Posted inଫୁରସତ

ଗ୍ରୀଷ୍ମରେ ଶୈଳନିବାସ ଭ୍ରମଣ

ଖରାଦିନେ ମନ ଚାହେଁ ଏମିତି କୌଣସି ସ୍ଥାନକୁ ବୁଲି ଯିବାକୁ ଯେଉଁଠି ଖରାର ତେଜ ଖୁବ୍‌ କମ୍‌ ଥିବ ଆଉ ତା’ସାଙ୍ଗକୁ ଶୀତଳ ପବନର ସ୍ପର୍ଶ ମିଳୁଥିବ। ଏଥିପାଇଁ ଶୈଳନିବାସଠାରୁ ଭଲ ସ୍ଥାନ ଆଉ କ’ଣ ହୋଇପାରେ। ତେଣୁ ଏଠାରେ ସେମିତି କେତୋଟି ପ୍ରମୁଖ ଶୈଳନିବାସ ସମ୍ପର୍କରେ ଉଲ୍ଲେଖ କରାଗଲା; ଯେଉଁଠାକୁ ବୁଲିଗଲେ ଖରାଦିନେ ବି ବେଶ୍‌ ଆରାମ ଲାଗିବ…

* ଔଲି: ଉତ୍ତରାଖଣ୍ଡର ଚମୋଲୀ ଜିଲାରେ ଅବସ୍ଥିତ ଔଲି ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ଶୈଳନିବାସ। ତେଣୁ କରି ବର୍ଷସାରା ଏଠାକାର ଜଳବାୟୁ ବେଶ୍‌ ଶୀତଳ ରହିଥାଏ। ଖାସ୍‌କରି ଖରାଦିନେ ଏଠାକୁ ବୁଲି ଆସିଲେ ଦେହମନକୁ ଖୁବ୍‌ ଶାନ୍ତି ମିଳିଥାଏ। ତା’ଛଡ଼ା ଏହା ଏକ ଲୋକପ୍ରିୟ ସ୍କିଂ ପଏଣ୍ଟ ଭାବେ ମଧ୍ୟ ଜଣାଶୁଣା। ବିଶେଷକରି ଶୀତଦିନେ ଏଠାରେ ହେଉଥିବା ତୁଷାରପାତରେ ସ୍କିଂ କରିବାର ମଜା ହିଁ କିଛି ନିଆରା ଅନୁଭୂତି ଦେଇଥାଏ ପର୍ଯ୍ୟଟକଙ୍କୁ। ତା’ଛଡ଼ା ଜୋଶୀମଠ, ତପୋବନ, ନନ୍ଦା ଦେବୀ, ମାନା ପର୍ବତ, ଔଲି ଆର୍ଟିଫିସିଆଲ୍‌ ଲେକ୍‌ ଇତ୍ୟାଦି ହେଉଛି ଏଠାକାର କେତୋଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀ।

* ସକଲେଶପୁର: କର୍ନାଟକର ହାସନ ଜିଲା ଅନ୍ତର୍ଗତ ଏକ ଆକର୍ଷଣୀୟ ଶୈଳନିବାସ ହେଉଛି ସକଲେଶପୁର। ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ପର୍ବତୀୟ ପର୍ଯ୍ୟଟନସ୍ଥଳୀରେ ରହିଛି ଅନେକ ମନଛୁଆଁ ଦର୍ଶନୀୟସ୍ଥାନ। ବିଶେଷକରି କଫି, ଅଳେଇଚ, ଗୋଲମରିଚ ତଥା ଏରିକା ପାମ୍‌ ଚାଷ ପାଇଁ ଏହି ସ୍ଥାନର ରହିଛି ଭିନ୍ନ ଏକ ପରିଚୟ। ତା’ଛଡ଼ା ଖରାଦିନେ ଏଠାକାର ଶୀତଳ ଜଳବାୟୁ ଦେହ ଓ ମନକୁ ବେଶ୍‌ ଶାନ୍ତି ପ୍ରଦାନ କରିଥାଏ। ତେଣୁ ଅନ୍ୟଦିନ ତୁଳନାରେ ଖରାଦିନ ଆସିଲେ ଏଠାରେ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ଦେଖିବାକୁ ମିଳିଥାଏ।

* ମଡିକେରୀ: ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଲୋକପ୍ରିୟତା ହାସଲ କରିଥିବା ମଡିକେରୀ ହେଉଛି କର୍ନାଟକର କୋଡ଼ଗୁ ଜିଲାରେ ଅବସ୍ଥିତ ଏକ ଶୈଳନିବାସ ଟାଉନ୍‌। ସମୁଦ୍ର ପତ୍ତନଠାରୁ ପ୍ରାୟ ୧୧୫୦ ମିଟର ଉଚ୍ଚରେ ଅବସ୍ଥିତ ଏହି ଟାଉନ୍‌ରେ ଦେଖିବାକୁ ରହିଛି ଅନେକ ପାହାଡ଼, ଝରଣା, ସବୁଜ ବନାନୀ, କଫି ବଗିଚା, ଐତିହାସିକ ତଥା ଧାର୍ମିକ ସ୍ଥଳୀ। ଖାସ୍‌କରି ଏଠାକାର ଅବ୍ବେ ଝରଣା, ମଡିକେରୀ ଦୁର୍ଗ, ରାଜା କି ସିଟ୍‌ (ଯେଉଁଠାରେ କୋଡ଼ଗୁର ରାଜା ବସି ସୂର୍ଯ୍ୟାସ୍ତର ଦୃଶ୍ୟ ଦେଖୁଥିଲେ) ତଥା କଫି ବଗିଚା ପର୍ଯ୍ୟଟକଙ୍କୁ ଖୁବ୍‌ ଆକର୍ଷିତ କରିଥାଏ। ଖାସ୍‌କରି ଖରାଦିନେ ଏଠାକାର ଜଳବାୟୁ ବୁଲାବୁଲି କରିବାକୁ ବେଶ୍‌ ଅନୁକୂଳ ରହୁଥିବାରୁ ଏହି ସମୟରେ ଆଗନ୍ତୁକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥାଏ।

* ମାଥେରାନ୍‌: ଏହା ହେଉଛି ମହାରାଷ୍ଟ୍ରସ୍ଥିତ ଏକ ପ୍ରସିଦ୍ଧ ଶୈଳନିବାସ। ସମୁଦ୍ରପତ୍ତନଠାରୁ ପ୍ରାୟ ୮୦୦ ମିଟର ଉଚ୍ଚତାରେ ଥିବା ଏହି ଶୈଳନିବାସରେ ପର୍ଯ୍ୟଟକ ପ୍ରାୟ ୪୦ଟି ପଏଣ୍ଟ, ଦୁଇଟି ହ୍ରଦ, ଦୁଇଟି ପାର୍କ ତଥା ୪/୫ଟି ପ୍ରମୁଖ ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀ ଦେଖିବାକୁ ପାଇପାରିବେ। ତା’ଛଡ଼ା ଏଠାରେ ଥିବା ସନ୍‌ସେଟ୍‌ ପଏଣ୍ଟ ବି ଖୁବ୍‌ ଆକର୍ଷକ ଲାଗିଥାଏ। ଟ୍ରେକିଂ ପ୍ରିୟ ପର୍ଯ୍ୟଟକଙ୍କ ପାଇଁ ଏଠାରେ ରହିଛି ଅନେକ ସୁବିଧା ଓ ସୁଯୋଗ। ଖାସ୍‌ କରି ଖରାଛୁଟି କଟାଇବା ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ ହୋଇଥାଏ।

* ମାଉଣ୍ଟ ଆବୁ: ସବୁଜ ବନାନୀ ତଥା ଉଚ୍ଚ ପାହାଡ଼ ଦ୍ୱାରା ଘେରି ହୋଇ ରହିଥିବା ରାଜସ୍ଥାନସ୍ଥିତ ଏହି ଶୈଳନିବାସଟିର ପରିବେଶ ଖରାଦିନେ ବେଶ୍‌ ଆରାମଦାୟକ ରହିଥାଏ। ପର୍ଯ୍ୟଟକ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ଏଠାରେ ଥିବା ଏକାଧିକ ଐତିହାସିକ ମନ୍ଦିର, ଦୁର୍ଗ ତଥା ମାଉଣ୍ଟ ଆବୁ ବନ୍ୟପ୍ରାଣୀ ଅଭୟାରଣ୍ୟ ବୁଲି ଦେଖିବାର ମଜା ମଧ୍ୟ ନେଇପାରିବେ।

* ପଞ୍ଚଗନୀ: ମହାରାଷ୍ଟ୍ରର ସତାରା ଜିଲାରେ ରହିଛି ଏହି ଶୈଳନିବାସ। ସମୁଦ୍ରପତ୍ତନଠାରୁ ପ୍ରାୟ ୧୨୯୩ ମିଟର ଉଚ୍ଚତାରେ ଥିବା ଏହି ସ୍ଥାନରେ ପର୍ଯ୍ୟଟକ ଟେବୁଲ୍‌ ଲ୍ୟାଣ୍ଡ, ସିଡ୍‌ନୀ ପଏଣ୍ଟ, ପାର୍ସୀ ପଏଣ୍ଟ, ଡେଭିଲ୍ସ କିଚେନ୍‌, ମାର୍ପୋ ଗାର୍ଡେନ୍‌ ଇତ୍ୟାଦି ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଦେଖିବାକୁ ପାଇପାରିବେ। ମନୋରମ ପରିବେଶ ଭିତରେ ଆବଦ୍ଧ ହୋଇ ରହିଥିବା ପଞ୍ଚଗନୀର ଜଳବାୟୁ ଗ୍ରୀଷ୍ମଦିନେ ବେଶ୍‌ ଥଣ୍ଡା ପ୍ରଦାନ କରୁଥିବାରୁ ଏଠାରେ ଗ୍ରୀଷ୍ମଛୁଟି କଟାଇବାକୁ ବହୁତ ଭଲ ଲାଗିଥାଏ।

* ଊଟି: ଊଟି ବା ଉଦ୍‌ଗମଣ୍ଡଳମ୍‌ ହେଉଛି ତାମିଲନାଡ଼ୁର ନୀଳଗିରି ଜିଲା ଅନ୍ତର୍ଗତ ଏକ ସହର। ଶୈଳନିବାସ ଭାବେ ବି ଏହା ପରିଚିତ। ସମୁଦ୍ରପତ୍ତନଠାରୁ ପ୍ରାୟ ୨,୨୪୦ ମିଟର ଉଚ୍ଚତାରେ ଥିବା ଏହି ହିଲ୍‌ ଷ୍ଟେଶନରେ ପର୍ଯ୍ୟଟକ ଅନେକ ଆକର୍ଷଣୀୟ ପାର୍କ, ବଗିଚା, ହ୍ରଦ, ଡ୍ୟାମ୍‌, ଐତିହାସିକ ପ୍ରାସାଦ, ସଂଗ୍ରହାଳୟ ଇତ୍ୟାଦି ଦେଖିବାକୁ ପାଇପାରିବେ। ତେବେ ବର୍ଷର ସବୁ ସମୟରେ ଏଠାକୁ ଯିବାର ସୁବିଧା ଥିଲେ ହେଁ ବିଶେଷକରି ଖରାଦିନେ ଏଠାରେ ପର୍ଯ୍ୟଟକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗେମ୍ ବି ମାନିଲା ହାର୍! କ୍ୟାଣ୍ଡି କ୍ରଶ୍‌ର ‘The End’ କରି ବିଶ୍ୱ ରେକର୍ଡ କଲେ ବିହାର ଯୁବକ

ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍‌ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?