବ ବିଶ୍ୱବିସ୍ତାର କରୁଛି। ଏଥିପାଇଁ କ୍ଷତିଗ୍ରସ୍ତ ହେଉଥିବା ଗରିବ ଓ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର କ୍ଷତିଭରଣା କରିବା ସକାଶେ ଆର୍ଥିକ ପାଣ୍ଠି ବ୍ୟବସ୍ଥା କରାଯାଇଥିଲା। ସେଥିରୁ ବଞ୍ଚତ୍ତ ହେବାରୁ ଆଫ୍ରିକା ଏବେ ନିଜ ତରିକାରେ ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ଲାଗି ଅଣ୍ଟା ଭିଡ଼ିଛି ବୋଲି କୁହାଯାଉଛି। ଏହାର ପ୍ରଥମ ସମ୍ମିଳନୀରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟରେସ୍‌, ପୂର୍ବତନ ମହାସଚିବ ବାନ୍‌-କି-ମୁନ୍‌, ଆଫ୍ରିକାର ୨୦ ଦେଶର ରାଷ୍ଟ୍ରମୁଖ୍ୟ ଏବଂ ଆଦିବାସୀ, କୃଷକଙ୍କ ସମେତ ଜଳବାୟୁ ପରିବର୍ତ୍ତନ ମୁକାବିଲାରେ ଜଡ଼ିତ ପ୍ରାୟ ୩୦ ହଜାର ପ୍ରତିନିଧି ଯୋଗଦେବା ନିଶ୍ଚିତ ଭାବେ ଉତ୍ସାହଜନକ ପଦକ୍ଷେପ। ଧନୀ ଦେଶଗୁଡ଼ିକ ଜଳବାୟୁ ପରିବର୍ତ୍ତନ ମୁକାବିଲାକୁ ନେଇ ବାହାନା କରୁଥିବା ବେଳେ ଗରିବ ରାଷ୍ଟ୍ରଗୁଡ଼ିକ ଏହାର ଗମ୍ଭୀରତାକୁ ହୃଦୟଙ୍ଗମ କରି ଯେତେବେଳେ ମଞ୍ଚ ଗଠନ କଲେଣି, ତାହାର ପ୍ରଭାବ ଅନ୍ତର୍ଜାତୀୟ ସମୁଦାୟ ଉପରେ ପଡ଼ିବା ସ୍ବାଭାବିକ। ଯଦି ଏହି ସମ୍ମିଳନୀରୁ କିଛି ସକାରାତ୍ମକ ନିଷ୍କର୍ଷ ବାହାରେ ଓ ପରବର୍ତ୍ତୀ ସମୟରେ ତାହା କାର୍ଯ୍ୟରେ ପ୍ରତିଫଳିତ ହୁଏ, ନିଶ୍ଚିତ ଭାବେ ଆଫ୍ରିକା ଜଳବାୟୁ ସମ୍ମିଳନୀ ଏକ ନିଆରା ଉଦାହରଣ ସୃଷ୍ଟି କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?