ମରିବାକୁ ଥିଲା ବହୁ ବାଟ…

ରଞ୍ଜନ କୁମାର ଦାସ

 

କଥାରେ ଅଛି ଏମିତି ବୋଧହୁଏ କବି କେହି ନାହିଁ ଯାହା ଜୀବନରେ ଦୁଃଖ ନାହିଁ। ଏଠି କବି କହିଲେ କେବଳ କବିତା ଲେଖୁଥିବା ଲୋକଙ୍କୁ ବୁଝାଏ ନାହିଁ। ଯିଏ କବିତା ପଢ଼େ ସେ ବି କବି। ଶୁଣିଶୁଣି ଯିଏ ତା’ର ଭାବରେ ତଲ୍ଲୀନ ହୁଏ ସେ ବି କବି। ଏପରିକି ଯିଏ ଗଳ୍ପ ଲେଖେ, ଉପନ୍ୟାସ ଲେଖେ, ଗୀତ ଲେଖେ, ଗୀତ ଗାଏ, ଚିତ୍ର କରେ, ନୃତ୍ୟ କରେ ସମସ୍ତେ ହୃଦୟରେ ଜଣେ ଜଣେ କବି। ସେମାନଙ୍କ ଜୀବନର ଭୌତିକ ଓ ମାନସିକ ଅଭାବବୋଧ ତାଙ୍କୁ ସୃଜନଶୀଳତାର ହାତ ଧରାଏ। ଏ ପୃଥିବୀରେ ସମସ୍ତେ ଚାହାନ୍ତି ତା’ ଚାରିପଟର ପୃଥିବୀଟି ସୁନ୍ଦର ହେଉ। ଯାହା କିଛି ସମ୍ପର୍କ ଏ ପୃଥିବୀରେ ଅଛି ସବୁ ସୁନ୍ଦର ଓ କମନୀୟ ହୋଇଥାଉ। କୋଉଥିରେ କେମିତି ଊଣା ଲାଗିଲେ କି ଖୁଣ ଦେଖିଲେ କବି ହେଉ ବା କଳାକାର ସେଇ ଅଭାବ ଟିକକ ପୂରଣ କରିବାକୁ ସେ ଅଣ୍ଟାଭିଡ଼େ। ତା’ଛଡ଼ା ଅନେକ ସୃଜନଶୀଳ ବ୍ୟକ୍ତିଙ୍କ ଅତୀତଟି ଅନେକାଂଶରେ ଦୁଃଖମୟ, କଷ୍ଟଦାୟକ ଓ ସଂଘର୍ଷପୂର୍ଣ୍ଣ ହୋଇଥାଏ, ଯାହାର ବୟାନ କରିବାକୁ ସେମାନେ କଲମ, ନିହାଣ ବା ତୂଳୀ ଧରିଥାନ୍ତି। ନିଜ କଣ୍ଠରେ ବି ତା’ର ବୟାନ କରିଥାନ୍ତି। ଭୀମ ଭୋଇ ଦୃଷ୍ଟିବାଧିତ ହୋଇ ନ ଥିଲେ ବା ସାଲବେଗ ପତିତ ହୋଇ ନ ଥିଲେ ତାଙ୍କ କବିତାରେ ଯେତିକି ବେଦନା ଅଛି ବୋଧହୁଏ ସେତିକିି ଆସିପାରି ନ ଥାଆନ୍ତା। ବ୍ୟକ୍ତିଗତ ଜୀବନର ଦୁଃଖ, ଦୈନ୍ୟ, ନିରାଶା, ସାଧାରଣ ମଣିଷକୁ କବି ବନେଇବାର ଏଇଭଳି ରାଶିରାଶି ଉଦାହରଣ ଅଛି। ପରିସ୍ଥିତି ଅନେକଙ୍କୁ କବି କରେ।
ମାତ୍ର ଏମିତି ବି ଅନେକେ ଅଛନ୍ତି, ଯେଉଁମାନେ ନିଜର ପନ୍ଥା ନିଜେ ନିର୍ଦ୍ଧାରଣ କରିଥାନ୍ତି। ପରିସ୍ଥିତି ଅପେକ୍ଷା ତାଙ୍କ ପ୍ରବୃତ୍ତି ତାଙ୍କୁ କବି ବନାଏ। ଏମାନେ ନିଜେ କଷ୍ଟ ଭୋଗି ନ ଥିଲେ ବି, ଦୁଃଖ ଯାତନାର ସାମ୍ନା କରି ନ ଥିଲେ ବି ଅନ୍ୟର ଦୁଃଖ ଯାତନା ଦେଖି ଏମାନେ ସହିପାରି ନ ଥାଆନ୍ତି। ସୃଷ୍ଟିରେ ସୁନ୍ଦର ଜିନିଷଟିଏ ଦେଖିଲେ ତା’ର ପ୍ରଶଂସାରେ ଶତମୁଖ ନ ହୋଇ ଏମାନେ ରହିପାରନ୍ତି ନାହିଁ। ତାଙ୍କ କଲମରୁ କାଳି ଝରିଆସେ, କଣ୍ଠରୁ ଝରିଆସେ ମନ୍ଦ୍ରମଧୁର ସଙ୍ଗୀତ, ତାଙ୍କ ତୂଳୀରେ ଉତୁରିଆସେ ମନୋମୁଗ୍ଧକର ଚିତ୍ରକଳା। କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର କ’ଣ ବା ଅଭାବ ଥିଲା? କ’ଣ ଅଭାବ ଥିଲା ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କର? କି ଅଭାବବୋଧ ବ୍ୟସ୍ତ କରୁଥିଲା ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କୁ କି ଅବା ରାଜା ରବି ବର୍ମାଙ୍କୁ। କାହିଁକି ପୁଣି ରାଜସିଂହାସନର ମୋହ ତ୍ୟାଗକରି ସନ୍ନ୍ୟାସର ପଥ କରିନେଇଥିଲେ ଶାକ୍ୟମୁନି ଗୌତମବୁଦ୍ଧ? ଈଶ୍ୱର ଏ ସମସ୍ତଙ୍କୁ ତ ଖୁବ୍‌ ନିରୁପଦ୍ରବ, ଆରାମଦାୟକ ଜୀବନର ସବୁ ଉପାଦାନ ଖଞ୍ଜିହୋଇ ରହିଥିବା ଏକ ଜୀବନ ଦେଇଥିଲେ। ମାତ୍ର ଗୌତମଙ୍କୁ ବ୍ୟଥିତ କଲା ଅନ୍ୟ ମଣିଷର ରୋଗ, ଶୋକ, ଦୁଃଖ, ଯାତନା ଓ ମରଣ। ଜୀବନ ତାଙ୍କର କୁଚ୍ଛ୍ର ସାଧନାରେ ପରିଣତ ହୋଇଗଲା। ରାଜା ହେବାର ଅଭିଳାଷଠୁ କବି ହେବାର ଅଭିଳାଷ, ଉପେନ୍ଦ୍ର ଭଞ୍ଜ ଓ ଅଭିମନ୍ୟୁଙ୍କ ଜୀବନକୁ କରିଦେଲା ସୃଜନମୁଖର। ଧନର ପ୍ରାଚୁର୍ଯ୍ୟଠୁ ମୁହଁ ବୁଲେଇଆଣି ସେମାନେ ମନର ପ୍ରାଚୁର୍ଯ୍ୟକୁ ନେଇ ନୂଆ ଏକ ସାମ୍ରାଜ୍ୟ ଗଢ଼ିଲେ, ଯାହା ଚିର ଅମଳିନ ହୋଇ ରହିଗଲା।
ଉପରୋକ୍ତ ଦୁଇଟି ବର୍ଗ ମଧ୍ୟରୁ ପ୍ରଥମଟି ଦୁଃଖ ଭୋଗିଭୋଗି କବି ହୋଇଗଲେ, ଦ୍ୱିତୀୟ ବର୍ଗଟି କବି ହେଉ ହେଉ ଜୀବନସାରା ଦୁଃଖ ଦୈନ୍ୟ ଭୋଗିଲେ। ଅନେକେ ଏଭଳି କବି ଓ ଲେଖକ ଅଛନ୍ତି ଯେଉଁମାନେ ରାଜଦରବାରରେ, ସମାଜରେ ଅବହେଳିତ, ଲାଞ୍ଛିତ ହୋଇଛନ୍ତି। ଜୀବନସାରା ଦୀପ ପରି ଜଳିଜଳି ଅନ୍ୟକୁ ଆଲୋକିତ କରିଛନ୍ତି ଅଥଚ ନିଜେ ଘୋର ଅନ୍ଧାର ଭିତରେ ବିତେଇଛନ୍ତି ନିଜ ଜୀବନ। ଅକ୍ଷୟ ମହାନ୍ତିଙ୍କର ଗୋଟେ ବହୁ ପୁରୁଣା ଗୀତ ମନେପଡ଼େ ଯାହାର ମର୍ମ ଥିଲା ”ମରିବାକୁ ଥିଲା ବହୁ ବାଟ, ହେଲେ କାହିଁକି ମଁୁ ଭଲପାଇଲି; ଦୁଃଖ ଭୁଲିବାକୁ ଲୁହ ନ ଢାଳି ମଁୁ କାହିଁକି ବା ଗୀତ ଗାଇଲି?“ ଗୀତଟି ଦିନେ ମତେ ବହୁତ ବ୍ୟତିବ୍ୟସ୍ତ କଲା। ଜୀବନସାରା ଗୀତ ଗାଇଗାଇ ସତରେ ସେ ପାଇଲେ କ’ଣ? ଗୀତ ପାଇଁ ଚାକିରି ଛାଡ଼ିଲେ ଅଥଚ ଗୀତରୁ ବି କୋଉ ବିପୁଳ ଅର୍ଥ ପାଇଲେ? ଓଡ଼ିଆ ଗୀତକୁ ନୂଆ ଏକ ଦିଗ ଦେଲେ, ହେଲେ ତାଙ୍କ ଆଧୁନିକତାର ସ୍ପର୍ଶକୁ ତତ୍କାଳୀନ ସମାଜ ବୁଝିବାକୁ ଅନେକ ସମୟ ନେଲା। ତାଙ୍କ ଚରିତ୍ରର ହନନ କରିବାରେ କିଛିଲୋକ ମଜା ନେଲେ। ସତରେ ଯଦି ଖାଲି ଦୁଃଖ ଭୁଲିବାର ଥିଲା, ସେ ଗୀତ ନ ଗାଇ ମହାନଦୀ, କାଠଯୋଡ଼ି କୂଳରେ ବସି ଲଚକମଣି ଗୁଡ଼ି ଉଡ଼େଇ ପାରିଥାନ୍ତେ, ରଜାଝିଅର ପ୍ରେମରେ ପଡ଼ିପାରିଥାନ୍ତେ, ଚିତ୍ରଲେଖାର ଓଠରେ ଚନ୍ଦ୍ରମଲ୍ଲୀର ହସ ଦେଖି ବିଭୋର ହୋଇପାରିଥାନ୍ତେ ଭରାଭରା ଜହ୍ନରାତିରେ। ହେଲେ ସେ ଗୀତ ଗାଇବେ ବୋଲି ସବୁକିଛି ପଛରେ ଛାଡ଼ିଦେଇ ଚାଲିଆସିଲେ ଅମଡ଼ା ବାଟରେ।
ଖାଲି ଅକ୍ଷୟ ମହାନ୍ତି ନୁହନ୍ତି, ଏମିତି ଅନେକ ପ୍ରତିଭାବାନ୍‌ କବି, ଲେଖକ, ଚିତ୍ରକର, ସ୍ଥପତି ଓ ସଙ୍ଗୀତଜ୍ଞ ଜୀବନବ୍ୟାପୀ ସାଧନା ସତ୍ତ୍ୱେ ଈର୍ଷା, ଅସୂୟା, ନିନ୍ଦା ବ୍ୟତୀତ ଆଉ ବିଶେଷକିଛି ପାଆନ୍ତି ନାହିଁ। ସମସାମୟିକ ସମୟ ତାଙ୍କୁ ବୁଝେନାହିଁ। ପରବର୍ତ୍ତୀ ସମୟ ତାଙ୍କୁ ମନେ ରଖେନାହିଁ। ଖାଲି ବୁଝି ନ ଥିଲେ କିଛି କଥା ନ ଥିଲା, ବରଂ ସମସାମୟିକ ସମୟ ତାଙ୍କ ବିଷୟରେ ଅପପ୍ରଚାର କରେ, ତାଙ୍କର ନିନ୍ଦା ଗାନ କରେ, ତାଙ୍କୁ ଢେଲା ମାଡ଼ କରେ, ତାଙ୍କ ବହିକୁ ରାଜରାସ୍ତାରେ ଜଳାଏ, ତାଙ୍କ ସିନେମା ବା ସଙ୍ଗୀତକୁ ବିରୋଧ କରାଯାଏ। ବିଚରା ସାଧକଟି ନିଜକୁ ପ୍ରଶ୍ନ କରେ, କ’ଣ ମଁୁ ଭୁଲ୍‌ କରିଥିଲି ଯେ ଏ ଦଣ୍ଡସବୁ ମିଳିଲା? ଭଲ ହୋଇଥାନ୍ତା ବରଂ ଛୋଟ ହେଉପଛେ ଚାକିରିଟେ କି ଦୋକାନଟେ କରି ବସିଥାନ୍ତି। କ’ଣ ମିଳିଲା ଏ ଗୀତ ଗାଇ, ଚିତ୍ରକରି ଓ କବିତା ଲେଖି? ଜୀବନ ଯେତିକି ଦୁର୍ବିଷହ ଥିଲା, ତା’ଠାରୁ ତ ଆହୁରି ଦୁର୍ବିଷହ ପାଲଟିଗଲା। କଳା କେବଳ କଳଙ୍କ ଦେଲା ସିନା! ଦୁଃଖ ଭୁଲେଇବ କ’ଣ ଆହୁରି ଦୁଃଖ ଦେଲା।
କବି, ଲେଖକ ଅନ୍ୟର ଦୁଃଖ ଦେଖିପାରେନା, ସହିପାରେନା ବୋଲି ଅନେକ ସମୟରେ ନିଜେ ନ ଭୋଗି ମଧ୍ୟ ଅନ୍ୟର ଦୁଃଖରେ ସମଦୁଃଖୀ ହୋଇ ଅନ୍ୟକୁ ସାନ୍ତ୍ୱନା ଦେବାକୁ ଲେଖେ। କଣ୍ଠଶିଳ୍ପୀ ତା’ର ସ୍ବରରେ ଅନ୍ୟକୁ ସମବେଦନା ଜଣାଇ ଗୀତ ମଧ୍ୟ ଗାଏ। ମାତ୍ର କବି, ଲେଖକ, କଳାକାରଙ୍କୁ ତାଙ୍କ ଦୁଃଖରେ ସମବେଦନା ଜଣାଇବାକୁ କେହି ନ ଥା’ନ୍ତି। ବରଂ ତା’ର କଟା ଘା’ରେ ଲୁଣ ଦେବାକୁ ଲୋକ ଥାଆନ୍ତି। ତାକୁ କଷ୍ଟଦେବାକୁ ଲୋକ ଥାଆନ୍ତି। ତାକୁ ଏମିତି ବ୍ୟବହାର କରାଯାଏ ଯେମିତି ସେ ଜୀବନସାରା କିଛି ପାପ କରୁଥିଲା। ତା’ର ଅସୁମାରି ସାଧନାର ମୂଲ୍ୟ ମିଳେନା। ଶେଷରେ ତାକୁ ଲାଗେ ସତରେ କ’ଣ ମଁୁ ଏକ ଅନ୍ଧରାଇଜକୁ ଦର୍ପଣ ବିକିବାକୁ ଆସିଥିଲି? ଜହ୍ଲାଦକୁ ଗୋଦାନ ଦେବାର ସ୍ପର୍ଦ୍ଧା କରିଥିଲି? ସବୁଠୁ ବଡ଼କଥା ହେଲା ପରଲୋକ ମାରିଲେ ମାଡ଼ କାଟେନି, ହେଲେ ନିଜ ଲୋକମାନେ ଯେତେବେଳେ ମାରନ୍ତି ସେତେବେଳେ ବହୁତ କଷ୍ଟ ହୁଏ। ଭାଇ ଯେତେବେଳେ ଭଗାରି ହୁଏ ସବୁଠୁ ବେଶି ଦୁଃଖ ଆସେ। ଆଜିକାଲି କବି, ଲେଖକଙ୍କର ସବୁଠୁ ବଡ଼ ଶତ୍ରୁ ହେଲେ ସେଇ କବି ଓ ଲେଖକମାନେ। କେହି ଜଣେ ଯଦି ପୁରସ୍କାରଟିଏ ପାଉଛି ସାଧାରଣ ଲୋକଙ୍କ ଅପେକ୍ଷା କବି ଓ ଲେଖକମାନେ ଯେଉଁମାନେ ତାଙ୍କ ସୁହୃଦୟ ହେବାକଥା ସେଇମାନେ ହିଁ ତା’ ପଛରେ ପଡ଼ିଯାଉଛନ୍ତି। ସାମାଜିକ ଗଣମାଧ୍ୟମରେ ଆରମ୍ଭ ହୋଇଯାଉଛି ତାଙ୍କ ବିରୋଧରେ କୁତ୍ସାରଟନା, ଈର୍ଷା, ଅସୂୟା ଓ ପରଶ୍ରୀକାତରତାର ନିଦର୍ଶନସ୍ବରୂପ ନାନାଦି ଅପଶବ୍ଦର ପ୍ରୟୋଗ। ଛିଃ କରିଦେବାକୁ ଇଚ୍ଛାହୁଏ ସେତେବେଳେ। ମନକୁ ପ୍ରଶ୍ନଟିଏ ଆସେ ଏଇଆ କ’ଣ ସତରେ ”ସହିତ ରହିବାର ଭାବ: ସାହିତ୍ୟ“?
ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ଶାସନ ସଚିବ,
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri