ଚଢ଼ା ଶେୟାର ବଜାର

ଦେବାଶିଷ ଆଚାର୍ଯ୍ୟ

କୋଭିଡ୍‌-୧୯ର ପ୍ରଥମ ଏବଂ ଦ୍ୱିତୀୟ ଲହର ଆମର ଅର୍ଥନୀତିକୁ ଦୋହଲେଇ ଦେଇଛି ସତ କିନ୍ତୁ ଶେୟାର ବଜାର ହୁତୁହୁତୁ ବଢ଼ିଚାଲିଛି। ସମ୍ପ୍ରତି ସେନ୍‌ସେକ୍ସ ଯାହାକି ବମ୍ବେ ଷ୍ଟକ୍‌ ଏକଚେଞ୍ଜର ସୂଚକାଙ୍କ ୫୪,୦୦୦ ଉପରେ ପହଞ୍ଚତ୍ଅଛି ଏବଂ ନିଫ୍ଟି ସୂଚକାଙ୍କ ୧୬,୦୦୦ ଉପରେ ପହଞ୍ଚିଅଛି। ଗତ ଏକ ବର୍ଷ ମଧ୍ୟରେ ସେନସେକ୍ସ ପ୍ରାୟ ୯୨% ବଢ଼ିଛି ।
ଏପ୍ରିଲ ୨୦୨୦ ରେ ଏହି ସେନସେକ୍ସ ୨୮,୨୬୫ ଥିଲାବେଳେ ଜୁନ୍‌ ୨୦୨୧ସୁଦ୍ଧା ପ୍ରାୟ ୫୨,୦୦୦ ପାଖରେ ପହଞ୍ଚିଅଛି। ଏହି ପରିପ୍ରେକ୍ଷୀରେ ମନେପଡ଼େ ଆଲନ ଗ୍ରୀନ୍‌ସ୍ପାନଙ୍କର ବକ୍ତବ୍ୟ, ଯିଏକି ଆମେରିକୀୟ କେନ୍ଦ୍ରୀୟ ବ୍ୟାଙ୍କ, ଫେଡେରାଲ ରିଜର୍ଭ ସିଷ୍ଟମର ତ୍ରୟୋଦଶ ମୁଖ୍ୟ(ଚେୟାର) ଥିଲେ। ଗ୍ରୀନ୍‌ସ୍ପାନ ୧୯୯୬ରେ ଆଜି ଦେଖାଯାଉଥିବା ଶେୟାର ବଜାରର ବୃଦ୍ଧିକୁ ‘ଇରାସନାଲ ଏକଜୁବେରେଁଶେ’ ବୋଲି କହିଥିଲେ. ଯାହା ଶେୟାର ବଜାରରେ ଏକ ଅସଙ୍ଗତ ବା ଅଯୌକ୍ତିକ ଉତ୍‌ଫୁଲ୍ଲତାକୁ ଇଙ୍ଗିତ କରେ। ପରବର୍ତ୍ତୀ ସମୟରେ ନୋବେଲ ଲରେଟ ରବର୍ଟ ଜେ ସିଲ୍ଲର ଏହି ପ୍ରସଙ୍ଗରେ ତାଙ୍କ ପୁସ୍ତକରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା ପ୍ରସ୍ତୁତ କରିଥିଲେ। ଏପରି ଶେୟାର ବଜାରକୁ କିଛି ପରିମାଣରେ ଜନ୍‌ ମେନାର୍ଡ କିନ୍ସଙ୍କ ବ୍ୟବହୃତ ଶବ୍ଦ ‘ଆନିମଲ ସ୍ପିରିଟ୍‌ସ’ ବୋଲି ମଧ୍ୟ କୁହାଯାଇପାରେ, ଯାହା ଆଜି କୋଭିଡ ନୈରାଶ୍ୟବାଦ ମଧ୍ୟରେ ଏକ ପ୍ରକାର ଶେୟାର ଆଶାବାଦ ସୃଷ୍ଟି କରିଛି। ଏହାର କାରଣ କ’ଣ ହେଇପାରେ?
୨୦୨୧ ଆର୍ଥିକବର୍ଷର ପ୍ରଥମ ଭାଗରେ ଷ୍ଟକ୍‌ ଏବଂ ମ୍ୟୁଚୁଆଲ ଫଣ୍ଡରେ ପୁଞ୍ଜି ବିନିଯୋଗ ବୃଦ୍ଧି ପାଇଛି ଏବଂ ଷ୍ଟକ୍‌ ମାର୍କେଟରେ ଖୁଚୁରା ନିବେଶର ଅଂଶ ମଧ୍ୟ ବୃଦ୍ଧିପାଇଛି। ସେଣ୍ଟ୍ରାଲ ଡିପୋଜିଟୋରି ସର୍ଭିସେସ ଲିମିଟେଡ (ସିଡିଏସ୍‌ଏଲ୍‌) ଏବଂ ନ୍ୟାଶନାଲ ସିକ୍ୟୁରିଟିଜ ଡିପୋଜିଟୋରି ଲିମିଟେଡ (ଏନ୍‌ଏସ୍‌ଡିଏଲ୍‌)ଠାରୁ ମିଳିଥିବା ତଥ୍ୟରୁ ଜଣାପଡ଼େ ବଜାରରେ ଖୁଚୁରା ତଥା ବ୍ୟକ୍ତିଗତ ନିବେଶକାରୀଙ୍କ ସଂଖ୍ୟା ୨୦୨୧ରେ ୧୪୨ ଲକ୍ଷ ବଢିଛି, ଯାହାକି ଗତବର୍ଷ ତୁଳନାରେ ପ୍ରାୟ ତିନି ଗୁଣ । ଚଳିତ ଆର୍ଥିକ ବର୍ଷରେ ସିଡିଏସ୍‌ଏଲ୍‌ରେ ୧୨୨.୫ ଲକ୍ଷ ନୂଆ ଖାତା ଖୋଲିଥିଲା ବେଳେ ଏନ୍‌ଏସ୍‌ଡିଏଲରେ ୧୯.୭ ଲକ୍ଷ ଖାତା ଖୋଲିଛି। ବଜାରରେ ପ୍ରାରମ୍ଭିକ ସର୍ବସାଧାରଣ ଅଫର୍‌(ଆଇପିଓ) ମଧ୍ୟ ଖୁବ ଦେଖାଯାଇଛି। ମହାମାରୀ ଏବଂ ଆର୍ଥିକ ସଂକଟ ସମୟରେ ହଠାତ୍‌ ବ୍ୟକ୍ତିଗତ ନିବେଶକାରୀମାନେ ଶେୟାର୍‌ ବଜାର ଆଡକୁ ମୁହଁାଇଛନ୍ତି କାହିଁକି ? ଏହା ଅର୍ଥନୀତିଜ୍ଞଙ୍କ ସମେତ ଅନ୍ୟ ସଚେତନ ବ୍ୟକ୍ତିମାନଙ୍କର ଚର୍ଚ୍ଚାର ବିଷୟ ହୋଇଛି। ଶେୟାର ବଜାରର ଏପରି ଆଶ୍ଚର୍ଯ୍ୟଜନକ ଅଭିବୃଦ୍ଧି ଖାଲି ଭାରତ ନୁହେଁ ସମ୍ପୂର୍ଣ୍ଣ ବିଶ୍ୱରେ ଦେଖାଯାଇଛି। ଅମେ ଯଦି ବିଶ୍ୱର କିଛି ଶକ୍ତିଶାଳୀ ତଥା ପ୍ରମୁଖ ଦେଶଗୁଡିକୁ ବିଚାରକୁ ନେବା ସେଠାରେ ମଧ୍ୟ ଶେୟାର ବଜାରର ପୁଞ୍ଜୀକରଣ ତଥା ମାର୍କେଟ କ୍ୟାପିଟାଲାଇଜେଶନରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିବାର ଦେଖୁ। ଭାରତୀୟ ରିଜର୍ଭ ବ୍ୟାଙ୍କ କୋଭିଡ ମହାମାରୀ ହେତୁ ଗତ ଏକ ବର୍ଷ ହେବ କୋହଳ ମୁଦ୍ରା ନୀତି ଅବଲମ୍ବନ କରି ରେପୋ ହାରକୁ ସ୍ଥିର ରଖିଛି। ମୁଦ୍ରାନୀତି କମିଟି ସର୍ବସମ୍ମତି କ୍ରମେ ୨୦୨୦ ମେ ମାସରୁ ଆଜି ପର୍ଯ୍ୟନ୍ତ ରେପୋ ହାରକୁ ୪% ରଖିଛି। ବିଶ୍ୱସ୍ତରରେ ଅନ୍ୟ ପ୍ରମୁଖ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ମଧ୍ୟ ନିଜ ନିଜ ପଲିସି ହାରକୁ ଖୁବ୍‌ କମ୍‌ ଓ ସ୍ଥିର ରଖିଛନ୍ତି। ଆର୍ଥିକ ସିଦ୍ଧାନ୍ତରୁ ଦେଖିଲେ ଏହି କୋହଳ ମୁଦ୍ରା ନୀତି ହେତୁ ବିତ୍ତୀୟ ବ୍ୟବସ୍ଥାରେ ପ୍ରଚୁର ତରଳତା(ଏକ୍ସେସ ଲିକୁଇଡିଟି) ଉପଲବ୍ଧ ହୋଇଥାଏ। ପୁନଃ ସବୁ ବାଣିଜି୍ୟକ ବ୍ୟାଙ୍କ ମିଆଦୀ ଓ ସାବଧି ଜମା ହାରକୁ କମେଇ ଦେଇଥାନ୍ତି। ବର୍ତ୍ତମାନ ସେହିଭଳି ପରିସ୍ଥିତିରେ ଆମ ଅର୍ଥ ବ୍ୟବସ୍ଥା ଗତି କରୁଥିବା ଯୋଗୁ ସାଧାରଣ ଖୁଚୁରା ନିବେଶକାରୀଙ୍କ ପକ୍ଷରେ ବ୍ୟାଙ୍କରେ ଜମା ରଖିବାର କୌଣସି ପ୍ରୋତ୍ସାହନ ନ ରହିବା ସ୍ବାଭାବିକ। ଏଥିସହିତ ପୋଷ୍ଟ ଅଫିସ ଜମା ଯୋଜନାର ହାର ମଧ୍ୟ ହ୍ରାସ ପାଇଛି। ଏଭଳି ଅବସ୍ଥାରେ ସାଧାରଣତଃ ବ୍ୟକ୍ତିଗତ ନିବେଶକାରୀ ଅଧିକ ସୁଧ ଅର୍ଜନକାରୀ ଦୀର୍ଘକାଳୀନ ପରିସମ୍ପତ୍ତି ଆଡକୁ ମୁହାଇଁଥାଏ। ଏହାଛଡା ଶେୟାର ବଜାର ସବୁବେଳେ ଆଗାମୀ ସମୟକୁ ଦୃଷ୍ଟିରେ ରଖି ଚାଲିଥାଏ। ତେଣୁ ଶେୟାର ବଜାରର ନିବେଶକାରୀ ଆଗାମୀ ଅର୍ଥନୈତିକ ସମୁତ୍‌ଥାନକୁ ଦୃଷ୍ଟିରେ ରଖି ଆଜିର ଦିନରେ ଅଧିକ ନିବେଶ କରିଥାଏ। ରିଜର୍ଭ ବ୍ୟାଙ୍କରୁ ମିଳିଥିବା ତଥ୍ୟାନୁସାରେ ଆମ ଦେଶର ଘରୋଇ ବିତ୍ତୀୟ ପରିସମ୍ପତ୍ତି ଦ୍ରୁତଗତିରେ ବଢିଛି। ଆର୍ଥିକ ବର୍ଷ ୨୦୧୯-୨୦ ପ୍ରଥମ କ୍ୱାର୍ଟରରେ ଏହାର ଭାଗ ଆମ ଜିଡିପିର ମାତ୍ର ୪% ଥିଲା, ଯାହାକି ୨୦୨୦-୨୧ ପ୍ରଥମ କ୍ୱାର୍ଟର ସୁଦ୍ଧା ୨୧%ରେ ପହଞ୍ଚିଛି । ଏହାଛଡା ବିଦେଶୀ ବିନିଯୋଗ ମଧ୍ୟ ପ୍ରଚୁର ପରିମାଣରେ ଆମ ବିତ୍ତ ବ୍ୟବସ୍ଥାକୁ ଲିକୁଇଡିଟି ଯୋଗାଇଛି। ଭାରତ ସରକାରଙ୍କ ଦ୍ୱାରା ଘୋଷିତ ବିଭିନ୍ନ ପ୍ରକାରର ଆର୍ଥିକ ସହାୟତା ମଧ୍ୟ ଲିକୁଇଡିଟିକୁ ବଢ଼ାଇବାରେ ସାହାଯ୍ୟ କରିଛି। ଅଧିକନ୍ତୁ ବିଗତ ଛଅ ମାସରେ ଦେଶବ୍ୟାପୀ ଟିକାକରଣ ଏବଂ ଟିକା କାର୍ଯ୍ୟକାରିତା ସମସ୍ତଙ୍କୁ କିଛି ମାତ୍ରାରେ ଉତ୍ସାହ ଯୋଗାଇଛି। ଆମେ ସମସ୍ତେ ଘର ଭିତରେ ରହି ଇଣ୍ଟରନେଟ ମାଧ୍ୟମରେ କିଣା ବିକା କରି ଡିଜିଟାଲ ପେମେଣ୍ଟ ସହ ଭଲ ଭାବରେ ପରିଚିତ ହୋଇଛେ। ରିଜର୍ଭ ବ୍ୟାଙ୍କ ଦ୍ୱାରା ଘୋଷିତ ଡିଜିଟାଲ ପେମେଣ୍ଟ ସୂଚକ ମାର୍ଚ୍ଚ ୨୦୨୧ ସୁଦ୍ଧା ୨୭୦.୫୯ରେ ପହଞ୍ଚିଛି, ଯାହା ମାର୍ଚ୍ଚ ୨୦୨୦ରେ ୨୦୭.୮୪ ଥିଲା। ଏହାର ପ୍ରଭାବ ଇଣ୍ଟରନେଟ ଦ୍ୱାରା ଚାଳିତ ଶେୟାର ବ୍ୟବସାୟରେ ବି ପଡ଼ିଛି। କ୍ରେଡିଟ କାର୍ଡ କମ୍ପାନୀରେ କାମ କରୁଥିବା ଜନୈକ ଉଚ୍ଚ ଅଧିକାରୀ କୁହନ୍ତି ଯେ, ମହାମାରୀ ସମୟରେ ଜନସାଧାରଣଙ୍କର କାର୍ଡ ବ୍ୟବହାର ବହୁତ ବଢିଛି। କାର୍ଡର ବ୍ୟବହାର ସାଧାରଣ ପଦାର୍ଥ କ୍ରୟ ସହିତ ଗେମିଙ୍ଗ ଉପକରଣରେ ମଧ୍ୟ ଦେଖାଯାଇଛି। ଫଳତଃ ମୋବାଇଲ ଫୋନ ଓ ଇଣ୍ଟରନେଟ ମାଧ୍ୟମରେ ଏକ ସାଧାରଣ ବ୍ୟକ୍ତିର ଶେୟାର ବଜାରରେ ପହଞ୍ଚିବା ଆଶାଜନକ ଅଟେ। ଇଂଲିଶ ଖବରକାଗଜ ମିନଟର ଏକ ରିପୋର୍ଟ ମହାମାରୀ ସମୟରେ ଆମ ଦେଶର ଛୋଟ ଛୋଟ ସହରରୁ ଶେୟାର ବଜାରରେ ଅଧିକ ଅଂଶଗ୍ରହଣ ହୋଇଥିବା ଦର୍ଶାଇଛି। ବଜାରରେ ଏପରି ମୂଲ୍ୟାରୋହୀ କାରବାର କେତେଦିନ ଚାଲିପାରିବ ତାହା ସନ୍ଦେହଜନକ । ଏହି ପ୍ରସଙ୍ଗରେ ଲୋକପ୍ରିୟ ଅର୍ଥନୀତିଜ୍ଞ କେନେଥ ରୋଗୋଫ ଅର୍ଥ ବ୍ୟବସ୍ଥା ଉପରେ କୋଭିଡ-୧୯ର ଅସମାନୁପାତିକ ପ୍ରଭାବ ଉପରେ ପ୍ରୋଜେକ୍ଟ ସିଣ୍ଡିକେଟର ଏକ ପ୍ରବନ୍ଧରେ ଅଲୋଚନା କରିଛନ୍ତି। ଶେୟାର ବଜାରରେ କେବଳ ବଡ଼ ବଡ଼ କମ୍ପାନୀର ଶେୟାର କ୍ରୟ ବିକ୍ରୟ ହୋଇଥାଏ, ଯାହା ଉପରେ କୋଭିଡର ପ୍ରଭାବ ପଡିନାହିଁ। ବରଂ ଅଧିକ ବିନିବେଶ ସେହି କମ୍ପାନୀଗୁଡ଼ିକୁ ଆଶାଧିକ ପୁଞ୍ଜି ଯୋଗାଇଦେଇଛି। ଅପରପକ୍ଷରେ ସବୁଠାରୁ କ୍ଷତିଗ୍ରସ୍ତ ହୋଇଛି କ୍ଷୁଦ୍ର ବ୍ୟବସାୟ, ଯାହାର ଶେୟାରବଜାରରୁ ପୁଞ୍ଜି ପାଇବାର ସୁଯୋଗ ନାହିଁ। କ୍ଷୁଦ୍ର ବ୍ୟବସାୟ ଅନ୍ତର୍ଗତ ମାଲିକାନା ବ୍ୟବସାୟ ଗୁରୁତର କ୍ଷତି ସହିଛନ୍ତି।
କେନ୍ଦ୍ର ସରକାର ନେଇଥିବା ବିଭିନ୍ନ ଆର୍ଥିକ ପଦକ୍ଷେପ ଏବଂ ଆଜିପର୍ଯ୍ୟନ୍ତ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିଆଯାଇଥିବା ମୁଦ୍ରାନୀତି ଓ ପଦକ୍ଷେପ ଏହି ଗୋଷ୍ଠୀକୁ ବିଶେଷ କିଛି ସାହାଯ୍ୟ କରିନାହିଁ। ଏମାନେ ନିଜର ଗଚ୍ଛିତ ସଞ୍ଚୟ ମଧ୍ୟ ହରାଇଛନ୍ତି। ଆମ ଦେଶରେ କ୍ଷୁଦ୍ର ବ୍ୟବସାୟ ଆମ ଜାତୀୟ ଉତ୍ପାଦ(ଜିଡିପି) ଏବଂ ନିୟୋଜନକୁ ଆଗକୁ ବଢ଼ାଇଥାନ୍ତି। ତେଣୁ କ୍ଷୁଦ୍ର ବ୍ୟବସାୟର ଅଂଶଦାନର ଅଭାବରେ ଆଗକୁ ସମାଜରେ ଆୟ ଅସମତା ତଥା ଅସମ ବଣ୍ଟନ ଦେଖାଯିବା ନିଶ୍ଚିତ। ସଂକ୍ଷେପରେ କହିଲେ ଆଜିର ଚଢ଼ା ଶେୟାର ବଜାର ଆମ ଆର୍ଥିକ ଅଭିବୃଦ୍ଧିର ମାପକାଠି ନୁହେଁ । ଆମର ଆର୍ଥିକ ସମୁତ୍‌ଥାନ ନିମନ୍ତେ ସରକାରଙ୍କୁ ଆଜି ସୁଦ୍ଧା ଘୋଷିତ ଯୋଜନାଗୁଡ଼ିକୁ ଯୁଦ୍ଧ ଭିତ୍ତିରେ କାର୍ଯ୍ୟକାରୀ କରିବା ସହିତ ପୂର୍ବାଲୋଚିତ କ୍ଷୁଦ୍ର ବ୍ୟବସାୟକୁ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ବ୍ୟକ୍ତିଗତ ନିବେଶକାରୀ ମଧ୍ୟ ବଜାରକୁ ଅନୁଧ୍ୟାନ କରି ସତର୍କ ରହିବା ଉଚିତ। ଆର୍ଥିକ ଅଭିବୃଦ୍ଧି ସହିତ ଯଦି ଶେୟାର ବଜାର ସମାନୁପାତିକ ଭାବରେ ନବ ତେବେ ଅର୍ଥ ତଥା ବିତ୍ତ ବ୍ୟବସ୍ଥାର ସ୍ଥିରତା ବିପଦସଙ୍କୁଳ ଏବଂ କ୍ଷତସାପେକ୍ଷ ହେବାରେ କୌଣସି ସନ୍ଦେହ ନାହିଁ।
ପ୍ରାଧ୍ୟାପକ, ଅର୍ଥନୀତି ବିଭାଗ, ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ହାଇଦ୍ରାବାଦ ମୋ:୯୪୯୨୦୬୧୬୪୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?