ଚିନ୍ତାକରି ଲାଭ ନାହିଁ

ରଞ୍ଜନ କୁମାର ଦାସ

ଡାକ୍ତରଖାନାକୁ ଯାଇଥିଲି ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ । କାନ୍ଦବୋବାଳି ଶୁଭିଲା। ଭାବିଲି ଇଏତ ଡାକ୍ତରଖାନାରେ ନିୟମିତ କଥା । ହୁଏତ କିଏ ମରି ଯାଇଥିବ। ତା’ର ସ୍ବଜନବର୍ଗ କାନ୍ଦୁଥିବେ। କିଛି ତରୁଣ ତରୁଣୀ ସେଠି ଏକାଠି ହୋଇଥାନ୍ତି। ସେମାନଙ୍କୁ ପଚାରିଲି କ’ଣ ହୋଇଛି। ଯାହା ଜାଣିଲି ଘଟଣାଟି ପ୍ରେମଜନିତ। ପ୍ରେମିକାର ପ୍ରତାରଣା ସହି ନ ପାରି ବିଚରା ପିଲାଟି ତା’ର ଶିରାପ୍ରଶିରା ସବୁ ବ୍ଲେଡରେ କାଟି ଦେଇଛି। ପ୍ରଚୁର ରକ୍ତସ୍ରାବ ଯୋଗୁ ପିଲାଟି ଚେତାଶୂନ୍ୟ ଅବସ୍ଥାରେ ଅଛି। ବୁଝିବାକୁ ବାକି ରହିଲା ନାହିଁ ଯେ ସେ ପିଲାଟି ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିଲା। ଏବେ ଦିନେ ଫେସ୍‌ବୁକ୍‌ରେ ପିଲାଟିଏ ତା’ର ଆତ୍ମହତ୍ୟାକୁ ଲାଇଭ୍‌ କରିଦେବାର ଖବର ଟିଭିରେ ଦେଖଉଥିଲା। ନିତିଦିନିଆ ସଂସାରରେ ଏମିତି ଅନେକ ଘଟଣା ଆମ ଦୃଷ୍ଟିକୁ ଆସେ। କିଏ ପ୍ରେମରେ ପ୍ରତାରିତ ହୋଇ ତ କିଏ ପରିବାରର ବୋଝ ମୁଣ୍ଡେଇ ନ ପାରି, କିଏ ପୁଣି ଚାକିରି, ବ୍ୟବସାୟରେ ଆର୍ଥତ୍କ ଓ ସାମାଜିକ ପ୍ରତିଷ୍ଠା ହରେଇ ନିଜକୁ ସମ୍ଭାଳି ନ ପାରି ଆତ୍ମହତ୍ୟା କରିବାକୁ ବସେ। ଅନେକ ଲୋକ ଆତ୍ମହତ୍ୟା ଭଳି ଗୁରୁତର ପଦକ୍ଷେପ ନ ନେଲେ ବି ଭିତରେ ଭିତରେ ଭାଙ୍ଗି ପଡ଼ନ୍ତି। ନିଜକୁ ସମ୍ଭାଳି ପାରନ୍ତି ନାହିଁ। ଫଳସ୍ବରୂପ ଯାହା ଯେତିକି ବାକିଥାଏ ତାହା ବି ନଷ୍ଟ ହୋଇଯାଏ।
କହିବା ବାହୁଲ୍ୟ ଯେ, ଆମ ଚାରିପଟେ ପ୍ରତିଦିନ ନାନା ଘଟଣା ଘଟେ। ତା’ ଭିତରୁ ଅନେକ ଘଟଣା ଆମ ଇଚ୍ଛା ମୁତାବକ ଘଟେ ନାହିଁ। ଅନେକ କିଛି ଆମ ଇଚ୍ଛା ବିରୋଧରେ ମଧ୍ୟ ଘଟେ। ବେଳେବେଳେ ପ୍ରକାରାନ୍ତରେ କହିଲେ ଏଇଆ ହେବ ଯେ ଆମେ ଚାହୁଁଥିବା ଜିନିଷଟି ଘଟେ ନାହିଁ। ପୁଣି ବେଳେବେଳେ ଆମେ ଚାହୁଁ ନ ଥିବା ଘଟଣା ଘଟେ। ଏ ଉଭୟ ଘଟଣାକ୍ରମ ଆମକୁ କଷ୍ଟ ଦିଏ। ଅନେକ କ୍ଷେତ୍ରରେ ଆମେ ଚାହିଁଲେ ମଧ୍ୟ ସେ ସବୁକୁ ଅଟକେଇ ପାରିବା ନାହିଁ ବା ତା’ର ଗତିପଥ ଓ ବେଗ ବଦଳେଇ ମଧ୍ୟ ପାରିବା ନାହିଁ । ଘଟଣାଟିଏ ଯେତେବେଳେ ଘଟେ ତାକୁ ନେଇ ଅନ୍ୟମାନଙ୍କର କ୍ରିୟା, ପ୍ରତିକ୍ରିୟା, ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ସୃଷ୍ଟି ହୁଏ। କୋଉଠି ତରୁଣ ସ୍ବାମୀଟିଏ ମରିଗଲେ, ବୋହୂଟିକୁ କେହି ସମବେଦନା ପ୍ରକାଶ କରନ୍ତି ତ କେହି କେହି ପୁଣି ତାକୁ ଦାମ୍ଭୀ କରନ୍ତି। କହନ୍ତି ଏଇଟା ଡାହାଣୀଟା। ପିଲାଟିଏ ପରୀକ୍ଷାରେ ଖରାପ କରିଦେଲେ ଦୋଷ ଆସିଯାଏ ମା’ବାପାଙ୍କ ଉପରେ। ଲୋକେ କହନ୍ତି ବାପା ଟଙ୍କା ପଇସା, ଅଫିସ, ବେପାର ପଛରେ ଧାଇଁଲା ପିଲାର ପଢ଼ା ଉପରେ ଧ୍ୟାନ ଦେଲାନି। ମାଆ ତ ସବୁବେଳେ ବସି ସିରିଅଲ ଦେଖିଲା। ନାନା ଲୋକ ନାନା କଥା କୁହନ୍ତି। ଏସବୁ କଥା ବେଡ଼ି ଉପରେ କୋରଡ଼ାମାଡ଼ ଭଳି ଲାଗେ। ତାକୁ ସମ୍ଭାଳିବା ମଧ୍ୟ ଆହୁରି ଜଟିଳ ହେଇପଡ଼େ। ତଥାପି ଆମେ ସମ୍ଭାଳିବା ପାଇଁ ଅଣ୍ଟାଭିଡ଼ୁ। ଆମେ ଭାବୁ ଯେ ୟାକୁ ଆମେ ନ ସମ୍ଭାଳିଲେ ଆଉ କିଏ ସମ୍ଭାଳିବ? କେବେକେବେ ଆମେ ସଫଳ ହେଉ ତ କେତେବେଳେ ହେଉ ବିଫଳ। ବାରମ୍ବାର ବିଫଳତା ଆମର ଧୈର୍ଯ୍ୟକୁ ଭାଙ୍ଗିଦିଏ। ବିଶ୍ୱାସକୁ ଦୋହଲେଇ ଦିଏ। ଆମେ ଯେ ପାରିଲୁ ନାହିଁ ଏ କଥାଟି ଆମ ମଞ୍ଜକୁ ବାଧେ। ନିଜ ଅପାରଗତା ନିଜ ବ୍ୟକ୍ତିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟିକରେ। ଆମେ ଅନ୍ୟ କାହାକୁ ସାମ୍ନା କରିବାର ବା ନିଜ ବିଫଳତାର କୈଫିୟତ ଦେବାର ନୈତିକ ସାହସ କ୍ରମେ କ୍ରମେ ହରେଇବସୁ। ଭିତରେ ଭିତରେ ଦିନକୁ ଦିନ ଘୁଣଖିଆ ଖମ୍ବପରି ଆହୁରି ଆହୁରି ଭାଙ୍ଗିପଡୁ, ଭୁଶୁଡ଼ିପଡ଼ୁ। ଯେତେଯେତେ ଅଧିକ ଚିନ୍ତାକରୁ ସେ ବିଷୟରେ ସେ ଚିନ୍ତା ଆମକୁ ଆହୁରି ଦୁର୍ବଳ କରେ । ସେଥିପାଇଁ କୁହାଯାଏ ଲୁଣ ଖାଏ ହାଣ୍ଡି ଚିନ୍ତା ଖାଏ ଗଣ୍ଡି।
ଚିନ୍ତାକରି ସତରେ କ’ଣ ବା ହୁଏ? ନା ଘଟିଥିବା ଜିନିଷକୁ ବଦଳେଇ ହୁଏ, ନା ପୁଣି ଯାହା ଅବଶ୍ୟମ୍ଭାବୀ ତାକୁ? ଥରେ ପ୍ରତାରଣା କରି ଚାଲିଯାଇଥିବା ପ୍ରେମିକା ଆଉ କ’ଣ ଫେରିଆସେ? ଉଠି ନ ଥିବା ଲଟେରି, ହାତରୁ ଖସି ଯାଇଥିବା ସୁଯୋଗ ଆଉ କ’ଣ ଫେରେ? ଦୁର୍ଭାଗ୍ୟର ଦିନ ସବୁ ଯାହା ବିତିଯାଇଥାଏ ତାହା କ’ଣ ଆଉ ଥରେ ମୁହଁରେ ଫେରାଇ ଆଣିପାରେ ହସ? ତେଣୁ ଅତୀତର ଅନ୍ଧମୁହାଣି ଭିତରେ ଘାଣ୍ଟି ହେବା ଅପେକ୍ଷା ସେ ପୁରୁଣା ସମ୍ପର୍କ, ସେ ପୁରୁଣା ଦିନକୁ ଝୁରି ହେବା ଅପେକ୍ଷା ସେସବୁଥିରୁ ନିଜକୁ ମୁକ୍ତ କରିବାରେ ହିଁ ବିଜ୍ଞତା ଥାଏ। ଯେଉଁ ବୋଝକୁ ଆଉ ବୋହି ହୋଇ ନ ଥାନ୍ତା, ତାକୁ ସେଇଠି ପରିତ୍ୟାଗ କରିବା ହିଁ ଯାତ୍ରାର ନିୟମ ହେଲେ ଯାତ୍ରା ସହଜସାଧ୍ୟ ହୁଏ। ସବୁ ଅନାବଶ୍ୟକ ବୋଝକୁ ବୋହିବା ପାଇଁ ଶରୀରକୁ ଓ ଆତ୍ମାକୁ ଅଯଥା କଷ୍ଟ ଦେବାରେ ମାନେ କିଛି ନ ଥାଏ। ପଞ୍ଜୁରିରେ ଥିବା ପକ୍ଷୀଙ୍କର ମୋହ ପାଇଁ ତାଙ୍କୁ ବାନ୍ଧି ରଖିଲେ ସେମାନେ ଯେ ପୋଷା ଏ କଥା ପ୍ରମାଣିତ କରିହେବ ନାହିିଁ। ପଞ୍ଜୁରି ଖୋଲି ସବୁ ପକ୍ଷୀଙ୍କୁ ଉଡ଼େଇଦେଲେ ଯେଉଁ ପକ୍ଷୀଟି ଶେଷରେ ଫେରି ଆସିବ ସେ ହିଁ ସବୁଠୁ ପୋଷା ବୋଲି ବୁଝିବାକୁ ହେବ। ପୃଥିବୀର ସବୁ ସମ୍ପର୍କକୁ, ସବୁ ଘଟଣାକୁ, ସବୁ ଭବିଷ୍ୟତକୁ ନିଜ ନିୟନ୍ତ୍ରଣାଧୀନ କରିହେବ ନାହିଁ ଏ କଥା ଧ୍ରୁବସତ୍ୟ। ତେଣୁ ସମସ୍ତଙ୍କୁ ଛାଡ଼ି ଦିଆଯାଉ ଯେ ଯାହା ବାଟରେ। ଯାହା ଭବିତବ୍ୟ ତାହା ଘଟିବ। ଯେଉଁ ସମ୍ପର୍କ ସୁଦୃଢ଼ ତାହା ନିଶ୍ଚୟ ଫେରିଆସିବ ତା’ର ପୁରୁଣା ଅଗଣାକୁ। ଯିଏ ଚାଲିଗଲା ଆଉ ଫେରିବ ନାହିଁ ତା’ ପାଇଁ ଲୁହ ଝରାଇବାରେ ଅର୍ଥ କିଛି ନ ଥାଏ। ତା’ ପାଇଁ ଚିନ୍ତାକରି ଲାଭ ନାହିଁ। ତାକୁ ବରଂ କ୍ଷମା କରାଯାଉ, ମୁକ୍ତ କରାଯାଉ ସବୁ ଦାୟରୁ ଓ ଦେୟରୁ। ସମୟ ଆସିବ ସେ ନିଜେ ହିଁ ହେଜିବ।
ଆମେ ଅନ୍ୟମାନଙ୍କୁ ବଦଳେଇ ପାରିବା କି ନାହିଁ ତାହା ଜଣାନାହିଁ। ଅନ୍ୟମାନେ ଆମ ନିୟନ୍ତ୍ରଣରେ ନାହାନ୍ତି। ସେମାନଙ୍କ ଆଚରଣ, ବ୍ୟବହାର ଉପରେ ଆମର ନିୟନ୍ତ୍ରଣ ନାହିଁ। ତେଣୁ ସେଥିପାଇଁ ଆମେ ବ୍ୟସ୍ତ ବିବ୍ରତ ହୋଇ କି ଲାଭ ମିଳିବ? ଅନ୍ୟ କାହା ପାଇଁ ନିଜ ଦେହକୁ, ମନକୁ, ଆତ୍ମାକୁ କଷ୍ଟ ଦେଇ କ’ଣ ପ୍ରମାଣିତ କରିବାକୁ ଚାହୁଁ ଆମେ? ଏୟା ଯେ ଆମେ ତୁମକୁ ଏତେ ଭଲ ପାଉଥିଲୁ, ତୁମେ ପ୍ରତାରଣା ଦେଇଗଲ? ଯେଉଁ ଲୋକ ଭଲ ପାଇବାର ମୂଲ୍ୟ ନ ବୁଝି ଚାଲିଯାଏ ତାକୁ ବୁଝେଇବାର ଆଉ କି ଅର୍ଥ ଥାଏ?
ଗୀତାର ବାଣୀ ମନେପଡୁଛି। ଯାହା ଆସିବାର ଥିବ ଆସିବ, ଯାହା ଯିବାର ଥିବ ଯିବ। ଯାହା ଅଯାଚିତ ଭାବେ ଆସିଲା ସେଥିପାଇଁ ଉଲ୍ଲସିତ ହେବାର ନାହିଁ କି ଯାହା ଅପ୍ରତ୍ୟାଶିତ ଭାବେ ଚାଲିଯିବ ସେଥିପାଇଁ ବ୍ୟଥିତ ହେବାର ଆବଶ୍ୟକତା ନାହିଁ। ବହିଯିବା ପାଣିକୁ ସହଜେ ଅଟକେଇ ହୁଏ ନାହିଁ। ତେଣୁ ବନ୍ଧ ବାନ୍ଧିଲା ପରେ ବି ଯାହା ଅଟକି ବହିଯିବ ତାହା ଆମ ପାଇଁ ନୁହେଁ, ବରଂ ଆଉ କାହା କ୍ଷେତ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ଧରିନେଇ ମନକୁ ବୁଝେଇବାକୁ ପଡ଼ିବ। ସେଇଭଳି ଯେଉଁ ମୌସୁମୀ ଆସିଲା ନାହିଁ କି ଆମ ରାଜ୍ୟରେ ବର୍ଷିଲା ନାହିଁ ତାହା ହୁଏତ ଅନ୍ୟ କେଉଁ ପୁଣ୍ୟବନ୍ତ ରାଜ୍ୟରେ ବର୍ଷିଥିବ ବୋଲି ଭାବି ନେବାକୁ ପଡ଼ିବ। ମୌସୁମୀ ସବୁଦିନେ ଆମକୁ ଆଡ଼କରି ରହିବ ନାହିଁ। ସେ ପୁଣି ଦିନେନା ଦିନେ ଆସିବ ଓ ବର୍ଷିବ ଏ ବିଶ୍ୱାସ ବି ମନ ଭିତରେ ରଖିବାକୁ ହେବ।
କେହି କେହି ଏ ନିବନ୍ଧ ପଢ଼ି କହିପାରନ୍ତି ମୁଁ ଅତ୍ୟନ୍ତ ଭାଗ୍ୟବାଦୀ। ଭାଗ୍ୟକୁ ଏତେ ପ୍ରାଧାନ୍ୟ ନ ଦେଇ କର୍ମକୁ ପ୍ରାଧାନ୍ୟ ଦେବା ଉଚିତ ବୋଲି ସେମାନେ କହିପାରନ୍ତି। ମୁଁ ତ ସେଇ କଥା ହିଁ ପ୍ରକାରାନ୍ତେ କହୁଛି। ଇଡି ଯାଇଥିବା କ୍ଷୀର ପାଇଁ ରୋଦନ ନ କରି ଭବିଷ୍ୟତରେ କେମିତି ତାହା ଇଡି ନ ଯିବ ସେଥିପାଇଁ ନିଜକୁ ପ୍ରସ୍ତୁତ କରିବା ଦରକାର। ପଞ୍ଜୁରିରୁ ଉଡ଼ି ଯାଇଥିବା ଚଢ଼େଇଟି ପାଇଁ ଚିନ୍ତା ନ କରି ଭବିଷ୍ୟତରେ ଆଉ ଗୋଟିଏ ଚଢ଼େଇ ଆଣିଲେ ସେ କେମିତି ଛାଡ଼ିକି ଉଡ଼ି ନ ଯିବ ସେଭଳି ତାକୁ ପୋଷା ମନେଇବାର ଅଛି। ଏଥର ପରୀକ୍ଷାରେ ଫେଲ୍‌ ହୋଇଗଲେ ସେଥିପାଇଁ ବିବ୍ରତ ନ ହୋଇ ଆଉ ଥରକୁ କେମିତି ଭଲ କରିହେବ ତା’ର କର୍ମଖସଡ଼ା ପ୍ରସ୍ତୁତ କରିବା ଦରକାର। ଉଜୁଡ଼ି ଯାଇଥିବା ସଂସାର, ପୋକ ଲାଗିଯାଇଥିବା ଧାନକ୍ଷେତ ପାଇଁ ନିଜକୁ ଦାୟୀକରି ଆତ୍ମହତ୍ୟା ନ କରି କେମିତି ସେ ପାଉଁଶ ତଳୁ ଫିନିକ୍ସ ପକ୍ଷୀ ଭଳି ପୁଣି ନବଜୀବନ ନେଇ ଉଠିବାକୁ ପଡ଼ିବ ତାକୁ ଶିଖିବାକୁ ହେବ। ବାରମ୍ବାର ଉଠିବା ଓ ପଡ଼ିବା, ପଡ଼ିବାରୁ ପୁଣି ଉଠିବା ହିଁ ତ ଜୀବନ। ଉଠୁ ଉଠୁ ଠିଆହେବା, ଠିଆ ହଉ ହଉ ଚାଲିବା, ଚାଲୁ ଚାଲୁ ଦୌଡ଼ିବା, ଦୌଡୁ ଦୌଡ଼ୁ ଚାମ୍ପିୟନ ହେବା ହିଁ ତ ଜୀବନ!
ନିର୍ଦ୍ଦେଶକ, ସଂସ୍କୃତି ବିଭାଗ
ମୋ- ୯୪୩୭୨୮୬୫୧୨


Enter your email to get our daily news in your inbox.

All Right Reserved By Dharitri.Com

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?