
ଓଡ଼ିଶା ଭାରତର ଅନ୍ୟତମ ଜୈବ ବିବିଧତା ସମୃଦ୍ଧ ରାଜ୍ୟ। ଯେଉଁଠି ବିଭିନ୍ନ ପ୍ରକାରର ବନସ୍ପତି, ପ୍ରାଣୀ, ଏବଂ ଜଳଜ ଜୀବ ଦେଖାଯାଏ। ଏହାର ଜଙ୍ଗଲ, ଜଳାଶୟ, ଏବଂ ଉପକୂଳବର୍ତ୍ତୀ ଅଞ୍ଚଳ ବିଶ୍ୱରେ ଜୈବ ବିବିଧତାର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ପରିଗଣିତ। ରାଜ୍ୟରେ ଅନେକ ଜୈବ ବିବିଧ କେନ୍ଦ୍ରମାନ ରହିଛି। ନିମ୍ନରେ ଓଡ଼ିଶାର ଟପ୍-୫ ଜୈବ ବିବିଧ କେନ୍ଦ୍ରର ତାଲିକା ଦିଆଯାଇଛି:
1.ଶିମିଳିପାଳ ଜାତୀୟ ଉଦ୍ୟାନ (Similipal National Park): ମୟୂରଭଞ୍ଜ ଜିଲାରେ ଅବସ୍ଥିତ ଶିମିଳିପାଳ ଏକ UNESCO ବାୟୋସ୍ଫିୟର ରିଜର୍ଭ ଏବଂ ଭାରତର ପ୍ରଥମ ଟାଇଗର ରିଜର୍ଭ ପ୍ରୋଜେକ୍ଟର ଅଂଶ। ଏହା ୩୨୦୦ରୁ ଅଧିକ ପ୍ରଜାତିର ଉଦ୍ଭିଦ, ୯୬ ପ୍ରଜାତିର ଅର୍କିଡ, ଏବଂ ବାଘ, ହାତୀ, ଲେପାର୍ଡ, ସମ୍ବର, ଚିତାଳ ଭଳି ପ୍ରାଣୀଙ୍କ ଆବାସସ୍ଥଳ। ଏହା ମେଲାନିଷ୍ଟିକ ବାଘ (କଳା ବାଘ) ପାଇଁ ମଧ୍ୟ ପ୍ରସିଦ୍ଧ।
2.ଚିଲିକା ହ୍ରଦ (Chilika Lake): ପୁରୀ, ଖୋର୍ଦ୍ଧା, ଓ ଗଞ୍ଜାମ ଜିଲାକୁ ଲାଗି ଥିବା ଏହା ଏସିଆର ସବୁଠାରୁ ବଡ଼ ଲୁଣିଆ ଜଳ ହ୍ରଦ ଏବଂ ରାମସାର ସାଇଟ। ଚିଲିକା ହ୍ରଦ ଶୀତଋତୁରେ ପରଦେଶୀ ପକ୍ଷୀଙ୍କ ପାଇଁ ଏକ ପ୍ରମୁଖ ଆଶ୍ରୟସ୍ଥଳ। ଏଠାରେ ୧୫୦ରୁ ଅଧିକ ପକ୍ଷୀ ପ୍ରଜାତି ଦେଖାଯାଏ, ଯେପରି ଫ୍ଲାମିଙ୍ଗୋ, ହେରନ, ଏବଂ ସାଇବେରିୟାନ କ୍ରେନ। ଏହା ଇରାବତୀ ଡଲଫିନର ମୁଖ୍ୟ ଆବାସସ୍ଥଳ ମଧ୍ୟ।
3.ଭିତରକନିକା ଜାତୀୟ ଉଦ୍ୟାନ (Bhitarkanika National Park): କେନ୍ଦ୍ରାପଡ଼ା ଜିଲାରେ ଅବସ୍ଥିତ ଭିତରକନିକା ଏକ ରାମସାର ସାଇଟ ଏବଂ ମେଙ୍ଗ୍ରୋଭ(ହେନ୍ତାଳ ବନ) ଲୁଣା ଜଙ୍ଗଲରେ ପ୍ରସିଦ୍ଧ। ଏହା ଲୁଣିଆ ପାଣିର କୁମ୍ଭୀର, ଓଲିଭ ରିଡଲେ କଇଁଛ, ଏବଂ ବିଭିନ୍ନ ପ୍ରଜାତିର ସାପ ଏବଂ ପକ୍ଷୀଙ୍କ ଆବାସସ୍ଥଳ। ଏହାର ମେଙ୍ଗ୍ରୋଭ ଇକୋସିଷ୍ଟମ ଜୈବ ବିବିଧତା ସଂରକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ।
