Categories: ଖେଳ

ଅପେକ୍ଷାର ଅନ୍ତ: ସ୍ପୋର୍ଟସ ଆଙ୍କରଙ୍କ ହାତ ଧରିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୫।୩: ଭାରତୀୟ କ୍ରିକେଟ ଦଳର ଦ୍ରୁତତମ ବୋଲର ଯଶପ୍ରୀତ‌ ବୁମ୍‌ରା ସୋମବାର ଗୋଆରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ସ୍ପୋର୍ଟସ ଆଙ୍କର ସଞ୍ଜନା ଗଣେଶନଙ୍କ ହାତ ଧରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଅଫିସିଆଲ ଟୁଇଟର ଆକାଉଣ୍ଟରେ ଦୁହିଁଙ୍କ ବିବାହର ଫଟୋ ଶେୟାର କରାଯାଇଛି। ଇଂଲଣ୍ଡ ବିପକ୍ଷରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜରେ ବୁମ୍‌ରା ଭାଗ ନେଇନାହାନ୍ତି। କାରଣ ବିବାହ ପାଇଁ ସେ କ୍ରିକେଟରୁ ବିରତି ନେଇଥିଲେ।

ସଞ୍ଜନାଙ୍କ ବିଷୟରେ କହିବାକୁ ଗଲେ ସେ ଜଣେ ସ୍ପୋର୍ଟସ ଆଙ୍କର ଏବଂ ମଡେଲ ମଧ୍ୟ। ସଞ୍ଜନା ଏବଂ ବୁମ୍‌ରା କିଛିଦିନ ଡେଟିଂ କରିବା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ବୁମ୍‌ରା ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ବିବାହର ଫଟୋ ଶେୟାର କରିଛନ୍ତି।

ସଞ୍ଜନା ଶାହରୁଖ ଖାନଙ୍କ ଜଣେ ପ୍ରଶଂସକ ଏବଂ କେକେଆର ଦଳର ଏକ ଶୋ’ ଆୟୋଜନ କରିବା ବ୍ୟତୀତ ଆଇପିଏଲ ଫ୍ରାଞ୍ଚାଇଜ ଦଳ କୋଲକାତା ନାଇଟ ରାଇଡର୍ସ (କେକେଆର୍‌)କୁ ଚିୟର  କରିଥାନ୍ତି। କ୍ରୀଡ଼ା ପ୍ରତି ସଞ୍ଜନାଙ୍କର ବହୁତ ଆଗ୍ରହ ସହିତ ଷ୍ଟାର ସ୍ପୋର୍ଟସର ଜଣାଶୁଣା ଚେହେରା। ସଞ୍ଜନା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ। ଇନଷ୍ଟାଗ୍ରାମରେ ସଞ୍ଜନାଙ୍କର ୨ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି।

Share