ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଓ ବାଲିଗୁଡ଼ାକୁ ସଂଯୋଗ କରୁଥିବା ୫୯ ନମ୍ବର ଗୋପାଳପୁର-ରାଇପୁର ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଶନିବାର ବିଳମ୍ବିତ ରାତିରେ ପୁଣି ଯାତାୟାତ ବାଧାପ୍ରାପ୍ତ ହୋଇଛି। ଘାଟିର ଦୁଇ ନମ୍ବର ବୁଲାଣି ରାସ୍ତାରେ ୨ଟି ତେଲ ବୋଝେଇ ଟ୍ୟାଙ୍କର ଫସି ରହିବାରୁ ବାଲିଗୁଡ଼ା, ଦାରିଙ୍ଗବାଡ଼ି ଏବଂ ଗଞ୍ଜାମ ଜିଲ୍ଲାର ସୋରଡ଼ା ଦେଇ ବ୍ରହ୍ମପୁରକୁ ଯାଉଥିବା ସମସ୍ତ ଗାଡ଼ି ମୋଟର ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।
ରାତି ସମୟ ହୋଇଥିବାରୁ ଘାଟିରେ ଅଟକି ରହିଥିବା ଟ୍ୟାଙ୍କର ଦ୍ୱୟକୁ ବାହାର କରିବା ସମ୍ଭବପର ହୋଇପାରିନାହିଁ। ଫଳରେ ଯାତ୍ରୀବାହୀ ବସ୍ ସମେତ ଅନେକ ଛୋଟ ଓ ବଡ଼ ଗାଡ଼ି ରାସ୍ତାରେ ଅଟକି ରହିବାରୁ ଶହ ଶହ ଯାତ୍ରୀ ରାତିସାରା ନାହିଁ ନ ଥିବା ହଇରାଣ ହୋଇଛନ୍ତି। ବ୍ରହ୍ମପୁରରୁ ବସ୍ରେ ଦାରିଙ୍ଗବାଡ଼ି ଫେରୁଥିବା ଯାତ୍ରୀ ଅରୁଣ ପ୍ରଧାନଙ୍କ କହିବା ଅନୁଯାୟୀ, ଘାଟି ଶେଷ ହେବାକୁ ଆଉ ମାତ୍ର ଗୋଟିଏ କିଲୋମିଟର ଥିବା ବେଳେ ଏହି ଅଭାବନୀୟ ସ୍ଥିତି ଯୋଗୁ ଯାତ୍ରୀମାନେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇ ନପାରି ଗଭୀର ଚିନ୍ତାରେ ପଡ଼ିଥିଲେ।
ସୂଚନାଯୋଗ୍ୟ ଯେ, ଗୋଟିଏ ସପ୍ତାହ ମଧ୍ୟରେ ଏହି ଘାଟି ରାସ୍ତାରେ ୨ଟି ଦୁର୍ଘଟଣା ଘଟିବା ସହ ଏକାଧିକ ଭାରୀଯାନ ବୁଲାଣିରେ ଫସି ରାସ୍ତା ଜାମ ହେବା ନିତ୍ୟନୈମିତ୍ତିକ ଘଟଣା ପାଲଟିଲାଣି। ରାଜପଥ ବିଭାଗ ପକ୍ଷରୁ ଘାଟିର ଉଭୟ ପାର୍ଶ୍ୱରେ ହୋର୍ଡିଂ ଲଗାଇ ଏହି ଅଣଓସାରିଆ ରାସ୍ତାରେ ଭାରୀଯାନ ଚଳାଚଳ ଉପରେ କଟକଣା ପାଇଁ ବାରଣ କରାଯାଇଥିଲେ ବି ଅମାନିଆ ଚାଳକମାନେ ଏହାକୁ ମାନୁନାହାନ୍ତି। ପ୍ରଶାସନିକ କୋହଳତା ଯୋଗୁ ଏଠାରେ ପ୍ରତିଦିନ ଦୁର୍ଘଟଣା ବୃଦ୍ଧି ପାଉଛି। କେନ୍ଦ୍ର ସରକାର ଏହି ରାଜପଥର ସମ୍ପ୍ରସାରଣ ପାଇଁ ୭୪୨ କୋଟି ଟଙ୍କା ଅନୁମୋଦନ କରିଥିଲେ ସୁଦ୍ଧା କାର୍ଯ୍ୟାରମ୍ଭରେ ଅହେତୁକ ବିଳମ୍ବ ହେଉଥିବାରୁ ଏହି ଘାଟି ରାସ୍ତା ଏବେ ଯାତ୍ରୀଙ୍କ ପାଇଁ ସତେ ଯେମିତି ମରଣଯନ୍ତା ସାଜିଛି।

