‘ଚମତ୍କାର’ ବୋଲି କିଛି ଅଛି

ଅଧ୍ୟାପକ ନିରଞ୍ଜନ ପାଢ଼ୀ

 

ଆଠ ବର୍ଷର କଅଁଳ କଳିକା ଝିଅଟିଏ। ଗୋଟିଏ ଛୋଟ ମୁଣିରେ ଚାଳିଶ ଟଙ୍କାର ଖୁଚୁରା ଧରି ସହରର ଗୋଟିଏ ଔଷଧ ଦୋକାନରୁ ଅନ୍ୟ ଦୋକାନ ବୁଲି ଏମିତି ଏକ ଔଷଧ ଖୋଜୁଛି ଯେ, ଯାହା କେଉଁଠି ବି ଉପଲବ୍ଧ ହେଉ ନାହିଁ। ତଥାପି ସେ ଆଶା ହରାଉନାହିଁ। ତା’ ଟିକି ଆଖି ଦିଓଟିରେ ଭରି ରହିଛି ମେଞ୍ଚାଏ ଆଶା, କେଉଁଠି ନା କେଉଁଠି ତା’ ଈପ୍‌ସିତ ଔଷଧଟି ନିଶ୍ଚୟ ମିଳିଯିବ, ଯାହାକୁ ନେଇ ସେ ତା’ ମା’କୁ ଦେବ ଏବଂ ସେଇ ଔଷଧ ସେବନ କରି ତା’ ମା’ ରୋଗମୁକ୍ତ ହୋଇଯିବେ। କଥା ହେଉଛି, ଦୀର୍ଘଦିନ ଧରି ଏକ ଦୁଃସାଧ୍ୟ ରୋଗରେ ପୀଡ଼ିତା ତା’ ରୁଗ୍‌ଣା ମା’ଙ୍କ ସକଳ ଚିକିତ୍ସା ବିଫଳ ହେଲାପରେ ଡାକ୍ତର କହି ଦେଇଛନ୍ତି, ଆଉ କିଛି କରିବାର ନାହିଁ। ଏଣିକି କେବଳ କୌଣସି ‘ମିରାକଲ୍‌’ ହିଁ ତାଙ୍କୁ ସୁସ୍ଥ କରିପାରେ। ବାସ୍‌, ଡାକ୍ତରଙ୍କ ଏଇ କଥା ପଦକ ତା’ କାନରେ ପଡ଼ିଲା କ୍ଷଣି ନିଜ ସ୍ବଳ୍ପ ଜୀବନର ସମସ୍ତ ସଞ୍ଚୟକୁ ଧରି ସେ ‘ମିରାକଲ୍‌’ କିଣିବାକୁ ଏ ଦୋକାନରୁ ସେ ଦୋକାନକୁ ଘୂରି ବୁଲୁଛି। ଟିକି ଝିଅଟିର ଏହି ବିଚିତ୍ର ଔଷଧଟିର ନାମ ଶୁଣି ସବୁ ଦୋକାନୀଙ୍କଠୁ ମିଳୁଥିଲା ହାଲୁକା ହସ ସହ କୌତୂହଳମିଶା ନିଷ୍ପ୍ରାଣ ପ୍ରତିବେଦନ। ଝିଅଟି ନିରାଶ ହେଉଥିଲା ସିନା, ଅଟକିଯାଉ ନ ଥିଲା।
ଏମିତି ଯାଉ ଯାଉ ଗୋଟିଏ ଦୋକାନରେ ‘ଏଠି ମିରାକଲ୍‌ ମିଳିବ କି’ ବୋଲି ତା’ର ସେଇ ପ୍ରଶ୍ନଟି ପଚାରି ଦୋକାନୀଙ୍କଠୁ ଉତ୍ତର ଅପେକ୍ଷା କରୁଥିଲାବେଳେ ଦୋକାନରୁ ଔଷଧ କିଣୁଥିବା ଜଣେ ଗ୍ରାହକ ତା’ ଆଡ଼କୁ ଚାହିଁଲେ ଓ ମିରାକଲ୍‌ କାହିଁକି ଦରକାର କରୁଛ ବୋଲି ପଚାରିଦେଲେ। ଝିଅଟି ସବୁକଥା କହିଗଲା। ମୁମୂର୍ଷୁ ମା’ଙ୍କୁ ରୋଗମୁକ୍ତ କରିବାକୁ କେବଳ ମିରାକଲ୍‌ କାମରେ ଆସିବ ବୋଲି ଡାକ୍ତର କହିଥିବା ଜଣାଇଲା। କୁନି ଝିଅଟିର ମାତୃପ୍ରୀତି ସହ ତା’ର ସରଳତାରେ ମୁଗ୍‌ଧ ହୋଇଥିବା ସେଇ ଗ୍ରାହକ ଜଣକ ଥିଲେ ରାଜ୍ୟର ଏକ ପ୍ରତିଷ୍ଠିତ ମେଡିକାଲ କଜେଲର ମେଡିସିନ୍‌ ବିଭାଗର ପ୍ରଫେସର, ଯିଏ ସେଇ ଛୋଟ ସହରଟିରେ ଥିବା ତାଙ୍କ ଭଉଣୀ ଘରକୁ ଆସିଥିଲେ ଓ ଗୋଟିଏ ଔଷଧ କିଣିବାକୁ ସେଇ ସମୟରେ ଉକ୍ତ ଦୋକାନକୁ ଆସିଥିଲେ। କହିବା ଲୋଡ଼ାନାହିଁ ଝିଅଟି ସହ ତାଙ୍କ ଘରକୁ ଯାଇ ତା’ ଅସୁସ୍ଥ ମା’ର ଚିକିତ୍ସା ଦାୟିତ୍ୱ ନିଜ ହାତକୁ ନେଇଥିଲେ ସେଇ ପରାର୍ଥପ୍ରାଣ ପ୍ରଫେସର ମହୋଦୟ ଓ କିଛିଦିନର ଚିକିତ୍ସା ପରେ ଝିଅଟିର ମା’ ସମ୍ପୂର୍ଣ୍ଣ ସୁସ୍ଥ ହେଲା ପରି ମିରାକଲ୍‌ ସଂଘଟିତ ହୋଇଥିଲା।
ମିରାକଲ୍‌ ବା ଚମତ୍କାର କିଛି ଦେଖି ଦେଖାଇଲା ଭଳି ଚିଜ ନୁହେଁ କି ପ୍ରମାଣିତ କଲା ଭଳି ଏକ ସିଦ୍ଧାନ୍ତ ନୁହେଁ। ଏହା ବିନା କୌଣସି ପ୍ରସ୍ତୁତିରେ ଅକସ୍ମାତ୍‌ ସଂଘଟିତ ହେଉଥିବା ଏକ ଦିବ୍ୟ ସଂଯୋଗ, ଯାହା ମଣିଷର ସୀମିତ ଜ୍ଞାନ ବଳୟ ମଧ୍ୟରେ ନିର୍ଦ୍ଧାରିତ ଅବା ନିୟନ୍ତ୍ରିତ ହୁଏ ନାହିଁ। ମଣିଷର ସକଳ ସାମର୍ଥ୍ୟ ଯେଉଁଠି ଶେଷ ହୋଇ ଯାଇଥାଏ, ତା’ର ଜ୍ଞାନ, ବିଜ୍ଞାନ, ବିଦ୍ୟା, ବୌଦ୍ଧିକତା ବା ବିପୁଳ ଧନ ସାଙ୍ଗକୁ ଅପରିମିତ କ୍ଷମତା ଯେଉଁଠି ଅସହାୟ ଭାବେ ହାର୍‌ ମାନିଥାଏ, ସେଠି ଅଚାନକ ମୁଣ୍ଡ ଟେକିଥିବା ଏକ ରହସ୍ୟମୟ ସଂଯୋଗର ନାମ ଚମତ୍କାରିତା। ଏଭଳି ଚମତ୍କାରକୁ ଅଦୃଶ୍ୟ ଈଶ୍ୱରଙ୍କ କୃପା ବୋଲି ମାନି ନେବାର ଯେମିତି କିଛି ଯୁକ୍ତିଯୁକ୍ତ କାରଣ ନାହିଁ, ଅବିଶ୍ୱାସ କରିବାର ମଧ୍ୟ ସେମିତି କିଛି ଯୁକ୍ତି ବି ନାହିଁ।
ଅଳ୍ପଦିନ ତଳେ ସମ୍ବଲପୁର ଜିଲାର ରେଙ୍ଗାଲି ନିକଟରେ ଏକ ପରିତ୍ୟକ୍ତ ବୋର୍‌ଓ୍ବେଲ ଭିତରକୁ ତା’ ସଦ୍ୟଜାତ ଶିଶୁକନ୍ୟାକୁ ନିକ୍ଷେପ କରିଥିଲା ଏକ ନିର୍ଦ୍ଦୟ ମା’। ଅବାଞ୍ଛିତ ଶିଶୁଟିକୁ ପ୍ରାୟ ଅଶୀଫୁଟ ଗଭୀର ଗର୍ତ୍ତ ମଧ୍ୟକୁ ଖସିବାକୁ ନ ଦେଇ ତାକୁ ଟେକି ଧରିଥିଲା ଭୂପୃଷ୍ଠରୁ ମାତ୍ର ତେର ଫୁଟ ଭିତରେ ଲଟକି ରହିଥିବା ଗୋଟିଏ ପରିତ୍ୟକ୍ତ ମଦ ବୋତଲ। ମଦ ବୋତଲରୁ ମଦତକ ନିଃଶେଷ କରି କେହି ମଦ୍ୟପ ମସ୍ତିରେ ଖାଲି ବୋତଲଟିକୁ ସେଇ ବୋରଓ୍ବେଲ ଭିତରକୁ ପକାଇ ଦେଇଥିଲା। ଅଥଚ ସେ କଳ୍ପନା ବି କରି ନ ଥିଲା ଯେ ସେଇ ମଦ ବୋତଲଟି ଗଭୀର ଗାତଟିର ଶେଷ ପର୍ଯ୍ୟନ୍ତ ନ ଯାଇ ଅଳ୍ପ ଦୂର ଅତିକ୍ରମ କରି ମଝିବାଟରେ ଲଟକି ରହିବ ଓ କିଛିଦିନ ପରେ ସେଇ ଗାତଟି ଭିତରକୁ ନିକ୍ଷିପ୍ତ ହୋଇଥିବା ଶିଶୁକନ୍ୟାକୁ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚାଇବା ପାଇଁ ବ୍ୟବହାରରେ ଆସିବ। ଶିଶୁଟିର ଶଯ୍ୟାଭାବେ ବୋତଲଟିର ଉପଯୋଗ ଭଳି ଅପୂର୍ବ ସଂଯୋଗର ନାମ ତ ଚମତ୍କାର! ତା’ ନ ହେଲେ ଶିଶୁଟି ଗାତର ଶେଷଯାଏଁ ଖସି ଖସି ଯାଇଥା’ନ୍ତା ଓ ତା’ କାନ୍ଦ ସେଇ ବାଟ ଦେଇ ଯାଉଥିବା ଜଣେ ବୁଢ଼ୀର କାନରେ ପଡ଼ି ନ ଥା’ନ୍ତା କି ପ୍ରଶାସନର ସହଯୋଗ ମଧ୍ୟରେ ଦୀର୍ଘ ଦଶଘଣ୍ଟା ପରେ ଉଦ୍ଧାର ହୋଇ ବୁର୍ଲା ଭିମ୍‌ସାରରେ ଚିକିତ୍ସିତ ହୋଇ ପୁନର୍ଜୀବନ ଲାଭ କରି ନ ଥା’ନ୍ତା। ଆନନ୍ଦର ବିଷୟ, ଶିଶୁଟି ସମ୍ପୂର୍ଣ୍ଣ ବିପଦମୁକ୍ତ ହୋଇ ଡାକ୍ତରଖାନାରେ ତା’ର ଏକୋଇଶା ପାଳନ କରିଛି ଓ ମୃତ୍ୟୁ ଉପରେ ବିଜୟ ଲାଭ କରି ବିଜୟିନୀ ନାମ ଗ୍ରହଣ କରିଛି।
ଆମେରିକାର ପ୍ରସିଦ୍ଧ ଭେଷଜ ବିଜ୍ଞାନୀ ଜର୍ଜ ଉଇଲସନ୍‌ ଟେକ୍‌ସାସ୍‌ର ଏକ ବିଶ୍ୱବିଦ୍ୟାଳୟରେ ଆୟୋଜିତ କର୍ମଶାଳାରେ ବକ୍ତୃତା ଦେବାକୁ ଏକ ଚାର୍ଟାର୍ଡ ଫ୍ଲାଇଟ୍‌ରେ ଯାଉଥିଲା ବେଳେ ଲକ୍ଷ୍ୟସ୍ଥଳରୁ ପଚାଶ କିମି ଦୂରରୁ ଅଚାନକ ଅସଜ ହୋଇଗଲା ତାଙ୍କ ବ୍ୟୋମଯାନ। ବ୍ୟୋମଯାନଟିକୁ ସଜ କରିବାକୁ ଅନୂ୍ୟନ ଦୁଇଘଣ୍ଟା ସମୟ ଲାଗିବ ବୋଲି ପାଇଲଟ୍‌ଙ୍କ ପାଖରୁ ଜାଣି ପୂର୍ବ ସ୍ଥିରୀକୃତ ନିର୍ଘଣ୍ଟରେ ପହଞ୍ଚତ୍ବା ପାଇଁ ସେ ଏକ କାର୍‌ ଭଡ଼ା କରି ସଡ଼କ ପଥରେ ଯିବାକୁ ପ୍ରସ୍ତୁତ ହୋଇଗଲେ। କିଛି ବାଟ ଯାଇଛନ୍ତି, ଏକ ଜଙ୍ଗଲ ପଥରେ ଅଚାନକ କାର୍‌ଟି ଅଚଳ ହୋଇଗଲା। ହଠାତ୍‌ ଆରମ୍ଭ ହୋଇଗଲା ଭୟଙ୍କର ବର୍ଷା ବିତ୍ପାତ ଓ ବଜ୍ରପାତ। ସମ୍ଭାବ୍ୟ ବିପଦ ଆଶଙ୍କାରେ ଉଇଲସନ୍‌ଙ୍କୁ ଧରି ନିକଟସ୍ଥ ଏକ ଘରେ ଆଶ୍ରୟ ନେଲା କାର୍‌ ଡ୍ରାଇଭର। ତୁହାକୁ ତୁହା ବର୍ଷା ସହ ଅବିରାମ ଗତିରେ ଚାଲିଥାଏ ବଜ୍ରପାତ। ନିମ୍ନତମ ସୌଜନ୍ୟ ପ୍ରଦର୍ଶନ କରି ଅତିଥିଦ୍ୱୟଙ୍କୁ ଚା’ ଦେଇ ସଂଖୋଳିଲେ ସେଇ ଘରର ଆଶ୍ରୟଦାତ୍ରୀ ମାଲିକାଣୀ। ଚା’ ପିଉ ପିଉ ଉଦାର ଗୃହକତ୍ତର୍‌ରୀଙ୍କ ସୌଜନ୍ୟରେ ମୁଗ୍‌ଧ ହୋଇ ଉଇଲ୍‌ସନ ତାଙ୍କ ପରିବାର ସମ୍ପର୍କରେ ପଚାରି ବୁଝିଲେ ଓ ଯାହା ଜାଣିଲେ ତହିଁରେ ଆଶ୍ଚର୍ଯ୍ୟ ଚକିତ ହୋଇ ରହିଗଲେ।
ନିଜ ଦୁର୍ଭାଗ୍ୟ ସମ୍ପର୍କରେ ବଖାଣି ଗୃହକତ୍ତର୍‌ରୀ ଦୁଃଖରେ କହୁଥିଲେ, ”ଦୁଇବର୍ଷ ତଳେ ଏକ ସଡ଼କ ଦୁର୍ଘଟଣାରେ ସ୍ବାମୀଙ୍କୁ ତ ହରାଇ ବସିଲି, ମାଆପୁଅ ଦୁହେଁ ବଞ୍ଚତ୍ଗଲୁ ଯେ ସେଦିନରୁ ଏଯାଏଁ ପକ୍ଷାଘାତଗ୍ରସ୍ତ ପୁଅର ବୋଝ ବୋହି ମୋତେ ବଞ୍ଚତ୍ବାକୁ ପଡୁଛି। ସେଇ ଦୁର୍ଘଟଣାରେ ପନ୍ଦର ବର୍ଷର ପୁଅ ମୋର ସ୍ନାୟୁଭେଦରେ ଆକ୍ରାନ୍ତ ହୋଇ ଚଳତ୍‌ଶକ୍ତି ହରାଇ ବସିଛି। ବହୁ ଚିକିତ୍ସା ସତ୍ତ୍ୱେ ସୁସ୍ଥ ହେଉନାହିଁ। ସମସ୍ତେ କହୁଛନ୍ତି କେବଳ ସ୍ନାୟୁ ବିଶାରଦ ଡାକ୍ତର ଉଇଲସନ୍‌ ହିଁ କିଛି କରିପାରନ୍ତି। ମାତ୍ର ତାଙ୍କ ଭଳି ବିଖ୍ୟାତ ଚିକିତ୍ସକଙ୍କ ସେବା ଲାଭ କରିବାକୁ ଉଭୟ ଦୂରତା ଓ ଅର୍ଥ ବାଧକ ହେଉଥିବାରୁ ଭାଗ୍ୟକୁ ଆଦରି ମାଆପୁଅ ଦୁହେଁ ଏମିତି ପଡ଼ିରହିଛୁ।
ଏ ଘଟଣାର ପରବର୍ତ୍ତୀ ପର୍ଯ୍ୟାୟ ବଖାଣିବା ଲୋଡ଼ା ନାହିଁ। ଇଂଲିଶ୍‌ରେ ଯେଉଁ ଆପ୍ତବାକ୍ୟ ଅଛି ଯେ ‘ମହମ୍ମଦ ପର୍ବତ ସମୀପକୁ ଯାଇ ନ ପାରିଲେ, ପର୍ବତ ମହମ୍ମଦଙ୍କ ପାଖକୁ ଉଠି ଆସିବ’, ତାହା ଏହି କ୍ଷେତ୍ରରେ ପ୍ରମାଣିତ ହୋଇଗଲା। ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହେଉଥିବା ଡକ୍ଟର ଉଇଲ୍‌ସନଙ୍କ ଚିକିତ୍ସା ପ୍ରାପ୍ତ କରି ସେଇ ତରୁଣ ପକ୍ଷାଘାତଗ୍ରସ୍ତ ରୋଗୀ ସୁସ୍ଥହେବା ମୂଳରେ ଥିଲା ଫ୍ଲାଇଟ୍‌ ଅଚଳ ହେବା ଓ ଅଚାନକ ସଂଘଟିତ ହୋଇଥିବା ବର୍ଷାବିତ୍ପାତ ଓ ବଜ୍ରପାତ ଭଳି ଆକସ୍ମିକ ସଂଯୋଗ। ଆଉ ଏଇ ଅବିଶ୍ୱସନୀୟ ସଂଯୋଗର ନାମ ତ ‘ମିରାକଲ୍‌’ ବା ‘ଚମତ୍କାର’। ଲକ୍ଷ୍ୟ କରିବାର କଥା ଏଭଳି ଦିବ୍ୟ ସଂଯୋଗ ମଣିଷର ଆୟତ୍ତାଧୀନ ନୁହେଁ କି ତା’ର ଜ୍ଞାନ ବିଜ୍ଞାନ, ବିଦ୍ୟା ବିଦ୍‌ବତ୍ତା ବା ଶକ୍ତି ସାମର୍ଥ୍ୟର ପରିସରଭୁକ୍ତ ନୁହେଁ। ଏହା ସମ୍ପୂର୍ଣ୍ଣ ଭାବେ ମାନବୀୟ ସାମର୍ଥ୍ୟ ବାହାରେ ଥିବା ଏକ ଆକସ୍ମିକ ବିଧି ବ୍ୟବସ୍ଥା, ଯାହାକୁ ଐଶ୍ୱରୀୟ କୃପା ବା ବିଭୁ ବରଦାନ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ଏହି ବରଦାନ ପାଇଁ ତ ସେଦିନ ଚନ୍ଦ୍ରୟାନ-ତିନିର ସଫଳ ଉତ୍‌କ୍ଷେପଣ ପାଇଁ ଅନ୍ଧବିଶ୍ୱାସଠୁଁ ଯୋଜନ ଦୂରତ୍ୱରେ ଥିବା ପ୍ରସିଦ୍ଧ ମହାକାଶ ବିଜ୍ଞାନୀ ଇସ୍ରୋର ନିର୍ଦ୍ଦେଶକ ଡକ୍ଟର ସୋମନାଥ ସଦଳବଳ ଯାଇ ତିରୁପତି ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ!
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର,
ଚକେଇସିହାଣି, ଭୁବନେଶ୍ୱର
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri