ନୂଆପଡ଼ା,୨୧ା୮(ମକାରୁ ବେମାଲ): ସରକାର ଛାତ୍ରୀଛାତ୍ରଙ୍କ ସୁବିଧା ପାଇଁ ବିଦ୍ୟାଳୟ ପରିସରରେ ସମସ୍ତ ବ୍ୟବସ୍ଥା କରୁଛନ୍ତି। ହେଲେ ନୂଆପଡ଼ା ଜିଲା ବୋଡେନ ବ୍ଲକର ଉପାନ୍ତ ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖା ଦେଇଛି। ପାଟଦରା(କୁଇମୁଣ୍ଡା) ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଅବ୍ୟବସ୍ଥା ମଧ୍ୟରେ ଚାଲିଛି। ୧୯୬୭ରେ ସ୍ଥାପିତ ଏହି ବିଦ୍ୟାଳୟ ଉପରେ ୧୪ଟି ଗଁା ଓ ପଡ଼ାର ଛାତ୍ରୀଛାତ୍ର ନିର୍ଭର କରନ୍ତି। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୦୬ ଛାତ୍ରୀଛାତ୍ର ପଢ଼ୁଥିବାବେଳେ ୬ଜଣ ଶିକ୍ଷକ ନିୟୋଜିତ ଅଛନ୍ତି। ୫୯ବର୍ଷର ପୁରୁଣା ବିଦ୍ୟାଳୟରେ ଶ୍ରେଣୀ କୋଠରି ଅଭାବ ରହିଥିବା ବେଳେ ଛାତଘର ନାହିଁ। ବହୁ ପୁରୁଣା ଆଜବେଷ୍ଟସ୍ ଓ ଟିଣ ଛପର ଘରେ ଛାତ୍ରୀଛାତ୍ର ପାଠ ପଢୁଛନ୍ତି।
ଚଳିତ ବର୍ଷା ସମୟରେ ଘୂର୍ଣ୍ଣିଝଡ଼ରେ ୩ଟି କୋଠରିର ଆଜବେଷ୍ଟସ୍ ଉଡ଼ିଯାଇଛି। ମରାମତି କରାଯାଇ ନ ଥିବାରୁ ଛାତ୍ରୀଛାତ୍ର ବାରଣ୍ଡାରେ ବସି ପାଠ ପଢୁଛନ୍ତି। ଲଗାଣ ବର୍ଷା ଯୋଗୁ ବିଦ୍ୟାଳୟ ପରିସରରେ ପାଣି ଜମାହେବା ସହ କୋଠରି ଭିତରକୁ ପଶୁଥିବାରୁ ଛାତ୍ରୀଛାତ୍ର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାରଙ୍କ ନିୟମ ଅନୁଯାୟୀ ବିଦ୍ୟାଳୟ ପରିସରରେ ବାଳିକା ଓ ବାଳକଙ୍କ ପାଇଁ ପୃଥକ୍ ପରିସ୍ରାଗାର ଓ ପାଇଖାନା ନିର୍ମାଣ ହେବା କଥା। ହେଲେ ଏଠାରେ ଏହି ସୁବିଧା ନ ଥିବାରୁ ପିଲାମାନେ ଜରୁରୀ ପରିସ୍ଥିତିରେ ବାହାରକୁ ଶୌଚ ପାଇଁ ଯାଉଛନ୍ତି। ବିଦ୍ୟାଳୟ ପରିସରରେ ପାନୀୟ ଜଳ ବ୍ୟବସ୍ଥା ନ ଥିବାରୁ ନଈନାଳରେ ଚୁଆ କରି ପାଣି ଆଣି ମଧ୍ୟାହ୍ନଭୋଜନ ରୋଷେଇ ହେଉଛି। ଛାତ୍ରୀଛାତ୍ର ମଧ୍ୟାହ୍ନ ଭୋଜନ ଖାଇ ନାଳପାଣିରେ ଟ୍ରେ ଧୋଇବା ସହ ଏହାକୁ ପାନୀୟ ଭାବେ ବ୍ୟବହାର କରୁଛନ୍ତି। ଏଠାରେ ବିଦ୍ୟୁତ୍ ଆଲୋକ ସାତସପନ ପାଲଟିଛି। ଛାତ୍ରୀଛାତ୍ରଙ୍କ ଶାରୀରିକ ଶିକ୍ଷା ପାଇଁ ଗାର୍ଡେନ କିମ୍ବା ଖେଳପଡ଼ିଆ ନାହିଁ। ବିଦ୍ୟାଳୟ ପରିସରରେ ରହଣି ସୁବିଧା ନ ଥିବାରୁ ଶିକ୍ଷକମାନେ ପ୍ରତିଦିନ ୧୦ କିଲୋମିଟର ପାହାଡ଼ିଆ ରାସ୍ତାରେ ଯାତାୟାତ କରୁଛନ୍ତି। ଏହି ସମସ୍ୟା ନେଇ ବିଡିଓ, ବିଇଓ, ଡିଇଓଙ୍କ ସମେତ ଜିଲାପାଳଙ୍କ ପର୍ଯ୍ୟନ୍ତ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସଚିନ୍ଦ୍ର ମାଝି ପ୍ରକାଶ କରିଛନ୍ତି। ଏସଂକ୍ରାନ୍ତରେ ଜିଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତିଙ୍କୁ ପଚାରିବାରୁ ଏହି ବିଦ୍ୟାଳୟ ସମସ୍ୟା ସମ୍ପର୍କରେ ତାଙ୍କ ପାଖରେ ସୂଚନା ନାହିଁ। ଉକ୍ତ ବିଦ୍ୟାଳୟଟି ବ୍ଲକ ଗ୍ରାଣ୍ଟ ନଁା ଆଉ କ’ଣ ତାହା ବୁଝିବା ପରେ ସମସ୍ୟା ସମାଧାନ କରିବେ ବୋଲି କହିଛନ୍ତି।

