ବରଗଡ଼,୨୦।୭(ପ୍ରେମାନନ୍ଦ ଖମାରୀ): ପୁରୀ ଧାମରୁ ଭଟଲି ଦଧିବାମନ ଧାମକୁ ରବିବାର ତିନି ରଥର ଚକ ପହଞ୍ଚିଛି । ଶ୍ରୀକ୍ଷେତ୍ର ପୁରୀର ଏହି ତିନି ରଥର ଚକକୁ ଭବ୍ୟ ସ୍ଵାଗତ କରାଯାଇଥିଲା । ଶ୍ରୀକ୍ଷେତ୍ର ପୁରୀର ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ପବିତ୍ର ରଥର ତିନୋଟି ରଥଚକକୁ ଭଟଲି ଅଣା ଯାଇଥିଲା । ଏହି ଅବସରରେ ଗୋପାଳପୁର ଛକରେ ପବିତ୍ର ରଥଚକକୁ ଭବ୍ୟ ସ୍ବାଗତ କରିବା ସହ ଏକ ବିରାଟ ଶୋଭାଯାତ୍ରାରେ ମାଉସୀ ମା’ ମନ୍ଦିର ପରିସରରକୁ ଅଣାଯାଇ ଅସ୍ଥାୟୀ ଭାବେ ସ୍ଥାପନ କରାଯାଇଥିଲା।
ଏହି ପବିତ୍ର ତାଳଧ୍ବଜ, ଦର୍ପଦଳନ ଏବଂ ନନ୍ଦିଘୋଷ ରଥଚକ ଶ୍ରୀ ଦଧିବାମନ ଧାମର ଆଧ୍ୟାତ୍ମିକ ମହିମାକୁ ଆହୁରି ସମୃଦ୍ଧ କରିବା ସହ ଭକ୍ତମାନଙ୍କ ପାଇଁ ଦର୍ଶନ ଓ ଆର୍ଶୀବାଦ ଏକ ବିରଳ ସୁଯୋଗ ସୃଷ୍ଟି କରିବ ବୋଲି ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ ପ୍ରକାଶ କରିଥିଲେ । ପବିତ୍ର ରଥଚକଗୁଡିକ ଦିନ ପ୍ରାୟ ୧ଟାରେ ଗୋପାଳପୁର ଛକରେ ପହଞ୍ଚିଥିଲା । ସେଠାରୁ ବୈଦିକ ମନ୍ତ୍ରୋଚ୍ଚାରଣ, ଶଙ୍ଖଧ୍ୱନି, ଘଣ୍ଟ, ମୃଦଙ୍ଗ, ହରିନାମ ସଂକୀର୍ତ୍ତନ, ପଞ୍ଚବାଦ୍ୟ ଓ ଭକ୍ତମାନଙ୍କ ଜୟ ଧ୍ୱନି ମଧ୍ୟରେ ଏକ ବିଶାଳ ଶୋଭାଯାତ୍ରା ବାହାରି ମାଉସୀ ମା’ ମନ୍ଦିରରେ ପହଞ୍ଚିଥିଲା ।
ଏହି ଅବସରରେ ବିଧାୟକ ଆଚାର୍ଯ୍ୟ, ସମସ୍ତ ଭକ୍ତବୃନ୍ଦ, ସାଧୁସନ୍ଥ, ସେବାୟତ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ, ଯୁବବର୍ଗ, ମହିଳା ସଂଗଠନ ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଏହି ଐତିହାସିକ ମୁହୂର୍ତ୍ତରେ ସମସ୍ତେ ସାମିଲ ହୋଇ ମହାପ୍ରଭୁଙ୍କ ଦିବ୍ୟ କୃପା ଲାଭ କରିଥିଲେ । ଏହା ଶ୍ରୀ ଦଧିବାମନ ଧାମର ଗୌରବକୁ ଆହୁରି ଉଜ୍ଜ୍ୱଳ କରିଛି ବୋଲି ଭକ୍ତମାନେ କହିଥିଲେ। ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବିଜେପୁର ବିଧାୟକ ସନତ ଗଡତିଆ ପ୍ରମୁଖ ମହାପ୍ରଭୁଙ୍କ ଦିବ୍ୟ ତିନି ରଥ ଚକକୁ ଦର୍ଶନ କରିଥିଲେ । ବରଗଡ଼ ଏସଡିପିଓ ପଦାରବିନ୍ଦ ତ୍ରିପାଠୀ, ଭଟଲି ଥାନା ଅଧିକାରୀ ବିଭୂତି ଭୂଷଣ ଦଲେଇଙ୍କ ତତ୍ତ୍ୱାବଧାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଅତିରିକ୍ତ ତହସିଲଦାର ଭୂପେଶ ପାଢ଼ୀ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିଲେ ।

