ଯେତେ ବିଜ୍ଞ ସେତେ ଅଜ୍ଞ

ପ୍ରତ୍ୟେକ ସାହିତ୍ୟ ସଭାର ଆୟୋଜନ ଏକପ୍ରକାର ସ୍ବତନ୍ତ୍ର। ବିଶେଷକରି ରବିବାର ଦିନ ଆୟୋଜିତ ସାହିତ୍ୟ ଆସର ଅବସରର ଆନନ୍ଦ ସମ୍ପୂର୍ଣ୍ଣ ନିଆରା। ଜିଲା ସଂସ୍କୃତି ଭବନରେ ଜଣେ ଶିକ୍ଷାବିତ୍‌ଙ୍କ ଆୟୋଜିତ ପୁସ୍ତକ ଲୋକାର୍ପଣ ଉତ୍ସବର ଏକ ଭବ୍ୟ ସଭାରେ ମୋର ଉପସ୍ଥିତି ଏକ ସୁନ୍ଦର ଅନୁଭୂତି। ଯଦିଓ ନିମନ୍ତ୍ରଣ ପତ୍ରରେ କାର୍ଯ୍ୟସୂଚୀ ତଥା ସମୟ ନିର୍ଘଣ୍ଟ ହୋଇଥଲା, କିନ୍ତୁ ସଭାଟି ଆରମ୍ଭ ହେଲା ଦେଢ଼ଘଣ୍ଟା ବିଳମ୍ବରେ। କାରଣ ସଭା ପାଇଁ ନିମନ୍ତ୍ରିତ ପ୍ରତ୍ୟେକ ଅତିଥି ଜଣେ ଜଣେ ବିଶିଷ୍ଟ ବ୍ୟକ୍ତି। ଭାରତର ସମୟାନୁବର୍ତ୍ତିତା ସହ ଆମେ ସମସ୍ତେ ଜଡ଼ିତ। ଉଚ୍ଚ ପଦପଦବୀରେ ଅଧିଷ୍ଠିତ ବ୍ୟକ୍ତିଙ୍କର ଏକପ୍ରକାର ମନର ସ୍ଥିତି ଦୀର୍ଘଦିନ ଧରି ବସା ବାନ୍ଧିସାରିଛି। ସେମାନଙ୍କ ଚାଲିଚଳନ ହାବଭାବ ଦେଖି ସାଧାରଣ ଜନତାଙ୍କ ମଧ୍ୟ ସେଇ ପ୍ରକାର ପରିଭାଷାର ପ୍ରତିଫଳନ ହେବାରେ ଲାଗିଛି। ପ୍ରାୟ ଆମର ଏସବୁ ନିତିଦିନିଆ ଘଟଣା। ଆମେ ସମସ୍ତେ କୁହାଳିଆ। ଅନ୍ୟକୁ କହିବାରେ ଆମେ ଯେତେ ସମୟାନୁବର୍ତ୍ତୀ ଓ ଆଗଭର କିନ୍ତୁ କର୍ମକ୍ଷେତ୍ରରେ ତାହା ଦୁର୍ବଳ ତଥା ଶିଥିଳ। ଧୀରେଧୀରେ ଜଣେ ପରେ ଜଣେ ସଭାକକ୍ଷକୁ ପ୍ରବେଶ କରୁଥାନ୍ତି। ସବୁ ଦର୍ଶକଙ୍କୁ ମିଶାଇଲେ ବେଶି ନ ହେଲେ ବି ୨୦ ଜଣ ୬୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକ ତଥା ବାକି ଆଠଦଶ ଜଣ ସେଇ ପଇଁତିରିଶରୁ ପଇଁଚାଳିଶି ବର୍ଷ ବୟସ ମଧ୍ୟରେ ଉପସ୍ଥିତ ଶ୍ରୋତା ଓ ଦର୍ଶକ। ସେମାନଙ୍କ ମଧ୍ୟରୁ ମୁଁ ଜଣେ। ସଭାରେ ଉପସ୍ଥିତ ଥିବା ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଜିଲାପାଳଠାରୁ ଆରମ୍ଭକରି ବିଶିଷ୍ଟ ଶିକ୍ଷାବିତ୍‌ଙ୍କ ଉପସ୍ଥିତ ସଭାର ଆକର୍ଷଣ ବିନ୍ଦୁ। ବ୍ୟସ୍ତତା ସକାଶେ ଜିଲାପାଳ ସ୍ବଳ୍ପ ସମୟ ମଧ୍ୟରେ ପୁସ୍ତକର ଲୋକାର୍ପଣ ପରେ ପରେ ଅଳ୍ପ କେଇଧାଡ଼ିରେ ସଭାଟିକୁ ସମ୍ବୋଧନକରି ବାହାରିଗଲେ। ପ୍ରତ୍ୟେକ ସାହିତ୍ୟ ଓ ପୁସ୍ତକ ଲୋକାର୍ପଣ ସଭା ପ୍ରକୃତରେ ସମୟ ସାପେକ୍ଷ। କାରଣ କୌଣସି ବିଜ୍ଞ ବ୍ୟକ୍ତିମାନଙ୍କର ଯେତେବେଳେ ମେଳି ହୁଏ ଏବଂ କୌଣସି ନିର୍ଦ୍ଦିିଷ୍ଟ ବିଷୟରେ ଚର୍ଚ୍ଚା ଆରମ୍ଭ ହୁଏ ତାକୁ ସମୟରେ ବାନ୍ଧିରଖିହୁଏନା। କଥାରେ ଅଛି ଭାଷା ସାହିତ୍ୟର କୌଣସି ପରିସୀମା ନାହିଁ।
ପ୍ରତ୍ୟେକ ସଭାରେ ଚା’ ଜଳଖିଆ ଏକ ସାଧାରଣ ପରମ୍ପରା। ସଭା ଭବ୍ୟ ହେଉକି ସାଧାରଣ କିନ୍ତୁ ସେଠାରେ ସାଧାରଣ ଜନତାଙ୍କୁ ବାନ୍ଧିରଖିବା ପାଇଁ ଶବ୍ଦ ଯେତିକି ଜରୁରୀ ତା’ସହ ଚା’ ଜଳଖିଆର ବ୍ୟବସ୍ଥା ସେତିକି ସୁଖଦପୂର୍ଣ୍ଣ। ସାଧାରଣ ସଭାରେ ଜଳଖିଆ ନ ହେଲେବି କପେ ଚା’ ଓ ଦିଖଣ୍ଡ ବିସ୍କୁଟ ହେଲେ ତାହା ମଧ୍ୟ ଗ୍ରହଣୀୟ। ସଭା ଆରମ୍ଭର କିଛି ସମୟ ବ୍ୟବଧାନରେ ମଞ୍ଚାସୀନ ଅତିଥିମାନଙ୍କୁ ଚା’ ପରଷାଗଲା। ମଞ୍ଚ ତଳେ ବସିଥିବା ଦର୍ଶକଙ୍କୁ ମଧ୍ୟ। ମଞ୍ଚାସୀନ ଅତିଥିଙ୍କୁ ଶଙ୍ଖ ମଲମଲ ଝଟକୁଥିବା କପ୍‌ପ୍ଲେଟ୍‌ରେ ଚା’ ପରିଷିବା ଏକ ସ୍ବଚ୍ଛ ସୁନ୍ଦର ପରିବେଶର ପରିକଳ୍ପନା। ଅର୍ଥାତ୍‌ ଚା’ ପିଇସାରିବା ପରେ ତାକୁ ନେଇ ଧୋଇପୋଛି ପୁଣି ସୁରକ୍ଷିତ ସ୍ଥାନରେ ରଖିହେବ। କିନ୍ତୁ ମଞ୍ଚ ତଳେ ବା ସମ୍ମୁଖରେ ବସିଥିବା ଶ୍ରୋତାଙ୍କ ପାଇଁ କାଗଜ କପ ଦ୍ୱାରା ଚା’ ପରଷିବା ନିଶ୍ଚିତଭାବେ ଏକ ଦୂଷିତ ପରିବେଶର ନିଦର୍ଶନ। ଚା’ ପିଇବା ପରେ ବସିଥିବା ଶ୍ରୋତାଙ୍କ ଆଚରଣବିଧି ଠିକ୍‌ଠାକ୍‌ ଲାଗୁ ନ ଥିଲା। କେହି ଚା’ ପିଇସାରି କପଟିକୁ ମୋଡ଼ିମାଡ଼ି କୋଣକୁ ଫିଙ୍ଗୁ ଦେଉଥାନ୍ତି ତ ଆଉ କେହି ତାକୁ ବସିଥିବା ଚେୟାର ତଳକୁ ଫୋପାଡ଼ି ଦେଉଥାଆନ୍ତି। କେହି ଜଣେ ଉଠିପଡ଼ି ବାହାର ଡଷ୍ଟବିନ୍‌ରେ ସୁରକ୍ଷିତ ଢଙ୍ଗରେ ପକାଇବା ପାଇଁ ଇଚ୍ଛା ପ୍ରକାଶ ନଜର ଆସୁ ନ ଥାଏ। ମୋର ଚା’ ପିଇବା ଅଭ୍ୟାସର ଦୀର୍ଘଦିନ ହେବ ଅନ୍ତ ହୋଇସାରିଛି। ଅନ୍ତତଃ ସେ ସମୟରେ ମୁଁ ଏଭଳି କାର୍ଯ୍ୟର ସମାଲୋଚନାରୁ ଦୂରରେ। ସଭାରେ ସଭାପତିଙ୍କ ଆହ୍ବାନକ୍ରମେ ମଞ୍ଚାସୀନ ଅତିଥିଗଣ ଜଣଙ୍କ ପରେ ଜଣେ ଆସି ସେମାନଙ୍କ ଅଭିଭାଷଣ ପ୍ରଦାନ କରୁଥାନ୍ତି। ମଞ୍ଚାସୀନ ଅତିଥିମାନଙ୍କ ଆଚରଣକୁ ମୁଁ ଯତ୍ନ ସହକାରେ ନିରୀକ୍ଷଣ କରୁଥାଏ ଅତି ଶୃଙ୍ଖଳିତ ଭାବରେ।
ଚା’ ଯୋଗାଣରେ ଥିବା ଲୋକଟି ଦ୍ୱିତୀୟ ପର୍ଯ୍ୟାୟର ଚା’ ଆଣି ମଞ୍ଚାସୀନ ଅତିଥିମାନଙ୍କୁ ଆପ୍ୟାୟିତ କରୁଥିବା ସମୟରେ କେତେଜଣ ଅତିଥିଙ୍କର ଚା’ପ୍ରତି ଅନାଗ୍ରହତା ସହ ଆଉ କେତେକଙ୍କର ଆନ୍ତରିକତା ଦେଖିବାକୁ ମିଳେ। ଚା’ ଆମ ସମସ୍ତଙ୍କର ଦୈନିକ ଅଭ୍ୟାସ। ସକାଳ ଓ ସଞ୍ଜବେଳେ ପୁଣି କେତେଜଣ ଲୋକଙ୍କର ମଧ୍ୟାହ୍ନରେ ଚା’ ପିଇବା ଏକ ଦୁର୍ବଳ ଅଭ୍ୟାସ କହିଲେ ଅତ୍ୟୁକ୍ତି ହେବନାହିଁ। ଅତିଥିମାନଙ୍କୁ ଚା’ ଯାଚିବା ଏକ ଆଥିତେୟତା ତଥା ଭାରତୀୟ ପରମ୍ପରା। ସେ ଖରାବେଳ ହେଉକି ଶୋଇବାବେଳ। ଚା’ପ୍ରତି ଆଗ୍ରହ ଦେଖାଉଥିବା ମଞ୍ଚାସୀନ ଅତିଥି ଜଣକ ପୋଖତ ପାନୁଆ। ପ୍ରବଳ ଚୋବାନ୍ତି ତାହା ସଭା ଆରମ୍ଭରୁ ଜଣାପଡୁଥିଲା। ସେ ଜଣେ ସୁସାହିତି୍ୟକ,ଲେଖକ ଏବଂ ସୁବକ୍ତା। ଅନେକ ସାହିତ୍ୟ ସଭା ତଥା ଅନ୍ୟାନ୍ୟ ମଞ୍ଚରେ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଭାଷା ଓ ସାହିତ୍ୟକୁ ଉପସ୍ଥାପନକରି ଅନ୍ୟକୁ ଆକର୍ଷଣ କରିବାରେ ସେ ଆଗଧାଡ଼ିରେ। ଭାଷଣ ସମୟରେ ନିଜର ଆତ୍ମଗରିମା ଓ ଜୟଗାନକୁ ଅତି ସୁନ୍ଦରଭାବେ ନିଜେ ଉପସ୍ଥାପନ କରିବାରେ କୌଣସି ଅସୁବିଧା ସୃଷ୍ଟିହୁଏନାହିଁ। ଜାତଦେଖା ପୁଣି କଦଳୀବିକା ଏହା ଆମ ସ୍ବଭାବ। ବେଳେବେଳେ ନିଜ ଢୋଲ ନିଜେ ପିଟିବା ବୁଦ୍ଧିମାନର ପରିଚୟ। ବୁଦ୍ଧିମାନ ଲୋକ ହିଁ ନିଜ ଦ୍ୱାରା ପ୍ରଚାରିତ ହେବାକୁ ଭଲପାଏ। ପ୍ରଚାରପ୍ରସାର ଦ୍ୱାରା ମଣିଷର ଏକରକମ ପରିଚୟ ସୃଷ୍ଟିହୁଏ। ପାନ ଚୋବାଉଥିବା ଅତିଥିଙ୍କୁ ସମ୍ମାନପୂର୍ବକ ଚା’ ଯାଚିବା ଏବଂ କାଳବିଳମ୍ବ ନ କରି ଅତିଥି ବକ୍ତା ଚା’ ଗ୍ରହଣକଲେ। ହେଲେ ପାନଚୋବା ସରିନି ତା’ସହ ଚା’ ନିଶା। ମଞ୍ଚାସୀନ ଅତିଥି ଚୋବାଉଥିବା ପାନଛେପକୁ ଢୋକିଦେଲେ, କିନ୍ତୁ ପାନର ଛେଦରାକୁ କାଢ଼ି ନିଜେ ବସିଥିବା ଟେବୁଲ ତଳକୁ ନିର୍ଭୟରେ ଫିଙ୍ଗିଦେଲେ। ଆଶ୍ଚର୍ଯ୍ୟ ଲାଗିଲା ଗୁଣୀଜ୍ଞାନୀ ବୟସ୍କଙ୍କ ନିକଟରେ ଏସବୁ ମଧ୍ୟ ପ୍ରତିଫଳିତ ହୋଇଥାଏ କି ? ସେ ସମ୍ପୂର୍ଣ୍ଣ ଶାରୀରିକ ସୁସ୍ଥ ମଣିଷ। ଅଳ୍ପଦିନ ହେବ ଚାକିରିରୁ ଅବସର ଗ୍ରହଣ କରିଛନ୍ତି, କିନ୍ତୁ ବାର୍ଦ୍ଧକ୍ୟତାର କୌଣସି ଅକ୍ଷମତାର ଗନ୍ଧବାସ୍ନା ନାହିଁ। ସେ ଚାହିଁଥିଲେ ବେସିନ କିମ୍ବା ଡଷ୍ଟବିନ୍‌ ବ୍ୟବହାର କରିପାରିଥାନ୍ତେ। ଚା’ ପିଇସାରି ନିଜ ପାଳିର ବକ୍ତବ୍ୟ ରଖିଲେ। ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସ୍‌ଙ୍କ ନୈତିକ ଜୀବନ ଉପରେ ସେ ଆଲୋକପାତ କଲେ। ସକ୍ରେଟିସ୍‌ ଜଣେ ଗପୁଡ଼ା ପ୍ରକୃତିର ବ୍ୟକ୍ତି ଥିଲେ। ବାଟେଘାଟେ, ହାଟବଜାରେ ଯିଏ ମିଳିଲା ତା’ସହ ଜ୍ଞାନଚର୍ଚ୍ଚା ଆରମ୍ଭ କରନ୍ତି ସତ, କିନ୍ତୁ ଜ୍ଞାନ ଚର୍ଚ୍ଚାର ଶେଷହେବାର କୌଣସି ନିର୍ଘଣ୍ଟ ନ ଥାଏ। ଭିନ୍ନଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସେ ଯୋଗଦେବାକୁ ଆଗ୍ରହ ପ୍ରକାଶ କରୁଥିଲେ କାରଣ ସେ ବାସ୍ତବ ଜ୍ଞାନ ବିଷୟରେ ଆଲୋଚନା ପାଇଁ ଅଧିକ ଲୋକଙ୍କ ଉପସ୍ଥିତି ଲୋଡୁଥିଲେ। ଅର୍ଥାତ୍‌ ସାଧାରଣ ଜନତାରୁ ଉଚ୍ଚବର୍ଗ ତଥା ଯୁବଗୋଷ୍ଠୀଙ୍କୁ ବହୁମାତ୍ରାରେ ସଚେତନ କରାଇବା ଲକ୍ଷ୍ୟରେ ସେ ସମସ୍ତ ଆଲୋଚନା କରୁଥିଲେ। ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଅତ୍ୟଧିକ ମଦ୍ୟପାନ କରୁଥିଲେ ମଧ୍ୟ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁ ନ ଥିଲେ। ସଦା ଭଦ୍ର ତଥା ଶାନ୍ତସରଳ ସ୍ବଭାବ ଆଚରଣ ପ୍ରଦର୍ଶନ କରୁଥିଲେ। ସକ୍ରେଟିସ୍‌ ଏକ ନିର୍ଦ୍ଦିଷ୍ଟ ପୋଷାକକୁ ବହୁଦିନଧରି ପରିଧାନ ସହ ନିଜ ଶାରୀରିକ ସ୍ବଚ୍ଛତାକୁ ଏତେଟା ଗୁରୁତ୍ୱ ଦେଉ ନ ଥିଲେ, କିନ୍ତୁ ସର୍ବସାଧରଣ ସ୍ଥାନକୁ ପରିଷ୍କାର ପରିଚ୍ଛନ୍ନ ପ୍ରତି ସେ ବହୁ ସଚେତନ ଥିଲେ। କିନ୍ତୁ ଆମମାନଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ। ଆମେ ନିଜକୁ ଅଧିକ ସ୍ବଚ୍ଛ ଓ ପରିଷ୍କାର ପାଇଁ ସଦାସର୍ବଦା ଯତ୍ନଶୀଳ, କିନ୍ତୁ ସର୍ବସାଧାରଣ ଜାଗାକୁ ଅପରିଷ୍କାର ନଷ୍ଟଭ୍ରଷ୍ଟ କରି କଦାକାର ବୀଭତ୍ସ କରିବାରେ ବ୍ୟସ୍ତ। ଆମେ ଯେତେ ଶିକ୍ଷିତ ସଭ୍ୟ ବୋଲି ନିଜକୁ ପରିଚୟ ଦିଅନ୍ତି, କିନ୍ତୁ ଆମ ଆଚରଣରେ ସେତିକି ଅଜ୍ଞାନତା ତଥା ଅସଭ୍ୟତା ପ୍ରଦର୍ଶିତ ହେଉଛି। ନୈତିକ ତଥା ଆଦର୍ଶଗତ ଉପଦେଶ, ଅଭିଭାଷଣ ଦେବାରେ ଆମେ ଯେତିକି ଆନନ୍ଦ ଅନୁଭବ କରନ୍ତି ସେତେଟା କାର୍ଯ୍ୟକ୍ଷେତ୍ରରେ ଦେଖିବାକୁ ମିଳୁନାହିଁ। ଏହା ସ୍ପଷ୍ଟ ଯେ ଯିଏ ଯେତେ ବିଜ୍ଞ ସିଏ ସେତେ ଅଜ୍ଞ।

ଡ. ମନୋଜ କୁମାର ମହାନ୍ତି

ଦର୍ଶନ ବିଭାଗୀୟ ମୁଖ୍ୟ,
ବିଏନ୍‌ଏମ୍‌ଏ ମହାବିଦ୍ୟାଳୟ, ଭଦ୍ରକ
ମୋ: ୮୮୯୫୩୪୧୦୩୩

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri