ୟୁକ୍ରେନ୍‌ ସଙ୍କଟ ଓ ଭାରତର ଆଭିମୁଖ୍ୟ

ପ୍ରଫେସର ଶକ୍ତି ପ୍ରସାଦ ଶ୍ରୀଚନ୍ଦନ

ବର୍ତ୍ତମାନ ୟୁରୋପ ଶୀତଳ ଯୁଦ୍ଧ ପରବର୍ତ୍ତୀ ସମୟର ସବୁଠାରୁ ବିପଜ୍ଜନକ ପର୍ଯ୍ୟାୟ ଦେଇ ଗତି କରୁଛି। ଯଦିଓ ୟୁକ୍ରେନ୍‌ ସଙ୍କଟ ୨୦୧୪ରୁ ଚାଲିଆସୁଛି, ତଥାପି ଏଥର ନାଟୋ ବିସ୍ତାରକୁ ନେଇ ରୁଷର ଚିନ୍ତା, ବିଶେଷକରି ୟୁକ୍ରେନ୍‌ର ସମ୍ଭାବ୍ୟ ନାଟୋ ସଦସ୍ୟତା ଏବଂ ପୂର୍ବ ୟୁରୋପରେ ନାଟୋର ସୈନ୍ୟ ବାହିନୀର ଉପସ୍ଥିତି ରୁଷର ଆକ୍ରମଣାତ୍ମକ ଆଭିମୁଖ୍ୟର ମୁଖ୍ୟ କାରଣ। ୟୁକ୍ରେନ୍‌ ସହିତ ଏହାର ସୀମାରେ ରୁଷ ପ୍ରାୟ ଏକ ଲକ୍ଷରୁ ଅଧିକ ସୈନ୍ୟ ଓ ବହୁ ମାତ୍ରାରେ କ୍ଷେପଣାସ୍ତ୍ର ମୁତୟନ କରିଛି। ସେହିପରି ସହଯୋଗୀ ରାଷ୍ଟ୍ର ବେଲାରୁଷରେ ମଧ୍ୟ ରୁଷ ପ୍ରାୟ ୩୦ହଜାର ସେନା ମୁତୟନ କରିବା ସହିତ ଯୁଦ୍ଧ ଅଭ୍ୟାସ ଜାରି ରଖିଛି। ନାଟୋ ସଦସ୍ୟ ରାଷ୍ଟ୍ରମାନେ ମଧ୍ୟ ସେମାନଙ୍କର ପୂର୍ବ ୟୁରୋପୀୟ ସଦସ୍ୟ ରାଷ୍ଟ୍ର – ରୋମାନିଆ, ବୁଲଗେରିୟା ଏବଂ ପୋଲାଣ୍ଡରେ ସେନା ମୁତୟନ ଓ ସମରସଜ୍ଜା ଚଳାଇଛନ୍ତି। ଉତ୍ତେଜନାକୁ ଦୂର କରିବା ପାଇଁ କୂଟନୈତିକ ପଦକ୍ଷେପ ନିଆଯାଉଛି, ଯଦିଓ ଏଥିରେ ଏଯାବତ ବିଶେଷ ସଫଳତା ମିଳିନି ଓ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।
ରୁଷ ସହିତ ସମୟ ପରୀକ୍ଷିତ ସମ୍ପର୍କ ଏବଂ ଆମେରିକା ଓ ପାଶ୍ଚାତ୍ୟ ଦେଶଗୁଡିକ ସହିତ ସମ୍ପର୍କରେ ଗତ କିଛିବର୍ଷ ମଧ୍ୟରେ ହୋଇଥିବା ସୁଧାରକୁ ଆଖିରେ ରଖି ଭାରତ ନିଜ ଆଭିମୁଖ୍ୟରେ ସତର୍କତା ଅବଲମ୍ବନ କରୁଛି। ଗୋଟିଏ ପଟେ ରୁଷ ହେଉଛି ଭାରତର ଘନିଷ୍ଠ ବନ୍ଧୁ। ଦୁର୍ଦ୍ଦିନରେ ରୁଷ ଭାରତ ସହିତ ଛିଡ଼ା ହୋଇଆସିଛି। ଆର୍ଥିକ ଓ ବାଣିଜି୍ୟକ ସମ୍ପର୍କ ବ୍ୟତୀତ, ଭାରତୀୟ ସଶସ୍ତ୍ର ବାହିନୀର ୬୦ପ୍ରତିଶତ ସରଞ୍ଜାମ ରୁଷ ନିର୍ମିତ। ନିକଟ ଭବିଷ୍ୟତରେ, ଭାରତ ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଏସ୍‌-୪୦୦ ଟ୍ରାଇମ୍ଫ ଭଳି ଅସ୍ତ୍ର ରୁଷଠାରୁ ପାଇବାର ସମ୍ଭାବନା ଅଛି। ଅନ୍ୟପକ୍ଷରେ, ଆମେରିକା ଏବଂ ୟୁରୋପୀୟ ଦେଶଗୁଡ଼ିକ ସହିତ ଆର୍ଥିକ, ବାଣିଜି୍ୟକ, ପ୍ରଯୁକ୍ତିବିଦ୍ୟା ଓ ପ୍ରତିରକ୍ଷା ପରି କ୍ଷେତ୍ରରେ ଭାରତର ସମ୍ପର୍କ ଯଥେଷ୍ଟ ଉନ୍ନତ ହୋଇଛି ଏବଂ ନିୟମିତ କୂଟନୈତିକ ଓ ରଣନୈତିକ ସହଯୋଗ ଜାରି ରହିଛି। ତେଣୁ ୟୁକ୍ରେନ୍‌ ସଙ୍କଟ ପରିପ୍ରେକ୍ଷୀରେ ଭାରତର ଏହି ଦେଶଗୁଡ଼ିକ ସହିତ ଦ୍ୱିପାକ୍ଷିକ ସମ୍ପର୍କ ଜଟିଳ ହୋଇପାରେ। ଖାସ କରି ରୁଷଠାରୁ ଅସ୍ତ୍ରଶସ୍ତ୍ର ଆମଦାନୀରେ ବ୍ୟାଘାତ ସୃଷ୍ଟି ହୋଇପାରେ। ୟୁକ୍ରେନ୍‌ ସଙ୍କଟ ଉପରେ ଜାତିସଂଘ ସୁରକ୍ଷା ପରିଷଦରେ ଅନୁଷ୍ଠିତ ଭୋଟରେ ଭାରତ ଅନୁପସ୍ଥିତ ରହିଥିଲା। ଏହା ମସ୍କୋ ଏବଂ ୱାଶିଂଟନ ସହିତ ସମ୍ପର୍କକୁ ସନ୍ତୁଳିତ କରିବା ପାଇଁ ରଣନୀତି ଭାବରେ ଦେଖାଯାଉଛି। ୨୦୧୪ରେ, ଯେତେବେଳେ ରୁଷ କ୍ରିମିଆକୁ ୟୁକ୍ରେନ୍‌ରୁ ବିଚ୍ଛିନ କରି ନିଜ ଅକ୍ତିଆରକୁ ନେଲା ସେତେବେଳେ ମଧ୍ୟ ଭାରତ ସୁରକ୍ଷା ପରିଷଦର ଏଥିପାଇଁ ହୋଇଥିବା ବିଚାର ବିମର୍ଶରେ ଅନୁପସ୍ଥିତ ରହିଥିଲା।
ଆଉ ଏକ ଚିନ୍ତାର ବିଷୟ ହେଉଛି ଭାରତର ଚାଇନା ସହ ସମ୍ପର୍କ ତିକ୍ତ ଅବସ୍ଥାରେ ରହିଛି। ଚାଇନାକୁ ନିୟନ୍ତ୍ରଣ କରିବା ପାଇଁ ଇଣ୍ଡୋ-ପାସିଫିକ କ୍ଷେତ୍ର ପ୍ରତି ବିଶ୍ୱର ଦୃଷ୍ଟି ଆକର୍ଷଣ କରିବାରେ ଭାରତ ଅନେକାଂଶରେ ସଫଳ ହୋଇଛି। କିନ୍ତୁ ୟୁକ୍ରେନ୍‌ ସଙ୍କଟ ଯୋଗୁ ଶକ୍ତିଶାଳୀ ରାଷ୍ଟ୍ରମାନଙ୍କ ଧ୍ୟାନ ଏବଂ ସମ୍ବଳ ବର୍ତ୍ତମାନ ୟୁରେସିୟା ଅଞ୍ଚଳରେ କେନ୍ଦ୍ରିତ ହୋଇଛି। ଏ ପରିସ୍ଥିତିରେ ଭାରତ ଯଦି ରୁଷ ବିରୋଧରେ ଛିଡ଼ା ହୁଏ, ତେବେ ରୁଷ ଚାଇନାର ଅଧିକ ନିକଟତର ହେବାର ସମ୍ଭାବନା ରହିଛି । ଏହା ଚାଇନା ବିରୋଧରେ ଭାରତର ରଣକୌଶଳକୁ ଦୁର୍ବଳ କରିପାରେ। ନିଜ ବିରୋଧରେ ପ୍ରସ୍ତାବିତ ଆର୍ଥିକ ପ୍ରତିବନ୍ଧକର ପ୍ରଭାବକୁ ଦୂର କରିବା ପାଇଁ ଏବଂ ପ୍ରତିରକ୍ଷା-ଶିଳ୍ପ କ୍ଷେତ୍ରକୁ ଦେବାଳିଆ ହେବାରୁ ବଞ୍ଚାଇବା ପାଇଁ ରୁଷ ମଧ୍ୟ ପାକିସ୍ତାନକୁ ଅଧିକ ଅସ୍ତ୍ର ଯୋଗାଇବା ଆରମ୍ଭ କରିପାରେ । ଯଦି ଏପରି ହୁଏ ତେବେ ଏହା ଭାରତର ସ୍ବାର୍ଥର ଅନୁକୂଳ ହେବ ନାହିଁ।
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଅନେକ ୟୁରୋପୀୟ ନେତା ବାରମ୍ବାର ଚେତାବନୀ ଦେଇଛନ୍ତି ଯେ, ରୁଷ ୟୁକ୍ରେନ୍‌ରେ ସାମରିକ ହସ୍ତକ୍ଷେପ କଲେ ତାହା ବ୍ୟାପକ ଆର୍ଥିକ ଦଣ୍ଡର ସମ୍ମୁଖୀନ ହେବ। ଅନ୍ତର୍ଜାତୀୟ ସ୍ତରରେ ରୁଷକୁ ଏକଘରକିଆ କରିବା ପାଇଁ ଆମେରିକା ଭାରତ ସମେତ ଅନେକ ନିରପେକ୍ଷ ରାଷ୍ଟ୍ରଙ୍କ ଉପରେ କୂଟନୈତିକ ଚାପ ପକାଇବ। ଆଣବିକ କାର୍ଯ୍ୟକ୍ରମ ପାଇଁ ଇରାନ ଉପରେ ବିଭିନ୍ନ କଟକଣା ଓ ଆର୍ଥିକ ପ୍ରତିବନ୍ଧକ ଲାଗୁ କରାଯାଇଥିଲା। ସେତେବେଳେ ଇରାନ ବିରୋଧରେ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେରିକା ଭାରତ ଉପରେ ଚାପ ପକାଇଥିଲା। ରୁଷ ଉପରେ ଯେ କୌଣସି କାର୍ଯ୍ୟାନୁଷ୍ଠାନର ପ୍ରଭାବ ଭାରତ ଉପରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ପଡ଼ିବ। ସମ୍ଭାବ୍ୟ ଆର୍ଥିକ ପ୍ରତିବନ୍ଧକର ପ୍ରତିଶୋଧ ନେବାକୁ ରୁଷ ସୀମିତ ସମୟ ପାଇଁ ତା’ ଉପରେ ନିର୍ଭରଶୀଳ ୟୁରୋପକୁ ତୈଳ ଓ ଗ୍ୟାସ୍‌ ଆମଦାନୀରେ ରୋକ ଲଗାଇ ପାରେ; ଯାହା ଫଳରେ ଭାରତ ସମେତ ସମଗ୍ର ବିଶ୍ୱରେ ତୈଳ ଦରରେ ଅହେତୁକ ବୃଦ୍ଧି ଘଟିବାର ସମ୍ଭାବନା ରହିଛି। କେତେକ ରିପୋର୍ଟ ଅନୁଯାୟୀ ଗତ ଏକ ମାସ ମଧ୍ୟରେ ତୈଳ ଦର ବ୍ୟାରେଲ ପିଛା ୧୪ ପ୍ରତିଶତ ବୃଦ୍ଧି ପାଇଛି। ଏହା ଆକଳନ କରାଯାଉଛି ଯେ, ଯଦି ପରିସ୍ଥିତି ଏଇଭଳି ଜଟିଳ ରହେ ତେବେ ତୈଳ ଦର ବର୍ତ୍ତମାନର ବ୍ୟାରେଲ ପିଛା ୯୦ ଡଲାରକୁ ପାର କରି ନିକଟ ଭବିଷ୍ୟତରେ ୧୨୫ ଡଲାରକୁ ଛୁଇଁବା ଅସମ୍ଭବ ନୁହେଁ।
ଯଦିଓ ୟୁକ୍ରେନ୍‌ ସହିତ ଭାରତର ଦ୍ୱିପାକ୍ଷିକ ସମ୍ପର୍କ ଏତେ ବିସ୍ତୃତ ନୁହେଁ, ତଥାପି ସେଠାରେ କୋଡିଏ ହଜାରରୁ ଅଧିକ ପ୍ରବାସୀ ଭରତୀୟ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଡାକ୍ତରୀ ଛାତ୍ର, ତଥା ଆଇଟି ଏବଂ ଇଞ୍ଜିନିୟରିଂ କ୍ଷେତ୍ରରେ କାର୍ଯ୍ୟରତ। ଅଶାନ୍ତ ପରିସ୍ଥିତି ଯୋଗୁ ଭାରତ ସରକାର ସେମାନଙ୍କର ସୁରକ୍ଷାକୁ ନେଇ ଚିନ୍ତିତ ଥିବାବେଳେ ଆବଶ୍ୟକ ସ୍ଥଳେ ନିଜ ନାଗରିକମାନଙ୍କୁ ସ୍ଥାନାନ୍ତର କରିବାକୁ ମଧ୍ୟ ପ୍ରସ୍ତୁତ ରହିଛି।
ଭାରତ ନିଜର ଘରୋଇ ମାମଲାରେ ବାହ୍ୟ ଶକ୍ତିମାନଙ୍କର ହସ୍ତକ୍ଷେପକୁ ପସନ୍ଦ କରେ ନାହିଁ ଏବଂ ଅନ୍ୟ ଦେଶର ପ୍ରସଙ୍ଗରେ ପ୍ରାୟତଃ ନିରପେକ୍ଷ ନୀତି ଆପଣାଏ। କିନ୍ତୁ ୟୁକ୍ରେନ୍‌ ସଙ୍କଟ ଉପରେ ଭାରତ ଏକ ଗଠନମୂଳକ ଭୂମିକା ଗ୍ରହଣ କରିପାରିବ। ଏହାର କାରଣ ହେଉଛି ବର୍ତ୍ତମାନ ଭାରତର ଉଭୟ ପକ୍ଷ ସହିତ ଭଲ ସମ୍ପର୍କ ରହିଛି। ୟୁକ୍ରେନ୍‌ ସଙ୍କଟ ଆଉ ଏକ ଦେଶ ବିଶେଷ କିମ୍ବା ଆଞ୍ଚଳିକ ସଙ୍କଟ ହୋଇ ରହିନାହିଁ, ବରଂ ବର୍ତ୍ତମାନ ଏହା ଏକ ବିଶ୍ୱ ସଙ୍କଟରେ ପରିଣତ ହୋଇସାରିଛି। ଯଦିଓ, ଭାରତ ଏବେ ‘ୱେଟ ଏଣ୍ଡ ୱାଚ’ ନୀତି ଆପଣେଇଛି, ବିକଶିତ ହେଉଥିବା ନିଜର ବିଶ୍ୱସ୍ତରୀୟ ନେତୃତ୍ୱକୁ ଦୃଷ୍ଟିରେ ରଖି ଭାରତ ୟୁକ୍ରେନ୍‌ ସଙ୍କଟର ସମାଧାନ ଦିଗରେ ଅଧିକ ଅବଦାନ କରିବା ଉଚିତ। ଭାରତ କୌଣସି ପକ୍ଷ ନେବ ନାହିଁ, କିନ୍ତୁ କୂଟନୀତିକୁ ସୁଯୋଗ ଦେଇ ମତଭେଦକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବାକୁ ସମ୍ପୃକ୍ତ ରାଷ୍ଟ୍ରମାନଙ୍କୁ ପ୍ରବର୍ତ୍ତାଇପାରିବ।
ଜବାହରଲାଲ ନେହେରୁ
ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀ
ମୋ:୯୯୬୮୨୪୪୮୭୧


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri