ଖୁସି ହେବା ନା ଦୁଃଖ କରିବା

ଡ. ସନ୍ତୋଷ କୁମାର ମହାପାତ୍ର

କରୋନାଜନିତ ଦୁର୍ଦ୍ଦିନରେ କେତୋଟି ଘଟଣା ଘଟିଯାଇଛି। ସେ ସବୁକୁ ନେଇ ଖୁସି ହେବା ନା ଦୁଃଖ କରିବା? ସମ୍ପ୍ରତି ରାଜସ୍ଥାନରେ ଘଟିଥିବା ରାଜନୈତିକ ଘଟଣା ତଥା ବିଭିନ୍ନ ରାଜ୍ୟରେ ଏକ ନିର୍ଦ୍ଦିଷ୍ଟ ଦଳ ପକ୍ଷରୁ ବିଭିନ୍ନ ପ୍ରକାର ଜନସମ୍ବାଦ ରାଲି କରି ଆମେ ଏତେ ଯୋଜନା କଲୁ, ଏତେ ରାଜ୍ୟକୁ ଦେଲୁ ବୋଲି ବାରମ୍ବାର କହିବା ସାମ୍‌ନାକୁ ଆସିଛି। କେନ୍ଦ୍ର ବିଭିନ୍ନ ରାଜ୍ୟର ଲୋକଙ୍କଠାରୁ ଟିକସ ଆଦାୟ କରୁଛି। ଏଣୁ ରାଜ୍ୟକୁ ଦେବା ଏହାର ନୈତିକ କର୍ତ୍ତବ୍ୟ। ଏଣୁ ଏତେ ଦେଲୁ, ସେତେ ଯୋଜନା କଲୁ କହି ପ୍ରଚାର କରିବା କେତେ ଯଥାର୍ଥ?
କରୋନା ସଂକ୍ରମଣ ଯୋଗୁ ଯୋଗାଣ, ଚାହିଦା ପ୍ରଭାବିତ ହେବା ଏବଂ ଅର୍ଥନୈତିକ କାର୍ଯ୍ୟକଳାପ ହ୍ରାସ ଯୋଗୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତାଙ୍କର ଧାର୍ଯ୍ୟ ରାଜସ୍ବ ଆଦାୟ କରିବାରେ ବିଫଳ ହୋଇଛନ୍ତି। ବରଂ ଏହା ପୂର୍ବବର୍ଷ ତୁଳନାରେ ଅଧିକ ହ୍ରାସ ପାଇଛି। ଓଡ଼ିଶା ମଧ୍ୟ ଏଥିରୁ ବ୍ୟତିକ୍ରମ ନୁହେଁ। କେନ୍ଦ୍ର ସରକାର ୨୦୧୯-୨୦ର ସଂଶୋଧିତ ବଜେଟ ଜୁଲାଇରେ ଉପସ୍ଥାପନ କରିଥିବାବେଳେ ମୂଳ ବଜେଟ ତୁଳନାରେ ଧାର୍ଯ୍ୟ ରାଜସ୍ବ ଆଦାୟ ୧.୪୫ ଲକ୍ଷ କୋଟି ଟଙ୍କା ହ୍ରାସ କରିଥିଲେ। ବର୍ତ୍ତମାନ ଆହୁରି ୧.୫ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି। ଟିକସ ଓ ଜିଡିପି ଅନୁପାତ ୨୦୧୯-୨୦ରେ ୯.୮୮ ପ୍ରତିଶତକୁ ହ୍ରାସ ପାଇଛି। ଏହାର ଅର୍ଥ ଲକ୍‌ଡାଉନ୍‌ ପୂର୍ବରୁ ସରକାର ରାଜସ୍ବ ଆଦାୟ କରିବାରେ ସମ୍ପୂର୍ଣ୍ଣ ବିଫଳ। ୨୦୨୦-୨୧ରେ ସମ୍ବଳ ସଂଗ୍ରହ ଆହୁରି ଅଧିକା ବାଧାପ୍ରାପ୍ତ ହେବ। ଯଦି ବ୍ୟୟ ସଂକୋଚନ କରାଯାଏ ତେବେ ଅର୍ଥନୀତି ଆହୁରି ଧୂଳିସାତ୍‌ ହେବ। ପ୍ରତ୍ୟେକ ଯୋଗାଣ ତାହାର ଚାହିଦା ସୃଷ୍ଟି କରେ। ଏହି ତତ୍ତ୍ୱ ତା’ର ପ୍ରାସଙ୍ଗିକତା ହରାଇଛି। ସରକାର ମେକାନିକାଲ ଭାବେ ପଦକ୍ଷେପ ନେଉଛନ୍ତି, ଯାହା ଭୁଲ୍‌। ସୁଧହାର ହ୍ରାସ କରିବା, ଅଧିକ ନଗଦମୁଦ୍ରାର ଯୋଗାଣ ବୃଦ୍ଧି କରିବା ଆଦି ପଦକ୍ଷେପ ନେଉଛନ୍ତି, ଯାହାର କୌଣସି ସକାରାତ୍ମକ ପ୍ରଭାବ ପଡ଼ୁନାହିଁ। କାରଣ ଲୋକଙ୍କ ଜୀବିକାର ଉତ୍ସ ହ୍ରାସ ସାଙ୍ଗକୁ କ୍ରୟ ଶକ୍ତି ଓ ଚାହିଦା ହ୍ରାସ ଘଟିଛି। ଏଣୁ ଏପରି ସମୟରେ ବ୍ୟୟ ଅଧିକ ଆବଶ୍ୟକ। ପୁନଶ୍ଚ ଘରୋଇ ବ୍ୟୟ, ନିବେଶ ହ୍ରାସ ପାଉଥିବାରୁ ସରକାରୀ ବ୍ୟୟ ଓ ନିବେଶ ବୃଦ୍ଧି ପାଇବା ଆବଶ୍ୟକ। ପ୍ରତ୍ୟେକ ବ୍ୟୟ ମଧ୍ୟ ନିଯୁକ୍ତି ସୃଷ୍ଟି କରିଥାଏ। ଘରୋଇ ବ୍ୟୟ କ୍ଷେତ୍ରରେ ଏହା ସମାନୁପାତିକ ନ ହେଲା ବେଳେ ସରକାରୀ ବ୍ୟୟ କ୍ଷେତ୍ରରେ ହୋଇଥାଏ। କିନ୍ତୁ ଏସବୁ ହ୍ରାସ ଯୋଗୁ କୋଟି କୋଟି ଲୋକ ଆଜି ପ୍ରଭାବିତ ହୋଇଛନ୍ତି। ଅପରପକ୍ଷରେ ସରକାର ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କଲେ ମଧ୍ୟ ସେଥିରେ ସରକାରଙ୍କ ବ୍ୟୟ ପରିମାଣ ମାତ୍ର ୨ରୁ ୩ ଲକ୍ଷ କୋଟି ଟଙ୍କା ରହିଛି; ଯାହା ଅନ୍ୟ ଦେଶ ତୁଳନାରେ ବହୁତ କମ୍‌।
ସରକାର ବ୍ୟୟ ବୃଦ୍ଧି କରିବା ପରିବର୍ତ୍ତେ ବର୍ତ୍ତମାନ ବିତ୍ତୀୟ କଠୋରତା ଅବଲମ୍ବନ କରୁଛନ୍ତି, ଯାହା ଅର୍ଥନୀତିକୁ ଆହୁରି ବିପର୍ଯ୍ୟସ୍ତ କରିବ। କେନ୍ଦ୍ର ସରକାର ନୂତନ ନିଯୁକ୍ତି ଏବଂ ନୂତନ ଯୋଜନା ବନ୍ଦ କରିବା, ଖାଲିସ୍ଥାନ ପୂରଣ ନ କରିବା, ବିଭିନ୍ନ ବ୍ୟୟ ହ୍ରାସ କରିବା ଆଦି ପଦକ୍ଷେପ ନେଇଛନ୍ତି। ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ସରକାର ଅନୁରୂପ ପଦକ୍ଷେପ ନେଉଛନ୍ତି। କାରଣ ରାଜ୍ୟଗୁଡ଼ିକୁ ବିତ୍ତୀୟ ନିଅଣ୍ଟ ରାଜ୍ୟ ଜିଡିପିର ୩%ରୁ ୫%କୁ ବୃଦ୍ଧି କରି ଅଧିକ ଋଣ କରିବାର ଅନୁମତି କେନ୍ଦ୍ର ଦେଇଥିଲେ ମଧ୍ୟ ୨% ବୃଦ୍ଧିରୁ ୦.୫% ମାତ୍ର ବିନା ସର୍ତ୍ତରେ ଏବଂ ଅବଶିଷ୍ଟ ୧.୫% ପାଇଁ କିଛି ସର୍ତ୍ତାବଳୀ ମାନିବାକୁ ପଡ଼ିବ। ଏପରି ଦୁର୍ଦ୍ଦିନରେ କେନ୍ଦ୍ର ରାଜ୍ୟ ଉପରେ ଅଙ୍କୁଶ ଲଗାଇବା ଉଚିତ ନୁହେଁ। ସରକାରଙ୍କ ଯୁକ୍ତି ହେଉଛି ଧାର୍ଯ୍ୟ ସୀମାଠାରୁ ଅଧିକ ଋଣ କଲେ ଦେଶ ବା ରାଜ୍ୟ ଋଣଯନ୍ତାରେ ପଡ଼ିଯିବ। ବିତ୍ତୀୟ ନିଅଣ୍ଟ ବୃଦ୍ଧି ଯୋଗୁ ମୁଦ୍ରାସ୍ଫୀତି ବୃଦ୍ଧି ପାଇବ, ନିବେଶକ ଆସ୍ଥା ହରାଇବେ। ଆହୁରି ମଧ୍ୟ କେତେକେ ଯୁକ୍ତି କରୁଛନ୍ତି ଯେ, ବର୍ତ୍ତମାନ ଅଧିକ ଋଣ କରିବା ଅର୍ଥ ଭବିଷ୍ୟତ ପିଢ଼ି ଉପରେ ଅଧିକ ବୋଝ ପକାଇବା। କିନ୍ତୁ ବାସ୍ତବରେ ଏସବୁ ଯୁକ୍ତି ଭୁଲ୍‌। ଋଣ ନ କଲେ ବି ଯଦି ଅଭିବୃଦ୍ଧି ବା ଜିଡିପି ହ୍ରାସ ପାଏ ତେବେ ବିତ୍ତୀୟ ନିଅଣ୍ଟ ଓ ଋଣ ଜିଡିପି ଅନୁପାତ ମଧ୍ୟ ଅନୁରୂପ ଭାବେ ବୃଦ୍ଧି ପାଇବ। କିନ୍ତୁ ଯଦି ଋଣ ଜିଡିପି ବୃଦ୍ଧିରେ ସହାୟକ ହେଲା ସେହି ଅନୁପାତ ହ୍ରାସ ପାଇ ଆର୍ଥିକ ସ୍ଥିତି ଭଲ ରହିବ। ପୁନଶ୍ଚ ବର୍ତ୍ତମାନ ଯେତେବେଳେ ଜୀବନ-ମରଣ ସମସ୍ୟା, ମାନବ ସଭ୍ୟତାର ଅସ୍ତିତ୍ୱ ପ୍ରତି ବିପଦ ରହିଛି ସେତେବେଳେ ସରକାର ଆବଶ୍ୟକଠାରୁ ଅଧିକ ଋଣ କରିବା ଉଚିତ। ଏହି ସଂକ୍ରମଣ ପୂର୍ବରୁ ମଧ୍ୟ ବିଶ୍ୱ ଋଣଯନ୍ତାରେ ପଡ଼ିଛି। କିନ୍ତୁ ଋଣଜନିତ ଅଭିବୃଦ୍ଧିର ସୁଫଳ କେବଳ ନିର୍ଦ୍ଦିଷ୍ଟ ଧନୀ ଶ୍ରେଣୀଙ୍କ ପାଖକୁ ଯାଇଛି। ଏଣୁ ବର୍ତ୍ତମାନ ସାଧାରଣ ଜନତାଙ୍କ ସ୍ବାର୍ଥ ପାଇଁ ଅଧିକ ଋଣ କରିବା କିଛି ଭୁଲ ନୁହେଁ। ପୁନଶ୍ଚ ଆମ ଦେଶର କ’ଣ ନୀତି ହେବ ତାହା ନିବେଶକଙ୍କ ଦ୍ୱାରା ପ୍ରଭାବିତ ହେବା ଅନୁଚିତ। ଆଉ ଏକ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେତେବେଳେ ସରକାର ରାଜସ୍ବ ଆଦାୟ କରିବାରେ ବିଫଳ ହୋଇଛନ୍ତି ଜନସାଧାରଣଙ୍କ ଆର୍ଥିକ କ୍ଷମତା ଧ୍ୱସ୍ତବିଧ୍ୱସ୍ତ, ସେତେବେଳେ ମୁକେଶ ଅମ୍ବାନୀଙ୍କ ସମ୍ପଦ ଦ୍ରୁତଗତିରେ ବୃଦ୍ଧି ପାଇଛି। ଜୁନ୍‌ ୧୩ ତାରିଖ ସୁଦ୍ଧା ବିଗତ ୨୨ ଦିନରେ ଅମ୍ବାନୀଙ୍କ ସମ୍ପଦ ୭୯୦ କୋଟି ଡଲାର ବୃଦ୍ଧି ପାଇଛି। ଗତ ସପ୍ତାହରେ ଅମ୍ବାନୀ ଓ୍ବାରେନ୍‌ ବଫେଙ୍କୁ ଅତିକ୍ରମ କରି ୮ମ ସ୍ଥାନରେ ଥିଲେ। ବର୍ତ୍ତମାନ ତାଙ୍କ ସମ୍ପଦର ମୂଲ୍ୟ ୫.୪୪ ଲକ୍ଷ କୋଟି ଟଙ୍କା। ଏତେ ସମ୍ପଦ ଥାଇ ମଧ୍ୟ ସେ କୋଭିଡ୍‌ ମହାମାରୀକୁ କିଛି ନ ଦେଲା ବେଳେ ଓ୍ବରେନ୍‌ ବଫେ ୨.୯ ବିଲିୟନ ଡଲାର ଦେବା ଯୋଗୁ ଅମ୍ବାନୀ ତାଙ୍କୁ ଅତିକ୍ରମ କଲେ। ଆମେ ଭାବୁଛେ ଭାରତୀୟ ଗରିବମାନେ ଅମ୍ବାନୀଙ୍କ ସମ୍ପଦ ବୃଦ୍ଧି ନେଇ ଖୁସି ହେବା ଉଚିତ।
ପୁନଶ୍ଚ ସରକାର ଯେତେବେଳେ ଧନୀ ଶ୍ରେଣୀଙ୍କଠାରୁ ଟିକସ ଆଦାୟ କରିବାରେ ବିଫଳ ହେଉଛନ୍ତି, ରାଷ୍ଟ୍ରାୟତ୍ତ ଶିଳ୍ପର ଘରୋଇକରଣ ବା ସେଥିରୁ ପୁଞ୍ଜି ପ୍ରତ୍ୟାହାର କରି ସମ୍ବଳ ସଂଗ୍ରହ କରୁଛନ୍ତି। ପ୍ରତିବାଦକୁ ରୋକିବା ପାଇଁ ଶ୍ରମିକ ବିରୋଧରେ ଯିବା ପରି ଶ୍ରମ ଆଇନରେ ପରିବର୍ତ୍ତନ କରୁଛନ୍ତି। ସାଧାରଣ ଜନତାଙ୍କୁ ବାଧିବା ପରି ଏବଂ ସବୁପ୍ରକାର ଦରଦାମ ବୃଦ୍ଧି କରୁଥିବା ପେଟ୍ରୋଲିୟମ ସାମଗ୍ରୀ ଉପରେ ଅନ୍ଧାଧୁନିଆ ଭାବେ ଟିକସ ଧାର୍ଯ୍ୟ କରୁଛନ୍ତି। ବାସ୍ତବରେ ଏସବୁ ବିକଳ୍ପ ନୁହେଁ। ବିତ୍ତୀୟ କଠୋରତା ବିକଳ୍ପ ନୁହେଁ। କାରଣ ବିଦେଶରେ ବିଭିନ୍ନ ସମୟରେ ଏହା ବିଫଳ ହେବା ସହିତ ମାନ୍ଦାବସ୍ଥାକୁ ଆହୁରି ସଙ୍କଟମୟ କରିଛି। ଏଣୁ ସରକାର ବିଭିନ୍ନ ଜନହିତକର କାର୍ଯ୍ୟ, ନିଯୁକ୍ତି, ସ୍ବାସ୍ଥ୍ୟ, ଶିକ୍ଷା, କୋଭିଡ୍‌ ନିୟନ୍ତ୍ରଣରେ ଅଧିକ ବ୍ୟୟ କରିବା ଉଚିତ।

ମୋ: ୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ତଦନ୍ତର ରିଆଲିଟି ଶୋ

ପ୍ରାତଃ ଭ୍ରମଣ ପାଇଁ ମୁଁ ମୋ ଘର ପାଖ ଏକ ପାର୍କକୁ ପ୍ରତିଦିନ ଯାଏ। ପାର୍କରେ ଡ୍ୟୁଟି କରୁଥିବା ଜଣେ ସିକ୍ୟୁରିଟି ଗାର୍ଡ ଦିନେ ମୋ ନିକଟକୁ…

ଆଉ ଚାରା ନାହିଁ

ଓଡ଼ିଆରେ କଥା ଅଛି ‘ଆଉ ଚାରା ନାହିଁ’। ଅର୍ଥାତ୍‌ ଆଉ କିଛି ଉପାୟ ନ ଥିଲେ ବାଧ୍ୟ ହେବା ସ୍ଥିତିକୁ ଲକ୍ଷ୍ୟ କରାଯାଇ ଏଭଳି କୁହାଯାଇଥାଏ। ଗୋଟିଏ…

କେଉଁଠି ରହିଲା ଭାରତ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀରେ ଶାନ୍ତି ସ୍ଥାପନ ନିମନ୍ତେ ଜାତିସଂଘ ଗଠନ କରାଯାଇଥିଲା। ହେଲେ ବିଭିନ୍ନ ଦେଶ ଭିତରେ ବାରମ୍ବାର ଯୁଦ୍ଧ, ସଂଘର୍ଷ ଦେଖାଦେଉଥିଲେ ମଧ୍ୟ ଜାତିସଂଘ…

ସମଭାବରେ ବିରୋଧ ହେଉ

ଭାରତ ବାହାରେ ବିଭିନ୍ନ ସ୍ଥାନରେ ଇସ୍କନ ଅନୁଗାମୀଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହେଉଥିବା ଅଦିନିଆ ରଥଯାତ୍ରାକୁ ବିରୋଧକରି ପୁରୀ ଗଜପତି ଏକ ଧାର୍ମିକ ସମ୍ମିଳନୀରେ…

ସମ୍ବିଧାନରେ ଶ୍ରେଷ୍ଠ ସମନ୍ବୟ

ଭାରତୀୟ ସମ୍ବିଧାନର ମୌଳିକ ଅଧିକାର ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଉପଭୋଗ କରିବା ପାଇଁ ସୁଯୋଗ ପ୍ରଦାନ କରାଯାଇଛି। ସମ୍ବିଧାନର ଅନୁଚ୍ଛେଦ ୧୬(୧) ଓ ୧୬(୨)ରେ ନାଗରିକଙ୍କୁ…

ଏଇ ଭାରତରେ

ତାମିଲନାଡୁର କୋଏମ୍ବାଟୁରରେ ଜଳସଙ୍କଟ ଦୂର କରିବାରେ ମଣିକନ୍ଦନ ଆର୍‌ଙ୍କ ପଦକ୍ଷେପ ପ୍ରଶଂସନୀୟ। ସେଠାରେ ଥିବା ହ୍ରଦ ଓ ଅନ୍ୟ ଜଳଉତ୍ସଗୁଡ଼ିକର ଜଳଧାରଣ କ୍ଷମତା ହ୍ରାସ ପାଇବା ସହ…

ଭୂଗର୍ଭ ଫଙ୍ଗାଇ ବିଶ୍ଳେଷିକା

ଜଳବାୟୁ ପରିବର୍ତ୍ତନଜନିତ ବିପଦକୁ ବିଶ୍ୱବାସୀ ଭଲ ଭାବେ ଅନୁଭବ କଲେଣି। ସେଥିରୁ ରକ୍ଷା ପାଇବା ପାଇଁ ସଚେତନ ମଣିଷ ପଦକ୍ଷେପ ମଧ୍ୟ ନେଉଛି। ପ୍ରକୃତିକୁ ବିଗାଡ଼ି ଦେଉଥିବାରୁ…

ନଜର ଲାଗିଗଲା କି

ନିକଟରେ ଓଡ଼ିଶା ବିଧାନସଭାରେ ସଭ୍ୟମାନଙ୍କର ମାସିକ ଦରମା, ଭତ୍ତା ଓ ପେନ୍‌ସନ୍‌ ଆଦି ବୃଦ୍ଧି କରି ଏକ ବିଲ୍‌ ସର୍ବସମ୍ମତି କ୍ରମେ ପାସ୍‌ ହୋଇଗଲା। ବିଧାୟକମାନେ ଜନମତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri