ଶ୍ରୀମନ୍ଦିର ସୁରକ୍ଷା ସର୍ବୋପରି

ଅନିଲ କୁମାର ବିଶ୍ୱାଳ

 

ଶ୍ରୀମନ୍ଦିରକୁ ନେଇ ଏବେ ଯେଉଁ ଦୁଇଟି ଘଟଣା ସମସ୍ତ ଜଗନ୍ନାଥପ୍ରେମୀଙ୍କ ପାଇଁ ଚିନ୍ତାର କାରଣ, ତାହା ହେଉଛି ଯେଉଁଭଳି ଭାବରେ ପ୍ରଶାସନିକ ସ୍ତରରେ ଶ୍ରୀମନ୍ଦିର ଚାରିପାଖ ଉନ୍ନତୀକରଣ ପ୍ରକଳ୍ପରେ ବଡ଼ ବଡ଼ ଗାତ କରାଯାଇ ଶ୍ରୀମନ୍ଦିରର ସ୍ଥାୟିତ୍ୱ ଉପରେ ବିପଦ ସୃଷ୍ଟି କରାଯାଉଛି ତାହା ଏବଂ ଆଉ ଗୋଟିଏ ହେଉଛି ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ଘଟଣା। ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପକୁ ଓଡ଼ିଶାରେ ଲୋକେ ପ୍ରଥମେ ସ୍ବାଗତ କରିଥିଲେ। ଏପରିକି ଯେତେବେଳେ ବହୁ ପୁରାତନ ମଠ, ଆଶ୍ରମକୁ ଭଙ୍ଗାଗଲା ସେତେବେଳେ ବି ଯଦିଓ ଲୋକଙ୍କ ଭାବାବେଗକୁ ଏହା ଆଘାତ ଦେଇଥିଲା; ତଥାପି ଲୋକମାନେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ, କିଛି ଆବଶ୍ୟକୀୟ ସୁବିଧା, ସର୍ବୋପରି ଶ୍ରୀମନ୍ଦିରର ସୁରକ୍ଷା ଦୃଷ୍ଟିରୁ ଲୋକମାନେ ଚୁପ୍‌ ରହିଥିଲେ। ହେଲେ ଯେତେବେଳେ ସରକାର ଏହାର ସୁଯୋଗ ନେଇ ବିନା କୌଣସି ବିଶେଷଜ୍ଞ କମିଟିର ପରାମର୍ଶ ଏବଂ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥାର ବିନାନୁମତିରେ ଶ୍ରୀମନ୍ଦିର ଚାରିପଟେ ଯେଉଁଭଳି ଭାବରେ ବଡ଼ ବଡ଼ ମେଶିନ ଲଗାଇ ଗାତ ଖୋଳିଲେ, ଏହା ଶ୍ରୀମନ୍ଦିର ଉପରେ ବଡ଼ ବିପଦ ଠିଆ କରିସାରିଛି। ଅବଶ୍ୟ ଏବେ ଜନସାଧାରଣଙ୍କ ଚାପରେ ସରକାର କିଛି କିଛି ଗାତକୁ ବାଲି ପକେଇ ବନ୍ଦ କରୁଛନ୍ତି, ହେଲେ ଥରେ ମାଟି ଭିତରର ଯେଉଁ ଭୂତାତ୍ତ୍ୱିକ ଗଠନ ଥିଲା, ତାକୁ ନଷ୍ଟ କରିଦେଲେ ଏହା ଆଉ ପୂର୍ବାବସ୍ଥାକୁ ନ ଆସିପାରେ। ଏବେ ଆମେ ଏକ ବଡ଼ ବିପଦକୁ ଆଣି ଅଣ୍ଟିରେ ପୂରାଇ ସାରିଛୁ ଏକଥା ସ୍ପଷ୍ଟ। ବାସ୍ତବରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥାର ଅନୁମତି ସମ୍ବନ୍ଧରେ ଯେଉଁ ବିବାଦ ଘୂରି ବୁଲୁଛି ଯେ ଅନୁମତି ମିଳିଛି କି ମିଳିନାହିଁ, ତାହାର ସ୍ପଷ୍ଟତା ହେଉଛି ପୂରା ପ୍ରକଳ୍ପକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥାର ଅନୁମତି ମିଳିଛି, କିନ୍ତୁ ଶ୍ରୀମନ୍ଦିରର ପାଚେରି ଚାରିପଟେ ୧୦୦ ମିଟର ପରିଧି ଭିତରେ କୌଣସି ପ୍ରକାର ଖୋଳାଖୋଳି ହୋଇପାରିବ ନାହିଁ ଏହାର ସର୍ତ୍ତ ରହିଛି। ଏବେ ମାମଲା ହାଇକୋର୍ଟକୁ ଯାଇଥିବାରୁ ତରବରିଆ ଭାବରେ ଗାତ ପୋତିବା ହୁଏତ ସରକାରଙ୍କୁ ବଞ୍ଚାଇ ଦେଇପାରେ, କିନ୍ତୁ ଏବେ ଛୋଟକାଟିଆ ଭୂକମ୍ପ ହେଲେ ଆମ ଶ୍ରୀମନ୍ଦିରକୁ ବଞ୍ଚାଇ ପାରିବ କି ନାହିଁ ତାହା ସନ୍ଦେହ। ସଂସଦରେ ମଧ୍ୟ ଜଣେ ସାଂସଦ ଯେଉଁଭଳି ଭାବରେ ପ୍ରଥମେ କହିଲେ, ମାତ୍ର ୪ଟି ମୂତ୍ରାଗାର ହେଉଛି ଓ ପରେ ପୁଣି ମତ ବଦଳାଇଲେ; ଏହା ମଧ୍ୟ ଓଡ଼ିଶାର ରାଜନୈତିକ ନେତୃତ୍ୱମାନଙ୍କର ଶ୍ରୀମନ୍ଦିର ପ୍ରତି ସେମାନଙ୍କର ଆନ୍ତରିକତା, ଆତ୍ମୀୟତାକୁ ପଦାରେ ପକାଇଛି।
ପୁରାଣରେ ବର୍ଣ୍ଣିତ ହୋଇଛି, ଶ୍ରୀମନ୍ଦିରର ନିର୍ମାଣ ଏକ ପର୍ବତ ଉପରେ ହୋଇଛି ବୋଲି ଏହାକୁ ନୀଳକନ୍ଦର ବୋଲି କୁହାଯାଉଛି। ଆମେ ପୁରୀ ସହରରୁ ଶ୍ରୀମନ୍ଦିର ଆଡ଼କୁ ଯେଉଁପଟୁ ପ୍ରବେଶ କଲେ ବି ଅତି ସହଜରେ ଜାଣିହେବ ଯେ, ଶ୍ରୀମନ୍ଦିର ଥିବା ସ୍ଥାନଟି ଏକ କୁଦ ବୋଲି। ପୁରୀ ସହର ହେଉଛି ବାଲିର ସହର। ଏହାରି ଉପରେ ଠିଆ ହୋଇଛି ଖଣ୍ଡାଲାଇଟ ପଥରରେ ନିର୍ମିତ ଏହି ବିଶାଳକାୟ କାରୁକାର୍ଯ୍ୟମୟ ମନ୍ଦିର। ସମୁଦ୍ର ମାତ୍ର କେଇ ହାତ ଦୂରରେ। ସାଧାରଣତଃ ସମୁଦ୍ର ଥିବା ସ୍ଥାନରେ ମୃତ୍ତିକାରେ ଜଳୀୟ ଅଂଶ ସର୍ବାଧିକ। ଯେଉଁଭଳି ବିଶାଳ ଓଜନକାୟ ପଥରରେ ଶ୍ରୀମନ୍ଦିର ନିର୍ମାଣ କରାଯାଇଛି ଓ ଶହ ଶହ ବର୍ଷ ହେଲାଣି ମାଟି ଉପରେ ଏହାର ଚାପ ପଡ଼ିଆସୁଛି ସେହି ସ୍ଥିତିରେ ଯଦି ଶ୍ରୀମନ୍ଦିରକୁ ଧରିରଖିଥିବା ମୃତ୍ତିକାର ସ୍ତରରେ ଟିକିଏ ବି ଏପଟସେପଟ ହୋଇଯାଏ, ତାହେଲେ ଏହାର ପ୍ରଭାବ ତତ୍‌କ୍ଷଣାତ ମନ୍ଦିର ଉପରେ ପଡ଼ିବ। ସେତେବେଳେ ଆମେ କିଛି କରିପାରିବା ଭଳି ସ୍ଥିତିରେ ନଥିବା। ଯେଉଁ ପ୍ରତ୍ନତାତ୍ତ୍ୱିକ ସଂସ୍ଥା ବା ସରକାରଙ୍କୁ କେବଳ ଦଧିନଉତି ମରାମତି କରିବାକୁ, ମନ୍ଦିର ଭିତର ଫାଟ ରୋକିବାକୁ ବର୍ଷ ବର୍ଷ ଲାଗୁଛି, ସେମାନେ ଶ୍ରୀମନ୍ଦିରରେ କିଛି ବଡ଼ କ୍ଷତି ହୋଇଗଲେ କେମିତି ସଜାଡ଼ିବେ?
ଭାରତୀୟ ପ୍ରତ୍ନତାତ୍ତ୍ୱିକ ଐତିହ୍ୟ ସୁରକ୍ଷା ଆଇନ-୧୯୫୮ର ବିଭାଗ ୨୦(କ) ଅନୁସାରେ, ଶ୍ରୀମନ୍ଦିର ଚାରିପଟେ ୧୦୦ ମିଟର ପରିସରରେ କୌଣସି ଖନନ କାମ କରାଯାଇପାରିବ ନାହିଁ। ଶ୍ରୀମନ୍ଦିର ପ୍ରଶାସନକୁ ୯ ମାସ ତଳେ କେନ୍ଦ୍ରୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା ଚିଠି ଲେଖିଥିଲେ ଶ୍ରୀମନ୍ଦିରର ୧୦୦ ମିଟର ଭିତରେ ଖନନ କାମ ନ କରିବାକୁ। ରାଜ୍ୟ ସରକାର ସବୁ ଜାଣିଶୁଣି କିପରି ଏଭଳି ଖନନ କାମ କରାଇଲେ, ତାହା ଏକ ବଡ଼ ଭୟଙ୍କର ପ୍ରସଙ୍ଗ। ବଡ଼ ବଡ଼ ଡ୍ରିଲ୍‌ ମେଶିନ ଲଗାଯାଇ ଯେଉଁଭଳି ଭାବରେ ଖୋଳା ଚାଲିଥିଲା ଓ ସେତେବେଳେ ଏସ୍‌ଆଇ କାହିଁକି ଏହାର ବିରୋଧ କଲା ନାହିଁ ତାହା ବି ଏକ ବଡ଼ ପ୍ରଶ୍ନ। କେବଳ ଚିଠି ଲେଖିବା ପାଇଁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା ତିଆରି ହୋଇଥିଲା କି? ୧୦୦ ମିଟର ଭିତରେ ଖନନ କଲେ ମାଟିର ଶୃଙ୍ଖଳ ବିଗିଡ଼ି ଶ୍ରୀମନ୍ଦିରରେ ଫାଟ ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି କେନ୍ଦ୍ରୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା ସତର୍କ କରିଥିଲା ତାହା ସତ, ହେଲେ ଯଦି ରାଜ୍ୟ ସରକାର ଏହାକୁ ନ ମାନିଲେ ସେତେବେଳେ ଏଏସ୍‌ଆଇ କାହିଁକି ଏହା ବିରୋଧରେ ଅଦାଲତ ବା ଉପରିସ୍ଥ ସ୍ତରରେ ଠୋସ ପ୍ରୟାସ କଲା ନାହିଁ ? ଯଦି ଶ୍ରୀମନ୍ଦିରର ଭିତ୍ତିଭୂମି ଉପରେ ଅବା ମୁଖ୍ୟ ମନ୍ଦିର ଉପରେ କିଛି ବଡ଼ ପ୍ରଭାବ ପଡ଼େ, ତାହେଲେ ଦାୟୀ କିଏ ହେବ? ଆମେ ମନ୍ଦିର ଚାରିପଟେ ଖୋଳି ଭବିଷ୍ୟତ ପାଇଁ ଏକ ବଡ଼ ବିପଦକୁ ଠିଆ କରିବାକୁ ଯାଉଛେ। ଶ୍ରୀମନ୍ଦିର ସୁରକ୍ଷା ଆଗ ନା ତା’ ଚାରିପାଖରେ ଟୟଲେଟ୍‌, ସୌନ୍ଦର୍ଯ୍ୟକରଣ ଆଗ ଏକଥା ଆମକୁ ସ୍ଥିର କରିବାକୁ ପଡ଼ିବ।
ଏବେ ବିଦ୍ୟମାନ ମନ୍ଦିରକୁ ଅନଙ୍ଗଭୀମ ଦେବ ଓ ଚୋଡ଼ଗଙ୍ଗଙ୍କ ସମୟରେ ନିର୍ମାଣ କରାଯାଇଥିଲା। ଶ୍ରୀମନ୍ଦିରର କ୍ଷେତ୍ରଫଳ ହେଉଛି ୩୭ ହଜାର ବର୍ଗ ମିଟର। ଶ୍ରୀମନ୍ଦିର ବେଢ଼ାରେ ଥିବା ମୁଖ୍ୟ ମନ୍ଦିରକୁ ଛାଡ଼ିଦେଲେ ପାଖାପାଖି ଆହୁରି ୧୨୦ଟି ଛୋଟ ବଡ଼ ମନ୍ଦିର ଅଛି। ସବୁଗୁଡ଼ିକ ପଥରରେ ତିଆରି। ମୋଟାମୋଟି ଭାବରେ ସେଠାରେ ଓଜନିଆ ପଥରର ଚାପ ହଜାର ବର୍ଷରୁ ଅଧିକ ସମୟ ହେଲାଣି ରହିଆସିଛି। ଏବେ ବଡ଼ ବଡ଼ ମେଶିନ ଲଗାଯାଇ ଖୋଳିବା ସମୟରେ ସେଥିରେ ଯେଉଁ କମ୍ପନ ସୃଷ୍ଟି ହେଲା ତାହା ବିପଜ୍ଜନକ। ଖବର କାଗଜରେ ଶ୍ରୀମନ୍ଦିରରେ ଫାଟ ସୃଷ୍ଟି ହେଉଥିବାର ଖବର ଆମେ ଦେଖୁଥିଲେ। ହେଲେ ସେହି ଖବରକୁ ସରକାରୀ ସ୍ତରରେ ଏହା ପୁରୁଣା ଫାଟ ବୋଲି କହି ହେୟଜ୍ଞାନ କରାଗଲା। ଏହି ନୂଆ ଫାଟ, ପୁରୁଣା ଫାଟ ଭିତରେ ଏତେବଡ଼ ସମ୍ବେଦନଶୀଳ ଖବର ଆଉ ଆଗକୁ ଯାଇପାରିଲାନି। ଏହି ଫାଟ କାହିଁକି ହେଲା, କେମିତି ଫାଟ ମରାମତି ହେବ ଏସବୁ ପ୍ରଶ୍ନର ଉତ୍ତର ଆଜି କାହା ପାଖରେ ନାହିଁ। ଶ୍ରୀମନ୍ଦିରର ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ରୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥାର ନିଷ୍ପତ୍ତି ସର୍ବମାନ୍ୟ।
ଶ୍ରୀମନ୍ଦିର ବିପଦମୁକ୍ତ ନୁହେଁ ଏହା ସତ। ତାକୁ ଆହୁରି ବିପଦକୁ କାହିଁକି ଠେଲି ଦିଆଯାଉଛି? ସେହିଭଳି ଯେଉଁ ଭଳି ଭାବରେ ରୋଷଘରର ଚୁଲିକୁ ରାତିଅଧରେ ଭଙ୍ଗାଗଲା, ଯାହା କେବେ ଶ୍ରୀମନ୍ଦିରର ଇତିହାସରେ ହୋଇନଥିଲା। ଘଟଣାରେ ଶ୍ରୀମନ୍ଦିରର ସୁରକ୍ଷା ନେଇ ସରକାର କେତେ ଯତ୍ନବାନ୍‌ ତାହା ମଧ୍ୟ ପଦାରେ ପଡ଼ିଛି।
ହରିରାଜପୁର, ପୁରୀ


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri