କୁବେର ହେବାର ଗଳାବାଟ

ଡ. ଅଜୟ କୁମାର ନନ୍ଦ

 

ଗଣତନ୍ତ୍ରର ଗରିମାକୁ ଅକ୍ଷୁଣ୍ଣ ରଖିବା ଓ ଏହାର ମହତ୍‌ ଉଦ୍ଦେଶ୍ୟକୁ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବାର ମୁଖ୍ୟ ମାଧ୍ୟମ ହେଉଛି ଶାସନ; ଯାହା ସମ୍ବିଧାନର ଆତ୍ମା କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ଶାସନ କଳଟି ପ୍ରଶାସନିକ କ୍ଷମତା ହାସଲ କରିଥିବା ବ୍ୟକ୍ତିବିଶେଷଙ୍କ ଦ୍ୱାରା ନିୟନ୍ତ୍ରିତ ହୁଏ। ସରକାର ଓ ଜନତାଙ୍କ ମଧ୍ୟରେ ଉତ୍ତମ ଯୋଗସୂତ୍ର ସ୍ଥାପନକରି ଉତ୍ତମ ଶାସନର ବାହକ ରୂପେ କାର୍ଯ୍ୟ କରିଥାନ୍ତି। ଫଳରେ ସରକାରଙ୍କ ଉପରେ ସାଧାରଣ ଜନତାଙ୍କର ଅଖଣ୍ଡ ବିଶ୍ୱାସ ରହିଥାଏ କାରଣ ଏହା ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିୟନ୍ତ୍ରିତ ହୁଏ। ନିଯୁକ୍ତି ସମୟରେ ସରକାରୀ ଅମଲାମାନଙ୍କ ସମେତ ପ୍ରଶାସନିକ ଅଧିକାରୀ, ତାଙ୍କର ଚାକିରି ସର୍ତ୍ତାବଳୀର ସମସ୍ତ ନିୟମ ମାନି, ଲୋକଙ୍କ ସେବାରେ ବର୍ତ୍ତି ହେବାପାଇଁ ସହମତି ପ୍ରକାଶ କରିବା ସହିତ ଲିଖିତ ସତ୍ୟପାଠ ଦାଖଲ କରନ୍ତି। ବର୍ତ୍ତମାନ ଘଟୁଥିବା ରୋଚକ ଘଟଣାରେ ବିଶେଷ କରି ସରକାରୀ ବାବୁମାନଙ୍କ ସମ୍ପୃକ୍ତି ସହ କ୍ଷମତା ଲୋଭରେ ବଶବର୍ତ୍ତୀ ହୋଇ, କ୍ଷମତାର ଅପବ୍ୟବହାର କରି ସରକାରୀ ତହବିଲ ହରିଲୁଟ କରି କୁବେର ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହା ସରକାରୀ ବାବୁଙ୍କ ଏବେ ନିଶାରେ ପରିଣତ ହୋଇଛି। ଦୁର୍ନୀତି ବିଭାଗ ଜାଲରେ ଖୋଦ ପୋଲିସ ବିଭାଗର ମାଳ ମାଳ କୁବେର ଓ ତାଙ୍କ କଳା ସାମ୍ରାଜ୍ୟର ଦସ୍ତାବିଜ, ସବୁ କୋଟିରେ ହିସାବ। ସରକାରୀ ନିୟୋଜନ ସଂସ୍ଥା କିରାଣିଙ୍କ କୋଟି କୋଟି ଟଙ୍କାର ଆୟବହିର୍ଭୂତ ସମ୍ପତ୍ତି ଠୁଳ ସାଙ୍ଗକୁ ପାଲିସ ବିଭାଗରେ ଚାକିରି କରିଥିବା ଜଣେ କନଷ୍ଟେବଳଙ୍କ ଆଖି ଦୃଶିଆ ସମ୍ପତ୍ତି ତଦନ୍ତକାରୀ ଦଳଙ୍କ ହୋସ୍‌ ଉଡ଼ାଇଛି। ସେଇଭଳି ଅତୀତରେ ଜଣେ ଅଙ୍ଗନଓ୍ବାଡି କର୍ମଚାରୀ, କୁନି କୁନି ପିଲାଙ୍କ ପାଇଁ ଆସୁଥିବା ସରକାରୀ ଅନୁଦାନକୁ ହରିଲୁଟ କରି ସମ୍ପତ୍ତି ଠୁଳ କରିବା କ’ଣ ମୌଳିକ କର୍ତ୍ତବ୍ୟ? ଏ ସବୁ ଆଢୁଆଳରେ ଅନେକ ବଡ଼ ବଡ଼ ବ୍ୟକ୍ତିଙ୍କ ସମ୍ପୃକ୍ତିକୁ ଅସ୍ବୀକାର କରାଯାଇ ନ ପାରେ।
ଜନତାଙ୍କ ସେବା ପାଇଁ ଉଦ୍ଦିଷ୍ଟ ଶାସନ କଳଟି ଭ୍ରଷ୍ଟାଚାର, ଅପରାଧ, ଲୁଣ୍ଠନ ଓ ଅରାଜକତା ଭଳି ଦୁର୍ନୀତି ଜାଲରେ ଛନ୍ଦି ହୋଇପଡ଼ିଛି। ମନ୍ତ୍ରୀଙ୍କଠାରୁ ଯନ୍ତ୍ରୀ, ଅଫିସରଙ୍କଠାରୁ ଠିକାଦାର, ପ୍ରଶାସନିକ ଅଧିକାରୀଙ୍କଠାରୁ ଅମଲା ପର୍ଯ୍ୟନ୍ତ ଏହି ଦୁର୍ନୀତି ମହାମାରୀରେ ସମସ୍ତେ ଆକ୍ରାନ୍ତ। ବାଡ଼ ଯଦି ଫସଲ ଖାଏ ନ୍ୟାୟରେ ଦେଶ ବା ରାଜ୍ୟର ରାଜକୋଷ ଅବକ୍ଷୟ ହେବାରେ ଲାଗିଛି। ବିଡ଼ମ୍ବନା ହେଉଛି, ଜବତ ହେଉଥିବା ଆୟ ବହିର୍ଭୂତ ସମ୍ପତ୍ତିରୁ କେତେ ବାଜ୍ୟାପ୍ତ ହେଲା ଓ ତହିଁରୁ କେତେ ଜନ ମଙ୍ଗଳ କାର୍ଯ୍ୟରେ ଉପଯୋଗ ହେଲା ତାହା ସାଧାରଣରେ ପ୍ରକାଶ ହେଉନାହିଁ। ଏହା ଜାଣିବା ସାଧାରଣ ଜନତାଙ୍କ ଅଧିକାର, କାରଣ ତାଙ୍କ ପାଇଁ ଆସୁଥିବା ସରକାରୀ ଅନୁଦାନର ଏହା ଏକ ଅଂଶ, ତା’ ସହିତ ବିଭିନ୍ନ ଭାବରେ ଟିକସ ଆକାରରେ ଦେଉଥିବା ରାଜସ୍ବ ଆୟ । ଆଉ ଆଶ୍ୱସ୍ତିକର ଖବରଟି ହେଲା, ଯେଉଁ ଘଟଣାଟି ସରକାରଙ୍କ ଭାବମୂର୍ତ୍ତି ଉପରେ ଆଞ୍ଚ ଆଣୁଛି ସେଠାରେ ସରକାରଙ୍କ ‘ଶୂନ୍ୟ ସହନଶୀଳନ’ ରୂପକ ଯନ୍ତ୍ରଣା ନିବାରକ ନିଦାନ ଦେଇ ତତ୍କାଳ ତାଙ୍କୁ ଚାକିରିରୁ ଅନ୍ତର କରି ଜେଲକୁ ପଠାଇ କର୍ତ୍ତବ୍ୟ ସମ୍ପାଦନ କରାଯାଉଛି। ପରେ ପରେ ସେମାନେ ଆଇନର ଗଳା ବାଟ ଦେଇ ମୁକୁଳି ସ୍ବାଧୀନ ଭାବରେ ରହୁଛନ୍ତି, ଯାହା ଦୁର୍ନୀତିର ମୂଳକୁ ଆହୁରି ସଶକ୍ତ ହେବାରେ ସାହାଯ୍ୟ କରୁଛି। ଏସବୁ ଘଟଣାକୁ ତର୍ଜମା କଲେ ଗୋଟିଏ କଥାରେ ନିଶ୍ଚିତ ଯେ, ଯେଉଁମାନେ ଚାକିରି ହରାଉଛନ୍ତି ବା ଜେଲ ଯାଉଛନ୍ତି ସେମାନେ କେବେ ସରକାରୀ କଳକୁ ଉପଯୋଗ କରି ରାତାରାତି କୁବେର ହୋଇନାହାନ୍ତି, ଏଥିପାଇଁ ଦରକାର ହୁଏ ପର୍ଯ୍ୟାପ୍ତ ସମୟ। ଦୁର୍ନୀତି ରୋକିବା ପାଇଁ ସରକାରଙ୍କ ଦ୍ୱାରା ପରିଚାଳିତ ଅନେକ ସଂସ୍ଥା ଯଥା ଆୟକର, ସିବିଆଇ, ଭିଜିଲାନ୍ସ,ଏନ୍‌ସିବି, ଇଓଡବ୍ଲୁ, ଇଡି ଭଳି ସଂସ୍ଥାକୁ ଚକମା ଦେବା ଏତେ ସହଜ ନୁହଁ, ତଥାପି ଲୋକେ ଯଦି ଏହା କରିପାରୁଛନ୍ତି ତେବେ ସରକାରଙ୍କ ଶାସନ ପ୍ରତି ଲୋକଙ୍କର ଅସନ୍ତୋଷ ରହିବା ସହିତ ଗଣତନ୍ତ୍ର ପ୍ରତି ବିମୁଖ ହେବେ।
ରାଜନୀତିର ହସ୍ତକ୍ଷେପ ଦୁର୍ନୀତି ବଢ଼ିବାରେ ଅନେକ ସହାୟକ ହେଉଛି। ଦୁର୍ନୀତି ସେତେବେଳେ ରୋକାଯାଇପାରିବ ଯେତେବେଳେ ଜଣେ ଭୋଟର ଚାପ ମୁକ୍ତସହ ବିନା ଉତ୍କୋଚରେ ବଶବର୍ତ୍ତୀ ହୋଇ ନିଜର ମତଦାନ ସାବ୍ୟସ୍ତ କରିପାରିବ। ନିର୍ବାଚନକୁ ବ୍ୟୟମୁକ୍ତ କରାଗଲେ ଅନେକେ ସକାରାତ୍ମକ ଜନ ପ୍ରତିନିଧି ସେବା ପାଇଁ ଆଗେଇ ଆସିବେ। ସରକାରୀ ଚାକିରି କରୁଥିବା ବାବୁମାନେ ନିଜର ସମ୍ପତ୍ତି ତାଲିକା ବାର୍ଷିକଭିତ୍ତିରେ ସରକାରଙ୍କ ପାଖରେ ଉପସ୍ଥାପନ କରନ୍ତୁ ଏବଂ ସରକାର ସେଗୁଡ଼ିକୁ ଯାଞ୍ଚକରି ସଚ୍ଚୋଟ କର୍ମଚାରୀଙ୍କୁ ପଦୋନ୍ନତି କଲେ ଏହା ଦୁର୍ନୀତି ରୋକିବାରେ ସହାୟକ ହୋଇପାରନ୍ତା।
ବିଶ୍ୱନାଥ କୁଟୀର, ନୀଳକଣ୍ଠପୁର, ପୁରୀ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri