କୃତ୍ରିମ ବୁଦ୍ଧିମତ୍ତାର ଯୁଦ୍ଧ

ଭାରତର କମ୍ପଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ(ସିଏଜି) ୨୦୧୭ରେ ପ୍ରକାଶ କରିଥିବା ରିପୋର୍ଟରେ ଦର୍ଶାଇଥିଲେ ଯେ, ଯଦି ଭବିଷ୍ୟତରେ ଭାରତର କାହା ସହ ଯୁଦ୍ଧ ହୁଏ ତେବେ ଏହାର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ମାତ୍ର ୧୦ ଦିନରେ ସରିଯିବ। ଅର୍ଥାତ୍‌ ଦୀର୍ଘକାଳୀନ ଯୁଦ୍ଧ ଭାରତ ଲଢ଼ିବାକୁ ଅସମର୍ଥ ବୋଲି ଏଥିରୁ ବୁଝି ହୋଇଯାଇଥିଲା। ଏବେ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ସହ ଭାରତର ଅପଡ଼ ରହିଥିବା ବିଷୟ ସମସ୍ତେ ଜାଣନ୍ତି। ଏହା ସତ୍ତ୍ୱେ ବିଗତ ୫ ବର୍ଷ ମଧ୍ୟରେ ଭାରତ ପ୍ରତିରକ୍ଷାକୁ ସୁଦୃଢ଼ କରିବା ଦିଗରେ ସେଭଳି ଅଭିନବ ପଦକ୍ଷେପ ନେଇପାରି ନାହିଁ। ୨୦୨୨ରେ କୁହାଗଲାଣି, ଭାରତ ଭବିଷ୍ୟତ ଯୁଦ୍ଧରେ କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ(ଏଆଇ) ଉପଯୋଗ କରିବା ସକାଶେ ପଦକ୍ଷେପ ନେଉଛି। ଏଭଳି ଅନେକ କଥା ଲୋକଙ୍କ ସମ୍ମୁଖରେ ରଖାଯାଉଛି, ଯାହାକୁ ଆସନ୍ତା ୨୫ ବର୍ଷରେ ହାସଲ କରାଯିବ ବୋଲି କୁହାଯାଉଛି। ଏହା ନିଶ୍ଚିତ ଭାବେ ସ୍ବୀକାରଯୋଗ୍ୟ ଯେ, ଦୀର୍ଘମିଆଦୀ ଯୋଜନା କରାଗଲେ ଦେଶର ଉନ୍ନତି ଘଟିପାରିବ। ଅନ୍ୟପଟେ ଦୀର୍ଘ ୨୫ ବର୍ଷର ଚକ୍‌ମା ଦେଖାଇ ଆଜିର ସମସ୍ୟାକୁ ଏବେ ସମାଧାନ କରା ନ ଗଲେ, ଭବିଷ୍ୟତରେ ତାହା ସମସ୍ୟାପୂର୍ଣ୍ଣ ହେବାର ସବୁ ଆଶଙ୍କା ରହିଛି। ଯେଉଁ ସମୟରେ ଚାଇନା ଏଆଇ, ମେଶିନ୍‌ ଲର୍ନିଂ (କମ୍ପ୍ୟୁଟର ଆଲ୍‌ଗୋରିଦିମ୍‌ ଉପରେ ଅନୁଧ୍ୟାନ କରି ସ୍ବୟଂଚାଳିତ ଭାବେ ମେଶିନ୍‌ ଚଳାଇବାର ଦକ୍ଷତା ରଖିଛି), ସ୍ବୟଂଶାସିତ ବିଷାକ୍ତ ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା, ରୋବୋଟିକ୍ସ ଓ ସାଇବରଓ୍ବାର୍‌ ଦିଗରେ କାର୍ଯ୍ୟ କରୁଛି, ସେତେବେଳେ ଭାରତ ଏହିସବୁ କ୍ଷେତ୍ରରେ ୨୫ ବର୍ଷର ସ୍ବପ୍ନ ଦେଖାଇଲେ ଆଜିର ବୈଷୟିକ ଜ୍ଞାନ ସେତେବେଳକୁ ପୁରୁଣା ଓ ଅକାମୀ ହୋଇସାରିଥିବ। କୌତୂହଳର ବିଷୟ ହେଲା ଯେ, ଏସବୁ ବୈଷୟିକ ଜ୍ଞାନ ଏବେ ମଧ୍ୟ ଗୁଗ୍‌ଲ, ଫେସ୍‌ବୁକ୍‌, ଆମାଜନ ଭଳି ଘରୋଇ କମ୍ପାନୀ ବ୍ୟବହାର କରୁଛନ୍ତି। ଦିଲ୍ଲୀରେ ଅନୁଷ୍ଠିତ ‘ବିଟିଂ ଦି ରିଟ୍ରିଟ୍‌’ କାର୍ଯ୍ୟକ୍ରମ ଶେଷ ହେବା ପରେ କାନପୁରସ୍ଥିତ ଆଇଆଇଟି ଦ୍ୱାରା ଡ୍ରୋନ୍‌ ଉଡ଼ାଣ ଦେଖଣାହାରୀଙ୍କ ଦେହକୁ କାଳେ ଶୀତେଇ ଦେଲା ବୋଲି କୁହାଯାଉଛି। କିନ୍ତୁ ପ୍ରାୟ ଅଧିକାଂଶ ଦେଶ ଡ୍ରୋନ୍‌ ମାଧ୍ୟମରେ ବଢ଼ଇଞ୍ଚଳରୁ ଲୋକଙ୍କୁ ସାହାଯ୍ୟ କରିବାଠାରୁ ଆରମ୍ଭ କରି କୋଭିଡ୍‌ଜନିତ ଲକ୍‌ଡାଉନ୍‌ ସମୟରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପହଞ୍ଚାଇବାର କାର୍ଯ୍ୟ କରୁଛି। ଭାରତୀୟମାନେ ମାନ୍ଧାତା ସମୟର ଆଭିମୁଖ୍ୟ ରଖି ଏହି ଦେଶକୁ ଆଗେଇ ନେଇପାରିବେ ନାହିଁ। ସେଥିପାଇଁ ଗବେଷଣା ଓ ବିକାଶ (ଆର୍‌ ଏଣ୍ଡ୍‌ ଡି) ଦିଗରେ ଶକ୍ତିଶାଳୀ ହେବାକୁ ହେଲେ ଭାରତକୁ ଆହୁରି ଦ୍ରୁତଗତିରେ ଧାବମାନ ହେବାକୁ ପଡ଼ିବ।
୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ କରାଯାଇଥିବା ବଜେଟରେ ପ୍ରତିରକ୍ଷା କ୍ଷେତ୍ରକୁ ୫.୨୫ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି, ତାହା ପୂର୍ବ ଆର୍ଥିକ ବର୍ଷଠାରୁ ଅଧିକ ରହିଛି। ୨୦୨୧-୨୨ରେ ଏହି ପାରିମାଣ ଥିଲା ୪.୭୮ ଲକ୍ଷ କୋଟି ଟଙ୍କା। ୨୦୨୨-୨୩ ବଜେଟରେ ୩୨ ହଜାର ୧୫ କୋଟି ଟଙ୍କା ସ୍ଥଳସେନା ଲାଗି ବ୍ୟୟବରାଦ କରାଯାଇଛି। ଗତବର୍ଷ ଏହା ଥିଲା ୩୬ ହଜାର ୪୮୧ କୋଟି ଟଙ୍କା। ସ୍ଥଳସେନା ପ୍ରତି ବ୍ୟୟବରାଦ କମାଇ ଦିଆଯିବା ଦ୍ୱାରା ବିପଦ ଡାକିଆଣିବା ଭଳି ମନେହେଉଛି। କାରଣ ଭାରତ ଏବେ ଚାଇନା ଭଳି ଯୁଦ୍ଧ କ୍ଷେତ୍ରରେ ଏଆଇ ବ୍ୟବହାର କରି ଲଢ଼ିବାର ସମ୍ବଳ ସୃଷ୍ଟି କରିପାରିନାହିଁ।
ଏଠାରେ ମନେରଖିବାକୁ ହେବ, ଏଆଇ ମାଧ୍ୟମରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ରକୁ କେବଳ ଯେ ପରିଚାଳନା କରାଯାଇପାରିବ ତାହା ନୁହେଁ, ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଶତ୍ରୁ ଦେଶରେ ମିଥ୍ୟା ପ୍ରଚାର, ସାଇବର ଆକ୍ରମଣ, ଯାହାଦ୍ୱାରା ଶତ୍ରୁର ଯୁଦ୍ଧ ସମ୍ବନ୍ଧୀୟ କମ୍ପ୍ୟୁଟରକୁ ଅକାମୀ କରିଦିଆଯିବା ଭଳି ଅନେକ ପ୍ରକାର ବୌଦ୍ଧିକ ଯୁଦ୍ଧ ମଧ୍ୟ ଘଟାଯାଇଥାଏ। ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ ଏବେ ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଲାଗି ରହିଥିବା ତିକ୍ତ ସ୍ଥିତିରୁ ଅନୁଭବ କରିହେଉଛି। ବିନା ଯୁଦ୍ଧ ଘଟାଇ ପ୍ରଚାର ମାଧ୍ୟମରେ ରୁଷିଆ ତା’ର ଶତ୍ରୁ ଭାବେ ୟୁକ୍ରେନ୍‌କୁ ପରାସ୍ତ କରିସାରିଲାଣି। ବିଶ୍ୱବ୍ୟାପୀ ସାଧାରଣ ଲୋକ ଜାଣିଛନ୍ତି ଯେ ରୁଷିଆର ବିରାଟକାୟ ଶକ୍ତି ସମ୍ମୁଖରେ ୟୁକ୍ରେନ୍‌ ବାମନ। ପାଶ୍ଚାତ୍ୟ ଦେଶଗୁଡ଼ିକ ମଧ୍ୟ ସେମାନଙ୍କ ହାତ ଟେକିଦେଲେଣି। ଏହା ହେଉଛି ଆଧୁନିକ ଯୁଦ୍ଧର ସଦ୍ୟତମ ରଣନୀତି। ଭାରତକୁ ଯଦି ଚାଇନା ତରଫରୁ ଏଇଭଳିଆ ଆକ୍ରମଣ କରାଯାଏ, ତେବେ ଗୋଟିଏ ଗୁଳି ମଧ୍ୟ ଫୁଟିବାର ପ୍ରୟୋଜନ ଉଠିବ ନାହିଁ।
ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନିକଟରେ କହିଥିଲେ, ୨୦୨୪ ସୁଦ୍ଧା ୨୫ଟି ଏଆଇ ସଂଯୁକ୍ତ ପ୍ରତିରକ୍ଷା ସାମଗ୍ରୀ ବିକଶିତ ହେବ। ଏଠାରେ ପ୍ରତିରକ୍ଷା ମନ୍ତ୍ରୀ ଏଆଇକୁ କିଭଳି ବୁଝୁଛନ୍ତି, ତାହା ସାଧାରଣରେ ବୁଝିବା କଷ୍ଟକର। ଏଆଇ ଏକ ସାମଗ୍ରୀ ବା ଯନ୍ତ୍ରପାତି ନୁହେଁ। କୃତ୍ରିମ ବୁଦ୍ଧିମତ୍ତା ଦ୍ୱାରା ଯୁଦ୍ଧ ବ୍ୟବସ୍ଥାକୁ ଧ୍ୱଂସ କରିଦିଆଯାଇପାରେ। ଆଜି ପର୍ଯ୍ୟନ୍ତ ଭାରତ ଚିପ୍‌ ନିର୍ମାଣ କରିବାରେ ସ୍ବୟଂସମ୍ପୂର୍ଣ୍ଣ ହୋଇପାରିନାହିଁ। ଭାରତ ହେଉଛି ଆସେମ୍ବ୍ଲିଂ ବା ଯୋଡ଼ିବା ଖଞ୍ଜିବାର ଦେଶ। ସେଥିପାଇଁ ବିଦେଶରୁ ଯାହା କିଛି କିଣା ହେବ ସେସବୁ ସାମଗ୍ରୀର ରିମୋଟ୍‌ କଣ୍ଟ୍ରୋଲ୍‌ କେଉଁଠି ରହିଛି ଜାଣିବା କଷ୍ଟକର ନୁହେଁ। ଏପରି କି ଆଧୁନିକ ସାଇବର ଯୁଦ୍ଧରେ ବିଦେଶରୁ ଆସିଥିବା ଉଡ଼ାଜାହାଜକୁ ବିଦେଶରେ ବସି ଅକାମୀ କରିଦେବାର କ୍ଷମତା ଚାଇନା, ରୁଷିଆ ଓ ଆମେରିକା ଭଳି ରାଷ୍ଟ୍ରର ରହିଛି। ଭାରତରେ ମଧ୍ୟ ଏହିଭଳି ସାଇବର ଆକ୍ରମଣର ଆଭାସ ମିଳିଥିଲା କିଛିବର୍ଷ ପୂର୍ବେ ଯେତେବେଳେ ଉତ୍ତର ଭାରତର ବିଦ୍ୟୁତ୍‌ ଗ୍ରୀଡ୍‌କୁ ଅନେକ ସମୟ ପର୍ଯ୍ୟନ୍ତ ଅକାମୀ କରିଦିଆଯାଇଥିଲା। ସେତେବେଳେ କୁହାଯାଇଥିଲା, ତାହା ଚାଇନାର ପରୀକ୍ଷାମୂଳକ ଯୁଦ୍ଧ ଥିଲା।
ଏଭଳି ପ୍ରଚ୍ଛଦପଟରେ ଭାରତକୁ ଶକ୍ତିଶାଳୀ କରିବାକୁ ହେଲେ ପ୍ରଥମେ ଦେଶର ଆଭ୍ୟନ୍ତରୀଣ ସ୍ଥିତିରେ ସୁଧାର ଆଣିବାକୁ ହେବ। ଏକ ବିଭାଜିତ ସମାଜକୁ ପରାସ୍ତ କରିବା ଅତ୍ୟନ୍ତ ସହଜ ହୋଇଥାଏ। ସେହି ସ୍ଥିତିର ଊର୍ଦ୍ଧ୍ୱକୁ ଯାଇପାରିଲେ ଭାରତ ବାସ୍ତବରେ ଶକ୍ତିଶାଳୀ ହୋଇପାରନ୍ତା। ୟୁକ୍ରେନ୍‌ ଉଦାହରଣ ପୁଣି ଦେଖାଯାଉ। ସେଠାକାର ପୂର୍ବ ୟୁକ୍ରେନ୍‌ରେ ଥିବା ବିଦ୍ରୋହୀମାନେ କିଭ୍‌ର ଶାସନ ବିରୋଧରେ ଦୀର୍ଘଦିନ ଧରି ଲଢ଼ି ଆସୁଛନ୍ତି। ରୁଷିଆ ଏବେ ସେହି ବିଦ୍ରୋହୀମାନଙ୍କୁ ବ୍ୟବହାର କରିବାରେ ଚିନ୍ତାକରି କାର୍ଯ୍ୟ ଆରମ୍ଭ କରିଦେଲାଣି। ଅନ୍ୟପକ୍ଷରେ ଇସ୍ରାଏଲ ଏକ ସୁନ୍ଦର ଦୃଷ୍ଟାନ୍ତ ଯେଉଁଠାରେ ସେହି ଦେଶର ସମାଜ ଅଖଣ୍ଡିତ। ସେଥିପାଇଁ ଏଆଇ ଦ୍ୱାରା ସବୁ ପ୍ରକାରର ସୁରକ୍ଷା ଦିଗରେ ଇସ୍ରାଏଲ ଏବେ ପୃଥିବୀର ଏକନମ୍ବର ଦେଶ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri