ବଡ଼ଲୋକଙ୍କୁ ଉତ୍ତର ନାହିଁ

ନିରଞ୍ଜନ ସାହୁ

ବିଜ୍ଞଜନେ, ଏହି କଥାଟି କାଳକାଳରୁ ଚାଲିଆସିଛି ଆମ ସମାଜରେ। କଥାରେ ନଥା ଭଳି କୌଣସି ଆଲୋଚନା ବେଳେ ଏହାକୁ କହି ଆମର କଥାର ଗୁରୁତ୍ୱ ଆମେ ବଢ଼ାନ୍ତି। ସ୍ବର୍ଗକୁ ନିଶୁଣି ନାହିଁକୁ ବ୍ୟବହାର କରାଯାଏ ଏକ ପରୀକ୍ଷିତ ସିଦ୍ଧାନ୍ତ ରୂପରେ ଯଦିଓ ଏହା ନେତିବାଚକ; ମାତ୍ର ନିଶ୍ଚୟାତ୍ମକ। ଆଉ ତାକୁ ଦ୍ୱାହିଦେଇ ସେଇ ଆଧାରରେ କୁହାଯାଏ ଯେ ବଡ଼ଲୋକଙ୍କୁ ଉତ୍ତର ନାହିଁ। ଏହାର ମାର୍ମିକ ଅର୍ଥଟି ହେଲା – ସ୍ବର୍ଗକୁ ନିଶୁଣି ନାହିଁ ଯେମିତି ଠିକ୍‌ ସେଇମିତି ବଡ଼ଲୋକଙ୍କୁ ଉତ୍ତର ଦେବା ଅନୁରୂପ ଅସମ୍ଭବ।
ବଡ଼ଲୋକ କହିଲେ ଅନେକ ଅର୍ଥ ବାହାରିପାରେ। ବୟସ୍କ ଦୃଷ୍ଟିରୁ ଯେଉଁମାନେ ବଡ଼ ସେମାନଙ୍କୁ ବଡ଼ ବୋଲି ଧରିନେବା ଆମର ଏକ ତାତ୍କାଳିକ ବିଚାର ପାଲଟିଛି। ଜାତି ବିଭକ୍ତ ପ୍ରାଚୀନ ସମାଜରେ କିଛି ନିର୍ଦ୍ଦିଷ୍ଟ ଜାତିରେ ଜନ୍ମ ହୋଇଥିବା ଲୋକମାନଙ୍କୁ ସାମାଜିକ ସ୍ତରରେ ପ୍ରାଧାନ୍ୟ ଦିଆଯାଇ ସେମାନଙ୍କୁ ବଡ଼ଲୋକର ଆଖ୍ୟା ଦିଆଯାଉଥିଲା। ସମାଜରେ ଯେଉଁମାନେ ବିତ୍ତଶାଳୀ, ଯେଉଁମାନେ ଅନେକ ଐଶ୍ୱର୍ଯ୍ୟର ଅଧିକାରୀ ସେମାନଙ୍କୁ ମଧ୍ୟ ବଡ଼ଲୋକ ବୋଲି ଧରି ନିଆଯାଉଥିଲା। ଆଉ ଯେଉଁମାନେ ଜ୍ଞାନୀ, ଗୁଣୀ, ତପସ୍ବୀ ସେମାନଙ୍କୁ ବଡ଼ ବୋଲି ଯଦି ଆମେ ନ ଗଣିବା ଗଣିତ ଆମର କେବଳ ଭୁଲ୍‌ ଆଡ଼କୁ ମୁହଁାଇ ଯିବା ସ୍ବାଭାବିକ। ବଡ଼ଲୋକର ଏତେ ସଂଜ୍ଞା ସବୁକୁ ବା ଏଥିରୁ ଗୋଟିକୁ ଯଦି ଗ୍ରହଣ କରିବା ତା’ହେଲେ ତାଙ୍କୁ ଉତ୍ତର ଦେବା ମନା କାହିଁକି?
ବଡ଼ଲୋକ କ’ଣ ପ୍ରଶ୍ନ କଲେ ତାଙ୍କୁ ଉତ୍ତର ଦେବା ଉଚିତ ନୁହେଁ? ନା ସେଇ ଉଦ୍ଦେଶ୍ୟରେ ବୋଧହୁଏ ଏଇକଥା କୁହାଯାଇନାହିଁ। ସେମାନେ ପ୍ରଶ୍ନ କଲେ ତାଙ୍କୁ କିଛି ନକାରାତ୍ମକ ମନ୍ତବ୍ୟ ନ ଦେଇ କେବଳ ହଁ କହିବାକୁ ଇଙ୍ଗିତ କରାଯାଇଛି, ଅର୍ଥାତ୍‌ ପ୍ରଶ୍ନକର୍ତ୍ତା ବଡ଼ଲୋକ ଅଥବା ଗୁରୁ ପ୍ରାଜ୍ଞ ଯାହା ପଚାରିବେ ତା’ର ଉତ୍ତର କ’ଣ କେବଳ ହଁ କି ନା ହେବ – ଏପରି ପ୍ରଶ୍ନ ତ ବଡ଼ ଜଟିଳ!
ମନୋଜ ଦାସ ତାଙ୍କର ଗୋଟିଏ ଗଳ୍ପରେ ବଡ଼ ଚମତ୍କାର ଭାବରେ ଏକଥା ବର୍ଣ୍ଣନା କରିଛନ୍ତି। ଗୋଟିଏ ମକଦ୍ଦମାର ବିଚାର ବେଳେ ଜଣେ ଓକିଲ ମହକିଲଙ୍କୁ ତାଗିଦ୍‌ କରି ପଚାରିଲେ, ”ମୁଁ ଯାହା ପଚାରିବି ତା’ର ଉତ୍ତର ଆପଣ ହଁ କିମ୍ବା ନାରେ ଦେବେ।“ ବିଚରା ପ୍ରତିପକ୍ଷର ମହକିଲ ନମ୍ର ଭାବରେ କହିଲେ, ”ଆଜ୍ଞା ତାହା ତ ସବୁବେଳେ ସମ୍ଭବ ନୁହେଁ।“ ତହୁଁ ବିସ୍ଫାରିତ ନେତ୍ରରେ କର୍କଶ କଣ୍ଠରେ ଓକିଲବାବୁ କହିଲେ, ”ଅଲବତ୍‌ ଉତ୍ତର ଦେବ ହଁ ବା ନା’ରେ।“ ତହୁଁ ମହକିଲ ଜଣକ କହିଲେ, ”ଆଜ୍ଞା ମୁଁ ଆପଣଙ୍କୁ ପଚାରୁଛି ଦୟାକରି ସେଇ କ୍ରମରେ କହିବେ କି, ମୁଁ ଯଦି ପଚାରେ, ଆପଣଙ୍କ ବାପା କ’ଣ ମଦଖିଆ ଛାଡ଼ିଲେଣି?“ ସେତେବେଳେ ଓକିଲବାବୁଙ୍କର ଅକଲ ଗୁଡ଼ୁମ।
ଠିକ୍‌ ସେଇମିତି ଯଦି ବଡ଼ଲୋକମାନେ ଆଶା କରିବେ ତାଙ୍କର ସବୁ ପ୍ରଶ୍ନର ଉତ୍ତର ଆମେ ସାନମାନେ ଖାଲି ହଁ ବା ନା’ରେ ଦେବା ଅପେକ୍ଷା କେବଳ ହଁ କାହିଁକି କହିବା ବରଂ ଚୁପ୍‌ ରହିଯିବା – ଯାହାକି ବୁଝେଇଦେବ – ମୌନଂ ସମ୍ମତି ଲକ୍ଷଣଂ। ତଥାକଥିତ ବଡ଼ଲୋକମାନଙ୍କ ହୁକୁମକୁ ଆଖିବୁଜି ସେଇ ବଡ଼ପଣ୍ଡାମାନଙ୍କର ନିର୍ଦ୍ଦେଶକୁ ମାନିନେଇ କେତେ ଯେ ବିଶୃଙ୍ଖଳା ଘଟିଛି ଅତୀତରେ ଆଉ ଏବେ ଘଟିବାକୁ ଯାଉଛି ତା’ର ଉଦାହରଣ ଚାରିଆଡ଼େ – ଏଠି, ସେଠି, ସବୁଠି।
ଉତ୍ତର ଦେବାରେ ଦାୟିତ୍ୱ ଯିଏ ନେଇଛି ତା’ର ଉତ୍ତର ପାଇଁ ସେ ଦାୟୀ। ତାକୁ ଏପରି ଉତ୍ତର ପାଇଁ ବାଧ୍ୟ କରାଯାଇପାରିବ ନାହିଁ, ଯାହା ତାକୁ ପରେ ଦଣ୍ଡନୀୟ କରିବ। ଏକଥା ବି ଦଣ୍ଡ ସଂହିତାରେ କୁହାଯାଇଛି; ମାତ୍ର ଆମକୁ ଏକ ସହିଷ୍ଣୁ ଉଦାରବାଦୀ ଭାବରେ ଗ୍ରହଣ କରାଯାଇ ଆମେ ଶିଶୁସୁଲଭ ସବୁ କଥାରେ ଦରୋଟି ହସଟିଏ ବିତରଣ କରି ବଡ଼ମାନଙ୍କୁ ସେମାନଙ୍କର ପାଉଣାଟି ନୀରବ ସମର୍ଥନ ମାଧ୍ୟମରେ ଦେଇଦେଲେ ସମାଜର ଅଧୋଗତି ହୁଏ।
ଆମେ ବୁଝିବା ଦରକାର ଯେ ପର୍ଯ୍ୟନ୍ତ ଆମେ ଆମର ବିବେକ ବୁଦ୍ଧିର ପ୍ରୟୋଗ ନ କରି କେବଳ ଅନ୍ୟର ମର୍ଜିରେ ଚଳନ୍ତି ତାହା ତାଙ୍କୁ ସାମୟିକ ଆଶ୍ୱସ୍ତି ଦେଇପାରେ; ମାତ୍ର ତାହା ଯେ ଉତ୍ତରଦାତାଙ୍କ ଏକ ହତାଶପୂର୍ଣ୍ଣ ସ୍ବଗତୋକ୍ତି ତାହା ଆମେ ଅନୁଭବ କରିପାରୁନାହଁୁ। ସେଥିପାଇଁ କୋର୍ଟ କଚେରିରେ ଯୁକ୍ତି ବଳରେ ସତ୍ୟକୁ ଖୋଜିବାର ପ୍ରୟାସ କରାଯାଏ।
ଜଣେ ବନ୍ଧୁଙ୍କ ସହିତ କିଛିଦିନ ତଳେ ଆଲୋଚନା ବେଳେ ସେ ଯାହା କହିଲେ ତାହା ମୋତେ ଭାରି ବ୍ୟଥିତ କଲା। ସେ କହୁଥିଲେ, ତାଙ୍କର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ପୁଅକୁ ଘରକୁ ଆସିଥିବା ଜଣେ ଅତିଥି ପଚାରିଲେ ଆରେ ବାବା, ତୋର ବାପା କ’ଣ କରନ୍ତି – ସେ ଉତ୍ସାହିତ ହୋଇ ଉତ୍ତର ଦେଲା, ”ସବୁବେଳେ ଟେଲିଫୋନ ଧରିଥାନ୍ତି ଘରେ; ମାତ୍ର ଖୁବ୍‌ କ୍ୱଚିତ୍‌ କଥାବାର୍ତ୍ତା କରନ୍ତି ବାପା। କେବଳ ଆମେ ଶୁଣୁଥାଉ ତାଙ୍କର ବାରମ୍ବାର କଥାପଦେ। ୟେସ୍‌ ସାର୍‌ – ୟେସ୍‌ ସାର୍‌।“ ଜଣେ ମଧ୍ୟ ଅଥବା ନିମ୍ନବର୍ଗର ଅଧିକାରୀଙ୍କ ନିତିଦିନିଆ ଜୀବନ କାହାଣୀ ଏହାଠାରୁ ଅଧିକ ମାର୍ମିକ ଭାବରେ ବୋଧହୁଏ କୁହାଯାଇପାରିବ ନାହିଁ। ବାପା କହିଲେ ଯେଉଁ ଶିଶୁ ଭାବୁଥାନ୍ତା ମୋ ବାପା ସବୁଠାରୁ ବୁଦ୍ଧିମାନ ବା ବଳବାନ ସେଇ ଶିଶୁଟି ଆଜି କହୁଛି ”ବାପା ଖାଲି କହନ୍ତି – ୟେସ୍‌ ସାର୍‌ ୟେସ୍‌ ସାର।“ ଭାରତ ହୁଏତ ସ୍ବାଧୀନତା ପାଇଥାଇପାରେ ଅନ୍ୟମାନେ କଦବା କେମିତି ସ୍ବାଧୀନତାର ସ୍ବାଦ ଚାଖି ଥାଇପାରନ୍ତି ହେଲେ ଏହି ନିମ୍ନବର୍ଗୀୟ ବା ମଧ୍ୟବର୍ଗୀୟ କର୍ମଚାରୀମାନେ ଆଜୀବନ ପରାଧୀନ ଯେମିତି, ସେମାନଙ୍କୁ ମୁନିବ ଯାହା କହନ୍ତି ତାହାହିଁ ସେମାନଙ୍କର ଶିରୋଧାର୍ଯ୍ୟ।
ବଡ଼ ହାକିମମାନଙ୍କର କଥା ସାମାନ୍ୟ ଅମାନ୍ୟ କଲେ କେତେବେଳେ ସିସିଆର୍‌ରେ ବିପରୀତ ମନ୍ତବ୍ୟ ପୁଣି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ତ କେତେବେଳେ ଦଣ୍ଡକାରଣ୍ୟ ଭଳି ନାହିଁ ନାହିଁର ଅଞ୍ଚଳକୁ ପଠାଇ ଦେବାର ଧମକ। ତେଣୁ ସେମାନେ ନିଜର ଜ୍ଞାନ ଓ ବିବେକକୁ ପ୍ରୟୋଗ ନ କରି କେବଳ ବଡ଼ବଡ଼ୁଆଙ୍କ ମର୍ଜିରେ ଫାଇଲରେ ଲେଖିଦିଅନ୍ତି। ଆମ ବ୍ୟବସ୍ଥାର ଉନ୍ନତି ହେବାପାଇଁ ଉଭୟ ପକ୍ଷର ମନୋଭାବ ବଦଳିବା ଦରକାର। ଯେଉଁମାନେ ମୁଖିଆ ଶ୍ରେଣୀୟ ସେମାନେ ଅଧସ୍ତନଙ୍କୁ ସତ ଏବଂ ଠିକ୍‌ ଜିନିଷ ଟିପ୍ପଣୀ ଦେବାକୁ କହିବା ଦରକାର ଏବଂ ଅଧସ୍ତନ ବର୍ଗ କୌଣସି ବିଷୟକୁ ଅନୁଧ୍ୟାନ କଲାବେଳେ ‘କାଳେ ଖରାପ ଭାବିବେ ମୋ ବସ୍‌’ ନ ଭାବି ଯାହା ସତ୍ୟ ଓ ତଥ୍ୟର ଆଧାରରେ ତାହାହିଁ ଲେଖିବା ଦରକାର। ଏହା ହୁଏତ ‘ୟେସ୍‌ ସାର୍‌’ ସଂସ୍କୃତିକୁ ବଦଳେଇ ଦେଇପାରେ। ଆପଣ ଯଦି କୌଣସି ଚାକିରି କରୁଥାନ୍ତି ତା’ହେଲେ ମୂଳରୁ ଆପଣ ଶିଖିଥିବେ ଯେ Boss is always right । ଅବଶ୍ୟ କେହିଜଣେ ଏହାକୁ ଅଧିକ ରୋଚକ ଭାବରେ ଦୁଇଥାକିଆ ନିୟମ ଭାବରେ ପ୍ରକାଶ କରିଛନ୍ତି। ପ୍ରଥମ ବାକ୍ୟଟି ତ ରହିଛି ତା’ ସାଙ୍ଗକୁ ଯୋଡ଼ାଯାଇଛି If the Boss is wrong, then see rule No. 1. ଅର୍ଥାତ୍‌ ପ୍ରଭୁଙ୍କ ଛଡ଼ା ଅନ୍ୟ ଗତି ନାହିଁ।
ପିଲାବେଳରୁ ଆମକୁ ପ୍ରକାରାନ୍ତରେ ଖୋସାମତି ଶିକ୍ଷା ଦିଆଯାଇଛି। ଆପଣ ଏତକ ଶୁଣି ବିରକ୍ତ ହେବା ଆରମ୍ଭ କରିବେଣି। ଟିକିଏ ଧୈର୍ଯ୍ୟ ଧରି ଶୁଣନ୍ତୁ। ପ୍ରାଥମିକ ଶ୍ରେଣୀରେ ଶୁଣିଥିବା ଗପ ଗଣେଶ କାର୍ତ୍ତିକଙ୍କ କଥା ମନେପକାନ୍ତୁ। ପ୍ରଶ୍ନ ଥିଲା କିଏ ଚଉଦ ବ୍ରହ୍ମାଣ୍ଡ ବୁଲିଆସି ପ୍ରଥମେ ପହଞ୍ଚତ୍ବ, ସିଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲାବୋଲି ଧରାଯିବ। କାର୍ତ୍ତିକ ବାହାରିଗଲେ ବ୍ରହ୍ମାଣ୍ଡ ପ୍ରଦକ୍ଷିଣ ପାଇଁ। ଗଣେଶ ପିତା ମହାଦେବଙ୍କ ଚାରିପଟେ ଘୂରି ବୁଲିଲେ; ମାତ୍ର ସେ ଜିତିଲେ ବୋଲି କୁହାଗଲା। ପିଲା ବୟସରେ ବୁଝି ନ ପାରୁଥିଲେ ବି ଏବେ ପରିଣତ ବୟସରେ ଆପଣ ବୁଝିପାରୁଥିବେ ଇଏ ହେଉଛି ସେଇ ବଡ଼ ଲୋକଙ୍କୁ ଖୁସି କରିବାର ପଦ୍ଧତି। ଏଇ ଗପ ଯେମିତି ଶିକ୍ଷାଦିଏ – ଖୋସାମତି ଜିନ୍ଦାବାଦ୍‌।
ଆଜି ଆମର ଉଚ୍ଚଶିକ୍ଷା କ୍ଷେତ୍ରରେ ଗବେଷଣା ନିକୃଷ୍ଟମାନର ହେବା, ଆନ୍ତର୍ଜାତିକ ସ୍ତରରେ ଆମର ନୂ୍ୟନ ପରିଚିତିର ମୂଳଦୁଆ ହେଲା ଏଇଆ ଯେ ଆମେ ଉପରିସ୍ଥମାନଙ୍କୁ ‘ନା’ କହିପାରୁନେ – ଆମ ଭିତରେ ଏକ ବିଶ୍ଳେଷଣାତ୍ମକ ଭାବର ଅଭାବ ସୃଷ୍ଟି ହୋଇଯାଉଛି। ମୋର ଉଦ୍ଦେଶ୍ୟ ନୁହେଁ ଯେ ଆମେ ସବୁ କଥାରେ ଗୋଟାଏ ଅଯଥା ବିତଣ୍ଡା ଯୁକ୍ତିତର୍କ କରିବା; ମାତ୍ର ଯୁକ୍ତିସମ୍ମତ ଓ ତଥ୍ୟଭିତ୍ତିକ କଥା କହିବାକୁ ଥିଲାବେଳେ ଆମେ ଚୁପ୍‌ ରହିଲେ ତାହା ଆମର ଅଜ୍ଞାନତା ଓ ଅଯୋଗ୍ୟତାକୁ ଦୃଢ଼ୀକରଣ କରିବ ନିଶ୍ଚୟ। ତେଣୁ ଆସନ୍ତୁ ଆବଶ୍ୟକସ୍ଥଳେ ନମ୍ରଭାବେ ପ୍ରତିବାଦ କରିବାକୁ ଶିଖିବା – ତାହା ଅତି ଜରୁରୀ।
ମୋ:୯୪୩୮୪୮୨୯୧୧


Enter your email to get our daily news in your inbox.

All Right Reserved By Dharitri.Com

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

କାଳୀଦାସ ବୁଦ୍ଧି

ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ…

ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri