ରାଜକୋଷ ତ ଦଳୀୟ ପାଣ୍ଠି

ସହଦେବ ସାହୁ

ଆମେ ‘ଗଣ’ତନ୍ତ୍ରରେ ନାହୁଁ, ‘ଦଳ’ତନ୍ତ୍ରରେ ଅଛୁ!- ଏହି ବାକ୍ୟରେ ଗତ ପ୍ରବନ୍ଧଟିକୁ ଶେଷ କରିଥିବାରୁ ଦଳତନ୍ତ୍ର ଚାଲିଥିବାର ଆଉ କ’ଣ ଉଦାହରଣ ଅଛି ତାହା ଜାଣିବାକୁ କେତେଜଣ ପାଠକ ପଚାରିଛନ୍ତି, ତା’ର ଉତ୍ତରରେ ଏ ପ୍ରବନ୍ଧଟିର ନାମକରଣ। ରାଜନୈତିକ ଦଳଗୁଡ଼ିକ ଜାଣନ୍ତି ଯେ ଆମ ଗଣତନ୍ତ୍ର ବହୁମତ- ଭୋଟ ପ୍ରଥାରେ ଚାଲିଛି, ଯିଏ ଅନ୍ୟ ପ୍ରତ୍ୟେକ ପ୍ରାର୍ଥୀଠାରୁ ବେଶି ଭୋଟ ପାଇଲା ସିଏ ଲୋକପ୍ରତିନିଧି ବୋଲାଇବ, ଯଥା ୧୦୦ ଭୋଟର ଥିବା ନିର୍ବାଚନ ମଣ୍ଡଳୀରେ ୫ଜଣ ପ୍ରାର୍ଥୀ କଡ଼ାକଡ଼ି ଟକ୍କର ଦେଲେ ବି ଯିଏ ୨୨ଖଣ୍ଡ ଭୋଟ ପାଇବ ସିଏ ଜିତିବ, ଅନ୍ୟମାନେ କ୍ରମାନ୍ବୟରେ ୨୧, ୨୦,୧୯ ଓ ୧୮ ଭୋଟ ପାଇଥିଲେ ବି ଜିତିବା ପ୍ରାର୍ଥୀକୁ ନ ଚାହୁଁଥିବା ଭୋଟରଙ୍କ ସଂଖ୍ୟା ୭୮। ତିନୋଟି ମୁଖ୍ୟ ଦଳ ଥିଲା ବେଳେ ଜିତିବାକୁ ଚାହୁଁଥିବା ଦଳ ଶତକଡ଼ା ୪୦ ପାଖାପାଖି ଭୋଟ ଲୋଡ଼ିବ। କେତେଜଣ ବିଜୟୀ ପ୍ରାର୍ଥୀ ୭୦ କି ୮୦ ଶତାଂଶ ଭୋଟ ପାଉଥିଲେ ବି ଅଧିକାଂଶ ପ୍ରାର୍ଥୀ ୩୦ରୁ ୪୦ ଶତାଂଶ ଭୋଟ ପାଇ ଜିତନ୍ତି। ତେଣୁ ସରକାର ଚଳାଉଥିବା ଦଳ ଅନ୍ତତଃ ସେତିକି ଭୋଟରଙ୍କୁ ହାତ କରିବାକୁ ଚେଷ୍ଟା କରେ। ଆମ ରାଜ୍ୟରେ ଶତକଡ଼ା ୪୦ ଭାଗ ଲୋକ ଦିନମଜୁରିଆ ବା କନାଗୋଟାଳି ବା ଭିକାରି, ଯେଉଁ ଦିନ ପଇସା ନାହିଁ ସେ ଦିନ ଭୋକିଲା। ଆଉ ୨୦ଭାଗ ଲୋକ ଏତେ ଭୋକିଲା ନ ହେଲେ ବି ଦାରିଦ୍ର୍ୟସୀମାରେଖା ପାଖାପାଖି, ଯେଉଁମାନଙ୍କ ପାଇଁ ସ୍ବାସ୍ଥ୍ୟସେବା ଓ ଶିକ୍ଷା ସାତ ସପନ । ଏପରି ୬୦ ଭାଗ ଲୋକଙ୍କୁ କିଛି ମାଗଣା ସାମଗ୍ରୀ ଓ ସେବା (ଇଂଲିଶରେ ଫ୍ରିବି) ଯୋଗାଇଦେଲେ ସେମାନେ ଆପଣାର ହୋଇଯିବେ, ରାଜ୍ୟର ଦୀର୍ଘକାଳୀନ ବିକାଶ ଉପରେ ସେମାନଙ୍କର ନଜର ନ ଥାଏ, ସେମାନେ ବର୍ତ୍ତମାନରେ ବଞ୍ଚନ୍ତି; ଏଣୁ ନିର୍ବାଚନ ସମୟରେ ଦଳଗୁଡ଼ିକ ଭିତରେ ପ୍ରତିଯୋଗିତା କିଏ କେତେ ଉପହାର ଓ ଖୋରାକ-ଟଙ୍କା ଯୋଗାଇବାର ପ୍ରତିଶ୍ରୁତି ବା ‘ଫ୍ରିବି’ ଦେବ। ତାମିଲନାଡୁରେ ଆମ୍ମା ନାମ ଯୋଡ଼ିହୋଇଥିବା ଭୋଜନ, ଜଳ ଯୋଗାଣ, ବିଜୁଳି ଏପରିକି ମଙ୍ଗଳସୂତ୍ର ଆଦି ଫ୍ରିବି ତାଲିକାରେ ଅଛି, ତାକୁ ଅନୁକରଣ କରି ଓଡ଼ିଶା ସରକାର ଜଗନ୍ନାଥ ବଳଭଦ୍ରଙ୍କ ଡାକନାମ ଯୋଡି ସ୍କିମ୍‌ କରୁଛନ୍ତି।
ତାମିଲନାଡୁରେ ରନ୍ଧନଗ୍ୟାସ୍‌ ଓ ଷ୍ଟୋଭ୍‌ ଦିଆଯାଉଛି ତ ଆମ ରାଜ୍ୟରେ ଛତା, ଜୋତା, ସାଇକେଲ, ଲାପଟପ୍‌ ଆଦି ଫ୍ରିବି ଅଛି । ଦଳ କିଛି ଖର୍ଚ୍ଚ କରିବ ନାହିଁ, ସରକାରୀ ଖଜଣାଖାନାରୁ ଏଥିଲାଗି ପଇସା ଆସିବ।
ଯଦି ରାଜସ୍ବ ଯଥେଷ୍ଟ ହେବ ନାହିଁ ବାହାରୁ ଋଣ ନିଆଯିବ। ଏହି ଋଣ (ପବ୍ଲିକ୍‌ ଡେଟ୍‌) ବଢିଚାଲିଲେ ଦିନେ ତା’ର କେବଳ ସୁଧ ଶୁଝିବାରେ ରାଜସ୍ବ ନିଅଣ୍ଟ ହେବ ତ ରାଜ୍ୟର କର୍ମଚାରୀମାନଙ୍କ ଦରମା ଦେବାକୁ ବି ଯଥେଷ୍ଟ ଅର୍ଥ ବଳିବ ନାହିଁ। ଏହା ହିଁ ଘଟିଥିଲା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୧୫ ବର୍ଷର ଶାସନର ଶେଷ କାଳରେ। ୧୯୮୦ର ଏକ ବଳକା ରାଜ୍ୟ ୧୯୯୮-୯୯ ବେଳକୁ ତାହାର କର୍ମଚାରୀମାନଙ୍କୁ ଦରମା ଓ ପେନ୍‌ସନ ଦେବାରେ ଅକ୍ଷମ ହୋଇଗଲା।
୧୯୯୯ ଏପ୍ରିଲରେ ମୁଖ୍ୟଶାସନ ସଚିବ ହିସାବରେ ମୁଁ ଆର୍ଥିକ ଶୃଙ୍ଖଳା ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ସହ ଏକ ବୁଝାମଣାପତ୍ର ଦସ୍ତଖତ କରାଇଥିଲି, ମୁଁ ସିନା ଶାସକଦଳର ଅପ୍ରିୟ ହୋଇ ପଦବୀ ଛାଡ଼ିଲି, କିନ୍ତୁ ପରବର୍ତ୍ତୀ ସରକାର ଏହାକୁ କାର୍ଯ୍ୟକାରୀ କରି ସୁଫଳ ପାଇଲେ, ୨୦୦୩ ସୁଦ୍ଧା ଜିରୋ-ବଜେଟିଂ କରିପାରିଲେ ଓ ୨୦୦୬ ବେଳକୁ ଏକ ବଳକା ରାଜ୍ୟ କରିପାରିଲେ। ଅବଶ୍ୟ ସେତେବେଳର ଚାଇନା ସରକାର ଓ ଚାଇନା କମ୍ପାନୀଗୁଡ଼ିକ ଓଡ଼ିଶାରୁ ଏତେ ପରିମାଣର ଲୌହ ଓ ଅନ୍ୟ ଖଣିଜ ଦ୍ରବ୍ୟ ଖରିଦ କଲେ ଯେ, ଓଡ଼ିଶାକୁ ଯଥେଷ୍ଟ ରାଜସ୍ବ (ରୟାଲ୍‌ଟି ଓ ଟିକସ ଆକାରରେ) ମିଳିଲା। ଦୁଃଖର କଥା ତା’ ସଙ୍ଗେ ସଙ୍ଗେ ରାଜ୍ୟର ଡେମୋକ୍ରାସିରେ କ୍ଲେପ୍ଟୋକ୍ରାସି ବା ଚୌର୍ଯ୍ୟତନ୍ତ୍ର ପଶିଲା, କାଳକ୍ରମେ ଚୌର୍ଯ୍ୟତନ୍ତ୍ର ବା ସରକାର-ସମର୍ଥିତ ଭ୍ରଷ୍ଟାଚାର ଗଣତନ୍ତ୍ରକୁ ନାକେଦମ୍‌ କଲାଣି। ‘ପିସି’ ସଂସ୍କୃତି ରାଜ୍ୟ ଶାସନର ରକ୍ତରେ ମିଶିଗଲାଣି। ଭ୍ରଷ୍ଟାଚାର ଦୂର କରିବା ଆଉ ନିର୍ବାଚନ-ପ୍ରଚାରର ଭିତ୍ତି ନ ହୋଇ ଭୋଟରଙ୍କୁ ମନେଇବାର ଫ୍ରିବି ଓ ଭୋଟ କିଣିବା ପ୍ରକ୍ରିୟା ହିଁ ଭିତ୍ତି ହୋଇଗଲାଣି, ଭାରତର ସବୁ ରାଜ୍ୟରେ।
କ୍ଲେପ୍ଟୋକ୍ରାସି ଡେମୋକ୍ରାସିକୁ କଣ୍ଟ୍ରୋଲ କଲା ତ ଦଳ ସହ ସମ୍ପୃକ୍ତ ବହୁତ ଲୋକ ନୂତନଧନୀ (ନ୍ୟୁରିଚ୍‌) ହୋଇଗଲେ, ପାଶ୍ଚାତ୍ୟ ଆଦବକାଇଦା ଗ୍ରହଣ କଲେ ତ ଦେଶରେ ବିଦେଶୀ ମଦ କାରବାର ଓ ମାଦକ ଦ୍ରବ୍ୟ ବାଣିଜ୍ୟ ବଢ଼ିଲା, ସରକାରୀ ଟିକସ ଯେତେ ତାହାଠାରୁ ବହୁଗୁଣ ଦଳର ପାଣ୍ଠିକୁ ଦାନ ହିସାବରେ।
ତେଣେ ଶାସକ ଦଳର ପ୍ରତିନିଧିମାନେ ନିଜ ପ୍ରଭାବ ବ୍ୟବହାର କରି ରାଜ୍ୟର ସମ୍ପତ୍ତିକୁ (ତାହା ଲଘୁ, ମଧ୍ୟମ ଓ ଭାରି ଖଣିଜ ବସ୍ତୁର ଉତ୍ସ ବା ସୈରାତ୍‌ ହେଲେ ବି) ଶାଗମାଛ ଦରରେ ଟେକିଦେଲେ; ନିଲାମ ଧରିଛନ୍ତି ଆଳରେ କ୍ଲେପ୍ଟୋକ୍ରାଟ୍‌ମାନେ ପାଖଆଖର ପ୍ରାକୃତିକ ସମ୍ପଦକୁ ବି ଶୋଷିଲେ, ଦି’ ପଇସା ଲୋଭରେ ବ୍ୟୁରୋକ୍ରାଟ୍‌ମାନେ ଆଇନକୁ ଲାଗୁକଲେ ନାହିଁ। ରାଜକୋଷକୁ ପର୍ଯ୍ୟାପ୍ତ ଧନ ନ ଆସିବାରୁ ସରକାର ବଜାରରୁ ବା ବ୍ୟକ୍ତିଙ୍କଠାରୁ ଋଣ ଉଠାଇବା ଆରମ୍ଭ କରୁଛନ୍ତି – ଏ ପବ୍ଲିକ୍‌ ଡେଟ୍‌ ପରିମାଣ ବଢ଼ି ବଢ଼ି ଚାଲିଛି। ୨୦୧୧-୧୨ରେ ଓଡ଼ିଶା ସରକାରଙ୍କ ପବ୍ଲିକ୍‌ ଡେଟ୍‌ ଯେତେ ଥିଲା ତାହା ମୁଣ୍ଡପିଛା ଟ.୯,୧୪୪.୪୦। ୨୦୨୧ଶେଷବେଳକୁ ଲୋକସଂଖ୍ୟା ବଢ଼ିଥିଲେ ବି ଅର୍ଥାତ୍‌ ମୁଣ୍ଡପିଛା ଋଣଭାର ଟ. ୨୩,୭୬୧.୮୩କୁ ବଢ଼ିଗଲାଣି, ୧୦ବର୍ଷ ଭିତରେ ଦୁଇଗୁଣ! ପୁଣି ବଢ଼ତି ଲୋକସଂଖ୍ୟା ଉପରେ। (ଷ୍ଟାଟସ ପେପର ଅନ୍‌ ପବ୍ଲିକ ଡେଟ୍‌ ଇନ୍‌ ଓଡ଼ିଶା, ଆନ୍‌ ଓଭରଭ୍ୟୁ, ଫେବୃୟାରୀ ୨୦୨୧ ଦ୍ରଷ୍ଟବ୍ୟ)। ଏହି ଢଙ୍ଗ (ଟ୍ରେଣ୍ଡ) ଚାଲୁ ରହିଲେ ୨୦୩୫-୩୬ରେ, ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ହେବାର ଶତାବ୍ଦୀ ପାଳନ ବର୍ଷରେ ମୁଣ୍ଡପିଛା ସରକାରୀ ଋଣ ପରିମାଣ ୬୦ ହଜାର ଟଙ୍କା, ଅର୍ଥାତ୍‌ ପ୍ରତି ପରିବାର ଉପରେ ପବ୍ଲିକ୍‌ ଡେଟ୍‌ ହୋଇଯାଇଥିବ ଅଢ଼େଇ ଲକ୍ଷ ଟଙ୍କା।
ଦଳର ମୁଖିଆଙ୍କ ଜନପ୍ରିୟତା ୫୦ ଶତାଂଶକୁ ଖସିଆସିଲେ ବି ତାଙ୍କ ଦ୍ୱାରା ବଛାହୋଇଥିବା ପ୍ରାର୍ଥୀଙ୍କ ଯୋଗ୍ୟତା (ୱିନୋବିଲିଟି) ଆସିଯାଏ। ତେଣୁ ନିର୍ବାଚିତ ଦଳର ପ୍ରତିନିଧି ଭାବେ ବୋବା; ସେମାନଙ୍କ ବ୍ୟକ୍ତିଗତ ଯୋଗ୍ୟତା ଅବସରପ୍ରାପ୍ତ ସର୍ବଭାରତୀୟ ସେବା ହେଉ କି ସ୍ବୟଂସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ର ମହିଳାମୁଖ୍ୟ ହେଉ। ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ନିର୍ବାଚନ କମିଶନ ପାଖରେ ଦଳପତିଙ୍କ ସୁପାରିସପତ୍ର ପହଞ୍ଚିବା ଦରକାର। ନ ହେଲେ ବ୍ୟକ୍ତିଟିଏ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢି କେବେ ଶାସନଗାଦିରେ ବସିପାରିବ କି? ତେଣୁ ନିର୍ବାଚନରେ ଜନାଦେଶ ମିଳେ ନାହିଁ, ଦଳପତିଙ୍କ ଏକଲା ଆଦେଶ ଉପରେ ମୋହର ବସେ। ଦଳର ସ୍ବାର୍ଥ ହିଁ ରାଜ୍ୟ ସ୍ବାର୍ଥର ଊର୍ଦ୍ଧ୍ୱରେ ରହେ। ତେଣୁ ନିର୍ବାଚିତ ପ୍ରତିନିଧିଙ୍କ ଗାଁରେ ମଦଦୋକାନ ଭାଙ୍ଗୁଥିବା ମହିଳାମାନେ ତାଙ୍କୁ ଭୋଟ ଦେଇଥିଲେ ବି ମଦଦୋକାନ ସ୍ଥାନାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଳି କରିପାରିବେ ନାହିଁ, ବରଂ ବେଆଇନ କାମ ପାଇଁ ସେହି ମହିଳାମାନଙ୍କୁ ଜେଲ ପଠାଗଲେ ସେ ମୌନ ରହିବେ, କାରଣ ସେ ନିଜର ବିବେକକୁ ଦଳ ଆଗରେ ବଳି ଦେଇଛନ୍ତି।
ଏବେ ସମାପ୍ତ ହୋଇଥିବା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର ବିଧାନସଭା ନିର୍ବାଚନରେ ଦଳଗୁଡ଼ିକ କ’ଣ ଯାଚିଥିଲେ, ତାହାକୁ ହେଜିଲେ ଆପଣଙ୍କ ମନେ ହେଉନାହିଁକି ପ୍ରଦେଶର ଟ୍ରେଜରିଟା ଯେପରି ଦଳର ପଇସାମୁଣି! ସଂସଦୀୟ ପରମ୍ପରା କହେ ବିଧାନ ସଭାରେ ବଜେଟ ପାରିତ ନ କରି ସରକାର ଟଙ୍କାଟିଏ ଖର୍ଚ୍ଚ କରିପାରିବେ ନାହିଁ, ଏପରିକି ଦରମା ଦେଇ ପାରିବେ ନାହିଁ। ଯଦି ବଜେଟ ପ୍ରସ୍ତାବ ଆକାରରେ ବିଧାନସଭାରେ ପେସ୍‌ ହେବା ପୂର୍ବରୁ ପ୍ରସ୍ତାବର ବିବରଣୀ ପଦାରେ ପଡ଼ିଯାଏ, ବଜେଟ ଲିକ୍‌ ହୋଇଛି ବୋଲି ସରକାର ହରଡ଼ଘଣାରେ ପଡ଼ନ୍ତି, ତେବେ ଶାସକ ଦଳ ସେମାନଙ୍କ ନିର୍ବାଚନ ଇସ୍ତାହାରରେ ଦେଇଥିବା ଲମ୍ବା ଲମ୍ବା ପ୍ରତିଶ୍ରୁତି ବଜେଟ ଲିକ୍‌ ନୁହେଁ କି? ଆଗେ ଥିଲା ନିର୍ବାଚନ ଇସ୍ତାହାର ରାଜନୈତିକ ଦଳର ଲକ୍ଷ୍ୟ ଓ ନୀତି ଦର୍ଶାଇବା କଥା, ଯାହା ଭିତ୍ତିରେ ନାଗରିକମାନେ ଦଳକୁ ବାଛନ୍ତି। ଏବେ ନିର୍ବାଚନ-ଇସ୍ତାହାର ହେଉଛି ହୋଟେଲର ଖାଦ୍ୟତାଲିକା ବା ମେନୁ, କେଉଁ ଦଳର ମେନୁ ତୁମକୁ ପସନ୍ଦ ହେଉଛି ତାକୁ ଭୋଟ ଦିଅ। ସେ ଦଳ ସେପରି ମେନୁର ଖାଦ୍ୟ ପରଷିବ। ପ୍ରତିଶ୍ରୁତି ଦେବା ଭୁଲ୍‌ ନୁହେଁ, ଯେ ପର୍ଯ୍ୟନ୍ତ ତାହା ପାଇଁ ରାଜକୋଷରୁ କିଛି ନ ଯାଏ, ଯେ ପର୍ଯ୍ୟନ୍ତ ତାହା ଲୋକଙ୍କୁ କର୍ମବିମୁଖ ନ କରେ, ଯେ ପର୍ଯ୍ୟନ୍ତ ଜୀବନରେ ଉତ୍ତରୋତ୍ତର ଉନ୍ନତି କରିବାର ଇଚ୍ଛାକୁ ଛଡ଼ାଇ ନ ନିଏ। ଲୋକେ କର୍ମବିମୁଖ ହେଲେ ଦେଶର ଜିଡିପି ବଢ଼ିବ ନାହିଁ, ଉତ୍ତରୋତ୍ତର ଉନ୍ନତି କରିବାର ଇଚ୍ଛା ଚାଲିଗଲେ ଦେଶର ସଭ୍ୟତାରେ ଅବକ୍ଷୟ ଦେଖାଦେବ, ଏମିତି ଖୁସିବାସି ଓ ଅଳସୁଆପଣରେ ରୋମାନ୍‌ ସାମ୍ରାଜ୍ୟ ଓ ରୋମୀୟ ସଭ୍ୟତା ନଷ୍ଟହୋଇଗଲା ପରା!
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri