ଜିଭ କାମୁଡ଼ିବା

ଡ. ସୁବାସ ଚନ୍ଦ୍ର ପାତ୍ର

ଜିଭ ମଣିଷ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଦୈନନ୍ଦିନ କଥୋପକଥନରେ ଜିଭ ଶବ୍ଦର ମଧ୍ୟ ବ୍ୟାପକ ବ୍ୟବହାର ପରିଲକ୍ଷିତ ହୁଏ। କେତେ ରୂଢ଼ି, ସଂଳାପ, ବାକ୍‌ଚାତୁରି ଏହି ଜିଭ ଶବ୍ଦକୁ ନେଇ ସମୃଦ୍ଧ। ଅବଶ୍ୟ ଜିଭ ଓ ଦାନ୍ତର ସମ୍ପର୍କକୁ ନେଇ ଆମ ଭାଷା, ସାହିତ୍ୟ, ସଂସ୍କୃତି ଓ ସମାଜ ବେଶ୍‌ ମୁଖର ଯଦିଓ ବିଜ୍ଞାନ ଏ ବାବଦରେ ଭିନ୍ନ କଥା କହେ।
ଜିଭ ଦାନ୍ତର ସମ୍ପର୍କ ପ୍ରାୟତଃ ଅହିଂସ, କିନ୍ତୁ ବେଳେବେଳେ ଦାନ୍ତ ଜିଭପ୍ରତି ହିଂସାତ୍ମକ ଆଚରଣ କରେ। ବିଜ୍ଞାନ ଏହାର ବ୍ୟାଖ୍ୟା କରି କହେ ଯେ, ପ୍ରକୃତରେ ଏ ଦୁହିଁଙ୍କ ଭିତରେ ଥିବା ସୁସଂହତ ସମ୍ପର୍କ ଅବା ସାମୟିକ ବିଚ୍ୟୁତି ପାଇଁ ଏମାନେ ଦାୟୀ ନୁହନ୍ତି। ମସ୍ତିଷ୍କରେ ଥିବା ନିଉରନମାନେ ଜିଭ ଓ ଦାନ୍ତର ସୁସଂହତ ଗତିକୁ ନିୟନ୍ତ୍ରଣ କରନ୍ତି, ଯାହାଫଳରେ ନରମ ଜିଭଟି ଧାରୁଆ ଦାନ୍ତ ହାବୁଡ଼ରେ ପଡ଼ି ଖାଦ୍ୟ ପାଲଟି ପାକସ୍ଥଳୀ ମଧ୍ୟକୁ ଯାଏ ନାହିଁ। ବେଳେବେଳେ ଏହି ନିଉରନମାନଙ୍କ କାର୍ଯ୍ୟଧାରା ଶର୍ଟ ସର୍କିଟର ଶିକାର ହୁଏ; ଯାହାଫଳରେ ବିଚରା ଜିଭଟି କୌଣସି ଏକ ଦାନ୍ତର ଆକ୍ରମଣରେ କ୍ଷତିଗ୍ରସ୍ତ ହୁଏ, ଯାହାକୁ ଆମେ ଜିଭ କାମୁଡ଼ିବା କହୁଁ ଏବଂ ଏହାକୁ ବିଭିନ୍ନ ରୂପରେ ଚିତ୍ରଣ କରୁ। କେହି କେହି ଏହାକୁ ଅନ୍ୟମନସ୍କତା, ଉଦ୍‌ବିଗ୍ନତା, ମାନସିକ ଚାପର ପରିଣାମ ବୋଲି କହନ୍ତି। ତେବେ ଜିଭ ଓ ଦାନ୍ତର ଏ ପ୍ରକାର ଅନିୟନ୍ତ୍ରିତ ଓ ଅନିଚ୍ଛାକୃତ ସମ୍ପର୍କ ଆମ ଭାଷା, ସାହିତ୍ୟ, ସମାଜ ଓ ସଂସ୍କୃତିର ଉପାଦନ ନୁହେଁ। ଇଚ୍ଛାକୃତ ଭାବରେ ଆମେ ଯେଉଁ ଜିଭ କାମୁଡୁ ବା କାମୁ଼ଡ଼ିବାର ଅଭିନୟ କରୁ ତାହାକୁ ନେଇ ଏମାନେ ଋଦ୍ଧିମନ୍ତ।
ସାମାଜିକ ରୀତିନୀତିରେ ଜିଭ କାମୁଡ଼ିବାକୁ ଲାଜ ବା ସଂଭ୍ରମର ଏକ ଲକ୍ଷଣ ଅବା ଭୁଲ୍‌ କରି ତୁରନ୍ତ ଅନୁଶୋଚନା ପ୍ରକାଶ କରିବାର ଏକ ଭଙ୍ଗୀ ହିସାବରେ ବିଚାର କରାଯାଏ। ଲାଜରେ ଜିଭ କାମୁଡ଼ି ପକାଇବାରେ ଅସୁବିଧା ନାହିଁ କିନ୍ତୁ ଲାଜରେ ଜିଭ କାମୁଡ଼ି ପକେଇବା ଏବଂ ତୁରନ୍ତ ସେହି ଅବସ୍ଥାରେ ଶୋଇପଡ଼ି ଅନ୍ୟମାନଙ୍କ ମନରେ ଭ୍ରମ ଓ ଭୀତି ସଞ୍ଚାର କଲାଭଳି ଏକ ହାସ୍ୟରସାତ୍ମକ ଚିତ୍ର ଅଙ୍କନ କରିଛନ୍ତି ପ୍ରଖ୍ୟାତ ସାରସ୍ବତ ସାଧକ ମନୋଜ ଦାସ ତାଙ୍କ ‘ଭୋଳାଅଜା’ ଗଳ୍ପରେ।
”ଅବଶିଷ୍ଟ ପଥ ଅତିକ୍ରମ କଲାବେଳେ ବାପା ଭୋଳାଅଜାଙ୍କ ସମ୍ପର୍କରେ ଯେଉଁ ସବୁ ସ୍ମୃତିକଥା ଶୁଣାଇଥିଲେ, ତହିଁ ମଧ୍ୟରୁ ଉଲ୍ଲେଖଯୋଗ୍ୟ ହେଲା, ଦିନେ ଅପରାହ୍ନରେ ସେ ଯୁଗର ତରୁଣ ଭୋଳାଅଜାଙ୍କୁ ଆମ ବାରଣ୍ଡାରେ ଜିଭକାମୁଡ଼ି ପଡ଼ିଥିବାର ଦେଖି ସମସ୍ତେ ଶଙ୍କି ଯାଇଥିଲେ। ବୁଝିବାବେଳକୁ, ଘଣ୍ଟାଏ ପୂର୍ବେ ତାଙ୍କ ବିବାହ ବିଷୟକ ଏକ ପ୍ରସ୍ତାବ ଶୁଣି ସେ ଲାଜରେ ଜିଭ କାମୁଡ଼ି ପକାଇଥିଲେ ଓ ପରେ ପରେ ନିଦରେ ଶୋଇପଡ଼ି ଜିଭଟି ସମ୍ବରଣ କରିବାକୁ ପାସୋରି ପକାଇଥିଲେ।“
ଭୋଳାଅଜାଙ୍କର ଜିଭ ବି ଥିଲା ନିଜର, ଦାନ୍ତ ବି ଥିଲା ନିଜର। କିନ୍ତୁ ଯେତେବେଳେ ଜଣଙ୍କର ଜିଭ ଏବଂ ଅନ୍ୟଜଣଙ୍କର ଦାନ୍ତ ଭିତରେ କୌଣସି ପରିସ୍ଥିତିରେ ସମ୍ପର୍କ ସ୍ଥାପନ ହୁଏ ସେଠି ଭୋଳାଅଜାଙ୍କ ଲାଜ ପ୍ରକାଶ ପାଏନି, ପ୍ରକାଶ ପାଏ ଅନ୍ୟ କିଛି। ଏହି ସମ୍ପର୍କକୁ ନେଇ ଏକ ରୋଚକ ଖବର ପ୍ରକାଶ ପାଇଥିଲା ବେଶ୍‌ କିଛିବର୍ଷ ତଳେ ଇଂଲିଶ ଖବରକାଗଜରେ ଫିଲିପାଇନ୍‌ସରେ ଘଟିଥିବା ଏକ ଦୁଃଖଦାୟକ ତଥା କୌତୂହଳପୂର୍ଣ୍ଣ ଘଟଣାକୁ ନେଇ। ଭାରି ନାଟକୀୟ ଢଙ୍ଗରେ ଖବରଟି ପରିବେଷିତ ହୋଇଥିଲା। ଥାନାରେ ପହଞ୍ଚିଲେ ଜଣେ ଭଦ୍ର ମହିଳା। ଗୋଟିଏ କାଗଜରେ ବେଶ୍‌ ସନ୍ତର୍ପଣରେ ମୋଡ଼ା ହୋଇଥିବା ଏକ କଞ୍ଚା, ତତଲା କଟାଜିଭଟିକୁ ଥାନାବାବୁଙ୍କ ଟେବୁଲ ଉପରେ ଥୋଇ ପଚାରିଲେ, ‘କହି ପାରିବେ ଏ ଜିଭଟି କାହାର?’ ଥାନାବାବୁ ସ୍ତମ୍ଭୀଭୂତ ହୋଇଯିବାର ଦେଖି ସେ ଘଟଣାର ବର୍ଣ୍ଣନା କଲେ କିପରି ଘରୁ ଅଫିସ ଆସୁଥିବା ବାଟରେ ବିପରୀତ ଦିଗରୁ ମୋଟରସାଇକେଲରେ ଆସୁଥିବା ଜଣେ ଉଦ୍‌ଭ୍ରାନ୍ତ ଯୁବକ ତାଙ୍କ ଆଗରେ ଅଚାନକ ମୋଟରସାଇକେଲ ରଖି ତାଙ୍କୁ ଚୁମ୍ବନ କରିବାକୁ ଲାଗିଲେ। ମହିଳାଙ୍କ ପ୍ରତିରୋଧ ଅତିବେଶି ଫଳପ୍ରଦ ହେଲାନାହିଁ। ପ୍ରବୃତ୍ତିବଶତଃ କିଛି ଗୋଟିଏ ଘଟଣା ଘଟିଲା ଏବଂ ପରମୁହୂର୍ତ୍ତରେ ଉନ୍ମାଦ ଯୁବକ ଚିତ୍କାର କରି ରକ୍ତାକ୍ତ ପାଟିରେ ମୋଟରସାଇକେଲ ଚଢ଼ି ପଳାୟନ କଲେ। ମହିଳା ଜଣକ ମାନସିକ ସ୍ଥିତାବସ୍ଥା ଫେରି ପାଇଲା ପରେ ପାଟି ଆଁ କରନ୍ତେ ହଠାତ୍‌ ଏକ କଟାଜିଭ ଖସି ପଡ଼ିଲା। ଭାରି ସତର୍କତାର ସହ ସେ ଜିଭଟିକୁ ସଂଗ୍ରହ କଲେ। ଥାନାବାବୁଙ୍କୁ ପ୍ରକୃତିସ୍ଥ କରିବା ପାଇଁ କହିଲେ ‘ସଂଗୃହୀତ ଜିଭ, ଏଇଟି। ଆପଣ ଏହି ଜିଭ ଖଣ୍ଡିକ ନେଇ ସେହି ଅସାମାଜିକ ଯୁବକକୁ ଠାବ କରନ୍ତୁ, ମୋତେ ନ୍ୟାୟ ପ୍ରଦାନ କରନ୍ତୁ।’ ଥାନାବାବୁ ତଥାପି ପ୍ରକୃତିସ୍ଥ ହୋଇ ନ ଥିଲେ। ସେ ବାରମ୍ବାର ଭଦ୍ରମହିଳା ତଥା ଟେବୁଲ ଉପରେ ସାକ୍ଷୀ ବନିଥିବା ଜିଅନ୍ତା ଜିଭଟିକୁ ଅନାଉଥାନ୍ତି। ଅବଶ୍ୟ ପରବର୍ତ୍ତୀ ସମୟରେ ସହରର ସମସ୍ତ ହସ୍‌ପିଟାଲ ଖାନ୍‌ତଲାସ ପରେ ଜିଭର ଅଧିକାରୀ ଯୁବକଟିକୁ ଠାବ କରାଗଲା ଏବଂ ବାକି କଥା ନିୟମ ଅନୁଯାୟୀ ଅନୁଷ୍ଠିତ ହେଲା। ଖବରଟିର ଶିରୋନାମାଟି ଥିଲା ମଜାଦାର, ‘କିସ ମିସ୍‌, ଟଙ୍ଗ୍‌ ମିସ୍‌’। ବର୍ଣ୍ଣନାର ପ୍ରଥମ ଧାଡ଼ି ଥିଲା ‘କିସ୍‌ ଏ ମିସ୍‌ ଏଣ୍ଡ ମିସ୍‌ ଏ ଟଙ୍ଗ୍‌’ (ତରୁଣୀଟିକୁ ଚୁମ୍ବନ କରନ୍ତୁ ଆଉ ଜିଭ ହରାନ୍ତୁ)!
ଜିଭ କାମୁଡ଼ିବା ଏକ ଛୋଟକଥା ଭଳି ଜଣାପଡୁଥିଲେ ହେଁ ଏହାର ଅନ୍ତରାଳରେ ଥିବା ସାମାଜିକତ୍ୱ, ଏକ ଉଚ୍ଚ ସଂସ୍କାରର ବାର୍ତ୍ତାବହ। ଗୋଟିଏ ସଭ୍ୟତା ଓ ସଂସ୍କୃତିର ଆଭିଜାତ୍ୟ ଏହି ସଂସ୍କାରରୁ ଜଣାପଡ଼େ। ଜିଭ କାମୁଡ଼ିବା କଥା ମନକୁ ଆସିଲେ ମା’କାଳୀଙ୍କ ଛବି ମନକୁ ଆସେ। ସାଧାରଣ ଗ୍ରାମାଞ୍ଚଳରେ ମା’ କାଳୀଙ୍କର ଏହି ମୁଦ୍ରାକୁ ସାମାଜିକ ସଂଭ୍ରମ ହିସାବରେ ବିଚାର କରାଯାଉଥିଲା ବେଳେ ମନୋଜ ଦାସ କିନ୍ତୁ ଏହାର ଏକ ଭିନ୍ନ ବ୍ୟାଖ୍ୟା ପ୍ରଦାନ କରିଛନ୍ତି। ‘କାଳୀଙ୍କ ଗୋଟାଏ ପାଦ ପଛକୁ; ତାହା ଅତୀତ। ଅନ୍ୟ ପାଦଟି ସ୍ଥିତ; ତାହା ବର୍ତ୍ତମାନ। କିନ୍ତୁ ଉଭୟପାଦ ସମନ୍ବିତ ଭାବରେ ଗତିର ସୂଚନା ଦେଇଛନ୍ତି-ଅର୍ଥାତ୍‌ ଭବିଷ୍ୟତର ସୂଚନା’। ‘ବର୍ତ୍ତମାନ’ ଶବ୍ଦଟି ଚମତ୍କାର। ଆବର୍ତ୍ତିତ ମୁହୂର୍ତ୍ତ ପରେ ମୁହୂର୍ତ୍ତ ସର୍ବଦା ଚଳମାନ। ନିୟତ ତାହା ଅତୀତକୁ ଚାଲିଯାଉଛି। ଶିବ ଚିରନ୍ତନ କାଳ; ଶୁଭ୍ର। ଚଳମାନ କାଳ ଅନ୍ଧକାରାଚ୍ଛନ୍ନ-କାଳୀ। ପରମୁହୂର୍ତ୍ତରେ କ’ଣ ହେବ ଆମେ ଜାଣୁନା। ସେହି ଆବର୍ତ୍ତଧର୍ମୀ ସମୟ ଯାହା ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସମନ୍ବିତ ତାହା ପ୍ରହେଳିକାମୟ। କିନ୍ତୁ କାଳୀ-ରୂପୀ କାଳର ଭିତ୍ତି ମହାକାଳ ଶିବ-ଚିରନ୍ତନ ଓ ଅକ୍ଷୟ। କାଳାତୀତ ସହ କାଳର ସମ୍ପର୍କର ଏହାଠୁ ଅଧିକ ଶକ୍ତିଶାଳୀ ଚିତ୍ର ଆଉ କ’ଣ ହୋଇପାରେ?
(ମହାକାଳର ପ୍ରହେଳିକା…ପୃ.୧୩)
ଦାନ୍ତ ସିନା ଜିଭକୁ କାମୁଡ଼ି ଦିଏ, କିନ୍ତୁ ଜିଭ ସହିତ ଦାନ୍ତର ସମ୍ପର୍କ ବହୁତ ମଧୁର । କୁହାଯାଏ ଯେତେଥର ଦାନ୍ତ ଜିଭକୁ କାମୁଡ଼ି ଦେଲେ ବି ସେମାନେ ଏକାଠି ରହି କାମ କରନ୍ତି। ଦାନ୍ତ ଜିଭର ସମ୍ପର୍କ କ୍ଷମାଶୀଳ ନିବିଡ଼ତା ଉପରେ ପର୍ଯ୍ୟବସିତ। ମଣିଷମାନେ ଦାନ୍ତ ଓ ଜିଭର ସମ୍ପର୍କଠୁ କିଛି ଶିଖି ପାରନ୍ତେ କି?
ପୂର୍ବତନ ଅଧ୍ୟକ୍ଷ, ଜେଲ୍‌ରୋଡ, ବାଲେଶ୍ୱର, ମୋ:୯୪୩୭୩୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri