ତୃତୀୟ ଲହର ଓ ଟିକାକରଣ

ଡ. ଶିବ ଶଙ୍କର ସାହୁ

 

କରୋନାର ଦ୍ୱିତୀୟ ଲହର ଦେଶରେ ଭୟାନକ ମୃତ୍ୟୁର ତାଣ୍ଡବ ରଚିଚାଲିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦର୍ଶାଯାଇଛି ଯେ ୧୨ ରାଜ୍ୟରେ ଏକ ଲକ୍ଷରୁ ଅଧିକ ସକ୍ରିୟ କାରକ ଅଛି। ମେ ୬ ତାରିଖରେ ସର୍ବାଧିକ ୪.୧୨ ଲକ୍ଷ ନୂଆ ସଂକ୍ରମଣ ସହିତ ୩୯୮୦ ଜଣଙ୍କ ମୃତ୍ୟୁ ଘଟିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମତରେ ସମଗ୍ର ବିଶ୍ୱର ୪୬% ସକ୍ରିୟ କୋଭିଡ କେସ ଓ ଏକ ଚତୁର୍ଥାଂଶ ମୃତ୍ୟୁହାର କେବଳ ଭାରତରେ ପରିଲକ୍ଷିତ ହୋଇଛି। କରୋନାର ଦ୍ୱିତୀୟ ଲହର କିଛିଦିନ ମଧ୍ୟରେ ଶୀର୍ଷକୁ ଛୁଇଁବ ବୋଲି ଆକଳନ ହେଉଥିଲା ବେଳେ ତୃତୀୟ ଲହର ନିକଟ ଭବିଷ୍ୟତରେ ଆଗମନ ନିଶ୍ଚୟ ବୋଲି ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ବୈଜ୍ଞାନିକ ଉପଦେଷ୍ଟା କେ. ବିଜୟ ରାଘବନ କହିଛନ୍ତି, ଯଦିଓ ଭୂତାଣୁର ରୂପ ଦିନକୁ ଦିନ ଶକ୍ତିଶାଳୀ ହୋଇଚାଲିଛି, ଆମ୍ଭମାନଙ୍କୁ ତୃତୀୟ ଲହର ପାଇଁ ଯଥୋଚିତ ପ୍ରସ୍ତୁତ ରହିବା ଅପରିହାର୍ଯ୍ୟ। ସୁପ୍ରିମକୋର୍ଟ ମଧ୍ୟ କେନ୍ଦ୍ର ସରକାରଙ୍କୁ ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ କଡ଼ା ଚେତାବନୀ ଦେଇଛନ୍ତି।
କରୋନାର ଦ୍ୱିତୀୟ ଲହରରେ ଦେଶବ୍ୟାପୀ ସ୍ବାସ୍ଥ୍ୟ ଅବସ୍ଥାର ନଗ୍ନଛବି ଦେଖିବାକୁ ମିଳିଛି। ଅମ୍ଳଜାନର ଉତ୍କଟ ସଙ୍କଟ, ମେଡିକାଲ ଶଯ୍ୟାର ଅଭାବ, ଡାକ୍ତର ଓ ନର୍ସ ତଥା ସ୍ବାସ୍ଥ୍ୟକର୍ମୀଙ୍କର ଅଭାବ, ଆଇ.ସି.ୟୁ. ନ ମିଳିବା ଯୋଗୁ ଜଟିଳ ସମସ୍ୟା ଦେଇ ଦେଶ ଗତି କରୁଛି। ଦେଶରେ ସରକାରୀ ସ୍ବାସ୍ଥ୍ୟସେବା ଏକ ପ୍ରକାର ଦୁଃସ୍ଥ ଓ ଧ୍ୱସ୍ତ କହିଲେ ଅତ୍ୟୁକ୍ତି ହେବ ନାହିଁ।
୨୦୨୦ ମାନବ ବିକାଶ ରିପୋର୍ଟ (ଏଚ. ଡି. ଆଇ.) କହୁଛି ଭାରତର ପ୍ରତି ୧୦ ହଜାର ଜନସଂଖ୍ୟାରେ ମାତ୍ର ୫ଟି ଶଯ୍ୟା ଓ ୮ ଜଣ ଡାକ୍ତର ମହଜୁଦ ଅଛନ୍ତି। ସର୍ଭେ ହୋଇଥିବା ୧୬୭ ଦେଶ ମଧ୍ୟରୁ ଶଯ୍ୟା ଯୋଗାଣରେ ଭାରତର ସ୍ଥାନ ୧୫୫। ନେପାଳ, ଉଗାଣ୍ଡା, ଗୁଏଟମାଳା, ସେନେଗାଲ, ଆଫଗାନିସ୍ତାନ ଓ ବୁରକିନା ଫାସୋ ପରି ୧୨ଟି ଦେଶ ଭାରତ ପଛରେ ଅଛନ୍ତି। ସାଧାରଣ ସମୟରେ ଶଯ୍ୟାର ଘୋର ଅଭାବ ଦେଖାଯାଉଥିବା ବେଳେ ମହାମାରୀ ସମୟରେ ଉତ୍କଟ ରୂପ ନେବାର ଆଶ୍ଚର୍ଯ୍ୟ ହେବାର କିଛି କାରଣ ନାହିଁ। ଉପଯୁକ୍ତ ସରକାରୀ ସ୍ବାସ୍ଥ୍ୟସେବା ସମସ୍ତଙ୍କ ମୌଳିକ ମାନବୀୟ ଅଧିକାର, ସରକାରଙ୍କ ଏହା ମୁଖ୍ୟ ଦାୟିତ୍ୱ ହେବା ଦରକାର ବୋଲି ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟଗୁଡ଼ିକ ଏହିପରି ବାରମ୍ବାର କହିବା ସତ୍ତ୍ୱେ ବି ସରକାରଙ୍କ ଏହା ପ୍ରତି ଭ୍ରୂକ୍ଷେପ ନାହିଁ। ଦ୍ୱିତୀୟ ଲହରରେ ଶ୍ମଶାନରେ ଶବଦାହ ପାଇଁ ଲମ୍ବା ଲାଇନ ଲାଗିଛି। ତୃତୀୟ ଲହରରେ ଏହା ଛୋଟ ସହର ଓ ଗାଁ ଗହଳିକୁ ବ୍ୟାପିବ, ଶିଶୁମାନେ ଅଧିକ ଆକ୍ରାନ୍ତ ହେବେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ ମତ ଦେଇଛନ୍ତି। ଅମ୍ଳଜାନ ଅଭାବରୁ ଶ୍ୱାସରୁଦ୍ଧ ହୋଇ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଉଥିବା ବେଳେ ରାଜନୈତିକ ରାଲି, କୁମ୍ଭମେଳା ଭଳି ଧର୍ମୀୟ ପରମ୍ପରାରେ ଲକ୍ଷାଧିକ ଲୋକଙ୍କ ସମାଗମ ସରକାରଙ୍କ ଦାୟିତ୍ୱହୀନତାକୁ ଦର୍ଶାଇବା ସହ ଏହାକୁ ଗଣତନ୍ତ୍ରରେ ଏକ ଗଣହତ୍ୟା ସହ ତୁଳନା କରାଯାଇପାରେ।
ଅନ୍ତର୍ଜାତୀୟ ସୁପ୍ରସିଦ୍ଧ ନେଚର ପତ୍ରିକା ତଥ୍ୟ ଅନୁଯାୟୀ ୨୯ ଏପ୍ରିଲରେ ଭାରତର ବିଶିଷ୍ଟ ବୈଜ୍ଞାନିକମାନେ କରୋନା ସଂକ୍ରମଣ ରୋକିବା ପାଇଁ ଦେଶ ଅସମର୍ଥ, ମହାମାରୀ ପ୍ରକୃତ ତଥ୍ୟ ପ୍ରଣାଳୀବଦ୍ଧ ଭାବେ ସଂଗୃହୀତ ହେଉ ନ ଥିବା ଓ ସର୍ବସାଧାରଣ ନିମିତ୍ତ ତଥ୍ୟକୁ ଉନ୍ମୋଚନ କରାଯାଉ ନ ଥିବାର କ୍ଷୋଭ ପ୍ରକାଶ କରି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଖୋଲା ଚିଠି ଲେଖିଥିଲେ। ଦ୍ୱିତୀୟ ଲହର ଭୟଙ୍କର ରୂପ ନେବ ବୋଲି ସେମାନେ ଜାନୁୟାରୀ ମାସରୁ ଅବଗତ କରିଥିଲେ ମଧ୍ୟ ସରକାର ବିଭିନ୍ନ ରାଜ୍ୟରେ ନିର୍ବାଚନକୁ ନେଇ ବ୍ୟସ୍ତ ରହିଲେ ଓ ଚେତାବନୀକୁ କର୍ଣ୍ଣପାତ କଲେନି ବୋଲି ଏହି ପତ୍ରିକାରେ ଉଲ୍ଲେଖ ଅଛି।
ଏହିପରି ଏକ ଭଗ୍ନ ସ୍ବାସ୍ଥ୍ୟସେବାରେ କରୋନାର ତୃତୀୟ ଲହରକୁ ମୁକାବିଲା ପାଇଁ ଟିକାକରଣ ଅଭିଯାନକୁ ବହୁମାତ୍ରାରେ ତ୍ୱରାନ୍ବିତ କରି ମୁକ୍ତରେ ସାର୍ବଜନିକ ଯୋଗାଣର ଆବଶ୍ୟକତା ଅଛି। ଇଣ୍ଡିଆନ ଏକ୍ସପ୍ରେସର ଏକ ଲେଖା ଆଧାରରେ ଭାରତରେ ଟିକାକରଣ ୪ଟି ମୁଖ୍ୟ ବିଫଳତା ପରିଲକ୍ଷିତ ହୋଇଛି। ସେଗୁଡ଼ିକ ହେଉଛି-ଟିକାର ଚାହିଦା ଓ ଯୋଗାଣ ମଧ୍ୟରେ ବିରାଟ ଅନ୍ତର,ଟିକାକରଣରେ ଭୌଗୋଳିକ ଓ ସାମାଜିକ ବୈଷମତା,ଟିକାକୁ ସରକାରୀ/ମୁକ୍ତ ଦ୍ରବ୍ୟର ଆଖ୍ୟା ନ ଦେଇ ମୁକ୍ତ ବଜାରୀକରଣ ଓ ସରକାରୀ କଳ ଦ୍ୱାରା ଉତ୍ପାଦନ ପ୍ରୋତ୍ସାହନ ନ ଦେବା ଏବଂ ଟିକାକରଣ ଯୋଜନାର ନିରାନନ୍ଦ ଭବିଷ୍ୟତ ସମ୍ଭାବ୍ୟତା
ଗତ ଜାନୁୟାରୀ ମାସରେ ଭାରତରେ ଯେତେବେଳେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେଲା ଆଶା କରାଯାଉଥିଲା ଏହା ବିଶ୍ୱର ଆଗୁଆ ଦେଶର ମାନ୍ୟତା ପାଇବ କିନ୍ତୁ କଥାଟା ଠିକ୍‌ ଓଲଟା ହେଲା।
ଟିକାକରଣରେ ଭାରତର ବିଫଳତା ଓ ଖୋଲା ବଜାରର ପ୍ରତିଫଳନ ହେଲା। ସମୁଦାୟ ଟିକାକରଣକୁ ଯଦି ବିଚାରକୁ ନିଆଯାଏ ଭାରତରେ ଏଯାବତ ୪୫ ବର୍ଷରୁ ଊର୍ଦ୍ଧ୍ୱ ଓ ଆଗଧାଡ଼ିର କରୋନା ଯୋଦ୍ଧାକୁ ମିଶାଇ ୧୨.୭ କୋଟି ଲୋକ ପ୍ରଥମ ଡୋଜ୍‌ ଟିକା ନେଇଛନ୍ତି, ଯାହା କି ସମୁଦାୟ ଜନସଂଖ୍ୟାର ମାତ୍ର ୯.୨ ପ୍ରତିଶତ। ଆମେରିକାରେ ଏଯାବତ୍‌ ୫୦.୬ ପ୍ରତିଶତ, ଗ୍ରେଟ ବ୍ରିଟେନରେ ୪୩.୩ ପ୍ରତିଶତ, ଜର୍ମାନୀ ୨୬.୭ ଓ ବ୍ରାଜିଲରେ ୧୩.୭ ପ୍ରତିଶତ ଟିକାକରଣ ହୋଇଛି।
ଭାରତରେ ଅନୁମୋଦିତ ଦୁଇଟି ଟିକା କମ୍ପାନୀ କୋଭିସିଲ୍ଡ ଓ କୋଭାକ୍‌ସିନ ମିଳିତ ଦୈନିକ ଉତ୍ପାଦନ କ୍ଷମତା ୨୫ ଲକ୍ଷ ମାତ୍ରା। ଯଦି ୨୦୨୨ ଜାନୁୟାରୀ ସୁଦ୍ଧା ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ଟିକାକରଣ ଲକ୍ଷ୍ୟ ରଖାଯାଏ ତେବେ ଦୈନିକ ୬୯ ଲକ୍ଷ ମାତ୍ରା ଦରକାର। ବର୍ତ୍ତମାନ ହାରରେ ଟିକାକରଣ ଓ ଉତ୍ପାଦନ କ୍ଷମତାକୁ ଦେଖିଲେ ଏହି ସମୟରେ ମାତ୍ର ୩୦ ପ୍ରତିଶତ ୧୮ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଟିକାକରଣ ସମ୍ଭବ ହୋଇପାରିବ ଓ ୨୦୨୩ ସୁଦ୍ଧା ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ମିଳିପାରେ। ଯଦି ଏହି ହାରରେ ଟିକାକରଣ ହୁଏ ତୃତୀୟ ଲହରରେ ମୃତ୍ୟୁହାର ଓ ସଂକ୍ରମଣକୁ ରୋକିବା କଷ୍ଟସାଧ୍ୟ ହୋଇଯିବ।
ଟିକା ବିତରଣକୁ ନେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ ବୈଷମତା ଜଟିଳତର ହୋଇଛି। କେନ୍ଦ୍ର ସମଗ୍ର ଉତ୍ପାଦନର ୫୦ ପ୍ରତିଶତ ଅଧିକାର ସାବ୍ୟସ୍ତ କରୁଥିବା ବେଳେ ରାଜ୍ୟ ସରକାର ଓ ବେସରକାରୀ ସଂସ୍ଥା ତଥା ଟିକା ଉତ୍ପାଦନକାରୀ ସଂସ୍ଥା ୫୦ ପ୍ରତିଶତରେ ଭାଗୀଦାରି ହେବେ। ଟିକା ଉତ୍ପାଦନକାରୀ ସଂସ୍ଥା କେନ୍ଦ୍ର, ରାଜ୍ୟ ଓ ବେସରକାରୀ ସଂସ୍ଥା ପାଇଁ ମୂଲ୍ୟରେ ବଡ଼ ଧରଣର ତାରତମ୍ୟ ସ୍ଥିର କରିଛନ୍ତି। ଏହି ଆପଦକାଳୀନ ସ୍ଥିତିରେ ଟିକାର ବ୍ୟବସାୟୀକରଣ ସାମାଜିକ ମୂଲ୍ୟବୋଧକୁ କୁଠାରାଘାତ କରିବା ସହ ସାମାଜିକ ଓ ଆଞ୍ଚଳିକ ବାଚ୍ଛନ୍ଦତାକୁ ପ୍ରୋତ୍ସାହନ କରୁଛି।
ମୁକ୍ତ ଟିକାକରଣକୁ ସାର୍ବଜନିକ କରି ସମ୍ବିଧାନର ୨୧ ଧାରା ଅନୁସାରେ ବଞ୍ଚତ୍ବାର ଅଧିକାର ଓ ସ୍ବତନ୍ତ୍ରତାରେ ଅନ୍ତର୍ଭୁକ୍ତ ଜରୁରୀ ଏବଂ ଏହାକୁ ବ୍ୟବସାୟୀକରଣରୁ ପୃଷ୍ଠଭଙ୍ଗ ଅତ୍ୟନ୍ତ ଆବଶ୍ୟକ। ଏଠାରେ ସ୍ପଷ୍ଟ କରାଯାଏ କି ଟିକା ବ୍ୟବସାୟ ଅଥନୈତିକ ଅଭିବୃଦ୍ଧି ପାଇଁ ଅନୁକୂଳ ନୁହେଁ, ସେଥିପାଇଁ ବହୁ ପୁଞ୍ଜିବାଦୀ ରାଷ୍ଟ୍ର ଏହାକୁ ଏକ ମୁକ୍ତ ଦ୍ରବ୍ୟ ରୂପେ ଗ୍ରହଣ କରି ମାଗଣାରେ ବିତରଣ କରୁଛନ୍ତି। କେନ୍ଦ୍ର ସରକାର ପ୍ରତ୍ୟକ୍ଷ ଭାବେ ଟିକା ନିର୍ମାତାଙ୍କଠାରୁ ସଂଗ୍ରହ କରି ରାଜ୍ୟଗୁଡ଼ିକୁୁ ମୁକ୍ତ ଯୋଗାଣ କରିବାର ଆବଶ୍ୟକତା ଅଛି।
ଟିକାର ଚାହିଦା ଓ ଯୋଗାଣକୁ ଆଖିରେ ରଖି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ଅନୁମୋଦିତ ଅନ୍ତର୍ଜାତୀୟ ଟିକା ଉତ୍ପାଦନକାରୀ ସଂସ୍ଥା ସହିତ ଚୁକ୍ତି କରିବାର ଆବଶ୍ୟକତା ଅଛି। ଟିକାକରଣ ବ୍ୟବସ୍ଥାରେ ସମାଜ ଉପଯୋଗୀ ସ୍ବଚ୍ଛ ନିୟମ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେବା ଦରକାର। ଭାରତରେ ତ୍ରୁଟିପୂର୍ଣ୍ଣ ଓ ଦୁର୍ବଳ ଟିକାକରଣ ଯୋଜନା ଉତ୍କଟ ଟିକା ଅଭାବର ପ୍ରତିଫଳନ। ସମସ୍ତ ତଥ୍ୟକୁ ଆକଳନ କଲେ ଜଣାଯାଏ ଭାରତର ଟିକାକରଣ ପଦ୍ଧତି ନିଚ୍ଛକ ଭାବରେ ସରକାରଙ୍କ ଅପାରଗତା ଓ ପୁଞ୍ଜିବାଦ ସମାଜ ବ୍ୟବସ୍ଥାର ନଗ୍ନଛବିକୁ ପ୍ରତିପାଦନ କରୁଛି। ଅର୍ଥନୈତିକ ଅଭିବୃଦ୍ଧି ନାମରେ ଡିଣ୍ଡିମ ପିଟୁଥିବା ସରକାର ଏବେ ସ୍ବାସ୍ଥ୍ୟ, ଶିକ୍ଷା ଓ ସାମାଜିକ ଉନ୍ନତିର ଉପଯୁକ୍ତ ଧ୍ୟାନ ଦେବାର ଆସିଛି। ସମୟ ପୂର୍ବରୁ ସଚେତନ ନ ହେଲେ ନେଡ଼ି ଗୁଡ଼ କହୁଣିକୁ ବୋହିଯିବ।
ଅଧ୍ୟାପକ ରେଭେନ୍ସା ବିଶ୍ୱବିଦ୍ୟାଳୟ
sibasankarjnu@gmail.com
ମୋ: ୯୪୩୯୧୬୭୮୫୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନର୍ସ ଭାବେ ଦୀର୍ଘ ୪୦ବର୍ଷ ଧରି ସାଇକେଲରେ ଉତ୍ତର ପଶ୍ଚିମବଙ୍ଗର ଚା’ବଗିଚା ଅଞ୍ଚଳକୁ ଯାଇ ଆଦିବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ସହ ସେଠାରେ ଅନେକ କିଛି ପରିବର୍ତ୍ତନ ଆଣିବାରେ…

କାହିଁକି ଏ ନୈରାଶ୍ୟବୋଧ

କାର୍ଯ୍ୟ ପଛରେ ନିହିତ ଥାଏ କାରଣଟିଏ। ମଣିଷ ଏହି କାରଣଟି ପାଇଁ ଧାଉଁଥାଏ କାର୍ଯ୍ୟ ପଛରେ। ଲକ୍ଷ୍ୟ ଥାଏ ସଫଳତା ପାଇଁ। ତେବେ ମଣିଷ କେବେକେବେ ସଫଳତାକୁ…

ଭାସୁକୁଟି

ସକାଳ ହେଲେ ଯେପରି କୁଆକୋଇଲି ରାବଦେଇ ଡାକନ୍ତି, ସେପରି ଭାସୁକୁଟି ମଧ୍ୟ ଆରମ୍ଭ ହୁଏ ଗାଁରେ। ନଦୀ, ପୋଖରୀ ନିକଟରେ ଅବା ପାଇପ ମୂଳରେ ପାଣି ଭରୁଥିବା…

ଇରାନ୍‌ ଯୁଦ୍ଧ ଓ ବିଶ୍ୱ ଅର୍ଥବ୍ୟବସ୍ଥା

ଇରାନ୍‌ ଉପରେ ଆମେରିକା-ଇସ୍ରାଏଲ୍‌ର ବାରମ୍ବାର ଆକ୍ରମଣ ଆର୍ଥିକ ବଜାର ଏବଂ ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟରେ ଅଧିକ ଅସମାନତାକୁ ସ୍ପଷ୍ଟ କରିଛି। ଏଭଳି ସଙ୍କଟ ବିଶ୍ୱ ଅର୍ଥବ୍ୟବସ୍ଥାକୁ କିପରି…

ତାମିଲ ରାମାୟଣ

କମ୍ୱରାମାୟଣମ୍‌ (କମ୍ୱ ରାମାୟଣ) ତାମିଲ ସାହିତ୍ୟର ସବୁଠାରୁ ପ୍ରସିଦ୍ଧ ରଚନାଗୁଡ଼ିକ ମଧ୍ୟରୁ ଅନ୍ୟତମ। ନବମ ଶତାବ୍ଦୀ ପାଖାପାଖିରେ ଚୋଳ ରାଜାମାନଙ୍କ ସମୟରେ ତାମିଲନାଡୁର କବି କମ୍ୱନ ଏହାକୁ…

ଏମିତି ଏ ବଡ଼ଦାଣ୍ଡେ

ପିଲାଦିନରୁ ଶ୍ରୀଜଗନ୍ନାଥଙ୍କର ଅନେକ ଜଣାଣ ଓ ଭଜନ ମୋର ମନେରହିଛି। ସ୍କୁଲ ଓ କଲେଜରେ ପଢ଼ୁଥିଲା ବେଳେ ମୁଁ ଗୀତ ଗାଉଥିଲି। ଜଗନ୍ନାଥ ଜଣାଣ ଗାଇ ଖୁସି…

ନୀତିବିହୀନ ନିର୍ଦ୍ଧାରକ

ଭାରତରେ ଖାଦ୍ୟପଦାର୍ଥର ମୂଲ୍ୟ ବୃଦ୍ଧି ଯୋଗୁ ଗତ ଜୁନ୍‌ରେ ଖୁଚୁରା (ରିଟେଲ୍‌) ମୁଦ୍ରାସ୍ଫୀତି ୪.୩୮ ପ୍ରତିଶତରେ ପହଞ୍ଚତ୍ଛି, ଯାହା ମେ’ରେ ଥିଲା ୩.୯୩ ପ୍ରତିଶତ। ରିଜର୍ଭ ବ୍ୟାଙ୍କ…

ସମାଜ ବିଭକ୍ତୀକରଣର ଅନ୍ତୁଡ଼ିଶାଳ

ସ୍ବାଧୀନୋତ୍ତର ଭାରତର ସରକାରମାନେ ଶିକ୍ଷାର ପ୍ରସାର ଦିଗରେ କାମ କରିଚାଲିଛନ୍ତି। ବହୁ ଶିକ୍ଷା କମିଶନ ବସିଛି। ବହୁ ଆଇନ ପ୍ରଣୟନ ହୋଇଛି। ସେଥିମଧ୍ୟରୁ ବିଳମ୍ବରେ ହେଲେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri