ଟିଟିଲାଗଡ଼,୨୩।୪: ବଲାଙ୍ଗୀର ଜିଲା ଟିଟିଲାଗଡ଼ ପୌରାଞ୍ଚଳରେ କରୋନାର ଦ୍ୱିତୀୟ ଲହର ଭୟ ସୃଷ୍ଟି କରିଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବ୍ୟବସାୟୀ ସଂଘର ଆହ୍ବାନ କ୍ରମେ ଗତ ବୁଧବାର ସନ୍ଧ୍ୟାରୁ ସୋମବାର ସକାଳ ପର୍ଯ୍ୟନ୍ତ ସହରରେ ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଛି। ଫଳରେ ରାସ୍ତାଘାଟ ଶୁନଶାନ୍ ହୋଇପଡିଛି। ଅନ୍ୟପକ୍ଷେ ପ୍ରଶାସନ ପକ୍ଷରୁ ସହରରେ ରାତ୍ରୀକାଳୀନ କର୍ଫ୍ୟୁ ତଥା ସପ୍ତାହାନ୍ତ ଶଟ୍ଡାଉନ୍ ବଳବତ୍ତର ରହିଛି। ଔଷଧ ଦୋକାନ, ପେଟ୍ରୋଲ, ପନିପରିବା, ଫଳ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଖୋଲା ରହୁଥିବା ବେଳେ ଅନ୍ୟ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି। କେତେକ ବ୍ୟାଙ୍କର କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବାରୁ ଗ୍ରାହକ ସେବା ବନ୍ଦ କରାଯାଇଥିବା ଜଣାଯାଇଛି।


