ଅମରପାଲି,୧୧/୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଜଟେସିଂହା ଗ୍ରାମରେ ବଜ୍ରାଘାତରେ ଗୁରୁବାର ସନ୍ଧ୍ୟାରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତ ଚାଷୀ ଜଣକ ହେଲେ ଜଟେସିଂହା ଗ୍ରାମର ରସାନନ୍ଦ ସାହୁ(୫୫) ବୋଲି ଜଣାପଡିଛି। ସୂଚନା ଅନୁସାରେ ରସାନନ୍ଦ ବୁଧୁବାର ଅପରାହ୍ନରେ ନିଜ ଚାଷ ଜମିକୁ ଲଟା ବାଛିବା ପାଇଁ ଯାଇଥିଲେ। ହଠାତ୍ ଘଡ଼ଘଡି ସହିତ ବର୍ଷା ଆସିବାରୁ ସେ ନିଜ ଚାଷ ଜମିରୁ ଘରକୁ ଫେରିଆସୁଥିଲେ। ମାତ୍ର ବଜ୍ରାଘାତ ହେବାରୁ ସେ ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ବୀରମହାରାଜପୁର ମେଡିକାଲକୁ ଅଣାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସନ୍ଧ୍ୟା ହୋଇଯାଇଥିବା ଶବ ବ୍ୟବଚ୍ଛେଦ କରାଯାଇ ପାରିନାହିଁ। ଶୁକ୍ରବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ଖବର ଲେଖା ଯିବା ପର୍ଯ୍ୟନ୍ତ ସୁବଳୟା ଥାନା ରେ କୌଣସି ମାମଲା ରୁଜୁ ହୋଇ ନ ଥିବା ଜଣା ପଡ଼ିଛି। ମୃତ ରସାନନ୍ଦଙ୍କ ସ୍ତ୍ରୀଙ୍କ ସମେତ ଜଣେ ଲେଖାଏ ପୁଅ ଓ ଝିଅ ଅଛନ୍ତି। ମୃତ ରସାନନ୍ଦ ଜଣେ ସାଧାରଣ ଚାଷୀ ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବି ହେଉଛି।


