ଦୃଷ୍ଟି ଓ ଦୃଷ୍ଟିଭଙ୍ଗୀ

ଘାସିରାମ ପଣ୍ଡା

ଚଉସ୍ତରି ମସିହା ପୂର୍ବରୁ ଆମ ଗାଁରେ ବିଦ୍ୟାଳୟ ନ ଥିଲା। ଗାଁ ଲୋକଙ୍କ ପ୍ରୟାସରେ ଝାଟିମାଟିର ଘର କରି ଚାଳିଆରେ ବିଦ୍ୟାଳୟ ଆରମ୍ଭ ହୋଇଥିଲା। ଏଇ ବିଦ୍ୟାଳୟରେ ହିଁ ଆମେମାନେ ପାଠ ପଢିଛୁ। କେତେ ବର୍ଷ ପରେ ଯାଇ ବିଦ୍ୟାଳୟକୁ ସରକାର ହାତକୁ ନେଲେ। ସେ ଯାଏ ତ ପୁଣି ଗାଁ ଲୋକ ଚଳଉଥିଲେ। କେତେ ପିଲା ଏଠି ପାଠ ପଢି ମଣିଷ ହୋଇଛନ୍ତି। ଏଇ ବର୍ଷ କମ୍‌ ପିଲା ଅଛନ୍ତି ବୋଲି କହି ସରକାର ବିଦ୍ୟାଳୟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟ ବନ୍ଦ ହୋଇଗଲେ ଆମ ଗାଁର ଆଉ କ’ଣ ମାନସମ୍ମାନ ରହିବ! ସରକାର ବରଂ ସାହାଯ୍ୟ ନ କରନ୍ତୁ, ଆମେ ଆରମ୍ଭ କରିଥିବା ବିଦ୍ୟାଳୟ ଆମକୁ ଫେରାଇ ଦିଅନ୍ତୁ। ଆମ ସହିତ ଆଲୋଚନା କଲାବେଳେ ଆବେଗଭରା କଣ୍ଠରେ ଏକା ନିଃଶ୍ୱାସରେ ଏତକ କହିଗଲେ ବରଗଡ ଜିଲା ଅମ୍ବାଭୋନା ବ୍ଲକର ରାମଖୋଲ ଗାଁ ନିବାସୀ ଭୈରବ ପାତ୍ର।
ଲୋକଙ୍କ ପ୍ରୟାସରେ ପ୍ରାଥମିକଠୁ ଆରମ୍ଭ କରି ଉଚ୍ଚ ମାଧ୍ୟମିକ ପର୍ଯ୍ୟନ୍ତ ବିଦ୍ୟାଳୟ ସ୍ଥାପନ କରିବାର ଅନେକ ଉଦାହରଣ ଆମ ରାଜ୍ୟରେ ଅଛି। ପରେ ସରକାର ନୀତି ପ୍ରଣୟନ ପୂର୍ବକ ଏହି ସବୁ ବିଦ୍ୟାଳୟଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଅନେକ ବିଦ୍ୟାଳୟକୁ ସରକାର ନିଜ ଅଧୀନକୁ ବି ନେଇ ଆସିଛନ୍ତି। ପରବର୍ତ୍ତୀ ସମୟରେ ଶିକ୍ଷାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଆଭିମୁଖ୍ୟ ରଖି ସରକାର କଳାପଟା ଅଭିଯାନ, ଜିଲା ପ୍ରାଥମିକ ଶିକ୍ଷା ଅଭିଯାନ, ସର୍ବ ଶିକ୍ଷା ଅଭିଯାନ ପ୍ରଭୃତି କାର୍ଯ୍ୟକ୍ରମ ପ୍ରଚଳନ କରିଥିଲେ। ଏହି ସମୟରେ ଆବଶ୍ୟକତା ଭିତ୍ତିରେ ଅନେକ ନୂତନ ବିଦ୍ୟାଳୟ ସ୍ଥାପିତ ହୋଇଥିଲା। ୨୦୦୯ ମସିହାରେ ଶିକ୍ଷାକୁ ମୌଳିକ ଅଧିକାର ଭାବରେ ଗ୍ରହଣ କରାଯାଇ ସମ୍ବିଧାନ ସଂଶୋଧନ ହେଲାପରେ ଅତି ବେଶିରେ ଏକ କିଲୋମିଟର ଭିତରେ ପ୍ରାଥମିକ ଓ ତିନି କିଲୋମିଟର ଭିତରେ ଉଚ୍ଚ ପ୍ରାଥମିକ ଶିକ୍ଷାର ବନ୍ଦୋବସ୍ତ କରାଯିବା ଉପରେ ଗୁରୁତ୍ୱ ଦିଆଗଲା। ଏହାଦ୍ୱାରା ସମସ୍ତଙ୍କ ପାଖରେ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଉପଲବ୍ଧ କରାଯାଇପାରିବାର ଏକ ଦୃଷ୍ଟିଭଙ୍ଗୀ ଥିଲା।
କିଛି ବର୍ଷ ହେଲା ଏହାର ଏକ ବିପରିତ ଧାରା ଆରମ୍ଭ ହୋଇଛି। କମ୍‌ ଉପସ୍ଥାନ ଆଳରେ ପର୍ଯ୍ୟାୟ କ୍ରମେ ବିଦ୍ୟାଳୟଗୁଡିକୁ ବନ୍ଦ କରିଦିଆଯାଉଛି। ଏହା କେବଳ ଯେ ଓଡ଼ିଶାରେ ହେଉଛି ତାହା ନୁହେଁ, ନୀତି ଆୟୋଗଙ୍କ ନେତୃତ୍ୱରେ ଏହି ପ୍ରକ୍ରିୟାରେ ଅନେକ ରାଜ୍ୟ ସାମିଲ ହୋଇଛନ୍ତି। ସଷ୍ଟନେବଲ ଆକ୍ସନ ଫର ଟ୍ରାନ୍ସଫରମିଂ ହ୍ୟୁମାନ କ୍ୟାପିଟାଲ (ସାଥ) ନାମରେ ନୀତି ଆୟୋଗଙ୍କ ଏହି ପ୍ରାୟୋଗିକ ପରିକଳ୍ପନା ଓଡ଼ିଶା ସମେତ ଅନେକ ରାଜ୍ୟରେ ଆରମ୍ଭ ହୋଇଛି। ଏହାଦ୍ୱାରା ଗୁଣାତ୍ମକ ଶିକ୍ଷା ପ୍ରତି ଦୃଷ୍ଟି ଦିଆଯାଇ ପାରିବ ବୋଲି ହେଉଥିବା ଯୁକ୍ତି ଏକ ଭ୍ରମ ମାତ୍ର। ନିକଟରେ ୨୦ ବା ତା’ଠୁ କମ୍‌ ଉପସ୍ଥାନ ଥିବା ବିଦ୍ୟାଳୟକୁ ବନ୍ଦ କରିବା ନିର୍ଦ୍ଦେଶନାମା ଆସିବା ପରେ ରାଜ୍ୟରେ ହଇଚଇ ହୋଇଥିଲା। ପରିଣାମ ସ୍ବରୂପ ବିଦ୍ୟାଳୟ ବନ୍ଦ ପ୍ରସଙ୍ଗରେ ବିଭାଗ ତରଫରୁ ଡିସେମ୍ବର ୧୫ରେ ଏକ ସଂଶୋଧନ ପ୍ରସ୍ତାବ ଅଣାଯାଇଛି। ଗତ ବିଧାନସଭା ଅଧିବେଶନ ସମୟରେ ବିଧାୟକମାନଙ୍କୁ ଆଶ୍ୱସ୍ତ କରିବାକୁ ଯାଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ମୁତାବକ ଆଦିବାସୀ ଅଧ୍ୟୁଷିତ ଜିଲା ଓ ଅବିଭକ୍ତ କୋରାପୁଟ – ବଲାଙ୍ଗୀର-କଳାହାଣ୍ଡି ଜିଲାଗୁଡ଼ିକରେ ୨୦ ବଦଳରେ ୧୫ରୁ କମ୍‌ ଉପସ୍ଥାନ ଥିବା ବିଦ୍ୟାଳୟଗୁଡ଼ିକୁ ବନ୍ଦ କରାଯିବ ବୋଲି ଏଥିରେ କୁହାଯାଇଛି। ଏହା ଏହି ପ୍ରସଙ୍ଗରେ ଏକ ସାମୟିକ ଆଶ୍ୱସ୍ତି। କିନ୍ତୁ ବିଦ୍ୟାଳୟ ବନ୍ଦ ପ୍ରସଙ୍ଗରେ ସରକାରଙ୍କ ଦୃଷ୍ଟିଭଙ୍ଗୀ ନ ବଦଳିଲେ ରାଜ୍ୟରେ ଶୈଶବ ବିପର୍ଯ୍ୟସ୍ତ ହେବ।
ଡିସେମ୍ବର ୨୮ର କ୍ୟାବିନେଟ ବୈଠକରେ ଗୃହୀତ ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲାଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଙ୍ଗ ଶିକ୍ଷାରେ ସଂରକ୍ଷଣ ବ୍ୟବସ୍ଥା ପ୍ରତି ଆସ୍ଥା ପ୍ରକଟ କରିବାରେ ସହାୟକ ହେବ। ହେଲେ ଗାଁ ବିଦ୍ୟାଳୟ ବନ୍ଦ ହେବାରୁ ପଢିବା ପାଇଁ ଦୂର ବାଟ ଯିବାକୁ ପଡୁଥିବାରୁ ପିଲାମାନେ ପ୍ରାଥମିକରୁ ପାଠ ଛାଡୁଛନ୍ତି। ମେଡିକାଲ ଓ ଇଞ୍ଜିନିୟରିଙ୍ଗ ପାଠ ସେମାନଙ୍କ ପାଇଁ ଆକାଶ କଇଁଆ ଚିଲିକା ମାଛ ହୋଇଯିବ। ଏଣୁ ବିଦ୍ୟାଳୟ ବନ୍ଦର ନିଷ୍ପତ୍ତି ସମୟରେ ଉପସ୍ଥାନ ଅପେକ୍ଷା ଦୂରତାକୁ ମାନକ ଆକାରରେ ନିଆଯାଉ। ବିଦ୍ୟାଳୟ ବନ୍ଦକୁ ଯୁକ୍ତିନିଷ୍ଟ କରିବା ପାଇଁ ୨୦୧୮ ମେ ୧୪ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରେସିଓନାଲାଇଜେଶନ ନୀତି ପ୍ରଣୟନ କରିଛନ୍ତି। ବିଦ୍ୟାଳୟ ବନ୍ଦ ପରେ ପାଖ ବିଦ୍ୟାଳୟକୁ ଯିବା ପାଇଁ ରାଜ୍ୟ ରାଜପଥ, ଜାତୀୟ ରାଜପଥ, ରେଳ ଲାଇନ, ନଦୀ, ଜଙ୍ଗଲ, ପାହାଡ ଅତିକ୍ରମ କରିବାକୁ ପଡୁଥିଲେ ମୂଳ ବିଦ୍ୟାଳୟକୁ ବନ୍ଦ କରାଯିବ ନାହିଁ ବୋଲି ଏଥିରେ ଉଲ୍ଲେଖ ଅଛି। ଏତକ ଅନୁପାଳନ ହେଲେ ଆଦିବାସୀ ଅଞ୍ଚଳରେ ଅନେକ ବିଦ୍ୟାଳୟ ବନ୍ଦରୁ ବର୍ତ୍ତିଯିବେ। ଯେତେ ଅଧିକ ପିଲା ଶିକ୍ଷା ପରିସରକୁ ଆସିବେ ଶିଶୁ ଶ୍ରମିକ, ବାଲ୍ୟ ବିବାହ, ଚାଲାଣ, ଅପପୁଷ୍ଟି ଭଳି ସମସ୍ୟାରୁ ସେତେ ଅଧିକ ଆମେ ସେମାନଙ୍କୁ ଦୂରେଇ ରଖିପାରବା। ଏଣୁ ଶିକ୍ଷା ସମ୍ପର୍କିତ ନିଷ୍ପତ୍ତି ନେଲାବେଳେ ସରକାର ଦୃଷ୍ଟି ଅପେକ୍ଷା ଦୃଷ୍ଟିଭଙ୍ଗୀକୁ ଶାଣିତ କଲେ ଋଦ୍ଧିମନ୍ତ ଶୈଶବ ଗଠନରେ ସହାୟକ ହୋଇପାରିବେ।
ସୁବର୍ଣ୍ଣପୁର, ମୋ: ୭୯୭୮୭୪୬୮୫୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri