ଲାଞ୍ଜିଗଡ଼,୧୩ା୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ କର୍ଣ୍ଣମୁଣ୍ଡା ଗ୍ରାମର ବୁଦ୍ରି ମାଝୀ ଦୃଢ଼ ଇଚ୍ଛାଶକ୍ତି, ନିଷ୍ଠା ଓ ଅକ୍ଳାନ୍ତ ପରିଶ୍ରମ ବଳରେ ଜଣେ ସାଧାରଣ ଆଦିବାସୀ ଚାଷୀରୁ ରାଜ୍ୟସ୍ତରରେ ପରିଚିତ ପ୍ରଗତିଶୀଳ ଚାଷୀ ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ମାଣ୍ଡିଆ ଚାଷ, ପାରମ୍ପରିକ ବିହନ ସଂରକ୍ଷଣ ଓ କ୍ଷୁଦ୍ରଶସ୍ୟ ଉତ୍ପାଦନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ପଞ୍ଚମ ମାଣ୍ଡିଆ ଦିବସ ଅବସରରେ ଭୁବନେଶ୍ୱରଠାରେ ତାଙ୍କୁ ରାଜ୍ୟସ୍ତରୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି। ଭୁବନେଶ୍ୱର ଠାରେ ଅନୁଷ୍ଠିତ ପଞ୍ଚମ ମାଣ୍ଡିଆ ଦିବସ ସମାରୋହରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଜାଦବ ବୁଦ୍ରିଙ୍କୁ ପାରମ୍ପରିକ ବିହନ ସଂରକ୍ଷଣ, ମାଣ୍ଡିଆ ଚାଷ, କ୍ଷୁଦ୍ର ଶସ୍ୟ ଉତ୍ପାଦନ, ବଜାର ସଂଯୋଗ ଓ ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ କରିଥିଲେ। ୨୦୧୭-୧୮ରେ ଓଡ଼ିଶା ମିଲେଟ୍ ମିଶନର ହସ୍ତକ୍ଷେପ ପରେ ମାଝୀ ମାଣ୍ଡିଆ ଚାଷକୁ ଏକ ନୂତନ ଦୃଷ୍ଟିକୋଣରେ ଆପଣାଇଥିଲେ। ପରବର୍ତ୍ତୀ ସମୟରେ ଶ୍ରୀଅନ୍ନ ଅଭିଯାନ ଅଧୀନରେ କୃଷି ବିଭାଗ ଓ ସ୍ବେଚ୍ଛାସେବୀ ସଂଗଠନ ଜନସାହାଯ୍ୟର ବୈଷୟିକ ପରାମର୍ଶ, ପ୍ରଶିକ୍ଷଣ ଓ ନିୟମିତ କ୍ଷେତ୍ରସ୍ତରୀୟ ମାର୍ଗଦର୍ଶନ ତାଙ୍କୁ ଆଗକୁ ବଢ଼ିବାରେ ସହାୟକ ହୋଇଥିଲା। ପାରମ୍ପରିକ ଚାଷ ପଦ୍ଧତିରୁ ଆଗକୁ ବଢ଼ି ସେ ଧାଡ଼ି ରୁଆ, ଧାଡ଼ି ବୁଣା ଓ ସଘନ ପଦ୍ଧତିରେ ମାଣ୍ଡିଆ ଚାଷ କରି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।
୨୦୨୩-୨୪ରେ ୨.୮୦ ହେକ୍ଟର ଜମିରେ ଉନ୍ନତ ପଦ୍ଧତିରେ କ୍ଷୁଦ୍ରଶସ୍ୟ ଚାଷ କରୁଥିବାବେଳେ, ୨୦୨୫-୨୬ରେ ଏହାର ପରିମାଣ ବୃଦ୍ଧି କରି ୪.୨୦ ହେକ୍ଟରରେ ପହଞ୍ଚାଇଛନ୍ତି। ସେହିପରି ହେକ୍ଟର ପ୍ରତି ମାଣ୍ଡିଆ ଉତ୍ପାଦନ ୧୬.୪୦ କ୍ୱିଣ୍ଟାଲରୁ ବୃଦ୍ଧି ପାଇ ୧୮.୬୦ କ୍ୱିଣ୍ଟାଲରେ ପହଞ୍ଚିଛି। ଜୈବିକ ସାର ଓ ନିଜସୱ ଉଦ୍ୟମରେ ପ୍ରସ୍ତୁତ ଜୈବ ଉପାଦାନ ବ୍ୟବହାର କରି ସେ ପରିବେଶ ଅନୁକୂଳ କୃଷିକୁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ଏଥିସହ ମାଣ୍ଡିଆ ବିହନ ଉତ୍ପାଦନ କାର୍ଯ୍ୟକ୍ରମରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଗୁଣାତ୍ମକ ବିହନ ଉତ୍ପାଦନ ଓ ଯୋଗାଣରେ ଅବଦାନ ରଖିଛନ୍ତି। କେବଳ ଉତ୍ପାଦନ ବୃଦ୍ଧି ନୁହେଁ, ପାରମ୍ପରିକ ବିହନ ସଂରକ୍ଷଣ, ବଜାର ସଂଯୋଗ ଓ ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତି କ୍ଷେତ୍ରରେ ମଧ୍ୟ ମାଝୀ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଏହାଦ୍ୱାରା ତାଙ୍କ ପରିବାରର ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ଼ ହୋଇପାରିଛି। ତାଙ୍କର ଏହି ସଫଳତା ପଛରେ ଶ୍ରୀଅନ୍ନ ଅଭିଯାନ ସହ ଜନସାହାଯ୍ୟ ସଂସ୍ଥାର ନିରନ୍ତର ସହଯୋଗ ଓ କ୍ଷେତ୍ରସ୍ତରୀୟ ପ୍ରୟାସର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ବୁଦ୍ରିଙ୍କ ଏହି ସଫଳତା ପାଇଁ କଳାହାଣ୍ଡି ଜିଲାର କୃଷି ବିଭାଗୀୟ ଅଧିକାରୀ, ଓ୍ବାସନର ଜିଲା ପ୍ରକଳ୍ପ ସଂଯୋଜକ, ଜନସାହାଯ୍ୟର ସମ୍ପାଦିକା ଅନ୍ବେସିତା ସାମଲ, ଲାଞ୍ଜିଗଡ଼ ବ୍ଲକ ଶ୍ରୀଅନ୍ନ ଅଭିଯାନର ପ୍ରକଳ୍ପ ସଂଯୋଜକ ପୂର୍ଣ୍ଣେନ୍ଦୁ ପଣ୍ଡା ଓ ଉପପ୍ରକଳ୍ପ ସଂଯୋଜକ ସୁବାସ ନାଏକ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