4. ଦେବ୍ରୀଗଡ଼ ଅଭୟାରଣ୍ୟ (Debrigarh Wildlife Sanctuary):ବରଗଡ଼ ଜିଲା ହୀରାକୁଦ ଜଳଭଣ୍ଡାର ନିକଟରେ ଅବସ୍ଥିତ ଏହି ଅଭୟାରଣ୍ୟ ବାଘ, କଲରାପତରିଆ ବାଘ, ହରିଣ, ଏବଂ ବିଭିନ୍ନ ପକ୍ଷୀ ପ୍ରଜାତିର ଆବାସସ୍ଥଳ। ଏହାର ବିଭିନ୍ନ ପ୍ରକାରର ବନସ୍ପତି ଏବଂ ଶୁଷ୍କ ପର୍ଣ୍ଣମୋଚୀ ଜଙ୍ଗଲ ଜୈବ ବିବିଧତାକୁ ସମୃଦ୍ଧ କରେ।
5. ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ(Gahirmatha Marine Sanctuary): ଭାରତର ଓଡ଼ିଶା ରାଜ୍ୟରେ ଅବସ୍ଥିତ ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଅଭୟାରଣ୍ୟ। ଏହା ଉତ୍ତରରେ ଧାମରା ନଦୀର ମୁହାଣରୁ ଦକ୍ଷିଣରେ ବ୍ରାହ୍ମଣୀ ନଦୀର ମୁହାଣ ପର୍ଯ୍ୟନ୍ତ ବ୍ୟାପ୍ତ, ଏବଂ ବଙ୍ଗୋପସାଗରର କିଛି ଅଂଶ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ଏହି ଅଭୟାରଣ୍ୟ ଗହୀରମଥା ବେଳାଭୂମିକୁ ମଧ୍ୟ ସାମିଲ କରେ, ଯାହା ବିଶ୍ୱର ସବୁଠାରୁ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ଓଲିଭ ରିଡଲୀ କଇଁଛଙ୍କ ଅଣ୍ଡା ଦେବା ସ୍ଥାନ ଭାବେ ପରିଚିତ। ଏହି ଅଞ୍ଚଳ ବିଶେଷ କରି ଓଲିଭ ରିଡଲୀ କଚ୍ଛପମାନଙ୍କର ସଂରକ୍ଷଣ ପାଇଁ ପ୍ରସିଦ୍ଧ, ଯେଉଁମାନେ ପ୍ରତିବର୍ଷ ଲକ୍ଷ ଲକ୍ଷ ସଂଖ୍ୟାରେ ଏହି ବେଳାଭୂମିରେ ଅଣ୍ଡା ଦେବାକୁ ଆସନ୍ତି। ଏହା ଜୈବବିବିଧତା ସଂରକ୍ଷଣ ଓ ପରିବେଶ ସମ୍ବନ୍ଧୀୟ ଦୃଷ୍ଟିକୋଣରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ।
ଏହି ସବୁ କେନ୍ଦ୍ର ଓଡ଼ିଶାର ଜୈବ ବିବିଧତାର ଅନନ୍ୟ ନମୁନା ଏବଂ ପର୍ଯ୍ୟଟନ ଓ ସଂରକ୍ଷଣ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଏହାକୁ ସଂରକ୍ଷଣ କରିବା ପାଇଁ ସରକାରୀ ଓ ଗୈର-ସରକାରୀ ସଂସ୍ଥାମାନେ କାର୍ଯ୍ୟ କରୁଛନ୍ତି।