ତୃତୀୟ ଲହର ଓ ଟିକାକରଣ

ଡ. ଶିବ ଶଙ୍କର ସାହୁ

 

କରୋନାର ଦ୍ୱିତୀୟ ଲହର ଦେଶରେ ଭୟାନକ ମୃତ୍ୟୁର ତାଣ୍ଡବ ରଚିଚାଲିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦର୍ଶାଯାଇଛି ଯେ ୧୨ ରାଜ୍ୟରେ ଏକ ଲକ୍ଷରୁ ଅଧିକ ସକ୍ରିୟ କାରକ ଅଛି। ମେ ୬ ତାରିଖରେ ସର୍ବାଧିକ ୪.୧୨ ଲକ୍ଷ ନୂଆ ସଂକ୍ରମଣ ସହିତ ୩୯୮୦ ଜଣଙ୍କ ମୃତ୍ୟୁ ଘଟିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମତରେ ସମଗ୍ର ବିଶ୍ୱର ୪୬% ସକ୍ରିୟ କୋଭିଡ କେସ ଓ ଏକ ଚତୁର୍ଥାଂଶ ମୃତ୍ୟୁହାର କେବଳ ଭାରତରେ ପରିଲକ୍ଷିତ ହୋଇଛି। କରୋନାର ଦ୍ୱିତୀୟ ଲହର କିଛିଦିନ ମଧ୍ୟରେ ଶୀର୍ଷକୁ ଛୁଇଁବ ବୋଲି ଆକଳନ ହେଉଥିଲା ବେଳେ ତୃତୀୟ ଲହର ନିକଟ ଭବିଷ୍ୟତରେ ଆଗମନ ନିଶ୍ଚୟ ବୋଲି ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ବୈଜ୍ଞାନିକ ଉପଦେଷ୍ଟା କେ. ବିଜୟ ରାଘବନ କହିଛନ୍ତି, ଯଦିଓ ଭୂତାଣୁର ରୂପ ଦିନକୁ ଦିନ ଶକ୍ତିଶାଳୀ ହୋଇଚାଲିଛି, ଆମ୍ଭମାନଙ୍କୁ ତୃତୀୟ ଲହର ପାଇଁ ଯଥୋଚିତ ପ୍ରସ୍ତୁତ ରହିବା ଅପରିହାର୍ଯ୍ୟ। ସୁପ୍ରିମକୋର୍ଟ ମଧ୍ୟ କେନ୍ଦ୍ର ସରକାରଙ୍କୁ ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ କଡ଼ା ଚେତାବନୀ ଦେଇଛନ୍ତି।
କରୋନାର ଦ୍ୱିତୀୟ ଲହରରେ ଦେଶବ୍ୟାପୀ ସ୍ବାସ୍ଥ୍ୟ ଅବସ୍ଥାର ନଗ୍ନଛବି ଦେଖିବାକୁ ମିଳିଛି। ଅମ୍ଳଜାନର ଉତ୍କଟ ସଙ୍କଟ, ମେଡିକାଲ ଶଯ୍ୟାର ଅଭାବ, ଡାକ୍ତର ଓ ନର୍ସ ତଥା ସ୍ବାସ୍ଥ୍ୟକର୍ମୀଙ୍କର ଅଭାବ, ଆଇ.ସି.ୟୁ. ନ ମିଳିବା ଯୋଗୁ ଜଟିଳ ସମସ୍ୟା ଦେଇ ଦେଶ ଗତି କରୁଛି। ଦେଶରେ ସରକାରୀ ସ୍ବାସ୍ଥ୍ୟସେବା ଏକ ପ୍ରକାର ଦୁଃସ୍ଥ ଓ ଧ୍ୱସ୍ତ କହିଲେ ଅତ୍ୟୁକ୍ତି ହେବ ନାହିଁ।
୨୦୨୦ ମାନବ ବିକାଶ ରିପୋର୍ଟ (ଏଚ. ଡି. ଆଇ.) କହୁଛି ଭାରତର ପ୍ରତି ୧୦ ହଜାର ଜନସଂଖ୍ୟାରେ ମାତ୍ର ୫ଟି ଶଯ୍ୟା ଓ ୮ ଜଣ ଡାକ୍ତର ମହଜୁଦ ଅଛନ୍ତି। ସର୍ଭେ ହୋଇଥିବା ୧୬୭ ଦେଶ ମଧ୍ୟରୁ ଶଯ୍ୟା ଯୋଗାଣରେ ଭାରତର ସ୍ଥାନ ୧୫୫। ନେପାଳ, ଉଗାଣ୍ଡା, ଗୁଏଟମାଳା, ସେନେଗାଲ, ଆଫଗାନିସ୍ତାନ ଓ ବୁରକିନା ଫାସୋ ପରି ୧୨ଟି ଦେଶ ଭାରତ ପଛରେ ଅଛନ୍ତି। ସାଧାରଣ ସମୟରେ ଶଯ୍ୟାର ଘୋର ଅଭାବ ଦେଖାଯାଉଥିବା ବେଳେ ମହାମାରୀ ସମୟରେ ଉତ୍କଟ ରୂପ ନେବାର ଆଶ୍ଚର୍ଯ୍ୟ ହେବାର କିଛି କାରଣ ନାହିଁ। ଉପଯୁକ୍ତ ସରକାରୀ ସ୍ବାସ୍ଥ୍ୟସେବା ସମସ୍ତଙ୍କ ମୌଳିକ ମାନବୀୟ ଅଧିକାର, ସରକାରଙ୍କ ଏହା ମୁଖ୍ୟ ଦାୟିତ୍ୱ ହେବା ଦରକାର ବୋଲି ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟଗୁଡ଼ିକ ଏହିପରି ବାରମ୍ବାର କହିବା ସତ୍ତ୍ୱେ ବି ସରକାରଙ୍କ ଏହା ପ୍ରତି ଭ୍ରୂକ୍ଷେପ ନାହିଁ। ଦ୍ୱିତୀୟ ଲହରରେ ଶ୍ମଶାନରେ ଶବଦାହ ପାଇଁ ଲମ୍ବା ଲାଇନ ଲାଗିଛି। ତୃତୀୟ ଲହରରେ ଏହା ଛୋଟ ସହର ଓ ଗାଁ ଗହଳିକୁ ବ୍ୟାପିବ, ଶିଶୁମାନେ ଅଧିକ ଆକ୍ରାନ୍ତ ହେବେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ ମତ ଦେଇଛନ୍ତି। ଅମ୍ଳଜାନ ଅଭାବରୁ ଶ୍ୱାସରୁଦ୍ଧ ହୋଇ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଉଥିବା ବେଳେ ରାଜନୈତିକ ରାଲି, କୁମ୍ଭମେଳା ଭଳି ଧର୍ମୀୟ ପରମ୍ପରାରେ ଲକ୍ଷାଧିକ ଲୋକଙ୍କ ସମାଗମ ସରକାରଙ୍କ ଦାୟିତ୍ୱହୀନତାକୁ ଦର୍ଶାଇବା ସହ ଏହାକୁ ଗଣତନ୍ତ୍ରରେ ଏକ ଗଣହତ୍ୟା ସହ ତୁଳନା କରାଯାଇପାରେ।
ଅନ୍ତର୍ଜାତୀୟ ସୁପ୍ରସିଦ୍ଧ ନେଚର ପତ୍ରିକା ତଥ୍ୟ ଅନୁଯାୟୀ ୨୯ ଏପ୍ରିଲରେ ଭାରତର ବିଶିଷ୍ଟ ବୈଜ୍ଞାନିକମାନେ କରୋନା ସଂକ୍ରମଣ ରୋକିବା ପାଇଁ ଦେଶ ଅସମର୍ଥ, ମହାମାରୀ ପ୍ରକୃତ ତଥ୍ୟ ପ୍ରଣାଳୀବଦ୍ଧ ଭାବେ ସଂଗୃହୀତ ହେଉ ନ ଥିବା ଓ ସର୍ବସାଧାରଣ ନିମିତ୍ତ ତଥ୍ୟକୁ ଉନ୍ମୋଚନ କରାଯାଉ ନ ଥିବାର କ୍ଷୋଭ ପ୍ରକାଶ କରି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଖୋଲା ଚିଠି ଲେଖିଥିଲେ। ଦ୍ୱିତୀୟ ଲହର ଭୟଙ୍କର ରୂପ ନେବ ବୋଲି ସେମାନେ ଜାନୁୟାରୀ ମାସରୁ ଅବଗତ କରିଥିଲେ ମଧ୍ୟ ସରକାର ବିଭିନ୍ନ ରାଜ୍ୟରେ ନିର୍ବାଚନକୁ ନେଇ ବ୍ୟସ୍ତ ରହିଲେ ଓ ଚେତାବନୀକୁ କର୍ଣ୍ଣପାତ କଲେନି ବୋଲି ଏହି ପତ୍ରିକାରେ ଉଲ୍ଲେଖ ଅଛି।
ଏହିପରି ଏକ ଭଗ୍ନ ସ୍ବାସ୍ଥ୍ୟସେବାରେ କରୋନାର ତୃତୀୟ ଲହରକୁ ମୁକାବିଲା ପାଇଁ ଟିକାକରଣ ଅଭିଯାନକୁ ବହୁମାତ୍ରାରେ ତ୍ୱରାନ୍ବିତ କରି ମୁକ୍ତରେ ସାର୍ବଜନିକ ଯୋଗାଣର ଆବଶ୍ୟକତା ଅଛି। ଇଣ୍ଡିଆନ ଏକ୍ସପ୍ରେସର ଏକ ଲେଖା ଆଧାରରେ ଭାରତରେ ଟିକାକରଣ ୪ଟି ମୁଖ୍ୟ ବିଫଳତା ପରିଲକ୍ଷିତ ହୋଇଛି। ସେଗୁଡ଼ିକ ହେଉଛି-ଟିକାର ଚାହିଦା ଓ ଯୋଗାଣ ମଧ୍ୟରେ ବିରାଟ ଅନ୍ତର,ଟିକାକରଣରେ ଭୌଗୋଳିକ ଓ ସାମାଜିକ ବୈଷମତା,ଟିକାକୁ ସରକାରୀ/ମୁକ୍ତ ଦ୍ରବ୍ୟର ଆଖ୍ୟା ନ ଦେଇ ମୁକ୍ତ ବଜାରୀକରଣ ଓ ସରକାରୀ କଳ ଦ୍ୱାରା ଉତ୍ପାଦନ ପ୍ରୋତ୍ସାହନ ନ ଦେବା ଏବଂ ଟିକାକରଣ ଯୋଜନାର ନିରାନନ୍ଦ ଭବିଷ୍ୟତ ସମ୍ଭାବ୍ୟତା
ଗତ ଜାନୁୟାରୀ ମାସରେ ଭାରତରେ ଯେତେବେଳେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେଲା ଆଶା କରାଯାଉଥିଲା ଏହା ବିଶ୍ୱର ଆଗୁଆ ଦେଶର ମାନ୍ୟତା ପାଇବ କିନ୍ତୁ କଥାଟା ଠିକ୍‌ ଓଲଟା ହେଲା।
ଟିକାକରଣରେ ଭାରତର ବିଫଳତା ଓ ଖୋଲା ବଜାରର ପ୍ରତିଫଳନ ହେଲା। ସମୁଦାୟ ଟିକାକରଣକୁ ଯଦି ବିଚାରକୁ ନିଆଯାଏ ଭାରତରେ ଏଯାବତ ୪୫ ବର୍ଷରୁ ଊର୍ଦ୍ଧ୍ୱ ଓ ଆଗଧାଡ଼ିର କରୋନା ଯୋଦ୍ଧାକୁ ମିଶାଇ ୧୨.୭ କୋଟି ଲୋକ ପ୍ରଥମ ଡୋଜ୍‌ ଟିକା ନେଇଛନ୍ତି, ଯାହା କି ସମୁଦାୟ ଜନସଂଖ୍ୟାର ମାତ୍ର ୯.୨ ପ୍ରତିଶତ। ଆମେରିକାରେ ଏଯାବତ୍‌ ୫୦.୬ ପ୍ରତିଶତ, ଗ୍ରେଟ ବ୍ରିଟେନରେ ୪୩.୩ ପ୍ରତିଶତ, ଜର୍ମାନୀ ୨୬.୭ ଓ ବ୍ରାଜିଲରେ ୧୩.୭ ପ୍ରତିଶତ ଟିକାକରଣ ହୋଇଛି।
ଭାରତରେ ଅନୁମୋଦିତ ଦୁଇଟି ଟିକା କମ୍ପାନୀ କୋଭିସିଲ୍ଡ ଓ କୋଭାକ୍‌ସିନ ମିଳିତ ଦୈନିକ ଉତ୍ପାଦନ କ୍ଷମତା ୨୫ ଲକ୍ଷ ମାତ୍ରା। ଯଦି ୨୦୨୨ ଜାନୁୟାରୀ ସୁଦ୍ଧା ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ଟିକାକରଣ ଲକ୍ଷ୍ୟ ରଖାଯାଏ ତେବେ ଦୈନିକ ୬୯ ଲକ୍ଷ ମାତ୍ରା ଦରକାର। ବର୍ତ୍ତମାନ ହାରରେ ଟିକାକରଣ ଓ ଉତ୍ପାଦନ କ୍ଷମତାକୁ ଦେଖିଲେ ଏହି ସମୟରେ ମାତ୍ର ୩୦ ପ୍ରତିଶତ ୧୮ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଟିକାକରଣ ସମ୍ଭବ ହୋଇପାରିବ ଓ ୨୦୨୩ ସୁଦ୍ଧା ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ମିଳିପାରେ। ଯଦି ଏହି ହାରରେ ଟିକାକରଣ ହୁଏ ତୃତୀୟ ଲହରରେ ମୃତ୍ୟୁହାର ଓ ସଂକ୍ରମଣକୁ ରୋକିବା କଷ୍ଟସାଧ୍ୟ ହୋଇଯିବ।
ଟିକା ବିତରଣକୁ ନେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ ବୈଷମତା ଜଟିଳତର ହୋଇଛି। କେନ୍ଦ୍ର ସମଗ୍ର ଉତ୍ପାଦନର ୫୦ ପ୍ରତିଶତ ଅଧିକାର ସାବ୍ୟସ୍ତ କରୁଥିବା ବେଳେ ରାଜ୍ୟ ସରକାର ଓ ବେସରକାରୀ ସଂସ୍ଥା ତଥା ଟିକା ଉତ୍ପାଦନକାରୀ ସଂସ୍ଥା ୫୦ ପ୍ରତିଶତରେ ଭାଗୀଦାରି ହେବେ। ଟିକା ଉତ୍ପାଦନକାରୀ ସଂସ୍ଥା କେନ୍ଦ୍ର, ରାଜ୍ୟ ଓ ବେସରକାରୀ ସଂସ୍ଥା ପାଇଁ ମୂଲ୍ୟରେ ବଡ଼ ଧରଣର ତାରତମ୍ୟ ସ୍ଥିର କରିଛନ୍ତି। ଏହି ଆପଦକାଳୀନ ସ୍ଥିତିରେ ଟିକାର ବ୍ୟବସାୟୀକରଣ ସାମାଜିକ ମୂଲ୍ୟବୋଧକୁ କୁଠାରାଘାତ କରିବା ସହ ସାମାଜିକ ଓ ଆଞ୍ଚଳିକ ବାଚ୍ଛନ୍ଦତାକୁ ପ୍ରୋତ୍ସାହନ କରୁଛି।
ମୁକ୍ତ ଟିକାକରଣକୁ ସାର୍ବଜନିକ କରି ସମ୍ବିଧାନର ୨୧ ଧାରା ଅନୁସାରେ ବଞ୍ଚତ୍ବାର ଅଧିକାର ଓ ସ୍ବତନ୍ତ୍ରତାରେ ଅନ୍ତର୍ଭୁକ୍ତ ଜରୁରୀ ଏବଂ ଏହାକୁ ବ୍ୟବସାୟୀକରଣରୁ ପୃଷ୍ଠଭଙ୍ଗ ଅତ୍ୟନ୍ତ ଆବଶ୍ୟକ। ଏଠାରେ ସ୍ପଷ୍ଟ କରାଯାଏ କି ଟିକା ବ୍ୟବସାୟ ଅଥନୈତିକ ଅଭିବୃଦ୍ଧି ପାଇଁ ଅନୁକୂଳ ନୁହେଁ, ସେଥିପାଇଁ ବହୁ ପୁଞ୍ଜିବାଦୀ ରାଷ୍ଟ୍ର ଏହାକୁ ଏକ ମୁକ୍ତ ଦ୍ରବ୍ୟ ରୂପେ ଗ୍ରହଣ କରି ମାଗଣାରେ ବିତରଣ କରୁଛନ୍ତି। କେନ୍ଦ୍ର ସରକାର ପ୍ରତ୍ୟକ୍ଷ ଭାବେ ଟିକା ନିର୍ମାତାଙ୍କଠାରୁ ସଂଗ୍ରହ କରି ରାଜ୍ୟଗୁଡ଼ିକୁୁ ମୁକ୍ତ ଯୋଗାଣ କରିବାର ଆବଶ୍ୟକତା ଅଛି।
ଟିକାର ଚାହିଦା ଓ ଯୋଗାଣକୁ ଆଖିରେ ରଖି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ଅନୁମୋଦିତ ଅନ୍ତର୍ଜାତୀୟ ଟିକା ଉତ୍ପାଦନକାରୀ ସଂସ୍ଥା ସହିତ ଚୁକ୍ତି କରିବାର ଆବଶ୍ୟକତା ଅଛି। ଟିକାକରଣ ବ୍ୟବସ୍ଥାରେ ସମାଜ ଉପଯୋଗୀ ସ୍ବଚ୍ଛ ନିୟମ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେବା ଦରକାର। ଭାରତରେ ତ୍ରୁଟିପୂର୍ଣ୍ଣ ଓ ଦୁର୍ବଳ ଟିକାକରଣ ଯୋଜନା ଉତ୍କଟ ଟିକା ଅଭାବର ପ୍ରତିଫଳନ। ସମସ୍ତ ତଥ୍ୟକୁ ଆକଳନ କଲେ ଜଣାଯାଏ ଭାରତର ଟିକାକରଣ ପଦ୍ଧତି ନିଚ୍ଛକ ଭାବରେ ସରକାରଙ୍କ ଅପାରଗତା ଓ ପୁଞ୍ଜିବାଦ ସମାଜ ବ୍ୟବସ୍ଥାର ନଗ୍ନଛବିକୁ ପ୍ରତିପାଦନ କରୁଛି। ଅର୍ଥନୈତିକ ଅଭିବୃଦ୍ଧି ନାମରେ ଡିଣ୍ଡିମ ପିଟୁଥିବା ସରକାର ଏବେ ସ୍ବାସ୍ଥ୍ୟ, ଶିକ୍ଷା ଓ ସାମାଜିକ ଉନ୍ନତିର ଉପଯୁକ୍ତ ଧ୍ୟାନ ଦେବାର ଆସିଛି। ସମୟ ପୂର୍ବରୁ ସଚେତନ ନ ହେଲେ ନେଡ଼ି ଗୁଡ଼ କହୁଣିକୁ ବୋହିଯିବ।
ଅଧ୍ୟାପକ ରେଭେନ୍ସା ବିଶ୍ୱବିଦ୍ୟାଳୟ
sibasankarjnu@gmail.com
ମୋ: ୯୪୩୯୧୬୭୮୫୫


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?