ଶ୍ରୀମନ୍ଦିର ସୁରକ୍ଷା ସର୍ବୋପରି

ଅନିଲ କୁମାର ବିଶ୍ୱାଳ

 

ଶ୍ରୀମନ୍ଦିରକୁ ନେଇ ଏବେ ଯେଉଁ ଦୁଇଟି ଘଟଣା ସମସ୍ତ ଜଗନ୍ନାଥପ୍ରେମୀଙ୍କ ପାଇଁ ଚିନ୍ତାର କାରଣ, ତାହା ହେଉଛି ଯେଉଁଭଳି ଭାବରେ ପ୍ରଶାସନିକ ସ୍ତରରେ ଶ୍ରୀମନ୍ଦିର ଚାରିପାଖ ଉନ୍ନତୀକରଣ ପ୍ରକଳ୍ପରେ ବଡ଼ ବଡ଼ ଗାତ କରାଯାଇ ଶ୍ରୀମନ୍ଦିରର ସ୍ଥାୟିତ୍ୱ ଉପରେ ବିପଦ ସୃଷ୍ଟି କରାଯାଉଛି ତାହା ଏବଂ ଆଉ ଗୋଟିଏ ହେଉଛି ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ଘଟଣା। ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପକୁ ଓଡ଼ିଶାରେ ଲୋକେ ପ୍ରଥମେ ସ୍ବାଗତ କରିଥିଲେ। ଏପରିକି ଯେତେବେଳେ ବହୁ ପୁରାତନ ମଠ, ଆଶ୍ରମକୁ ଭଙ୍ଗାଗଲା ସେତେବେଳେ ବି ଯଦିଓ ଲୋକଙ୍କ ଭାବାବେଗକୁ ଏହା ଆଘାତ ଦେଇଥିଲା; ତଥାପି ଲୋକମାନେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ, କିଛି ଆବଶ୍ୟକୀୟ ସୁବିଧା, ସର୍ବୋପରି ଶ୍ରୀମନ୍ଦିରର ସୁରକ୍ଷା ଦୃଷ୍ଟିରୁ ଲୋକମାନେ ଚୁପ୍‌ ରହିଥିଲେ। ହେଲେ ଯେତେବେଳେ ସରକାର ଏହାର ସୁଯୋଗ ନେଇ ବିନା କୌଣସି ବିଶେଷଜ୍ଞ କମିଟିର ପରାମର୍ଶ ଏବଂ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥାର ବିନାନୁମତିରେ ଶ୍ରୀମନ୍ଦିର ଚାରିପଟେ ଯେଉଁଭଳି ଭାବରେ ବଡ଼ ବଡ଼ ମେଶିନ ଲଗାଇ ଗାତ ଖୋଳିଲେ, ଏହା ଶ୍ରୀମନ୍ଦିର ଉପରେ ବଡ଼ ବିପଦ ଠିଆ କରିସାରିଛି। ଅବଶ୍ୟ ଏବେ ଜନସାଧାରଣଙ୍କ ଚାପରେ ସରକାର କିଛି କିଛି ଗାତକୁ ବାଲି ପକେଇ ବନ୍ଦ କରୁଛନ୍ତି, ହେଲେ ଥରେ ମାଟି ଭିତରର ଯେଉଁ ଭୂତାତ୍ତ୍ୱିକ ଗଠନ ଥିଲା, ତାକୁ ନଷ୍ଟ କରିଦେଲେ ଏହା ଆଉ ପୂର୍ବାବସ୍ଥାକୁ ନ ଆସିପାରେ। ଏବେ ଆମେ ଏକ ବଡ଼ ବିପଦକୁ ଆଣି ଅଣ୍ଟିରେ ପୂରାଇ ସାରିଛୁ ଏକଥା ସ୍ପଷ୍ଟ। ବାସ୍ତବରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥାର ଅନୁମତି ସମ୍ବନ୍ଧରେ ଯେଉଁ ବିବାଦ ଘୂରି ବୁଲୁଛି ଯେ ଅନୁମତି ମିଳିଛି କି ମିଳିନାହିଁ, ତାହାର ସ୍ପଷ୍ଟତା ହେଉଛି ପୂରା ପ୍ରକଳ୍ପକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥାର ଅନୁମତି ମିଳିଛି, କିନ୍ତୁ ଶ୍ରୀମନ୍ଦିରର ପାଚେରି ଚାରିପଟେ ୧୦୦ ମିଟର ପରିଧି ଭିତରେ କୌଣସି ପ୍ରକାର ଖୋଳାଖୋଳି ହୋଇପାରିବ ନାହିଁ ଏହାର ସର୍ତ୍ତ ରହିଛି। ଏବେ ମାମଲା ହାଇକୋର୍ଟକୁ ଯାଇଥିବାରୁ ତରବରିଆ ଭାବରେ ଗାତ ପୋତିବା ହୁଏତ ସରକାରଙ୍କୁ ବଞ୍ଚାଇ ଦେଇପାରେ, କିନ୍ତୁ ଏବେ ଛୋଟକାଟିଆ ଭୂକମ୍ପ ହେଲେ ଆମ ଶ୍ରୀମନ୍ଦିରକୁ ବଞ୍ଚାଇ ପାରିବ କି ନାହିଁ ତାହା ସନ୍ଦେହ। ସଂସଦରେ ମଧ୍ୟ ଜଣେ ସାଂସଦ ଯେଉଁଭଳି ଭାବରେ ପ୍ରଥମେ କହିଲେ, ମାତ୍ର ୪ଟି ମୂତ୍ରାଗାର ହେଉଛି ଓ ପରେ ପୁଣି ମତ ବଦଳାଇଲେ; ଏହା ମଧ୍ୟ ଓଡ଼ିଶାର ରାଜନୈତିକ ନେତୃତ୍ୱମାନଙ୍କର ଶ୍ରୀମନ୍ଦିର ପ୍ରତି ସେମାନଙ୍କର ଆନ୍ତରିକତା, ଆତ୍ମୀୟତାକୁ ପଦାରେ ପକାଇଛି।
ପୁରାଣରେ ବର୍ଣ୍ଣିତ ହୋଇଛି, ଶ୍ରୀମନ୍ଦିରର ନିର୍ମାଣ ଏକ ପର୍ବତ ଉପରେ ହୋଇଛି ବୋଲି ଏହାକୁ ନୀଳକନ୍ଦର ବୋଲି କୁହାଯାଉଛି। ଆମେ ପୁରୀ ସହରରୁ ଶ୍ରୀମନ୍ଦିର ଆଡ଼କୁ ଯେଉଁପଟୁ ପ୍ରବେଶ କଲେ ବି ଅତି ସହଜରେ ଜାଣିହେବ ଯେ, ଶ୍ରୀମନ୍ଦିର ଥିବା ସ୍ଥାନଟି ଏକ କୁଦ ବୋଲି। ପୁରୀ ସହର ହେଉଛି ବାଲିର ସହର। ଏହାରି ଉପରେ ଠିଆ ହୋଇଛି ଖଣ୍ଡାଲାଇଟ ପଥରରେ ନିର୍ମିତ ଏହି ବିଶାଳକାୟ କାରୁକାର୍ଯ୍ୟମୟ ମନ୍ଦିର। ସମୁଦ୍ର ମାତ୍ର କେଇ ହାତ ଦୂରରେ। ସାଧାରଣତଃ ସମୁଦ୍ର ଥିବା ସ୍ଥାନରେ ମୃତ୍ତିକାରେ ଜଳୀୟ ଅଂଶ ସର୍ବାଧିକ। ଯେଉଁଭଳି ବିଶାଳ ଓଜନକାୟ ପଥରରେ ଶ୍ରୀମନ୍ଦିର ନିର୍ମାଣ କରାଯାଇଛି ଓ ଶହ ଶହ ବର୍ଷ ହେଲାଣି ମାଟି ଉପରେ ଏହାର ଚାପ ପଡ଼ିଆସୁଛି ସେହି ସ୍ଥିତିରେ ଯଦି ଶ୍ରୀମନ୍ଦିରକୁ ଧରିରଖିଥିବା ମୃତ୍ତିକାର ସ୍ତରରେ ଟିକିଏ ବି ଏପଟସେପଟ ହୋଇଯାଏ, ତାହେଲେ ଏହାର ପ୍ରଭାବ ତତ୍‌କ୍ଷଣାତ ମନ୍ଦିର ଉପରେ ପଡ଼ିବ। ସେତେବେଳେ ଆମେ କିଛି କରିପାରିବା ଭଳି ସ୍ଥିତିରେ ନଥିବା। ଯେଉଁ ପ୍ରତ୍ନତାତ୍ତ୍ୱିକ ସଂସ୍ଥା ବା ସରକାରଙ୍କୁ କେବଳ ଦଧିନଉତି ମରାମତି କରିବାକୁ, ମନ୍ଦିର ଭିତର ଫାଟ ରୋକିବାକୁ ବର୍ଷ ବର୍ଷ ଲାଗୁଛି, ସେମାନେ ଶ୍ରୀମନ୍ଦିରରେ କିଛି ବଡ଼ କ୍ଷତି ହୋଇଗଲେ କେମିତି ସଜାଡ଼ିବେ?
ଭାରତୀୟ ପ୍ରତ୍ନତାତ୍ତ୍ୱିକ ଐତିହ୍ୟ ସୁରକ୍ଷା ଆଇନ-୧୯୫୮ର ବିଭାଗ ୨୦(କ) ଅନୁସାରେ, ଶ୍ରୀମନ୍ଦିର ଚାରିପଟେ ୧୦୦ ମିଟର ପରିସରରେ କୌଣସି ଖନନ କାମ କରାଯାଇପାରିବ ନାହିଁ। ଶ୍ରୀମନ୍ଦିର ପ୍ରଶାସନକୁ ୯ ମାସ ତଳେ କେନ୍ଦ୍ରୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା ଚିଠି ଲେଖିଥିଲେ ଶ୍ରୀମନ୍ଦିରର ୧୦୦ ମିଟର ଭିତରେ ଖନନ କାମ ନ କରିବାକୁ। ରାଜ୍ୟ ସରକାର ସବୁ ଜାଣିଶୁଣି କିପରି ଏଭଳି ଖନନ କାମ କରାଇଲେ, ତାହା ଏକ ବଡ଼ ଭୟଙ୍କର ପ୍ରସଙ୍ଗ। ବଡ଼ ବଡ଼ ଡ୍ରିଲ୍‌ ମେଶିନ ଲଗାଯାଇ ଯେଉଁଭଳି ଭାବରେ ଖୋଳା ଚାଲିଥିଲା ଓ ସେତେବେଳେ ଏସ୍‌ଆଇ କାହିଁକି ଏହାର ବିରୋଧ କଲା ନାହିଁ ତାହା ବି ଏକ ବଡ଼ ପ୍ରଶ୍ନ। କେବଳ ଚିଠି ଲେଖିବା ପାଇଁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା ତିଆରି ହୋଇଥିଲା କି? ୧୦୦ ମିଟର ଭିତରେ ଖନନ କଲେ ମାଟିର ଶୃଙ୍ଖଳ ବିଗିଡ଼ି ଶ୍ରୀମନ୍ଦିରରେ ଫାଟ ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି କେନ୍ଦ୍ରୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା ସତର୍କ କରିଥିଲା ତାହା ସତ, ହେଲେ ଯଦି ରାଜ୍ୟ ସରକାର ଏହାକୁ ନ ମାନିଲେ ସେତେବେଳେ ଏଏସ୍‌ଆଇ କାହିଁକି ଏହା ବିରୋଧରେ ଅଦାଲତ ବା ଉପରିସ୍ଥ ସ୍ତରରେ ଠୋସ ପ୍ରୟାସ କଲା ନାହିଁ ? ଯଦି ଶ୍ରୀମନ୍ଦିରର ଭିତ୍ତିଭୂମି ଉପରେ ଅବା ମୁଖ୍ୟ ମନ୍ଦିର ଉପରେ କିଛି ବଡ଼ ପ୍ରଭାବ ପଡ଼େ, ତାହେଲେ ଦାୟୀ କିଏ ହେବ? ଆମେ ମନ୍ଦିର ଚାରିପଟେ ଖୋଳି ଭବିଷ୍ୟତ ପାଇଁ ଏକ ବଡ଼ ବିପଦକୁ ଠିଆ କରିବାକୁ ଯାଉଛେ। ଶ୍ରୀମନ୍ଦିର ସୁରକ୍ଷା ଆଗ ନା ତା’ ଚାରିପାଖରେ ଟୟଲେଟ୍‌, ସୌନ୍ଦର୍ଯ୍ୟକରଣ ଆଗ ଏକଥା ଆମକୁ ସ୍ଥିର କରିବାକୁ ପଡ଼ିବ।
ଏବେ ବିଦ୍ୟମାନ ମନ୍ଦିରକୁ ଅନଙ୍ଗଭୀମ ଦେବ ଓ ଚୋଡ଼ଗଙ୍ଗଙ୍କ ସମୟରେ ନିର୍ମାଣ କରାଯାଇଥିଲା। ଶ୍ରୀମନ୍ଦିରର କ୍ଷେତ୍ରଫଳ ହେଉଛି ୩୭ ହଜାର ବର୍ଗ ମିଟର। ଶ୍ରୀମନ୍ଦିର ବେଢ଼ାରେ ଥିବା ମୁଖ୍ୟ ମନ୍ଦିରକୁ ଛାଡ଼ିଦେଲେ ପାଖାପାଖି ଆହୁରି ୧୨୦ଟି ଛୋଟ ବଡ଼ ମନ୍ଦିର ଅଛି। ସବୁଗୁଡ଼ିକ ପଥରରେ ତିଆରି। ମୋଟାମୋଟି ଭାବରେ ସେଠାରେ ଓଜନିଆ ପଥରର ଚାପ ହଜାର ବର୍ଷରୁ ଅଧିକ ସମୟ ହେଲାଣି ରହିଆସିଛି। ଏବେ ବଡ଼ ବଡ଼ ମେଶିନ ଲଗାଯାଇ ଖୋଳିବା ସମୟରେ ସେଥିରେ ଯେଉଁ କମ୍ପନ ସୃଷ୍ଟି ହେଲା ତାହା ବିପଜ୍ଜନକ। ଖବର କାଗଜରେ ଶ୍ରୀମନ୍ଦିରରେ ଫାଟ ସୃଷ୍ଟି ହେଉଥିବାର ଖବର ଆମେ ଦେଖୁଥିଲେ। ହେଲେ ସେହି ଖବରକୁ ସରକାରୀ ସ୍ତରରେ ଏହା ପୁରୁଣା ଫାଟ ବୋଲି କହି ହେୟଜ୍ଞାନ କରାଗଲା। ଏହି ନୂଆ ଫାଟ, ପୁରୁଣା ଫାଟ ଭିତରେ ଏତେବଡ଼ ସମ୍ବେଦନଶୀଳ ଖବର ଆଉ ଆଗକୁ ଯାଇପାରିଲାନି। ଏହି ଫାଟ କାହିଁକି ହେଲା, କେମିତି ଫାଟ ମରାମତି ହେବ ଏସବୁ ପ୍ରଶ୍ନର ଉତ୍ତର ଆଜି କାହା ପାଖରେ ନାହିଁ। ଶ୍ରୀମନ୍ଦିରର ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ରୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥାର ନିଷ୍ପତ୍ତି ସର୍ବମାନ୍ୟ।
ଶ୍ରୀମନ୍ଦିର ବିପଦମୁକ୍ତ ନୁହେଁ ଏହା ସତ। ତାକୁ ଆହୁରି ବିପଦକୁ କାହିଁକି ଠେଲି ଦିଆଯାଉଛି? ସେହିଭଳି ଯେଉଁ ଭଳି ଭାବରେ ରୋଷଘରର ଚୁଲିକୁ ରାତିଅଧରେ ଭଙ୍ଗାଗଲା, ଯାହା କେବେ ଶ୍ରୀମନ୍ଦିରର ଇତିହାସରେ ହୋଇନଥିଲା। ଘଟଣାରେ ଶ୍ରୀମନ୍ଦିରର ସୁରକ୍ଷା ନେଇ ସରକାର କେତେ ଯତ୍ନବାନ୍‌ ତାହା ମଧ୍ୟ ପଦାରେ ପଡ଼ିଛି।
ହରିରାଜପୁର, ପୁରୀ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri