ଦୋକାନ ଖୋଲାଅଛି

ଗଣେଶ୍ୱର ନାୟକ

ରାଜପଥରେ ଯିବା ସମୟରେ, ପ୍ରାୟତଃ ନିଛାଟିଆ ସ୍ଥାନରେ, କୌଣସି ଗହଳି ଜାଗାରେ ନୁହେଁ, ଦେଖିବାକୁ ପାଇବା ରାସ୍ତା କଡ଼ରେ ଫଳକ, ଯେଉଁଥିରେ ଲେଖାଯାଇଥାଏ ‘ଦୋକାନ ଖୋଲାଅଛି’। କିନ୍ତୁ ଚାରିଆଡ଼କୁ ନଜର କଲେ ଦେଖିବେ ଆଖପାଖରେ କୌଣସି ଦୋକାନ ନଥିବ। କୁହାଯାଏ ବୁଝିବା ଲୋକକୁ ଇସାରା ଯଥେଷ୍ଟ। ଲାଗୁଛି, ଯେପରି ସରକାର ଡାଳେ ଡାଳେ ଗଲେ, ଆମେମାନେ ପତ୍ରେପତ୍ରେ ଯାଉଛେ।
ରାଜପଥ କଡ଼େ ଦୋକାନ ଖୋଲାଅଛି, କାହା ଘରକୁ ପୁତ୍ରଶୂନ୍ୟ କରିବାକୁ, କାହା ସଂସାର ଚୂନା କରିବାକୁ, କାହାକୁ ଦୁର୍ଘଟଣା ଘଟାଇ ଜୀବନସାରା ପଙ୍ଗୁ କରିବାକୁ। ସରକାରଙ୍କ ଟିକସ ଦରକାର। ସରକାର ଲୋକଙ୍କ ମଙ୍ଗଳ ଚାହାନ୍ତି, କିନ୍ତୁ ଦୋକାନ ସରକାର ହିଁ ଖୋଲନ୍ତି, ଦିନକୁ ଦିନ ଅଧିକ। ଲୋକେ ଯେତେ ଅଭ୍ୟାସୀ ହେବେ, ସରକାର ସେତେ ଲାଭବାନ୍‌ ହେବେ। ଆଉ ପୋଲିସବାବୁ ଫୁଙ୍କନଳୀ ଧରି ବସିଛନ୍ତି, ପରୀକ୍ଷା କରି ଜରିମାନା ଆଦାୟ କରିବାକୁ। ଡବଲ ଲାଭ ସରକାର ବାହାଦୁରଙ୍କର। ମାନ୍ୟବର ସଭ୍ୟ ଜଣେ ପଚାରିଦେଲେ ପବିତ୍ର ଗୃହରେ ପ୍ରଶ୍ନଟିଏ। ଉତ୍ତର ଆସିଲା, ରାଜ୍ୟକୁ ଏଥିରୁ ମୁକ୍ତ କରିବା ଦାବି ଅମୂଳକ ଆଉ ନିରାଧାର। ସରକାରଙ୍କ ମଧ୍ୟ ଏପରି ପ୍ରସ୍ତାବ ନାହିଁ। ଆହାଃ କେଡ଼େ ମୂଲ୍ୟବାନ କଥାଟିଏ।
ପରାଧୀନ ଭାରତରେ ଜ୍ଞାନୀଗୁଣୀଜନ ନିଶା ନିବାରଣ ଆନ୍ଦୋଳନକୁ ଆଗେଇ ନେବାକୁ ବାନରସେନା ଗଢ଼ିଥିଲେ। ଏହି ବାନର ସେନାର ଛୋଟ ଛୋଟ ଛୁଆ, ଅଭ୍ୟାସୀ ମଣିଷ ଯେତେବେଳେ ଏହି ଦୋକାନ ପାଖକୁ ଯାଉଥିଲା, ସେମାନଙ୍କ ଗୋଡ଼ଧରି ନେହୁରା ହେଉଥିଲେ ଅଭ୍ୟାସ ନ କରିବାକୁ। ସେତେବେଳର ମଣିଷ ପଶ୍ଚାତ୍ତାପ କରୁଥିଲା, ଛିଃ! ନାତି ବୟସର ପିଲା, ମୋ ଗୋଡ଼ଧରୁଛି, ମୁଁ ଆଉ ଏ ଅଭ୍ୟାସ କରିବି ନାହିଁ। ଏବର ମଣିଷ ସେବେଠାରୁ ଅଧିକ ଜ୍ଞାନୀଗୁଣୀ। ସ୍ବାଧୀନ ଦେଶର ନାଗରିକ। ଆଉ ଅଧିକ ସଚେତନ ମଧ୍ୟ। ଏବେ କେହି ଯଦି ବାରଣ କରୁଛି, ସଙ୍ଗେ ସଙ୍ଗେ ଉତ୍ତର ଆସୁଛି, ମୁଁ କ’ଣ କାହା ବାପା ପଇସା ଖର୍ଚ୍ଚ କରୁଛି, ମୁଁ ମୋ ପଇସାରେ ତ ନାଗର ଦେଖୋଉଛି। ସତରେ ଆମେ କେତେ ସ୍ବାଭିମାନୀ।
ମଣିଷ ଯେତେ ଅଭ୍ୟାସୀ ହେବ, ମୂଲ୍ୟବୋଧହୀନ ଭୋଟ ସର୍ବସ୍ବ ରାଜନୀତିରେ ହାତବାରିସି ହେବା ପାଇଁ ସେତେ ସହଜ। ଲୋକଙ୍କୁ ଭୁଅଁା ବୁଲାଇବାକୁ ସହଜ ହେବ। ଏଥିରୁ ନିବୃତ୍ତ ମଣିଷକୁ ମନେଇବା ସହଜ ନୁହେଁ। ସଚେତନ ମଣିଷ ଅନେକ ପ୍ରଶ୍ନ କରିଥାଏ। ପ୍ରଶ୍ନ କରି କରି କ୍ଷମତାର ଚୌକିକୁ ଦୋହଲାଇ ଦେବାରେ ସକ୍ଷମ ମଧ୍ୟ ହୁଏ।
ଖବରକାଗଜର ଖବର, ଦଶ ଟଙ୍କା ପାଇଁ ନିଶାଖୋର ପୁଅ, ମାଆର ଜୀବନ ନେଲା। କେଉଁଠି ନିଶାଖୋର ମଣିଷ ପରିବାରକୁ ମାରି ନିଶ୍ଚିହ୍ନ କରିଦେଉଛି ତ କେଉଠି ନିଶାଖୋର ମଣିଷ ସମାଜରେ ଅନେକ ଅପରାଧ କରୁଛି, କିନ୍ତୁ ଏହି ସରକାରୀ ଦୋକାନ ଦିନକୁ ଦିନ ବଢ଼ିବାରେ ଲାଗିଛି। ସରକାରଙ୍କର ରାଜସ୍ବ ବଢ଼ାଇବାରେ ଏହାର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ। କଥା ଉଠେ ମଣିଷକୁ ଅଧିକରୁ ଅଧିକ ନିଶାଖୋର କରି ରାଜସ୍ବ ବୃଦ୍ଧି କରିବା ମାନେ କ’ଣ ଗୋଦରା କୋଡ଼େ ଯେତେ, ମାଡ଼େ ସଦୃଶ। ମଝିରେ କଥା ଉଠିଥିଲା, ଯେଉଁ ସରକାରୀ ଦୋକାନ ଅଧିକ ବେପାର କରିବ, ସେ ପୁରସ୍କୃତ ହେବ। ଅର୍ଥାତ୍‌ ଯେଉଁ ଦୋକାନ ଯେତେ ଅଧିକ ନିଶା ବିକି ଯେତେ ଅଧିକ ପରିବାର ଉଜୁଡ଼ାଇବ, ସେ ସେତେ ପାରିବାର। ପୁରସ୍କାର ପାଇବାକୁ ସେତେ ସେ ହକ୍‌ ଜାହିର କରିବ। କଥାଟା ଲୋକଲୋଚନକୁ ଆସିବା ପରେ ସେହି ଭାବନା ବନ୍ଦ ହେଲା। ମଜାଦାର କଥାଟିଏ ସମସ୍ତେ ଲକ୍ଷ୍ୟ କରିଥିବେ, ଯିଏ ନିଶା ବିକେ, ସେ କିନ୍ତୁ ନିଶାଖୋର ହୁଏ ନାହିଁ, ଦୀକ୍ଷା ନେଇ ସେ ସମାଜରେ ଅଧ୍ୟାତ୍ମବାଦୀ ଭଦ୍ରଲୋକ ହୋଇ ବଞ୍ଚତ୍ବାକୁ ଚେଷ୍ଟା କରେ, ତାହାର ପିଲାଛୁଆଙ୍କୁ ଶିକ୍ଷିତ କରିବାକୁ ଚେଷ୍ଟା କରେ। ଆଉ ତାହାରି ଆଖି ଆଗରେ ଅନେକ ସଂସାର ଉଜୁଡ଼ିଯାଏ, ବିଚରାର ବା ଦୋଷ କ’ଣ! ପେଟ ପୋଷ, ନାହିଁ ଦୋଷ ଯେ!
ଥଟ୍ଟାରେ କେହି ଜଣେ କହୁଥିଲେ, ସ୍ବାଧୀନ ଭାରତରେ ଆଉ ତ ଇଂରେଜ ନାହାନ୍ତି, ଆଉ ଦେଶପ୍ରେମୀ କିପରି ହେବା? ସ୍ବାଧୀନ ଭାରତରେ ଯେ ଅଧିକ ଟିକସ ସରକାରଙ୍କୁ ଦିଏ, ସିଏ ହିଁ ଦେଶପ୍ରେମୀ। ଆହାଃ ଏଇ ଅଭ୍ୟାସୀମାନେ ହିଁ ଅଧିକ ଟିକସ ଦିଅନ୍ତି, ଆଉ ଏଇମାନେ ହିଁ ଅଧିକ ଦେଶପ୍ରେମୀ ନିଶ୍ଚୟ। ସରକାର ଦୋକାନ ଖୋଲିବା ବନ୍ଦ କରନ୍ତୁ ନ ହେଲେ ନିୟମ କରନ୍ତୁ ପରିବାରର ସମସ୍ତେ ଅଭ୍ୟାସୀ ହୁଅନ୍ତୁ। ସେ ବୁଢ଼ା ହୁଅନ୍ତୁ ବା ଛୁଆ ବା ସ୍ତ୍ରୀଲୋକ। ସମସ୍ତେ ଦେଶପ୍ରେମୀରୁ ବଞ୍ଚତ୍ତ ହେବେ କାହିଁକି? ସରକାରୀ ତଥ୍ୟ କହୁଛି ୩୬% ସଡ଼କ ଦୁର୍ଘଟଣା ଏଇଥିପାଇଁ ହେଉଛି। ସର୍ବୋଚ୍ଚ ନ୍ୟାୟାଳୟ କମିଟି କରି ଚେଷ୍ଟା କରୁଛନ୍ତି କିପରି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା କମ୍‌ କରିବେ। କିନ୍ତୁ ଦିନକୁଦିନ ଅଧିକ ଦୋକାନ ଖୋଲି, ସେହି ମହତ୍‌ ଉଦ୍ଦେଶ୍ୟକୁ ସଫଳ ହେବାକୁ ଦେଉନାହୁଁ। ସମସ୍ତେ ପରିଶ୍ରମ କରି ପ୍ରଗତିର ବେଲୁନ୍‌କୁ ଫୁଙ୍କିବାରେ ଲାଗିଥିବା ବେଳେ ଏ ଦୋକାନ ଖୋଲା ଅଛି, ଏକ କଣ୍ଟା ହୋଇ ଛିଦ୍ର କରି ଫୁରୁସାଇ ଦେବାରେ ବ୍ୟସ୍ତ। ଏ ଦୋକାନଖୋଲା ଫଳକ ହଟା ନ ଗଲେ ସବୁ ପରିଶ୍ରମ ବୃଥାଯିବ।
ଗୋଗଳ, କାଏମା, ଯାଜପୁର
ମୋ: ୯୭୭୭୭୪୯୭୨୭


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri