ପେନ୍‌ସନ ବ୍ୟବସ୍ଥା ରହିବ ତ

ସାରା ଦେଶର କର୍ମଚାରୀଙ୍କ ପକ୍ଷରୁ ୨୦୦୪ରୁ ପ୍ରଚଳିତ ନୂତନ ପେନ୍‌ସନ ଯୋଜନା (ଏନ୍‌ପିଏସ୍‌)ର ସମ୍ପୂର୍ଣ୍ଣ ଉଚ୍ଛେଦ ସହ ପୁରାତନ ପେନ୍‌ସନ ଯୋଜନା (ଓପିଏସ୍‌)ର ପୁନଃ ପ୍ରଚଳନ ପାଇଁ ଦୀର୍ଘ ୨୦ ବର୍ଷ ଧରି ଯେଉଁ ନିରବଚ୍ଛିନ୍ନ ସଂଗ୍ରାମ ଚାଲିଥିଲା ତାହାର ପରିଣତିସ୍ବରୂପ କେନ୍ଦ୍ର ସରକାର ୨୪ ଅଗଷ୍ଟ ୨୦୨୪ରେ ଏକ ପ୍ରେସ୍‌ ଇସ୍ତାହାର ଜରିଆରେ ଏକୀକୃତ ପେନ୍‌ସନ ଯୋଜନା (ୟୁନିଫାଏଡ୍‌ ପେନ୍‌ସନ ସ୍କିମ ବା ୟୁପିଏସ୍‌) ନାମରେ ଏକ ନୂଆ ପେନ୍‌ସନ ଯୋଜନା ଘୋଷଣା କରି ୨୫ ଜାନୁଆରୀ ୨୦୨୫ରେ ରାଜପତ୍ର ବିଜ୍ଞପ୍ତି ଜାରି କରିଛନ୍ତି। କିଛି ନେତୃମଣ୍ଡଳୀ ଓ ସଂଗଠନ ଏହାକୁ ସ୍ବାଗତ କରିଥିଲାବେଳେ, ଓପିଏସ୍‌ ବଦଳରେ କର୍ମଚାରୀଙ୍କ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏନ୍‌ପିଏସ୍‌ରେ ଯଥେଷ୍ଟ ଉନ୍ନତି ଆଣିବାକୁ କର୍ମଚାରୀ ପକ୍ଷକୁ ସରକାରଙ୍କ ବାରମ୍ବାର ପ୍ରତିଶ୍ରୁତି, ଉପରୋକ୍ତ ପ୍ରେସ୍‌ ଇସ୍ତାହାର ଏବଂ ରାଜପତ୍ର ବିଜ୍ଞପ୍ତି ଭିତରେ ତାଳମେଳ ରହୁ ନ ଥିବାରୁ ବହୁ କର୍ମଚାରୀ ଓ ଶ୍ରମିକ ସଂଗଠନ ନିଜ ନିଜର ଅସନ୍ତୋଷ ଜାହିର କରିବା ସହ ଓପିଏସ୍‌ର ନିଃସର୍ତ୍ତ ପୁନଃ ପ୍ରଚଳନ ଦାବିକୁ ଦୋହରାଉଛନ୍ତି ମଧ୍ୟ। ଇତିମଧ୍ୟରେ, ପେନ୍‌ସନ ନିଧି ନିୟାମକ ଓ ବିକାଶ ପ୍ରାଧିକରଣ (ପିଏଫ୍‌ଆର୍‌ଡିଏ) ୟୁପିଏସ୍‌ର ଚିଠା ନିୟମାବଳୀ ପ୍ରସ୍ତୁତି ପାଇଁ ସର୍ବସାଧାରଣଙ୍କଠାରୁ ଫେବୃଆରୀ ୧୭ ସୁଦ୍ଧା ମତାମତ ଲୋଡ଼ିଥିବା ବେଳେ ଉପରୋକ୍ତ ରାଜପତ୍ର ବିଜ୍ଞପ୍ତିର ଅନେକ ଧାରା ଓ ଶବ୍ଦାବଳୀ କର୍ମଚାରୀଙ୍କ ମନରେ ସନ୍ଦେହ ଓ ଦ୍ୱନ୍ଦ୍ୱ ସୃଷ୍ଟି କରି ବହୁ ପରିମାଣରେ ହତୋତ୍ସାହିତ କରିଛି। ସମସ୍ତଙ୍କ ମନରେ ମାତ୍ର ଗୋଟିଏ ପ୍ରଶ୍ନ, ଆଗକୁ ପେନ୍‌ସନ ବ୍ୟବସ୍ଥା ରହିବ ତ?
ପ୍ରଥମତଃ, ୟୁପିଏସ୍‌କୁ ଏକ ପେନ୍‌ସନ ଯୋଜନା ଭାବେ ୨୪ ଅଗଷ୍ଟ ୨୦୨୪ରେ ଯେଉଁ କ୍ୟାବିନେଟ ମଞ୍ଜୁରୀ ମିଳିଥିଲା, ୨୫ ଜାନୁଆରୀ ୨୦୨୫ର ରାଜପତ୍ର ବିଜ୍ଞପ୍ତି ତାହା ଏକ ନୂତନ ପେନ୍‌ସନ ଯୋଜନା ନୁହେଁ, ବରଂ ଏନ୍‌ପିଏସ୍‌ ଅନ୍ତର୍ଗତ ଏକ ଇଚ୍ଛାଧୀନ ବ୍ୟାପାର ବୋଲି ସ୍ପଷ୍ଟ କଲା। ଜଣେ କର୍ମଚାରୀ ଚାହିଁଲେ ଇଚ୍ଛା ପ୍ରକଟ କରି ୟୁପିଏସ୍‌କୁ ଆପଣେଇ ପାରିବେ ନ ହେଲେ କୌଣସି ବାଧ୍ୟବାଧକତା ବିନା ଏନ୍‌ପିଏସ୍‌ରେ ପୂର୍ବଭଳି ରହିପାରିବେ। ମାତ୍ର ଥରେ ଇଚ୍ଛାକରି ଆପଣେଇ ନେଲେ, ପୁନର୍ବାର ଏନ୍‌ପିଏସ୍‌କୁ ଫେରିବାର ବାଟ ବନ୍ଦ।
ଦ୍ବିତୀୟତଃ, ପ୍ରେସ୍‌ ଇସ୍ତାହାରରେ ଯେଉଁ ସବୁ ଅବସରକାଳୀନ ପ୍ରାପ୍ୟ ସ୍ଥିରୀକୃତ ବୋଲି କୁହାଯାଇଥିଲା, ସେସବୁ ପ୍ରକୃତରେ କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ଦ୍ୱାରା ନିୟମିତ ବିନିଯୋଗ (ଉଭୟଙ୍କ ତରଫରୁ ମୂଳ ଦରମାର ଓ ମହଙ୍ଗା ଭତ୍ତାର ୧୦% ଲେଖାଏ)ରୁ ସୃଷ୍ଟି ଇଣ୍ଡିଭିଜୁଆଲ କର୍ପସ ବା ଆଇସି ଓ ସରକାରଙ୍କ ତରଫରୁ ମହଙ୍ଗା ଭତ୍ତା ସହ ମୂଳ ଦରମାର ଅତିରିକ୍ତ ୮.୫%ର ବିନିଯୋଗରେ ସୃଷ୍ଟି ପୁଲ କର୍ପସ ବା ପିସି ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ତେଣୁ ୟୁପିଏସ୍‌ ଏକ ପାଣ୍ଠିଭିତ୍ତିକ ଯୋଜନା। ଏହି ଯୋଜନାରୁ ସମ୍ପୂର୍ଣ୍ଣ ସୁବିଧା ପାଇବା ପାଇଁ ଜଣେ କର୍ମଚାରୀଙ୍କୁ ଆଇସିର ସମସ୍ତ ଜମାରାଶି ପିସିକୁ ହସ୍ତାନ୍ତର କରିବାକୁ ହେବ। ଚାକିରିକାଳ ଭିତରେ ଯଦି ଆଂଶିକ ଉଠାଣ ହୋଇଥାଏ, ଏହି ଯୋଜନାରୁ ପୂରା ଲାଭ ଉଠେଇବାକୁ ତାକୁ ଭରଣା କରିବାକୁ ହେବ। ଆଂଶିକ ଉଠାଣ କିମ୍ବା ନିୟମିତ ଦେୟରେ ଖିଲାପ ହୋଇଥିଲେ ପିଏଫ୍‌ଆର୍‌ଡିଏ ଏକ ବେଞ୍ଚମାର୍କ କର୍ପସ (ବିସି) ନିର୍ଦ୍ଧାରଣ କରିବେ। ଆଇସି ଯଦି ନିର୍ଦ୍ଧାରିତ ପରିମାଣରୁ ଅଧିକ ହୋଇଥାଏ, ତେବେ ବଳକା ପରିମାଣ କର୍ମଚାରୀଙ୍କୁ ଫେରେଇ ଦିଆଯିବ। କିନ୍ତୁ ଯଦି କମ୍‌ ଥାଏ, ନିର୍ଦ୍ଧାରିତ ପ୍ରାପ୍ୟ ସମାନୁପାତିକ ହାରରେ କମିଯିବ। ଅଧିକନ୍ତୁ, ପୂର୍ଣ୍ଣ ପ୍ରାପ୍ୟ (ଅବସର ପୂର୍ବ ୧୨ ମାସର ହାରାହାରି ମୂଳ ଦରମାର ୫୦%) ପାଇଁ ସର୍ବନିମ୍ନ ୨୫ ବର୍ଷର ନିୟମିତ ଚାକିରି ଆବଶ୍ୟକ ଥିବାବେଳେ, ୨୫ ବର୍ଷରୁ କମ୍‌ ସମୟ ପାଇଁ ମଧ୍ୟ ପ୍ରାପ୍ୟ ସମାନୁପାତିକ ହେବ। ସର୍ବନିମ୍ନ ପ୍ରାପ୍ୟ ୧୦,୦୦୦ ଟଙ୍କା ପାଇଁ ଅତି କମ୍‌ରେ ୧୦ ବର୍ଷର ନିୟମିତ ଚାକିରି କାଳ ଆବଶ୍ୟକ। କିନ୍ତୁ ତାହା ଥାଇ ମଧ୍ୟ ଯଦି ଆଇସି, ବିସିଠାରୁ କମ୍‌ ହୋଇଯାଏ, ତେବେ ବି ସର୍ବନିମ୍ନ ପ୍ରାପ୍ୟ ଆନୁପାତିକ ଭାବେ ପ୍ରଦାନ କରାଯିବ। ଏହି ସବୁ ଜଟିଳ ସର୍ତ୍ତାବଳୀରୁ ସ୍ପଷ୍ଟ ଅନୁମେୟ ଯେ ୟୁପିଏସ୍‌ରେ କର୍ମଚାରୀକୁ ସ୍ଥିରୀକୃତ ପ୍ରାପ୍ୟ ମିଳିବାର ସମ୍ଭାବନା ଅତି କ୍ଷୀଣ।
ତୃତୀୟତଃ, ଏନ୍‌ପିଏସ୍‌ରେ କର୍ମଚାରୀର ଦେୟ ମୂଳ ଦରମା ଓ ମହଙ୍ଗା ଭତ୍ତାର ୧୦% ଥିବା ବେଳେ ନିଯୁକ୍ତି ଦାତାଙ୍କର ୧୪% ରହିଛି। ରାଜପତ୍ର ବିଜ୍ଞପ୍ତି ଅନୁଯାୟୀ ସରକାର ତାଙ୍କର ଦେୟ ପରିମାଣକୁ ୧୪%ରୁ ୧୮.୫%କୁ ବୃଦ୍ଧି କରିବେ। ଅର୍ଥାତ ମୋଟ ୨୮.୫%ରୁ ୨୦%କୁ ନେଇ ଆଇସି ଓ ୮.୫%ରେ ପିସିର ସୃଷ୍ଟି ହେବ ଏବଂ ଯୋଜନାଟି ଏପ୍ରିଲ ୨୦୨୫ରୁ ଲାଗୁ ହେବ। କିନ୍ତୁ ଦୁଃଖର ବିଷୟ ଯେ ସରକାରଙ୍କ ଏଇ ଦେୟ ବୃଦ୍ଧି ବାବଦକୁ ଫେବୃଆରୀ ୧, ୨୦୨୫ରେ ଆଗତ କେନ୍ଦ୍ରୀୟ ବଜେଟରେ କୌଣସି ପ୍ରାବଧାନ ନାହିଁ। ତେଣୁ ୟୁପିଏସ୍‌ର ଫଳପ୍ରଦ କାର୍ଯ୍ୟକାରିତାକୁ ନେଇ ସନ୍ଦେହ ଉପୁଜିବା ଅତି ସ୍ବାଭାବିକ।
ଏତଦ୍‌ବ୍ୟତୀତ, ସ୍ଥିରୀକୃତ ପ୍ରାପ୍ୟ ପ୍ରଦାନ ପାଇଁ ପ୍ରତିଶ୍ରୁତି ରଖୁଥିବା ୟୁପିଏସ୍‌ ଯୋଜନାରେ କମ୍ୟୁଟେସନ ତଥା ପରବର୍ତ୍ତୀ ସମୟରେ ପ୍ରାପ୍ୟ ବୃଦ୍ଧିର କିମ୍ବା ସଂଶୋଧନର ପ୍ରାବଧାନ ନାହିଁ। ସେହିଭଳି, ତଥାକଥିତ ସ୍ଥିରୀକୃତ ପାରିବାରିକ ପ୍ରାପ୍ୟ କେବଳ ମୃତ କର୍ମଚାରୀର ସ୍ତ୍ରୀ ଅଥବା ସ୍ବାମୀଙ୍କ ଭିତରେ ସୀମିତ ରହିଛି। କର୍ମଚାରୀ ହିତରେ ଏନ୍‌ପିଏସ୍‌ରେ ଉନ୍ନତି ଆଣିବାର ପ୍ରତିଶ୍ରୁତି ଦେଇ କେନ୍ଦ୍ର ସରକାର ଏପ୍ରିଲ ୨୦୨୩ରେ ପେନ୍‌ସନ କମିଟି ବସେଇ ଥିଲେ। ହେଲେ ୟୁପିଏସ୍‌ ନାମରେ ଏକ ଇଚ୍ଛାଧୀନ ପ୍ରସଙ୍ଗକୁ କର୍ମଚାରୀଙ୍କ ପାଖରେ ଉପସ୍ଥାପିତ କରି ସରକାର ପେନ୍‌ସନ ସମସ୍ୟାକୁ ଅଧିକ ଜଟିଳ ଓ ସନ୍ଦେହଜନକ ପରିସ୍ଥିତି ଭିତରକୁ ଠେଲି ଦେଇଛନ୍ତି।
ଶେଷରେ ମୁଖ୍ୟ କଥାଟି ହେଲା, ୨୪ ଅଗଷ୍ଟ ୨୦୨୪ର ପ୍ରେସ ଇସ୍ତାହାର ଅନୁଯାୟୀ ୟୁପିଏସ୍‌ ସୁନିଶ୍ଚିତ ପେନ୍‌ସନ, ସୁନିଶ୍ଚିତ ପାରିବାରିକ ପେନ୍‌ସନ ଓ ସୁନିଶ୍ଚିତ ସର୍ବନିମ୍ନ ପେନ୍‌ସନ କଥା କୁହାଯାଇଥିବା ବେଳେ, ୨୫ ଜାନୁଆରୀ ୨୦୨୫ର ରାଜପତ୍ର ବିଜ୍ଞପ୍ତି ପେନ୍‌ସନ ବଦଳରେ ପେଆଉଟ ଶବ୍ଦ ବ୍ୟବହାର କରି ଏକ ଭିନ୍ନ ଦିଗକୁ ସୂଚିତ କରୁଛି। ଅର୍ଥାତ୍‌ ୟୁପିଏସ୍‌ର ପ୍ରଚଳନ ଦ୍ୱାରା ପେନ୍‌ସନ ବ୍ୟବସ୍ଥା ଉଚ୍ଛେଦ ହୋଇ ପେଆଉଟ ବ୍ୟବସ୍ଥାର ଅୟମାରମ୍ଭ ହେଲା ବୋଲି ବୁଝିବାକୁ ହେବ। ଏବେ ଆଉ ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନେ ପେନ୍‌ସନଭୋଗୀ ନ ହୋଇ ଅନ୍ୟ କୌଣସି ନାମରେ ହୁଏତ ପରିଚିତ ହେବେ ଯାହାଦ୍ୱାରା ଭବିଷ୍ୟତରେ ଏକ ଭିନ୍ନ ସର୍ତ୍ତାବଳୀର ଅନ୍ତର୍ଭୁକ୍ତ ହୋଇ ସେମାନେ ସରକାରଙ୍କଠାରୁ ପେନ୍‌ସନ ଓ ତତ୍‌ସଂକ୍ରାନ୍ତୀୟ ଲାଭସମୂହ ପାଇବା ପାଇଁ ଦାବି କରିବାର କ୍ଷମତା ହରେଇ ବସିବେ।
ଏହି ପରିପ୍ରେକ୍ଷୀରେ ଭାରତୀୟ ଡାକ ବିଭାଗର ଏକ୍ସଟ୍ରା ଡିପାର୍ଟମେଣ୍ଟାଲ ଏଜେଣ୍ଟ (ଅତିରିକ୍ତ ବିଭାଗୀୟ କର୍ମଚାରୀ) ବା ଇଡିଏ(ଯେଉଁମାନେ ଏବେ ଗ୍ରାମୀଣ ଡାକ ସେବକ ଭାବେ ପରିଚିତ)ଙ୍କ କଥା ଟିକେ ଆଲୋଚନା କରିବା ଯୁକ୍ତିସଙ୍ଗତ ମନେହୁଏ। କେନ୍ଦ୍ର ସରକାରଙ୍କ ଅଧୀନରେ ସିଧାସଳଖ କାମକରି ମଧ୍ୟ ଏମାନେ ନିୟମିତ କେନ୍ଦ୍ର ସରକାରୀ କର୍ମଚାରୀର ମାନ୍ୟତା ପାଇଲେ ନାହିଁ କି ପେନ୍‌ସନ ଭଳି ସୁବିଧା ସୁଯୋଗରୁ ବଞ୍ଚିତ ହେଲେ ମଧ୍ୟ। ଅପରପକ୍ଷେ, ଏମାନଙ୍କୁ କେନ୍ଦ୍ର ସରକାରୀ କର୍ମଚାରୀ ଭାବେ ବିଚାର କରି ରାଜ୍ୟ ସରକାର ରାଶନ କାର୍ଡ, ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ, ଆବାସ ଯୋଜନା ଭଳି ବିଭିନ୍ନ କଲ୍ୟାଣକାରୀ ଯୋଜନାରୁ ଦୂରେଇ ରଖୁଛନ୍ତି। ଶବ୍ଦଟିଏ ବଦଳିଲେ ଗୋଟେ କର୍ମଚାରୀର ଭାଗ୍ୟ କେମିତି ବଦଳିଯାଏ, ଗ୍ରାମୀଣ ଡାକ ସେବକମାନେ ତା’ର ନିଚ୍ଛକ ଉଦାହରଣ। ତେଣୁ ପେନ୍‌ସନରୁ ପେଆଉଟର ଯାତ୍ରା ପ୍ରାରମ୍ଭିକ ପର୍ଯ୍ୟାୟରେ ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀ ଓ ପରବର୍ତ୍ତୀ ସମୟରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ପେନ୍‌ସନକୁ ଯେ ସମୂଳେ ବିନାଶ ନ କରିବ, ଏକଥା କିଏ କହିବ।
ମୋ: ୯୪୩୭୦୨୨୬୬୯


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କାଶ୍ମୀରର ବଡ଼ ଆତଙ୍କବାଦୀ ଆକ୍ରମଣ: ଶହୀଦ ହୋଇଗଲେ…

ଶ୍ରୀନଗର,୨୨।୭: ଜମ୍ମୁ ଓ କାଶ୍ମୀରର ଅନନ୍ତନାଗରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ ଚୌକ ନିକଟରେ ଆତଙ୍କବାଦୀ ଆକ୍ରମଣରେ ଜଣେ କନଷ୍ଟେବଳ ଶହୀଦ ହୋଇଛନ୍ତି। ଆକ୍ରମଣକାରୀ…

ଦିଲ୍ଲୀରୁ ଆସି ବିସ୍ଫୋରକ ବୟାନ ଦେଲେ ନବୀନ: ସବୁଠି ଚାଲିଲା ଚର୍ଚ୍ଚା

ଭୁବନେଶ୍ୱର, ୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ପୁଣିଥରେ ଦୋହରାଇଛନ୍ତି ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

୬୩ ବର୍ଷ ବୟସରେ ୪୫ ବର୍ଷର ପୂରୁଣା ସ୍ବପ୍ନ ପୂରଣ କଲେ ସୁଶୀଳା ଦେବୀ

ଚଣ୍ଡିଗଡ,୨୨।୭:ଶିକ୍ଷା ପାଇଁ କୌଣସି ବୟସ ସୀମା ନାହିଁ ବୋଲି ଆପଣ ହୁଏତ ଏହି କଥାଟି ଶୁଣିଥିବେ। ହରିୟାଣାର ଜଣେ ୬୩ ବର୍ଷୀୟା ଜେଜେମା ଏହାକୁ ସତ୍ୟ ପ୍ରମାଣିତ…

କେତେ ଟଙ୍କାର ମାଲିକ ଧର୍ମେନ୍ଦ୍ର ପ୍ରଧାନ? ମୋଟ ସମ୍ପତ୍ତି ଜାଣିଲେ…

ନୂଆଦିଲ୍ଲୀ,୨୨ା୭: ଦେଶବ୍ୟାପୀ ଛାତ୍ର ପ୍ରତିବାଦ ଜାରି ରହିଛି। ଛାତ୍ରମାନେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ପଦବୀରୁ ଇସ୍ତଫା ଦେବାକୁ ଦାବି କରୁଛନ୍ତି। ତେବେ ଏହାରି…

CJPକୁ ନବୀନଙ୍କ ସମର୍ଥନ ନେଇ ବର୍ଷିଲେ ଭର୍ତ୍ତୃହରି, କହିଲେ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ…

ଭୁବନେଶ୍ୱର,୨୨ା୭: ସିଜେପିକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମର୍ଥନ ମନ୍ତବ୍ୟକୁ ନାପସନ୍ଦ କରିଛି ଭାଜପା। ଏକ ପ୍ରେସମିଟ୍‌ କରି କଡ଼ା ଜବାବ ଦେଇଛନ୍ତି ଭାଜପାର ବରିଷ୍ଠ ଏମ୍‌ପି…

ପଞ୍ଚସଖା ସ୍ମୃତି ପାଠାଗାର ଅସୁରକ୍ଷିତ: ଉପରୁ ଖସିଲା ସିଲିଂ, କର୍ମଚାରୀ କହିଲେ…

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ଅଞ୍ଚଳର ଏକମାତ୍ର ପୁରାତନ ସରକାରୀ ପାଠାଗାର ପଞ୍ଚସଖା ସ୍ମୃତି ପାଠାଗାରରେ ଦୀର୍ଘଦିନ ହେଲା ଦୁରାବସ୍ଥା ଲାଗିରହିଛି। ମଙ୍ଗଳବାର ଲଗାଣ ବର୍ଷାରେ…

ମହାକାଳଙ୍କ ଶରଣରେ କାର୍ତ୍ତିକ

ମୁମ୍ବାଇ:ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟ୍ୟନ୍‌ଙ୍କୁ ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚନ୍ଦୁ ଚାମ୍ପିୟନ’(୨୦୨୪) ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହା ତାଙ୍କର ପ୍ରଥମ ଜାତୀୟ ପୁରସ୍କାର।…

ଶରଦ ପାଓ୍ବାରଙ୍କ ହାତ ଧରି ଆଣିଲେ ମୋଦି: ରାଜନୀତିରେ ବଡ଼ ହଲହଲ

ନୂଆଦିଲ୍ଲୀ,୨୨।୭: ଜନ୍ତରମନ୍ତରରେ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ଏବଂ ପ୍ରତିବାଦ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ ବୁଧବାର ସଂସଦ ଭବନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri