ନିର୍ଣ୍ଣୟ କ୍ଳାନ୍ତି

ରଞ୍ଜନ କୁମାର ଦାସ

ବାରାକ୍‌ ଓବାମା ଆମେରିକାର ରାଷ୍ଟ୍ରପତି ଥିଲାବେଳେ ଯେତେବେଳେ ପଦାକୁ ବାହାରନ୍ତି ପ୍ରାୟ କଳା ଓ ନୀଳ ରଙ୍ଗର ପୋଷାକ ପିନ୍ଧନ୍ତି, ସେଇଭଳି ଫେସବୁକ୍‌ର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ପ୍ରାୟତଃ ପାଉଁଶିଆ ରଙ୍ଗର ଟି-ଶାର୍ଟ ପିନ୍ଧିବାର ଦେଖିବାକୁ ମିଳିଥାଏ। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଉଦ୍ୟୋଗୀ ଷ୍ଟିଭ ଜବ୍‌ସ ମଧ୍ୟ ପ୍ରାୟତଃ କଳା ରଙ୍ଗର ଟି-ଶାର୍ଟ ବା ସ୍ବେଟର ପିନ୍ଧିବାର ଦେଖିବାକୁ ମିଳିଥାଏ। ଏମାନଙ୍କୁ ସବୁବେଳେ ଏକାରଙ୍ଗର ପୋଷାକରେ ଦେଖି ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଠେ ତାଙ୍କର ସେହି ହଳକ ପୋଷାକ ଅଛି କି ଆଉ। ବାସ୍ତବରେ ତାଙ୍କର ଯେତେ ହଳ ପୋଷାକ ସବୁ ଏଇ ଗୋଟେ ରଙ୍ଗର। କାରଣ କ’ଣ? କାହିଁକି ସେମାନେ ଭିନ୍ନ ଭିନ୍ନ ରଙ୍ଗର ପୋଷାକ ପିନ୍ଧନ୍ତି ନାହିଁ? ଆମର ଏଠି ଅନେକ ଲୋକ ବାସ୍ତୁ ବିଚାର କରି ସବୁ ବାର ଅନୁଯାୟୀ ଅଲଗା ଅଲଗା ରଙ୍ଗର ପୋଷାକ ପିନ୍ଧନ୍ତି। ସୋମବାର, ଶୁକ୍ରବାରରେ ଧଳା, ମଙ୍ଗଳବାର, ରବିବାରରେ ନାଲି, ବୁଧବାର ସବୁଜ, ଗୁରୁବାର ହଳଦିଆ ଏମିତି ରଙ୍ଗସବୁ ବାସ୍ତୁବିତ୍‌ମାନେ ବରାଦ କରନ୍ତି। ତା’ଛଡ଼ା ରାଶି ଅନୁଯାୟୀ କାହାର କ’ଣ ଲକି କଲର। ଓବାମା, ଜୁକରବର୍ଗ ବା ଷ୍ଟିଭଙ୍କ ପାଖରେ କ’ଣ ସେ ବାସ୍ତୁଜ୍ଞାନ ଉପଲବ୍ଧ ନ ଥିଲା, ନା ତାଙ୍କର ସେ ରଙ୍ଗରସିକତା ନାହିଁ?
ଏ ସଂକ୍ରାନ୍ତରେ ଥରେ ଜୁକରବର୍ଗଙ୍କୁ କେହି ଜଣେ ସାମ୍ବାଦିକ ପଚାରିଥିଲେ ଯେ କାହିଁକି ଆପଣ ସବୁବେଳେ ସେଇ ଗୋଟେ ରଙ୍ଗର ପୋଷାକ ପିନ୍ଧନ୍ତି? ସେ କହିଥିଲେ, ମୋତେ ଦିନରେ ଅନେକ ନିର୍ଣ୍ଣୟ ନେବାର ଥାଏ। ସେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସବୁ ନେବାକୁ ହେଲେ ମୋତେ ମୁଣ୍ଡକୁ ଥଣ୍ଡା ରଖିବାକୁ ପଡ଼ିବ। ସକାଳୁ ସକାଳୁ ଯଦି ପୋଷାକ ଚୟନ ଭଳି ଏକ ସାଧାରଣ କଥାରେ ମୁଁ ମୋ ମୁଣ୍ଡ ଖରାପ କରେ ତେବେ ଦିନସାରା କେମିତି ଚାଲିବ? କଥା ହେଲା ପୋଷାକ ଚୟନରେ ମୁଣ୍ଡ କାହିଁକି ଖରାପ ହେବ? ପିନ୍ଧିଲା ବାଲା ଜାଣେ ସେକଥା। କେଉଁ ପ୍ୟାଣ୍ଟ କୋଟ୍‌ ସାଙ୍ଗରେ କୋଉ ଶାର୍ଟ ମ୍ୟାଚିଂ ହବ କୋଉ ଶାର୍ଟରେ ପୁଣି କୋଉ ଟାଇ ଏସବୁ ଖୋଜୁ ଖୋଜୁ ମ୍ୟାଚ କରୁ କରୁ ବେଳେବେଳେ ଅଧଘଣ୍ଟା ଲାଗିଯାଏ। ସମୟ ତ ଯାଏ, ତା’ ସାଙ୍ଗକୁ ପୁଣି କୋଉ ପେୟାରଟା ଭଲ ଲାଗିବ କାଳେ ଆଉ କୋଉ ପେୟାର ଅଧିକ ଭଲ ଲାଗିଥାନ୍ତା ଏଇ ନିର୍ଣ୍ଣୟରେ ମସ୍ତିଷ୍କ ଭାରାକ୍ରାନ୍ତ ହୁଏ। ପୁଣି ଘରୁ ବାହାରୁ ବାହାରୁ ଯଦି କେହି ମନ୍ତବ୍ୟ ଦେଇଦେଲା ଯେ ମ୍ୟାଚିଂ ଟା ଠିକ୍‌ ହେଲାନି ତେବେ ତ କଥା ସରିଲା। ଲକ୍ଷ୍ୟ କରିଥିବେ ମହିଳାମାନେ କୁଆଡ଼େ ବାହାରିଲେ କୋଉ ଶାଢ଼ିରେ କୋଉ ଶାୟା କୋଉ ବ୍ଲାଉଜ ମ୍ୟାଚ କରିବ, ତା’ ସାଙ୍ଗରେ ପୁଣି କୋଉ ନେଲପଲିସ ଓ ଲିପ୍‌ଷ୍ଟିକ ମ୍ୟାଚ କରିବ ତାକୁ ନେଇ ପୂରା ଅଧାଓଳି ଚାଲିଯାଏ। ଏ ନିର୍ଣ୍ଣୟରେ ସାହାଯ୍ୟ କରିବା ପାଇଁ ବେଳେବେଳେ ସ୍ବାମୀ ବା ପରିବାରର ଅନ୍ୟ କାହାକାହାଙ୍କ ସହାୟତା ଲୋଡ଼ିବାକୁ ପଡ଼େ। ହେଲାନି ଏଟା ଗୋଟେ ମୁଣ୍ଡ ଖରାପ ହେଲାଭଳି କାମ?
ପ୍ରକୃତରେ ମନୋବିଜ୍ଞାନୀମାନେ କହୁଛନ୍ତି, ଜଣେ ସାଧାରଣ ମଣିଷ ଦିନରେ ପ୍ରାୟ ୩୫୦୦୦ ନିଷ୍ପତ୍ତି ନିଏ। ଦିନରେ ଯଦି ସାତ ଆଠ ଘଣ୍ଟା କାମ କରିବାକୁ ପଡ଼େ ତେବେ ଘଣ୍ଟାପିଛା ଚାରି ହଜାରରୁ ପାଞ୍ଚହଜାର ନିଷ୍ପତ୍ତି ନିଆଯାଏ। ବେଳେବେଳେ ଅବଚେତନରେ ଅନେକ ନିଷ୍ପତ୍ତି ନିଆଯାଏ, ଯାହାର ହିସାବ ନ ଥାଏ ଆମ ପାଖରେ। ୟା ଭିତରୁ ପ୍ରାୟ ଶତକଡ଼ା ୭୫ ଭାଗ ନିଷ୍ପତ୍ତି ଠିକ୍‌ ହୁଏ। ବାକି ୨୫% ଭୁଲ୍‌ ହୋଇଯାଏ। ଗୋଟେ ଛୋଟ ଛୋଟ ଛୁଆ ବି ଦିନରେ ପ୍ରାୟ ୩୦୦୦ ନିଷ୍ପତ୍ତି ନେଇଥାଏ। ତା’ ଭିତରୁ ଦୁଇଶହରୁ ଊର୍ଦ୍ଧ୍ୱ ନିଷ୍ପତ୍ତି କେବଳ ଖାଦ୍ୟକୁ ନେଇ ହୋଇଥାଏ। କ’ଣ ଖାଇବି, କୋଉ ପ୍ରକାର ଖାଦ୍ୟ ଖାଇବି ଆମିଷ କି ନିରାମିଷ, ମଟନ କି ଚିକେନ, ମିଠା କି ଲୁଣି, ଖଟା କି ରାଗ, ତା’ ପୁଣି କୋଉଠି ଘରେ କି ହୋଟେଲରେ। ହୋଟେଲ ହେଲେ ତା’ ପୁଣି କୋଉ ହୋଟେଲ, ବଡ଼ କି ସାନ, ଦାମୀ କି ସାଧାରଣ। ହୋଟେଲ ଯଦି ଫାଇନାଲ ହୋଇଗଲା, କାହା ସାଙ୍ଗରେ ଯିବି। କେତେବେଳେ ଯିବି, ଦିନରେ କି ରାତିରେ। ଗଲେ କ’ଣ ପିନ୍ଧିକି ଯିବି ଏମିତି ନାନା ପ୍ରଶ୍ନ ଆମକୁ ଆକ୍ରାନ୍ତ କରେ। ଏସବୁ ନିଷ୍ପତ୍ତି ଭିତରେ ଜିନିଷ କିଣାକିଣିକୁ ନେଇ ଦୈନନ୍ଦିନ ଜୀବନରେ ଅନେକ ନିର୍ଣ୍ଣୟ ନେବାକୁ ପଡ଼େ। ତା’ଛଡ଼ା କାହାକୁ କ’ଣ କୁହାଯିବ, କେତେବେଳେ କ’ଣ କରାଯିବ, କାହାକୁ ଭେଟିବାକୁ ହେବ, କେଉଁଠି ଭେଟିବାକୁ ହେବ, କ’ଣ ପିନ୍ଧିବାକୁ ପଡ଼ିବ, କୋଉ ଦଳକୁ ବା ବ୍ୟକ୍ତିକୁ ଭୋଟ ଦେବାକୁ ପଡ଼ିବ, ପିଲାଙ୍କ ନାଁ କ’ଣ ଦେବାକୁ ପଡ଼ିବ, କୋଉ ସ୍କୁଲ ବା କଲେଜରେ ତାଙ୍କ ନାଆଁ ଲେଖେଇବାକୁ ପଡ଼ିବ, ପିଲାଜନ୍ମ କରିବା ନା ନାହିଁ, ଯଦି କରିବା କେବେ, ଏମିତି ନାନା ନିଷ୍ପତ୍ତି ନେବାକୁ ପଡ଼ିଥାଏ ଜୀବନକାଳ ଭିତରେ। ଅନେକ ସମୟରେ ଗୋଟିଏ ନିଷ୍ପତ୍ତି ବା ନିର୍ଣ୍ଣୟରେ ପହଞ୍ଚତ୍ବାକୁ ହେଲେ ଶହେ ବା ଦୁଇଶହ ବିକଳ୍ପ ଭିତରୁ ଗୋଟିକୁ ବାଛିବାକୁ ପଡ଼େ। ପ୍ରକୃତରେ ଏଇଟି ଗୋଟିଏ ନିଷ୍ପତ୍ତି ଭଳି ଲାଗୁଥିଲେ ମଧ୍ୟ ଏହା ମଧ୍ୟରେ ଶହେ ବା ଦୁଇଶହ ଉପନିଷ୍ପତ୍ତି ଲୁଚି ରହିଥାଏ। ଶହେ ବା ଦୁଇଶହ ବିକଳ୍ପକୁ ଗୋଟି ଗୋଟି କରି ପ୍ରତ୍ୟାଖ୍ୟାନ କଲାପରେ ଯାଇ ଆମେ ଗୋଟେ ନିଷ୍ପତ୍ତି ନଉ।
ଅନେକ ନିଷ୍ପତ୍ତି ତା’ ଭିତରୁ ଠିକ୍‌ ଥାଏ। କିଛି ଭୁଲ୍‌ ବି ହୋଇଯାଏ। ପରସ୍ପର ବିରୋଧୀ ବିକଳ୍ପ ସବୁ ଭିତରୁ କିଛି ବାଛିଲା ବେଳେ ଅନେକ ଦ୍ୱନ୍ଦ୍ୱ, ଦ୍ୱିବିଧା ଓ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼େ। ଅନେକ ଶତ୍ରୁ ସୃଷ୍ଟି ହୁଅନ୍ତି, ଅନେକ ମିତ୍ର ଦୂରେଇ ଯାଆନ୍ତି। ତେଣୁ ସେସବୁ ନିଷ୍ପତ୍ତି ନେବା ଭାରି କଷ୍ଟ। ଏପରି କି ଗୋଟେ ବ୍ୟସ୍ତ କ୍ଳାନ୍ତିକର ଦିନ ଶେଷରେ ଘରକୁ ଫେରିଲେ ରାତିରେ କ’ଣ ଖାଇବା ସେ ନିର୍ଣ୍ଣୟ ନେବା ବି କଷ୍ଟକର ଲାଗେ। ଟିଭିରେ କୋଉ ଚ୍ୟାନେଲ ଦେଖିବା ସେ ନିଷ୍ପତ୍ତି ବି ବେଳେବେଳେ ନେଇହୁଏ ନାହିଁ। ଏମିତି କ୍ଳାନ୍ତିକର ମୁହୂର୍ତ୍ତରେ ନିଆଯାଉଥିବା ଅନେକ ନିଷ୍ପତ୍ତି ଦୃଢ଼ ହୋଇପାରି ନ ଥାଏ। ସେଥିପାଇଁ ଭୋକ ଲାଗୁଥିଲା ବେଳେ, ରାଗିଥିଲା ସମୟରେ, ମନ ବ୍ୟସ୍ତ ଥିଲାବେଳେ କୌଣସି ନିଷ୍ପତ୍ତି ନ ନେବା ପାଇଁ କୁହାଯାଏ। ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ ଏବେ ଗୋଟିଏ ସର୍ଭେ ହୋଇଥିଲା। ସେଥିରୁ ଜଣାପଡ଼ିଲା ଯେ ସକାଳ ସମୟରେ ପ୍ରାୟତଃ ମନ ଶାନ୍ତ ଥାଏ, ଯେଉଁ ସମୟରେ ଭଲ ନିଷ୍ପତ୍ତି ନେଇହୁଏ। ତେଣୁ ସ୍କୁଲରେ ପ୍ରଥମ ପିରିଅଡ଼ରେ ଗଣିତ କ୍ଲାସ ଥାଏ। ସେଥିପାଇଁ ବୋଧହୁଏ ଆମକୁ ପିଲାବେଳେ ପାହାନ୍ତାରୁ ଉଠି ସଂସ୍କୃତର ଶବ୍ଦରୂପ ଧାତୁରୂପ ଘୋଷିବାକୁ କୁହାଯାଉଥିଲା। ଗଣିତ କଷିବାକୁ କୁହାଯାଉଥିଲା। ସେଇଥିପାଇଁ ବୋଧହୁଏ କୋର୍ଟ ଆରମ୍ଭ ବେଳେ ପ୍ରଥମେ ବେଲ୍‌ ଆବେଦନଗୁଡ଼ିକର ଶୁଣାଣି କରାଯାଏ। ଦେଖାଯାଉଚି ଯେ, ସକାଳୁ ସକାଳୁ ଜଜ୍‌ମାନେ ବେଲ୍‌ ଶୁଣାଣି କଲେ ୭୦% କେସ୍‌ରେ ବେଲ୍‌ ମିଳିଯାଏ। ସେଇ କେସ୍‌ ଯଦି ଅପରାହ୍ନରେ ଶୁଣାଣି କରାଯାଏ ତାହା ପ୍ରାୟ ୫୦%କୁ କମିଯାଏ। ଅପରାହ୍ନ ବେଳକୁ କାମ କରି କରି ଗୋଟେ ପ୍ରକାର କ୍ଳାନ୍ତି ଆସିଯାଏ, ଯାହାକୁ ଆଜିକାଲି ମନୋବିଜ୍ଞାନୀମାନେ ନିର୍ଣ୍ଣୟ କ୍ଳାନ୍ତି ବା Decision Fatigue ବୋଲି କହୁଛନ୍ତି। ଏଇ ସମୟରେ ଭଲ ଖରାପ ଭିତରେ, ଠିକ୍‌ ଭୁଲ୍‌ ଭିତରେ ତଫାତ୍‌ ବାରିବା ପାଇଁ ମାନସିକ ସ୍ଥିତି ନ ଥାଏ। ଏହାକୁ ମନୋବିଜ୍ଞାନୀମାନେ ବିଶ୍ଳେଷଣ ପକ୍ଷାଘାତ ବା Analysis Paralysis ବୋଲି କହୁଛନ୍ତି। ସେଇ ସମୟରେ କେହି କିଛି ପଚାରିଲେ ବିରକ୍ତିରେ ବାହାରିଯାଏ ଯାହା କରୁଚ କର, ମତେ କିଛି ପଚାରନି। ବେଳେବେଳେ ବାହାରିଯାଏ ମୁଁ କିଛି କହିପାରିବିନି, ତମେ ତମ ନିଷ୍ପତ୍ତି ନିଅ।
ସେଥିପାଇଁ ନିଷ୍ପତ୍ତି ବା ନିର୍ଣ୍ଣୟ ନଉଥିବା ଲୋକକୁ ବିଶ୍ରାମର ଆବଶ୍ୟକତା ଅଛି। ଅବିରାମ ଭାବେ କାମ କରି ଚାଲିଲେ ଗାଡ଼ିର ଇଞ୍ଜିନ ସିଜ୍‌ ହୋଇଗଲା ଭଳି, ମଣିଷର ମସ୍ତିଷ୍କ ବି ସିଜ୍‌ ହୋଇଯାଇପାରେ। ଆଜିର ମଣିଷ ପାଖରେ ନିଷ୍ପତ୍ତି ନ ନେବାର ସ୍ବାଧୀନତା ଟିକକ ମଧ୍ୟ ନାହିଁ। ମୂଷିକ ଦୌଡ଼ରେ ତାକୁ ବିଶ୍ରାମ ଟିକିଏ ନେବାରେ ଫୁର୍‌ସତ୍‌ ମଧ୍ୟ ନାହିଁ। ଖାଇବା ଶୋଇବା ଭୁଲିବସୁଚି ମଣିଷ। କାଳେ ଟିକିଏ ବସିଗଲେ ଆଉ କିଏ ଆଗକୁ ମାଡ଼ିଯିବ ଏଇ ଭୟରେ ଆଶଙ୍କାରେ ସେ ଅହରହ ପୀଡ଼ିତ। ପ୍ରତିଯୋଗିତାର ଯୁଗରେ ମଣିଷ ଏକୁଟିଆ ହୋଇପଡୁଚି। ସର୍ବଯୋଗ୍ୟ ହେବାର ଲାଳସାରେ ଏବଂ ସର୍ବଭୋଗୀ ହେବାର ଲୋଭରେ ସେ ଖଟି ଚାଲିଚି ଉଭୟ ମାନସିକ ଓ ଶାରୀରିକ ଭାବେ । ଠିକ୍‌ ସେଇ ଲୋକଟି ଭଳି ଯିଏ ସକାଳୁ ସଞ୍ଜ ଯାଏ ଯେତେ ଜମି ଉପରେ ଦୌଡ଼ିପାରିବ ସେ ସବୁ ତା’ର ହୋଇଯିବ ବୋଲି ଭାବିି ଦୌଡ଼ିଦୌଡ଼ି ସଞ୍ଜ ବେଳକୁ ଟଳି ପଡ଼ିଥିଲା ଏବଂ ଶେଷରେ ସାତହାତ ମାଟିରେ ହିଁ ପୋତା ହୋଇଥିଲା ତା’ର ଶବ! ପାରିବାରପଣ ଦେଖାଇବା ପାଇଁ ନିଷ୍ପତ୍ତି ନେଇ ନେଇ ଶେଷରେ ସେ ନିର୍ବୋଧ ଲୋକଟି ଭଳି ଚାଲି ନ ଯାଉ ଆମ ଜୀବନ। ଜିଇବା ନାଆଁରେ ଦୌଡ଼ି ଦୌଡ଼ି ଜୀବନ ହିଁ ନଷ୍ଟ ହୋଇ ନ ଯାଉ ଶେଷରେ।
ନିର୍ଦ୍ଦେଶକ, ସଂସ୍କୃତି ବିଭାଗ
ମୋ -୯୪୩୭୨୮୬୫୧୨


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri