Posted inଫୁରସତ

ମର୍ଯ୍ୟାଦାର ପ୍ରତୀକ ପଗଡ଼ି

ପଗଡ଼ି: କେବେ ସେ ରାଜା ମହାରାଜଙ୍କ ମଥାର ଶାନ୍‌ ଥିଲା ତ କେବେ ସେ ଥିଲା କାହାର ଗୌରବଶାଳୀ ବ୍ୟକ୍ତିତ୍ୱର ପରିଚୟ, ପୁଣି କେବେ ସେ ଚାଷୀ ଭାଇର ଖରାଦିନିଆ ସାଥୀ ହୋଇ ତା’ ମଥା ଉପରେ ବିରାଜୁଥିଲା। ପଦକରେ କହିବାକୁ ଗଲେ ମାନବ ଜୀବନ ସହ ତା’ର ଯେମିତି ଏକ ନିଆରା ସମ୍ପର୍କ ଗଢ଼ିଉଠିଥିଲା। ସେଥିପାଇଁ ଭାରତୀୟ ସଂସ୍କୃତିରେ ତା’ ସ୍ଥାନ ଥିଲା ସ୍ବତନ୍ତ୍ର ଆଉ ଏବେ ବି ରହିଛି…

ପଗଡ଼ିକୁ ନେଇ ଇତିହାସ: ମୁଣ୍ଡରେ ବନ୍ଧା ଯାଉଥିବା ଏକ ପ୍ରକାର ପରିଧାନ ହେଉଛି ପଗଡ଼ି। ପୂର୍ବେ ଏହା ବିଶ୍ବର ଅନେକ ସ୍ଥାନରେ ପ୍ରଚଳିତ ଥିଲା। ଏମିତି କି ଭାରତରେ ମଧ୍ୟ ପଗଡ଼ିର ଖୁବ୍‌ ପ୍ରଚଳନ ହେଉଥିଲା ଆଉ ଏହାକୁ ବିଭିନ୍ନ ବର୍ଗର ଲୋକେ ମୁଣ୍ଡରେ ଧାରଣ କରୁଥିଲେ। ତେବେ ଇଂରେଜମାନଙ୍କ ଆଗମନ ପରେ ଏହାର ବ୍ୟବହାର ଧୀରେ ଧୀରେ କମିବାକୁ ଲାଗିଥିଲା। ଏମିତି ଦେଖିବାକୁ ଗଲେ ପଗଡ଼ିର ଇତିହାସ ଖାସ୍‌କରି ରାଜପୁତ ସମ୍ପ୍ରଦାୟଙ୍କ ସହ ଜଡ଼ିତ ଥିଲା। ତେବେ ଏହି ପଗଡ଼ିର ପାରମ୍ପରିକ ଇତିହାସର ଆରମ୍ଭ ଭଗବାନ ଶିବଙ୍କ ଜଟାରୁ ହୋଇଥିବା ଅନୁମାନ କରାଯାଏ। କାରଣ ପ୍ରଭୁଙ୍କର କେଶ ସର୍ବଦା ପଗଡ଼ି ଆକାରର ଜଟା ହୋଇ ଉପରକୁ ଟେକି ହୋଇ ରହିଥାଏ। ତା’ପରଠାରୁ ଏହି ପରମ୍ପରା ନିରନ୍ତର ଆଗକୁ ବଢ଼ିଚାଲିଛି। ହେଲେ କେଶକୁ ଜଟା କରି ବାନ୍ଧିବା ପରିବର୍ତ୍ତେ କ୍ରମେ ମାନବଜାତି କେଶ ଓ ମୁଣ୍ଡକୁ ଖରା, ବର୍ଷା, ଶୀତ ଦାଉରୁ ସୁରକ୍ଷା ଦେବା ପାଇଁ ପଗଡ଼ିର ବ୍ୟବହାର ଶିଖିଛି। ତେବେ ଇତିହାସରୁ ଯାହା ଜଣାଯାଏ, ମୋଗଲ ସାମ୍ରାଜ୍ୟର ବହୁ ପୂର୍ବରୁ ହିଁ ଭାରତରେ କେବଳ ରାଜ ପରିବାର ତଥା ଉଚ୍ଚ ଅଧିକାରୀଙ୍କୁ ପଗଡ଼ି ପିନ୍ଧିବାର ଅନୁମତି ଥିଲା। ସେତେବେଳେ ଏହାକୁ ସାମାଜିକ ପ୍ରତିଷ୍ଠା ତଥା ଉଚ୍ଚ ବର୍ଗର ପ୍ରତୀକ ଭାବେ ବିବେଚନା କରାଯାଉଥିଲା। ସେଥିପାଇଁ ସେ ସମୟରେ ଅନ୍ୟ ଜାତିର ଲୋକଙ୍କୁ ପଗଡ଼ି ପିନ୍ଧିବାକୁ ଦିଆଯାଉ ନ ଥିଲା। କିନ୍ତୁ ଇସ୍‌ଲାମୀ ଶାସନ କାଳରେ ଏହି ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆସିଥିଲା। ଖାସ୍‌କରି ଔରଙ୍ଗଜେବଙ୍କ ଶାସନ ସମୟରେ ମୁଖ୍ୟତଃ ଶିଖ୍‌ମାନଙ୍କୁ ଚିହ୍ନିବାକୁ ସେମାନଙ୍କ ପାଇଁ ଏକ ସ୍ବତନ୍ତ୍ର ପଗଡ଼ିର ବ୍ୟବସ୍ଥା କରାଯାଇଥିଲା। ସମୟକ୍ରମେ ପଗଡ଼ିର ସମସାମୟିକ ରୂପ ପଗ୍‌ ଏହି ଶିଖ୍‌ମାନଙ୍କର ସମ୍ମାନର ପ୍ରତୀକ ହୋଇଗଲା। ସେହିପରି ଇଂରେଜ ଶାସନ କାଳରେ ପଗଡ଼ି ତଥା ପଗ୍‌ର ରଙ୍ଗ ରୂପରେ ଅନେକ କିଛି ପରିବର୍ତ୍ତନ ଆସିଥିଲା। ବିଶେଷକରି ଏହି ପଗ୍‌ ଉପରେ ଚୋକ୍କର ଲଗାଇବାର ପରମ୍ପରା ଇଂରେଜମାନେ ହିଁ ପ୍ରଥମେ ଆରମ୍ଭ କରିଥିଲେ। ତେବେ ଇଂରେଜମାନଙ୍କ କବଳରୁ ଦେଶ ସ୍ବାଧୀନ ହେବାପରେ ହିନ୍ଦୁମାନେ ପ୍ରାୟତଃ ପଗଡ଼ି ପିନ୍ଧିବା ଛାଡ଼ି ଦେଇଥିଲେ। କାରଣ ଦେଶ ଆଜାଦ୍‌ ପାଇବା ସମୟରେ ଯେଉଁ ଦଙ୍ଗା ହୋଇଥିଲା ସେତେବେଳେ ପଗଡ଼ି ପିନ୍ଧିଥିବା ହିନ୍ଦୁମାନଙ୍କୁ ଶିଖ୍‌ ଭାବି ତାଙ୍କୁ ଆକ୍ରମଣ କରାଯାଇଥିଲା। ସେଥିପାଇଁ ହିନ୍ଦୁମାନେ ପ୍ରାୟତଃ ପଗଡ଼ି ପିନ୍ଧିବା ଛାଡ଼ି ଦେଇଥିଲେ, ହେଲେ ଶିଖ୍‌ମାନେ ପଗ୍‌ ପିନ୍ଧିବାର ପରମ୍ପରାକୁ ସେମିତି ବଜାୟ ରଖିଥିଲେ।

ରାଜାଙ୍କ ମଥାର ଶାନ୍‌: ଏକଦା ରାଜା ମହାରାଜାଙ୍କ ମଥାର ଶାନ୍‌ ଭାବେ ପଗଡ଼ି ତଥା ମୁକୁଟ ପରିଗଣିତ ହେଉଥିଲା। ରାଜାଭିଷେକ ହେଉ ଅବା ରାଜକାର୍ଯ୍ୟ ପରିଚାଳନା କରିବା ସମୟରେ ହେଉ କିମ୍ବା ରଣକ୍ଷେତ୍ରରେ ଯୁଦ୍ଧ କରିବା ସମୟରେ ହେଉ ରାଜା ମହାରାଜାଙ୍କ ମଥାରେ ଶୋଭା ପାଉଥିବା ପଗଡ଼ି ସେମାନଙ୍କ ବୀରତ୍ୱର ପରିଚୟ ଦେଉଥିଲା। ଆଉ ଯୁଦ୍ଧକ୍ଷେତ୍ରରୁ ଯଦି କାହାର ପଗଡ଼ି ରାଜ ଦରବାରକୁ ଆସୁଥିଲା, ତା’ହେଲେ ସେହିଥିରୁ ହିଁ ଅନୁମାନ କରି ନିଆଯାଉଥିଲା ଯେ ଉକ୍ତ ବ୍ୟକ୍ତିଙ୍କୁ ବୀରଗତି ପ୍ରାପ୍ତ ହୋଇଛି।
ଗୌରବ ତଥା ସମ୍ମାନର ପ୍ରତୀକ: ପଗଡ଼ିକୁ ମୁଖ୍ୟତଃ ସମ୍ମାନ ତଥା ଗୌରବଶାଳୀର ପ୍ରତୀକ ଭାବେ ବିବେଚନା କରାଯାଇଥାଏ। କୁହାଯାଏ, ଯଦି କାହାର ପଗଡ଼ିକୁ ମୁଣ୍ଡରୁ କାଢ଼ି ଆଣି ତଳେ ଥୋଇ ଦିଆଯାଏ କିମ୍ବା ଉପହାସ କରି ତାକୁ ପାଦରେ ଗୋଇଠା ମରାଯାଏ, ତା’ହେଲେ ଏହାଦ୍ୱାରା ଉକ୍ତ ବ୍ୟକ୍ତିଙ୍କର ଘୋର୍‌ ଅପମାନ ହୋଇଥାଏ। ସେହିପରି ଆଉ କିଛି ସମ୍ପ୍ରଦାୟରେ ପରିବାର ମୁଖ୍ୟଙ୍କର ମୃତ୍ୟୁ ହେବାର ୧୨ ଦିନ ପରେ ତାଙ୍କର ଜ୍ୟେଷ୍ଠ ପୁତ୍ରଙ୍କୁ ପଗଡ଼ି ବାନ୍ଧି ତାଙ୍କୁ ଉତ୍ତରାଧିକାରୀ ଘୋଷଣା କରାଯାଇଥାଏ। ଏହି ପରମ୍ପରାକୁ ପଗଡ଼ି ରସମ୍‌ ବୋଲି ସେମାନେ କହିଥାନ୍ତି। ଅନ୍ୟପକ୍ଷେ ଆଉ କେତେକ ସମ୍ପ୍ରଦାୟର ଲୋକେ ଘରକୁ ଅତିଥି ଆସିବାର ଖବର ପାଇବା ମାତ୍ରେ ମୁଣ୍ଡରେ ପଗଡ଼ି ବାନ୍ଧି ସେମାନଙ୍କୁ ସ୍ବାଗତ କରିବା ପାଇଁ ଘରର ସଦର ଦରଜା ନିକଟକୁ ଖୁସିରେ ଧାଇଁ ଯାଇଥାନ୍ତି। ଖାଲି ମଥାରେ ଅତିଥିଙ୍କୁ ସ୍ବାଗତ କରିବା ଅପମାନଜନକ ତଥା ଅଶୁଭ ଲକ୍ଷଣ ହୋଇଥାଏ ବୋଲି ସେମାନଙ୍କର ଏକ ବିଶ୍ୱାସ ରହିଛି। ତା’ଛଡ଼ା ଆଉ କିଛି ସ୍ଥାନରେ ବରଯାତ୍ରୀ ପହଞ୍ଚତ୍ବାର ଖବର ଦେବାକୁ ଆସିଥିବା ଭାଇଙ୍କୁ ବନ୍ଧୁପକ୍ଷ ପଗଡ଼ି ବାନ୍ଧି ସ୍ବାଗତ କରିବାର ନିଆରା ପରମ୍ପରା ବି ଦେଖିବାକୁ ମିଳେ। ତେଣୁ ଏହିଥିରୁ ଅନୁମାନ କରିହୁଏ ଯେ, ପଗଡ଼ିର କେତେ ମର୍ଯ୍ୟାଦା ରହିଛି।

କୃଷକର ସାଥୀ: ମୁଣ୍ଡରେ ଚିରାଚରିତ ଗାମୁଛାର ପଗଡ଼ି, ହାତରେ ହଳଲଙ୍ଗଳ ସାଙ୍ଗକୁ ବଳଦ ଯୋଡ଼ିକୁ ଘଉଡ଼ାଇ ନେଇ ଯାଉଥିବାର ଦୃଶ୍ୟ ହିଁ ଜଣେ କୃଷକର ପରିଚୟ ଦେଇଥାଏ। ମୁଣ୍ଡ ଝାଳ ତୁଣ୍ଡରେ ମାରି ଅକ୍ଳାନ୍ତ ପରିଶ୍ରମ ଦ୍ବାରା ସେହି କୃଷକଟି ଚାଷ ଜମିରେ ସୁନାର ଫସଲ ଫଳାଏ। ବର୍ଷକ ବାରମାସ ଜମିରେ ଖଟିବା ସମୟରେ ଖରା, ବର୍ଷା, ଶୀତ କାକରକୁ ତା’ର ଆଦୌ ନିଘା ନ ଥାଏ କି ଖାତିର ନ ଥାଏ। ତା’ର ଗୋଟିଏ ମାତ୍ର ଲକ୍ଷ୍ୟ ଥାଏ ବିଲରେ କେମିତି ଭଲ ଅମଳ ହେବ। ସେଥିପାଇଁ ସେ କରିଚାଲେ ହାଡ଼ଭଙ୍ଗା ପରିଶ୍ରମ। ଅବଶ୍ୟ ଏହି ପରିଶ୍ରମରୁ ତାକୁ ଟିକେ ଆଶ୍ୱସ୍ତି ଦେଇଥାଏ ମୁଣ୍ଡରେ ବନ୍ଧା ଯାଇଥିବା ସେହି ପଗଡ଼ିିଟି। ଝାଳନାଳ ହୋଇ ଥକିଯିବା ପରେ କିଛି ସମୟ ବିଶ୍ରାମ ନେବାକୁ ଚାଷୀ ଭାଇଟି ଯେତେବେଳେ ଗଛ ଛାଇକୁ ଚାଲିଆସେ ଆଉ ମୁଣ୍ଡରେ ବାନ୍ଧିଥିବା ପଗଡ଼ିିକୁ ଖୋଲି ଟିକେ ବିଞ୍ଚି ହୋଇଯାଏ, ସେତେବେଳେ ବେଶ୍‌ ହାଲୁକା ଅନୁଭବ କରିଥାଏ ସିଏ। ତା’ପରେ ପେଟର ଭୋକ ଜ୍ବାଳାକୁ ପଖାଳ ତୋରାଣିରେ ଶାନ୍ତ କରି ସାରିବା ପରେ ସେହି ପଗଡ଼ିକୁ ମୁଣ୍ଡ ତଳେ ଗୁଞ୍ଜି କିଛି ସମୟ ପାଇଁ ସେ ଅଚିନ୍ତା ନିଦରେ ଶୋଇଯାଏ ସେହି ଗଛମୂଳେ। ସେତେବେଳେ ଏହି ପଗଡ଼ି ହିଁ ସାଜିଥାଏ ତା’ପାଇଁ ରେଶମୀ ପଲଙ୍କ।

ରସମ ପଗଡ଼ି: ଉତ୍ତର ଭାରତ ତଥା ପାକିସ୍ତାନର କିଛି ଅଞ୍ଚଳରେ ଏହାକୁ ଏକ ସାମାଜିକ ରୀତି ଭାବେ ପାଳନ କରାଯାଇଥାଏ। ଏଥିରେ ମୁଖ୍ୟତଃ ପରିବାରର ସବୁଠାରୁ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଗଲା ପରେ ଆଉ ଯିଏ ସବୁଠୁ ବୟସ୍କ ଜୀବିତ ବ୍ୟକ୍ତି ରହିଲେ ତାଙ୍କ ମୁଣ୍ଡରେ ପରମ୍ପରା ଅନୁଯାୟୀ ଏକ ପଗଡ଼ି ବନ୍ଧାଯାଇଥାଏ ଆଉ ତାଙ୍କୁ ପରିବାରର ମୁଖ୍ୟ ଭାବେ ଘୋଷଣା କରାଯାଇଥାଏ। କାରଣ ପଗଡ଼ିକୁ ସେମାନେ ଇଜ୍ଜତ ତଥା ସମ୍ମାନର ପ୍ରତୀକ ବୋଲି ମାନିଥାନ୍ତି; ସେଥିପାଇଁ ପରମ୍ପରା ଅନୁଯାୟୀ ସେହିଦିନଠାରୁ ପରିବାରର ସବୁ ଭଲମନ୍ଦ କଥା ସେହି ବ୍ୟକ୍ତିଙ୍କୁ ବୁଝିବାକୁ ହୋଇଥାଏ। ଆଉ ସିଏ ଯେଉଁ ନିଷ୍ପତ୍ତି ନିଅନ୍ତି, ତାକୁ ସମସ୍ତେ ମାନିବାବୁ ବାଧ୍ୟ ହୋଇଥାନ୍ତି। ତେବେ ଏହି ରସମ ପଗଡ଼ି ପରମ୍ପରାର ଆୟୋଜନ ମୁଖ୍ୟତଃ ପରିବାରର ମୁଖ୍ୟ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ହେବାର ୪ଦିନ ପରେ କିମ୍ବା ୧୩ ଦିନ ପରେ ହିଁ ଆୟୋଜିତ କରାଯାଇଥାଏ।
ପଗଡ଼ିର ବିଭିନ୍ନ ନାମ: ସ୍ଥାନ ବିଶେଷରେ ପଗଡ଼ିର ଅନେକ ନାଁ ମଧ୍ୟ ରହିଛି। କେଉଁଠି ଏହା ପଗ୍‌ ତ କେଉଁଠି ସାଫା ପୁଣି କେଉଁଠି ଏହା ଫେଟା ନାମରେ ବି ପରିଚିତ। ଓଡ଼ିଶାରେ ପଗଡ଼ିକୁ କେହି କେହି ଠେକା, ପାଗ ବୋଲି ବି କହିଥାନ୍ତି।

-ପଗ୍‌: ବିହାର ତଥା ନେପାଳରେ ମୁଖ୍ୟତଃ ପଗଡ଼ିକୁ ଲୋକେ ପଗ୍‌ ବୋଲି କହିଥାନ୍ତି। ସେହିପରି ଶିଖ୍‌ମାନେ ମୁଣ୍ଡରେ ପିନ୍ଧୁଥିବା ସ୍ବତନ୍ତ୍ର ପଗଡ଼ି ପଗ୍‌ ତଥା ଦସ୍ତାର ନାମରେ ପରିଚିତ।

-ଫେଟା: ମହାରାଷ୍ଟ୍ରରେ ପଗଡ଼ିକୁ ଫେଟା ବୋଲି କୁହାଯାଇଥାଏ। ଏଠାରେ ମୁଖ୍ୟତଃ ବିବାହ ଉତ୍ସବ, ବିଭିନ୍ନ ପର୍ବପର୍ବାଣି, ସାଂସ୍କୃତିକ ତଥା ଆଧ୍ୟାତ୍ମିକ ଉତ୍ସବରେ ଫେଟା ପିନ୍ଧିବାର ଏକ ପ୍ରଥା ରହିଛି। ତା’ଛଡ଼ା ମହାରାଷ୍ଟ୍ରର କିଛି ଅଞ୍ଚଳରେ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ଫେଟା ପିନ୍ଧାଇ ସ୍ବାଗତ କରାଯିବାର ଏକ ଭିନ୍ନ ପରମ୍ପରା ମଧ୍ୟ ଦେଖିବାକୁ ମିଳିଥାଏ। ତେବେ ବିଭିନ୍ନ ଅବସରକୁ ଆଖି ଆଗରେ ରଖି ଫେଟା ଭିନ୍ନ ଭିନ୍ନ ରଙ୍ଗରେ ମଧ୍ୟ ଉପଲବ୍ଧ ହୋଇଥାଏ। ଯେମିତି କି କେଶରୀ (ନାରଙ୍ଗୀ) ରଙ୍ଗର ଫେଟା ସାହସ ତଥା ବୀରତାର ପ୍ରତୀକ ହୋଇଥିବାବେଳେ ଧଳା ରଙ୍ଗର ଫେଟା ଶାନ୍ତିର ସୂଚନା ଦେଇଥାଏ। ସେହିପରି ଫେଟା ବିଭିନ୍ନ ଷ୍ଟାଇଲ୍‌ରେ ମଧ୍ୟ ଉପଲବ୍ଧ ଆଉ ଏହାର ଅଲଗା ଅଲଗା ନାଁ ବି ରହିଛି; ଯଥା: କୋହ୍ଲାପୁରୀ ଫେଟା, ପୁନେରି ଫେଟା, ମଓ୍ବାଲି ପଗଡ଼ି (ଏହାକୁ ମୁଖ୍ୟତଃ ମହାରାଷ୍ଟ୍ରର ମାଓ୍ବଲ ତାଲୁକା ଅନ୍ତର୍ଗତ ମରାଠା ଯୋଦ୍ଧାମାନେ ପିନ୍ଧୁଥିଲେ), ମହାତ୍ମା ଫୁଲେ ପଗଡ଼ି (ମହାରାଷ୍ଟ୍ରର ଲୋକପ୍ରିୟ ଲେଖକ, ସାମାଜିକ କାର୍ଯ୍ୟକର୍ତ୍ତା, ବିଚାରକ ତଥା ସମାଜ ସୁଧାରକ ମହାତ୍ମା ଜ୍ୟୋତିରାଓ ଗୋବିନ୍ଦରାଓ ଫୁଲେଙ୍କ ଦ୍ୱାରା ପିନ୍ଧାଯାଉଥିବା ପଗଡ଼ି) ଇତ୍ୟାଦି ଅନ୍ୟତମ।

ପେଟା: କର୍ନାଟକର ମୈସୁର ତଥା କୋଡାଗୁ ଅଞ୍ଚଳରେ ପଗଡ଼ିକୁ ପେଟା ବୋଲି ସମ୍ବୋଧନ କରାଯାଇଥାଏ। ଏହାକୁ ମୁଖ୍ୟତଃ ମୈସୁରର ରାଜପରିବାର ଲୋକେ ପିନ୍ଧୁଥିଲେ। ସିଲ୍କ ସୂତାରେ ତିଆରି ଏହି ପେଟା ଉପରେ ସୁନେଲି ରଙ୍ଗର ଲେସ୍‌ ବର୍ଡର କାମ ବେଶ୍‌ ଆକର୍ଷଣୀୟ ଦେଖାଯାଇଥାଏ। ତେବେ ଏହି ପେଟାକୁ କେବଳ ରାଜରାଜୁଡା ଲୋକେ ପିନ୍ଧୁଥିଲେ ତାହା ନୁହେଁ, ରାଜକାର୍ଯ୍ୟରେ ରାଜାଙ୍କୁ ସାହାଯ୍ୟ କରୁଥିବା ଦଓ୍ବୋନ ତଥା ବୟସ୍କ କାର୍ଯ୍ୟକର୍ତ୍ତାଙ୍କୁ ବି ଏହାକୁ ପିନ୍ଧିବାର ଅଧିକାର ସେ ସମୟରେ ଦିଆଯାଉଥିଲା। ତେବେ ଦେଶ ସ୍ବାଧୀନ ହେବା ପରେ ସ୍ଥାନୀୟ ସରକାର ସମ୍ମାନର ସୂଚକ ଭାବେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରୁଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ପୁରସ୍କାର ସ୍ବରୂପ ମୈସୁର ପେଟା ଓ ସାଲ୍‌ ଦେବାର ଏକ ପ୍ରଥା ଆରମ୍ଭ କରିଥିଲେ।
ରାଜସ୍ଥାନୀ ପଗଡି: ରାଜସ୍ଥାନରେ ପଗଡ଼ିକୁ କେହି କେହି ପେଂଚା ଅବା ପାଗ୍‌ ବୋଲି ବି କହିଥାନ୍ତି। ପଗଡ଼ି ରାଜସ୍ଥାନ ପରିଧାନର ଏକ ଅଭିନ୍ନ ଅଙ୍ଗ। ଏଠାରେ ଗୁରୁଜନଙ୍କ ସମ୍ମୁଖକୁ ଖାଲି ମୁଣ୍ଡରେ ଯିବା ଅଶୁଭ ବୋଲି କୁହାଯାଇଥାଏ। ଅକ୍ଷୟ ତୃତୀୟାକୁ ରାଜସ୍ଥାନରେ ସବୁଠାରୁ ଶୁଭ ଦିନ ବୋଲି ବିବେଚନା କରାଯାଇଥାଏ। ଏହିଦିନ କେଶରିୟା (ନାରଙ୍ଗୀ)ରଙ୍ଗର ପାଗ୍‌ ପିନ୍ଧିବାର ଏକ ପ୍ରଥା ଏଠାରେ ପ୍ରଚଳିତ। ସେହିପରି ଦୀପାବଳି ଅବସରରେ ଏଠାରେ ମୟୂର ବେକର ରଙ୍ଗ ସଦୃଶ ପାଗ୍‌ ପିନ୍ଧାଯାଇଥାଏ। ତା’ଛଡ଼ା ବିଭିନ୍ନ ପର୍ବପର୍ବାଣି ଯେମିତି କି ରକ୍ଷାବନ୍ଧନ ତଥା ବାହାଘର ଆଦି ଅବସରରେ ରାଜସ୍ଥାନରେ ମୋଠ୍‌ଡା ନାମକ ଏକ ସ୍ବତନ୍ତ୍ର ଧରଣର ପାଗ୍‌ ପିନ୍ଧିବାର ବିଧି ରହିଛି। ତା’ଛଡ଼ା ଜୟପୁରର ଲହରିୟା ପଗଡ଼ିକୁ ସାଧାରଣତଃ ରାଜଶାହୀ ପଗଡ଼ି ବୋଲି କୁହାଯାଇଥାଏ। ପଞ୍ଚରଙ୍ଗୀ ପାଗ୍‌ ବା ପାଞ୍ଚଟି ରଙ୍ଗ ବିଶିଷ୍ଟ ପାଗ୍‌ର ଚଳଣି ମୁଖ୍ୟତଃ ଜୟପୁର ରାଜପରିବାରରେ ହିଁ ରହିଥିଲା। ତେବେ ରାଜସ୍ଥାନରେ ବିଭିନ୍ନ ରଙ୍ଗରେ ପାଗ୍‌ ଉପଲବ୍ଧ। ଆଉ ପ୍ରତି ରଙ୍ଗର କିଛି ନା କିଛି ମହତ୍ତ୍ୱ ରହିଥାଏ। ଯେମିତି କି: ଲାଲ୍‌ ରଙ୍ଗର ପାଗ୍‌ ପ୍ରେମ ଓ ଖୁସିର ପ୍ରତୀକ ହୋଇଥାଏ। ସେଥିପାଇଁ ବାହାଘର ଓ ପର୍ବପର୍ବାଣି ସମୟରେ ସ୍ଥାନୀୟ ବାସିନ୍ଦା ଲାଲ୍‌ ରଙ୍ଗର ପାଗ୍‌ ପିନ୍ଧିଥାନ୍ତି। ସେହିପରି କେଶରିୟା (ନାରଙ୍ଗୀ) ରଙ୍ଗର ପାଗ୍‌ ରାଜପୁତ୍‌ମାନଙ୍କର ବାହାଦୁରି, ବୀରତା, ବଳିଦାନ ତଥା ସାହସକୁ ଦର୍ଶାଇଥାଏ। ବିଶେଷକରି ଯୁଦ୍ଧ ସମୟରେ ରାଜପୁତ୍‌ମାନେ ଏହି ରଙ୍ଗର ପାଗ୍‌ ପିନ୍ଧିଥାନ୍ତି। ତା’ଛଡ଼ା ବର୍ଷାଦିନେ ମଧ୍ୟ କେଶରିୟା ରଙ୍ଗର ପାଗ୍‌ ପିନ୍ଧିବାକୁ ଅନେକେ ପସନ୍ଦ କରିଥାନ୍ତି। କାରଣ ଏଥିରେ ଯେହେତୁ ସତ କେଶରର କିଛିଟା ରଙ୍ଗ ବ୍ୟବହାର କରାଯାଇଥାଏ, ତେଣୁ ବର୍ଷାରେ ଓଦା ହେବାଦ୍ୱାରା ଏହି ପାଗ୍‌ରୁ କେଶରର ବାସ୍ନା ବାହାରେ, ଯାହା ମନକୁ ପ୍ରଫୁଲ୍ଲିତ କରିଦିଏ।

ପଗଡ଼ିକୁ ନେଇ ରେକର୍ଡ: ପଟିଆଲାର ଅବତାର୍‌ ସିଂ ମୌନି। ସବୁଠାରୁ ବଡ଼ ତଥା ଅଧିକ ଓଜନ ବିଶିଷ୍ଟ ପଗଡ଼ି ପିନ୍ଧିବାରେ ତାଙ୍କ ନାଁରେ ରହିଛି ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ। ସେ ପ୍ରଥମେ ୧୫୧ ମିଟର ଲମ୍ବ ବିଶିଷ୍ଟ କପଡ଼ାକୁ ଗୁଡ଼ାଇ ତାକୁ ପଗଡ଼ି କରି ପିନ୍ଧିବା ଆରମ୍ଭ କରିଥିଲେ। କ୍ରମେ ତାଙ୍କ ଭିତରେ ପଗଡ଼ିକୁ ନେଇ ରେକର୍ଡ କରିବାର ନିଶା ଜାଗ୍ରତ ହେବାରୁ ସେ ଧୀରେ ଧୀରେ କପଡ଼ାର ଲମ୍ବା ବଢ଼େଇବାକୁ ଲାଗିଲେ। ଶେଷରେ ୬୪୫ ମିଟର ଲମ୍ବାବିଶିଷ୍ଟ କପଡ଼ାକୁ ନେଇ ସେ ୧୦୦ ପାଉଣ୍ଡ ଓଜନର ଏକ ପଗଡ଼ି କଲେ ଆଉ ତାକୁ ମୁଣ୍ଡରେ ପିନ୍ଧିବାକୁ ଲାଗିଲେ। ଏହା ପୂର୍ବରୁ ମେଜର୍‌ ସିଂଙ୍କ ନାମରେ ୪୦୦ ମିଟର ଲମ୍ବା ବିଶିଷ୍ଟ କପଡ଼ାରେ ତିଆରି ପ୍ରାୟ ୭୭ ପାଉଣ୍ଡ ଓଜନ ବିଶିଷ୍ଟ ପଗଡ଼ି ପିନ୍ଧିବାର ଓ୍ବାଲର୍‌ଡ ରେକର୍ଡ ରହିଥିଲା। କିନ୍ତୁ ଅବତାର୍‌ ସିଂ ୧୦୦ ପାଉଣ୍ଡ ଓଜନର ପଗଡ଼ି ପିନ୍ଧି ପୂର୍ବ ରେକର୍ଡକୁ ଭାଙ୍ଗିବାରେ ଶେଷରେ ସକ୍ଷମ ହୋଇଥିଲେ। ତେବେ ଏତେ ଓଜନର ପଗଡ଼ି ପିନ୍ଧିବା ସତ୍ତ୍ୱେ ବି ଅବତାର୍‌ ଟିକେ ହେଲେ ବି ବିଚଳିତ ହେଉ ନ ଥିଲେ ବରଂ ସେହି ପଗଡ଼ିକୁ ପିନ୍ଧି ସେ ପ୍ରତିଦିନ ମୋଟରବାଇକ୍‌ରେ ବସି ଆରାମରେ ଗୁରୁଦ୍ୱାରା ଯା’ଆସ କରୁଥିଲେ।

ଫ୍ୟାଶନରେ ପଗଡ଼ି: ପରିବର୍ତ୍ତିତ ସମୟ ସହ ତାଳଦେଇ ପଗଡ଼ିର ବ୍ୟବହାରରେ ମଧ୍ୟ ଆସିଛି ଅନେକ ପରିବର୍ତ୍ତନ। ଆଜିକାଲି ଫ୍ୟାଶନରେ ମଧ୍ୟ ପଗଡ଼ି ପିନ୍ଧିବାର ଚଳଣି ଆରମ୍ଭ ହୋଇଗଲାଣି। ପୂର୍ବେ କେବଳ ରାଜରାଜୁଡ଼ା ବା ରାଜପୁତ୍‌ମାନେ ବିବାହ କଲାବେଳେ ପଗଡ଼ି ପିନ୍ଧୁଥିଲେ କିନ୍ତୁ ଏବେ ଅନ୍ୟ ସମ୍ପ୍ରଦାୟର ଲୋକେ ବି ଫ୍ୟାଶନରେ ବିବାହ ସମୟରେ ପଗଡ଼ି ପିନ୍ଧୁଥିବା ଦେଖିବାକୁ ମିଳୁଛି। ସେମାନଙ୍କ ପାଇଁ ହୁଏତ ଏହା ଏକ ଫ୍ୟାଶନ ହୋଇଥାଇପାରେ, କିନ୍ତୁ ଏହି ପଗଡ଼ି ପିନ୍ଧି ବରଟିଏ ସତସତିକା ଗୋଟିଏ ଦିନର ରାଜା ପରି ଦେଖାଯାଇଥାଏ। କେବଳ ବର କାହିଁକି ବରଯାତ୍ରୀମାନେ ବି ରୟାଲ୍‌ ଦେଖାଯିବା ପାଇଁ ଆଜିକାଲି ମୁଣ୍ଡରେ ପଗଡ଼ି ବାନ୍ଧିଲେଣି। ଖାସ୍‌କରି ଗୋଲାପୀ ରଙ୍ଗର ପଗଡ଼ି ବରଯାତ୍ରୀଙ୍କୁ ବେଶ୍‌ ମାନିଥାଏ।

ମହିଳାଙ୍କ ମଥାରେ ପଗଡ଼ି: ଝାନ୍ସିରାଣୀ ଲକ୍ଷ୍ମୀବାଈ ମଥାରେ ପଗଡ଼ି ବାନ୍ଧୁଥିବା କଥା ଆମେ ସମସ୍ତେ ଜାଣିଛେ। ଆଜିକାଲି ସାଧାରଣ ମହିଳାମାନେ ବି ମଥାରେ ପଗଡ଼ି ବାନ୍ଧୁଥିବା ଦେଖିବାକୁ ମିଳୁଛି। ବିଶେଷକରି ବରଯାତ୍ରୀ ପ୍ରସେସନ୍‌ରେ କେବଳ ପୁରୁଷ କାହିଁକି ମହିଳାମାନେ ବି ଷ୍ଟାଇଲ୍‌ରେ ମଥାରେ ପଗଡ଼ି ବାନ୍ଧି ରୟାଲ୍‌ ଲୁକ୍‌ ପାଇବାକୁ ମଧ୍ୟ ପ୍ରୟାସ କଲେଣି।
‘ମୁଣ୍ଡରେ ପଗଡ଼ି ପାଦରେ ତେଲ ବଇଦ ସାଙ୍ଗରେ କରିବ ଗେଲ’ କାହିଁ କେବେଠୁ ପ୍ରଚଳିତ ଏହି ଲୋକକଥା ଦର୍ଶାଏ ଯେ ମଣିଷ ଜୀବନରେ ପଗଡ଼ିର ମହତ୍ତ୍ୱ କେତେ।
-ଅମ୍ବ୍ରିତା ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri