Posted inଫୁରସତ

ବଦଳୁଛି ସମୟ: ବଢୁଛି ଇଣ୍ଡୋରପ୍ଲାଣ୍ଟ

ପରିବେଶ ପରିସ୍ଥିତି ଏବେ ମଣିଷକୁ ବଦଳେଇ ଦେଇଛି। ମଣିଷ ଭିତରେ ଆସିଛି ପରିବର୍ତ୍ତନ, ଯାହାକୁ ନିହାତି ଭାବରେ ସକାରାତ୍ମକ କୁହାଯାଇପାରେ। କାରଣ ଗଛ କାଟୁଥିବା ମଣିଷ ଏବେ ଶୁଦ୍ଧବାୟୁଟିକେ ପାଇବା ପାଇଁ ପୁଣିଥରେ ଆରମ୍ଭ କରିଛି ଗଛ ଲଗାଇବା। ତେବେ ମାଳମାଳ ଘର କରିବାପରେ ଏବେ କିନ୍ତୁ ଗଛଟିଏ ପାଇଁ ଜାଗାର ଅଭାବ; ଯେଉଁଥି ପାଇଁ ଘର ଭିତରେ ଗଛ ଲଗାଇବାର ଟ୍ରେଣ୍ଡ ଏବେ ବଢିଚାଲିଛି …

ବଡ଼ ବଡ଼ ସହରଗୁଡ଼ିକରେ ଯେମିତି ବିଶୁଦ୍ଧ ବାୟୁ ଟିକେ ପାଇବା ସ୍ବପ୍ନ ହୋଇଗଲାଣି। ଆଗକୁ ଆଗକୁ ପରିସ୍ଥିତି କ’ଣ ହେବ ତାକୁ ଦୃଷ୍ଟିରେ ରଖି ଏବେ ଅଧିକାଂଶ ଲୋକ ଗଛ ଲଗାଇବା ପାଇଁ ଆଗ୍ରହୀ ହେଲେଣି। ତେବେ ପର୍ଯ୍ୟାପ୍ତ ଗଛ ଲଗାଇବା ପାଇଁ ଏବେ ଜାଗା କାହିଁ? ତେଣୁ ଘର ଭିତରେ କେମିତି ଅଧିକରୁ ଅଧିକ ଗଛ ଲଗାଇ ହେବ ଏବେ ସେହି ଚିନ୍ତା ସମସ୍ତଙ୍କୁ ଘାରିଛି। ନିଜେ ସୁସ୍ଥ ରହି ପରିବେଶକୁ କିପରି ସୁସ୍ଥ ରଖିହେବ ସେଥିପାଇଁ ଅଣ୍ଟା ଭିଡିଲେଣି ଅନେକେ। ତେବେ ଘର ଭିତରେ ତ ସବୁ ଗଛ ବଞ୍ଚତ୍ବନି, କିଛି ବଛା ବଛା ଗଛ ହିଁ ଘର ଭିତରେ ବଢ଼ିପାରିବ ଘର ଭିତରେ ବଢ଼ି ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ୍‌ ଦେଉଥିବା ଏମିତି କିଛି ଗଛ ଏବେ ଲୋକେ ଅଧିକରୁ ଅଧିକ ଘରେ ଲଗାଉଛନ୍ତି। କେବଳ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରରେ ଥିବା ନର୍ସରିରେ ଦୁଇ ବର୍ଷର ଇଣ୍ଡୋର ପ୍ଲାଣ୍ଟ ବିକ୍ରିକୁ ନେଇ ଏକ ତଥ୍ୟ ଦେଖିଲେ ଜଣାପଡ଼େ ୨୦୧୯ରେ ପାଖାପାଖି ଆଠ ଲକ୍ଷ ଟଙ୍କାର ଗଛ ବିକ୍ରି ହୋଇଥିବା ବେଳେ ୨୦୨୦ରେ ପାଖାପାଖି ଦଶ ଲକ୍ଷ ଟଙ୍କାର ଗଛ ବିକ୍ରି ହୋଇଛି। ଓଡ଼ିଶା ଗାର୍ଡେନ ବା ରାମ୍‌ଜୀ ଫ୍ଲାଓ୍ବାର୍ସର ବବିତା ଅଗ୍ରଓ୍ବାଲ କହନ୍ତି, ପ୍ରତିବର୍ଷ ଇନ୍‌ଡୋର୍‌ ପ୍ଲାଣ୍ଟ ବିକ୍ରିରେ ଅତିକମ୍‌ରେ ୧୫% ବଢିଥାଏ। କିନ୍ତୁ ଏଥର କୋଭିଡ ସମୟରେ ଲୋକେ ଗଛ ଲଗାଇତ୍ାକୁ ନେଇ ଅଧିକ ସଚେତନ ହୋଇଛନ୍ତି। ତେଣୁ ୨୦%ରୁ ଅଧିକ ବିକ୍ରି ହୋଇଛି। ବେଶି ବିକ୍ରି ହେଉଛି ଏୟାର ପ୍ୟୁରିଫାୟର ପ୍ଲାଣ୍ଟ, ସକୁଲାଣ୍ଟ ପ୍ଲାଣ୍ଟ, ସନସବେରା, ଟେବୁଲଏରିକା ଓ ଜେଡ୍‌ ଜେଡ୍‌ ପ୍ଲାଣ୍ଟ। ଏହାକୁ ବାଦ୍‌ ଦେଲେ ଆହୁରି ଅନେକ ନର୍ସରି ବି ରହିଛି। ତେଣୁ ଇଣ୍ଡୋର ପ୍ଲାଣ୍ଟ ଲଗାଇବାକୁ ନେଇ ଲୋକମାନଙ୍କ ମନରେ ଆଗ୍ରହ ଏଇଥିରୁ ସ୍ପଷ୍ଟ ଅନୁମେୟ ଏବଂ ଏହା ଏକ ସକାରାତ୍ମକ ଦିଗକୁ ନିହାତି ଭାବରେ ଦୃଷ୍ଟି ଦେଉଛି।

କେଉଁ ଗଛ କ’ଣ ପାଇଁ:ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନେକ କାରଣରୁ ଆମେ ଅସ୍ବସ୍ତି ଅନୁଭବ କରିଥାଉ। ନାନା ପ୍ରକାର ଚିନ୍ତାରୁ ଭଲରେ ଶୋଇ ନ ପାରିବା କାରଣରୁ ମନ ଭଲ ରହେ ନାହିଁ ଏବଂ ଚିନ୍ତା ବଢ଼େ।
ତେବେ ଏମିତି କିଛି ଗଛ ଅଛି ଯିଏ ଆମକୁ ଏସବୁରୁ ମୁକ୍ତି ଦେଇପାରେ। ଏ ସମ୍ପର୍କରେ ଭୁବନେଶ୍ୱରସ୍ଥ ସହକାରୀ ବିହନ ପ୍ରମାଣନ ଅଧିକାରୀ ଡ. ପରେଶ କୁମାର ପଣ୍ଡା କୁହନ୍ତି, ଏମିତି ସବୁ ଗଛ ଅଛି ଯାହାକୁ ଘରେ ରଖିଲେ ଆପଣଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ ଯୋଗାଇବା ସହ ଅବସାଦ ଦୂର କରି ଶରୀର ଓ ମନ ସୁସ୍ଥ ରଖିଥାଏ।

ସ୍ପାଇଡର ପ୍ଲାଣ୍ଟ: ତାହା ଘରର ବାୟୁରୁ ଫର୍ମାଲ ଡିହାଇଡ୍‌, କାର୍ବନ୍‌ ମନୋକ୍ସାଇଡ୍‌ ଓ ଅନ୍ୟ ବିଷାକ୍ତ ଗ୍ୟାସ୍‌ର ଅପସାରଣ କରାଇଥାଏ; ଯାହା ପେପର୍‌ ବ୍ୟାଗ୍‌, ମହମବୋଳା କାଗଜ, ଟିସୁ ପେପର, ନାପ୍‌କିନ୍‌, ପ୍ଲାଇଉଡ୍‌ ପ୍ୟାନେଲ୍‌ ଓ ସିନ୍ଥେଟିକ୍‌ ଜନିଷରୁ ସାଧାରଣତଃ ଆସିଥାଏ। କୁଣ୍ଡରେ ଏହି ଉଦ୍ଭିଦକୁ ସୂର୍ଯ୍ୟକିରଣ ସିଧାସଳଖ ପାଉ ନ ଥିବା ସ୍ଥାନରେ ରଖାଯାଇପାରେ। ଏହାକୁ ମଝିରେ ମଝିରେ ହାଲୁକା ପାଣି ଦିଆଯାଏ।

ଘି କୁଅଁାରି(ଆଲୋଏଭେରା): ଏହାର ଅନେକ ଔଷଧିୟ ଗୁଣ ରହିଛି। ଜଳାପୋଡ଼ା ହେଉଥିବା ଚର୍ମ(ପୋଡ଼ା, ସୂର୍ଯ୍ୟକିରଣଜନିତ ଜଳା, କଷ୍ଟ, ସୋରିଆସିସ୍‌ ଚର୍ମ ରୋଗ, ଘା’ ଆଦି) ଏବଂ ଅମ୍ଳବେଦନା ଉପଚାରରେ ଲାଗିଥାଏ। ଘରର ବାୟୁକୁ ଶୁଦ୍ଧ ରଖିଥାଏ। ମୁହଁରେ ଔଷଧିୟ ମଲମ ରୂପେ ବ୍ୟବହାର ଦ୍ୱାରା ଜାଜୁଲ୍ୟ ଆସିଥାଏ ଓ ବ୍ରଣ ଆଦି ହୋଇ ନ ଥାଏ। ସୂର୍ଯ୍ୟକିରଣ ପଡ଼ୁଥିବା ସ୍ଥାନରେ ରଖିଲେ ଭଲ ଓ ଅଳ୍ପ ପାଣି ଦରକାର କରିଥାଏ।

ଲାଭେଣ୍ଡର: ଏହାର ଫୁଲ ବେଶ୍‌ ସୁନ୍ଦର ଓ ସୁଗନ୍ଧଯୁକ୍ତ। ଅବସାଦରେ ମାନସିକ ଶାନ୍ତି ପ୍ରଦାନକାରୀ, ସ୍ପା’ ଉତ୍ପାଦ(ଯଥା- ବାଥ୍‌ ସଲ୍ଟସ୍‌, ସ୍କିନ୍‌ କେୟାର କ୍ରିମ୍‌, ସାବୁନ୍‌) ଓ ମହମବତିରେ ବ୍ୟବହାର ହୋଇଥାଏ। ଘରର ଯେକୌଣସି ସ୍ଥାନରେ ରଖାଯାଇପାରେ। ବିଶେଷକରି ଶୋଇବା ଘରେ, ଯାହା ଭଲ ନିଦ୍ରାରେ ସହାୟକ ହୋଇଥାଏ। ଅସୁସ୍ଥ, ବିଚଳିତ, ଉଦ୍‌ବିଗ୍ନ, ଗଭୀର ବିଷାଦ ଓ ନିଦ୍ରାହୀନତା କ୍ଷେତ୍ରରେ ବେଶ୍‌ ଲାଭପ୍ରଦ ହୋଇଥାଏ। ଗଛ ଉପରେ ସୂର୍ଯ୍ୟକିରଣ ପଡ଼ିଲେ ଭଲ ଓ ଅଳ୍ପ ଓଦାଳିଆ ରହିଲେ ଏହା ଭଲ ବଢ଼ିଥାଏ।

ଇଂଲିଶ ଆଇଭି- ଆଲର୍ଜି ବୃଦ୍ଧିକାରୀ ବାୟୁଜନିତ ଫିମ୍ପି ଅପସାରଣରେ ଏହା ଭଲ କାର୍ଯ୍ୟ କରିଥାଏ। ବିଶେଷକରି ଯେଉଁମାନେ ରାତ୍ରିରେ ଶ୍ୱାସଜନିତ ଅସୁବିଧା କିମ୍ବା ଆଜମାରେ ଆକ୍ରାନ୍ତ/ ସଂକ୍ରମିତ ହୋଇଥାନ୍ତି, ସେମାନଙ୍କ ପାଇଁ ଏହା ବହୁତ ଉପକାରୀ ଉଦ୍ଭିଦ। କିନ୍ତୁ ଏହାର ରସ ବିଷାକ୍ତ ହୋଇଥିବାରୁ ପିଲାମାନଙ୍କଠାରୁ ଓ ଗୃହପାଳିତ ପ୍ରାଣୀ/ପକ୍ଷୀମାନଙ୍କଠାରୁ ଦୂରରେ ରଖିବା ଭଲ। ଏହାକୁ ସୂର୍ଯ୍ୟକିରଣ ଦରକାର ନାହିଁ।

ସ୍ନେକ ପ୍ଲାଣ୍ଟ-ଏହାର ପତ୍ରକୁ ମା’ର ଜିଭ ମଧ୍ୟ କୁହାଯାଏ। ଘରେ ବିଶୁଦ୍ଧ ବାୟୁ ସେବନ ନିମନ୍ତେ ଉଦ୍ଭିଦ ମଧ୍ୟରେ ଏହା ଖୁବ୍‌ ଲୋକପ୍ରିୟ। ଏହା ବାୟୁରୁ ବିଭିନ୍ନ ପ୍ରକାର ଦୂଷିତ ପଦାର୍ଥ(ଯଥା: ଟ୍ରାଇକ୍ଲୋରୋଇଥିଲିନ, ଫର୍ମାଲ ଡିହାଇଡ, ଟଲୁଇନ, ବେନ୍‌ଜିନ୍‌, ଜାଇଲିନ) ଅପସାରଣ ସହିତ ଅଧିକ ପରିମାଣର ଅମ୍ଳଜାନ ନିର୍ଗତ କରିଥାଏ। ବଡ଼ ଘର ପାଇଁ ୬ରୁ ୮ଟି ଗଛ ରଖିଲେ ଭଲ। ଏହି ଗଛ ସହଜରେ ଓ ପ୍ରାୟ ଶୁଖିଲା ଅବସ୍ଥାରେ ବଢିଥାଏ।

ରୋଜ ମେରୀ: ଏହା ଏକ ଆବଶ୍ୟକୀୟ ତୈଳାଂଶ ଧାରଣ କରିଥାଏ; ଯାହା ସ୍ମରଣ ଶକ୍ତି ଓ ଏକାଗ୍ରତା ବୃଦ୍ଧିରେ ସହାୟକ ହୋଇଥାଏ। ଯେ କୌଣସି ସ୍ଥାନରେ ଏହାକୁ ରଖାଯାଇ କମ ପାଣି ଦେବା ସହ ଫୁଲ ଫୁଟିବା ପରେ କାଟଛାଣ୍ଟ କରାଯାଏ।

ପିସ୍‌ ଲିଲି- ଏଥିରୁ ସୁନ୍ଦର ଧଳା ଫୁଲ ଆସିଥାଏ। ଏହି ଗଛର ଉପସ୍ଥିତି ଦ୍ୱାରା ଯଥେଷ୍ଟ ମାତ୍ରାର ଆମୋନିଆ, ବେନ୍‌ଜିନ୍‌, ଜାଇଲିନ, ଫର୍ମାଲ ଡିହାଇଡ ଓ ଟ୍ରାଇକ୍ଲୋରୋଇଥିଲିନ ଗ୍ୟାସ ଘରର ବାୟୁରୁ ଅପସରିତ ହୋଇଥାଏ। ଏହି ଗଛକୁ ଡାଇନିଙ୍ଗ ଟେବୁଲ, ପାର୍ଶ୍ୱବର୍ତ୍ତୀ ଟେବୁଲ କିମ୍ବା ପ୍ରବେଶ ଦ୍ୱାରରେ ଥିବା ଟେବୁଲ ଉପରେ ଛାୟା ସ୍ଥାନରେ ରଖାଯାଇପାରେ। ବାୟୁକୁ ବିଶୁଦ୍ଧ କରିବାରେ ଏହା ସବୁଠୁ ଦକ୍ଷ ଉଦ୍ଭିଦ।

ବୋଷ୍ଟନ ଫର୍ଣ୍ଣ: ଘରର ବାୟୁରୁ ବିଷାକ୍ତ ଗ୍ୟାସ ଯଥା ଫର୍ମାଲ ଡିହାଇଡ, ଜାଇଲିନ ଏବଂ ଅନାବଶ୍ୟକ ଧୂମାୟିତ ପଦାର୍ଥକୁ ଅପସାରଣ କରି ପ୍ରାକୃତିକ ଉପାୟରେ ଘରର ଆବଶ୍ୟକୀୟ ଆର୍ଦ୍ରତା ବଜାୟ ରଖିବାରେ ବିଶେଷ ସହାୟକକାରୀ ଗଛ। ଶୀତତାପ ନିୟନ୍ତ୍ରିତ କୋଠରିରେ ଏହାକୁ ରଖିବା ଦ୍ୱାରା ଚର୍ମ ଶୁଷ୍କ ହେବା ଜଣାପଡ଼ି ନ ଥାଏ। ଘର ଥଣ୍ଡା ରହି ଆପେକ୍ଷିକ ଆର୍ଦ୍ରତା ୫୦-୮୦ ପ୍ରତିଶତ ରହିଥାଏ।

ମନି ପ୍ଲାଣ୍ଟ- ଏହା ଘରର ବାୟୁରୁ ଦୂଷିତ ଗ୍ୟାସକୁ ଅପସାରିତ କରି ସୁସ୍ଥତା ଆଣିବାରେ ସହାୟକକାରୀ ଉଦ୍ଭିଦ ଓ ବୋତଲର ପରିଷ୍କାର ଜଳରେ ରଖିଲେ ଏହା ଭଲରେ ବଢ଼ି କାନ୍ଥ/ଝରକା କନ୍ଦି/ଗ୍ରିଲରେ ମାଡ଼ି ସବୁଜିମା ଭରିଥାଏ।

କାକ୍ଟସ ପ୍ଲାଣ୍ଟ- ଏହି ଗଛ ଏକ ପ୍ରାକୃତିକ ଜୀବାଣୁନାଶକ ଏବଂ ଘରେ ଥିଲେ ବିଶୁଦ୍ଧ ବାୟୁସେବନରେ ସହାୟକକାରୀ। ସହଜରେ ଖୁବ୍‌ କମ ପାଣିରେ ରଙ୍ଗିନ ଖଣ୍ଡ ପଥର, ଗୋଡ଼ି ଦେଇ ପଟ୍‌ରେ ରଖିଲେ ସୁନ୍ଦର ଦିଶେ।

ଏରିକା ପାମ୍‌ : ଏହି ଗଛ ବାୟୁରେ ଥିବା ଫରମେଲିଡ୍‌ହାଇଡ୍‌(ରୋଗାନୁଶକ ବାଷ୍ପ) ଓ କାରବନ୍‌ ଡାଇଅକ୍‌ସାଇଡ୍‌ ଭଳି ବିଷାକ୍ତ ଗ୍ୟାସ୍‌କୁ ଛାଣି ଆମକୁ ଶୁଦ୍ଧ ବାୟୁ ପ୍ରଦାନ କରିଥାଏ । ଏହାଛଡା ଏହି ଗଛ ଜେଲିନ୍‌ ବିଷାକ୍ତ ଗ୍ୟାସ୍‌କୁ ମଧ୍ୟ ଶୋଷଣ କରି ବିଶୁଦ୍ଧ ବାୟୁରେ ପରିଣତ କରେ ଓ ଚତୁଃପାର୍ଶ୍ୱରେ ଆର୍ଦ୍ରତା ସୃଷ୍ଟି କରିଥାଏ । ଏହି ଗଛ ଦେଖିବାକୁ ମଧ୍ୟ ବହୁତ ଆକର୍ଷଣୀୟ ହୋଇଥାଏ ।
ଏହାର ବେଶି ଯତ୍ନ ନେବାକୁ ପଡେ ନାହିଁ । ଏହାକୁ ସିଧା ଖରା ପଡୁଥିବା ସ୍ଥାନରେ ନ ରଖି ଛାଇ ବା ଅଳ୍ପ ଖରା ପଡୁଥିବା ସ୍ଥାନରେ ରଖିବା ଉଚିତ । ନଚେତ୍‌ ଏହାର ପତ୍ରଗୁଡିକ ଧୀରେ ଧୀରେ ହଳଦିଆ ପଡିଯାଇଥାଏ । ଏହି ଗଛର ମୂଳରେ ଛୋଟ ଛୋଟ ପୁଆ ବାହାରି ଥାଏ; ଯାହାକୁ କାଢି ଅନ୍ୟ କୁଣ୍ଡରେ ଲଗେଇ ହେବ ।

ସ୍ପାଇଡର ପ୍ଲାଣ୍ଟ : ଏହି ଗଛ ଦେଖିବାକୁ ବହୁତ ସୁନ୍ଦର ଲାଗେ ଓ ଏହାକୁ ଘରେ ସଜାଇଲେ ମଧ୍ୟ ଏହା ଘରର ଲୁକ୍‌ ବଦଳାଇ ଦେଇଥାଏ । ଏହି ଗଛ ଫରମେଲିଡ୍‌ହାଇଡ୍‌ ଓ କାରବନ୍‌ ମନୋକ୍‌ସାଇଡ୍‌ ଭଳି ବିଷାକ୍ତ ଗ୍ୟାସ୍‌କୁ ଶୋଷଣ କରି ଶୁଦ୍ଧ ବାୟୁରେ ପରିଣତ କରେ । ଏହି ଗଛର ମଧ୍ୟ ପୁଆ ବାହାରି ଥାଏ; ଯାହାକୁ କାଟି ଅନ୍ୟ କୁଣ୍ଡ ଗୁଡ଼ିକରେ ଲଗେଇ ହେବ । ଏହି ଗଛର ଅଧିକ ଯତ୍ନ ନେବାକୁ ପଡିଥାଏ ।

ଚାଇନା ପ୍ଲାଣ୍ଟ : ଏହି ଗଛ ଦେଖିବାକୁ ବହୁତ ସୁନ୍ଦର ଓ ଏହାର ପତ୍ରଗୁଡିକ ବହୁତ ବଡ ବଡ ହୋଇଥାଏ । ଏହି ଗଛ ପାଇଁ ଅଧିକ ଯତ୍ନ ଆବଶ୍ୟକ ନ ଥାଏ । ଏହା ମଧ୍ୟ ଦୂଷିତ ବାୟୁକୁ ବିଶୁଦ୍ଧ କରିଥାଏ । ଏହା ଯେକୌଣସି ସ୍ଥାନରେ ରଖିଲେ ବଢିଥାଏ ।

ଡେଫେନ୍‌ବେଚିଆ ପ୍ଲାଣ୍ଟ : ଏହି ପ୍ଲାଣ୍ଟ ଦେଖିବାକୁ ବଡ ବଡ ପତ୍ର ଯୁକ୍ତ; ଯାହା ସବୁଜ ଓ ହଳଦିଆ ମିଶ୍ରଣ ରଙ୍ଗର ହୋଇଥାଏ । ଏହି ଗଛକୁ ଡେକୋରେଶନ୍‌ରେ ବ୍ୟବହାର କଲେ ଏହା ବହୁତ ସୁନ୍ଦର ଲାଗିଥାଏ । ଏହାଛଡା ଏହା ବାୟୁରେ ଥିବା ଟକ୍ସିନ୍‌ ଶୋଷଣ କରି ଶୁଦ୍ଧ ବାୟୁ ପ୍ରଦାନ କରିଥାଏ । ଏହା ମଧ୍ୟ ବେଶି ଯତ୍ନ ଆବଶ୍ୟକ କରେ ନାହିଁ ।

ଗଛ ଯାହାଙ୍କ ଜୀବନ:ଅନେକେ ଗଛକୁ ଭଲ ପାଆନ୍ତି ତାକୁ ପରିବାରର ସଦସ୍ୟ ବୋଲି ଭାବନ୍ତି। ଗଛ ତାଙ୍କ ପାଇଁ ଜୀବନ।

ଗଛ ମୋ କଥା ଶୁଣନ୍ତି, ବୁଝନ୍ତି : କାମଦେବ ମହାରଣା ଛୋଟବେଳୁ ତାଙ୍କର ଗଛପ୍ରତି ଦୁର୍ବଳତା। ପଢା ଟେବୁଲ ଉପରେ କି ସାମ୍‌ନା ଝରକାରେ ନିହାତି ମନିପ୍ଲାଣ୍ଟଟେ ଥିବ; ଯେଉଁଠି କି ଯେତେବେଳେ ସମୟ ପାଇଲେ କେମିତି ଗଛଟିଏ ଲଗାଇବି, ଇଏ ହେଲେ କାମଦେବ ମହାରଣା। ପୁରୀଜିଲା, ଅସ୍ତରଙ୍ଗର ବଡ଼ଗୋଲା ଗାଁ। ସେ କୁହନ୍ତି – ଛୋଟବେଳେ ଆମଘରେ ଗଛଟିଏ ଲାଗିବାରଥିଲେ ବୋଉ ଡାକପକାଏ ମତେ । ମୁଁ ଗଛ ଲଗାଇଲେ କୁଆଡ଼େ ଗଛ ଭଲହୁଏ। ସେଥିରେ ବି ମୋର ଭାରି ଆନନ୍ଦ । ଚାକିରି ପାଇବାପରେ ଯେବେ ପୁରୀ ଆସିଲି ଭଡ଼ାଘର ଛାତ ଉପରେ ଓ ଘର ଭିତରେ ଗଛ ଲଗାଇବା ଆରମ୍ଭ କଲି। ମୁଁ ଯେବେ ବି ଯାହାଘରକୁ ଯାଏ ତାଙ୍କ ବଗିଚା ଦେଖିଲେ ଭାରି ଖୁସୀଲାଗେ। ଯାହାହେଲେ ବି ମାଗିକି ଡାଳ ହେଉ ବା ଚାରାଟିଏ ଆଣିଥାଏ। ଏବେ ମୁଁ ଘର ଭିତରେ ଡ୍ରାଗନ ପ୍ଲାଣ୍ଟ, ମନିପ୍ଲାଣ୍ଟ, ସ୍ପାଇଡ଼ର ପ୍ଲାଣ୍ଟ, ଫନ୍‌ ପେଟଲ, ପ୍ରୋଟନ ଆଦି ଅନେକ ପ୍ରକାରର ଗଛ ଲଗାଇଛି। ମୁଁ ରେଳବାଇରେ ଚାକିରି କରେ। ଚାକିରି ଭିତରେ ମୁଁ ଯେଉଁଠିକୁ ଯାଇଛି ସେଠାରେ ବି ଗଛ ଲଗାଇଛି। ଏବେ ବୀରହରେକୃଷ୍ଣପୁର ଲେଭଲକ୍ରସିଂରେ ପ୍ଲାଷ୍ଟିକ ବୋତଲରେ ବିଭିନ୍ନ ପ୍ରକାରର ଗଛ ଲଗାଇଛି; ଯେଉଥିପାଇଁ ୬୫ତମ ଭାରତୀୟ ରେଳବାଇ ଦିବସ ଅବସରରେ ଲେଭଲ କ୍ରସିଂ ସୌନ୍ଦର୍ଯ୍ୟକରଣ ପାଇଁ ଜୋନାଲ ସ୍ତରୀୟ ଶ୍ରେଷ୍ଠ ସମ୍ମାନ ମିଳିଛି। ଘର ହେଉ କି ଅଫିସ ମୋର ପୂରାଦିନ ଗଛଗୁଡ଼ିକ ସହିତ କଟେ । ଗଛର ଯତ୍ନନେବାକୁ ମୁଁ କେବେ କାମ ବୋଲି ଭାବେନି। ଗଛକୁ ଭଲ ପାଇବା ହିଁ ସବୁଠୁ ଭଲ। ଏବେପଯର୍‌ୟନ୍ତ ଯେତେସବୁ ଗଛ ଲଗାଇଛି ସେଥିରେ କେବେ ସାର ଦେଇନି। ଅଥଚ ଲଗାଇଥିବା ଗଛ ଖୁବ ଭଲରେ ବଢିଥାଏ। ମୋ ଘରେ ଯେତେଗଛ ଅଛି ସେସବୁକୁ ମୁଁ ଚିହେଁ । ଯେଉଁଠିଥିଲେ ବି ମୁଁ ଜାଣିପାରେ ତା’ର ଅବସ୍ଥା କିପରି ରହିଛି। ମତେଲାଗେ ଗଛ ମୋ କଥା ଶୁଣନ୍ତି ଆଉ ମୋକଥା ବୁଝନ୍ତି। ସାର ନୁହେଁ ଭଲ ପାଇବା ଆଉ ସ୍ପର୍ଶରେ ହିଁ ବଢନ୍ତି। ମୋ ପାଇଁ ଶାନ୍ତିରେ ରହିବା ସୁସ୍ଥରେ ରହିବାର ଶ୍ରେୟ ମୋ ଗଛ।

ଚାପ କମାଏ, ଚିନ୍ତା ଦୂର କରେ : ଶର୍ମିଷ୍ଠା ସାହୁ
ଏମ୍‌.ସି.ଏଲ୍‌. ହିଙ୍ଗୁଳା ଏରିଆ ତାଳଚେରରେ ରୁହନ୍ତି ଶର୍ମିଷ୍ଠା ସାହୁ। ଖୁବ୍‌ ଛୋଟ ବେଳୁ ତାଙ୍କର ଗଛ ଲଗାଇବାର ରୁଚି ରହିଛି। ଯେତେବେଳେ ଛୋଟ ଥିଲେ ପାଖ ପଡିଶା ଘରୁ ଗଛ ଆଣି ଲଗାଉଥିଲେ। ସେତେବେଳେ ତାଙ୍କୁ ଜଣା ନ ଥିଲା ନର୍ସରିରେ ଗଛ ମିଳେ ବୋଲି। ପାଖରେ ପଇସା ଥିଲେ ଯାଇ କୁଣ୍ଡ କିଣି ଆଣନ୍ତି। ବାହାଘର ପରେ ସ୍ବାମୀଙ୍କ ଚାକିରି ପାଇଁ ବିଭିନ୍ନ ଜାଗାରେ ରହିଛନ୍ତି। ତେବେ ଯୁଆଡେ ବି ଯାଆନ୍ତି ବହୁତ ଗଛ ଲଗାନ୍ତି। ପ୍ରାୟ ୨୦ ବର୍ଷ ହେବ ସେ ଘର ଭିତରେ ଗଛ ଲଗାଇ ଆସୁଛନ୍ତି। କ୍ୱାର୍ଟର ଘର ଯୋଗୁ ଘର ଛାଡିବାବେଳେ ସବୁ ଗଛ ଆଣି ହୁଏନି। ପୁଣି ନୂଆ ଗଛ ଲାଗେ। ଏହି ଘରେ ପ୍ରାୟ ୧୦ ପ୍ରକାର ମନିପ୍ଲାଣ୍ଟ, ସକୁଲାଣ୍ଟ ପ୍ଲାଣ୍ଟ ଆଦି ଅନେକ ପ୍ରକାର ଇନ୍‌ଡୋର ପ୍ଲାଣ୍ଟ ଅଛି। ଛାତ ଉପରେ ଓ ବାହାରେ ବି ବହୁତ ଗଛ ଅଛି। ଘର ପଛପାଖ ପାଚେରି ପାଖ ଖୁବ୍‌ ଅସନା ହୋଇ ପଡିଥିଲା। ତାକୁ ସଫା କରି କିଚେନ୍‌ ଗାର୍ଡେନ ବି କରିଛନ୍ତି। ଗଛ ପାଇଁ ତାଙ୍କୁ ସକାଳ ସନ୍ଧ୍ୟାରେ ମିଶି ୧-୨ ଘଣ୍ଟା ସମୟ ଦିଅନ୍ତି। ଇନ୍‌ଡୋର ପ୍ଲାଣ୍ଟ ପାଇଁ ବେଶି କିଛି କରିବାକୁ ପଡେ ନାହିଁ। କିଛି ଗଛ ପାଣିରେ ରହେ। କିଛି ମାଟିରେ ପୁଣି ସକୁଲାଣ୍ଟ ପ୍ଲାଣ୍ଟରେ ତ ମାସରେ ଥରେ ପାଣି ଦରକାର। ମଝିରେ ମଝିରେ ପତ୍ରକୁ ଧୋଇ ସଫା କରିବାକୁ ହୁଏ। ଶର୍ମିଷ୍ଠା କୁହନ୍ତି, ଗଛ ପାଇଁ ପରିଶ୍ରମ ଯାହା ବି ପଡୁ ବାଧେନି। କାରଣ ଗଛ ତାଙ୍କ ପାଇଁ ଷ୍ଟ୍ରେସ୍‌ ବୁଷ୍ଟର। ଘରେ ଗଛ ରହିଲେ ଘର ସୁନ୍ଦର ତ ଦେଖାଯାଏ ଅକ୍ସିଜେନ୍‌ ବି ମିଳେ।

ସତରେ, ଗଛ ହିଁ ଜୀବନ-ଏକଥା ଏବେ ଅନେକେ ଅନୁଭବ କଲେଣି। ଆଉ ଏ ଉପରେ ସତରେ ଯଦି ସମସ୍ତେ ଦୃଷ୍ଟି ଦେବେ, ତା’ହେଲେ ଆମ ପରିବେଶ ବଦଳିବା ସହିତ ଆମେ ବି ସୁସ୍ଥ ଭାବରେ ବଞ୍ଚତ୍ ପାରିବା।

-ରୋଜାଲିନ୍‌ ମହାନ୍ତି

 


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri