ସମସ୍ତଙ୍କ ପାଇଁ ସମାନ ନିୟମ କେବେ

ଅନିଲ କୁମାର ବିଶ୍ୱାଳ

 

କିଛି ଦିନ ତଳେ ସମାନ ନାଗରିକ ସଂହିତାକୁ ନେଇ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି; ଯାହା ଦେଶରେ ସମାନ ନାଗରିକ ସଂହିତାକୁ ଲାଗୁ କରିବା ନେଇ ଚାଲିଥିବା ବିତର୍କକୁ ପୁଣି ଥରେ ଆଗକୁ ନେଇଛି। ହାଇକୋର୍ଟଙ୍କ କହିବା ଅନୁସାରେ ଦେଶରେ ସମାନ ନାଗରିକ ସଂହିତାର ଆବଶ୍ୟକତା ରହିଛି ଓ ଏହାକୁ ଲାଗୁ କରିବା ନେଇ ଆଉ ବିଳମ୍ବ ନ କରିବା ଉଚିତ। ହାଇକୋର୍ଟ କହିଛନ୍ତି, ଭାରତୀୟ ସମାଜରେ ଜାତି, ଧର୍ମ ଓ ସମୁଦାୟ ସହିତ ଜଡ଼ିତ ଥିବା ବିଭିନ୍ନ ଫରକ ଶେଷ ହେବାକୁ ଯାଉଛି। କିନ୍ତୁ କିଛି ଆଇନ ଏପରି ବିଭେଦକୁ ଶେଷ କରିବା ପାଇଁ ଦେଉନାହିଁ। ସମାନ ନାଗରିକ ସଂହିତା ଲାଗୁ ହୋଇ ନ ଥିବା କାରଣରୁ ଅନ୍ୟ ଧର୍ମ ବା ଜାତିରେ ବିବାହ, ଛାଡ଼ପତ୍ର, ସମ୍ପତ୍ତିରେ ପିଲାମାନଙ୍କର ଅଧିକାର ନେଇ ସମସ୍ୟା ହେଉଛି। ଆଗରୁ ଅନେକ ଥର ସୁପ୍ରିମକୋର୍ଟ, ବିଭିନ୍ନ ରାଜ୍ୟର ହାଇକୋର୍ଟମାନେ ସମାନ ନାଗରିକ ସଂହିତା ଲାଗୁ କରିବା ସପକ୍ଷରେ ମତ ଦେଇଛନ୍ତି। ଏହାର ଲାଗୁ ସପକ୍ଷରେ ଯେଉଁମାନେ ଅଛନ୍ତି ସେମାନେ କୁହନ୍ତି, ଦେଶର ଏକତା, ଧର୍ମନିରପେକ୍ଷତା, ଲିଙ୍ଗଗତ ସମାନତା ଦୃଷ୍ଟିରୁ ସମାନ ନାଗରିକ ସଂହିତା ଲାଗୁ ହେବାର ଆବଶ୍ୟକତା ରହିଛି। ଯେଉଁମାନେ ଏହାର ବିରୋଧ କରୁଛନ୍ତି ସେମାନଙ୍କର କହିବା କଥା ହେଉଛି ଏହା ଲାଗୁ ହେଲେ ସେମାନଙ୍କର ଧାର୍ମିକ ସ୍ବାଧୀନତା କ୍ଷୁଣ୍ଣ ହେବ। ଦେଶରେ ନାଗରିକମାନଙ୍କ ପାଇଁ ଯେଉଁ ଆଇନ ବ୍ୟବସ୍ଥା ଅଛି ତାହା ଦୁଇ ଭାଗରେ ବିଭକ୍ତ। ଗୋଟିଏ ହେଲା ଆପରାଧିକ ଆଇନ, ଯାହା ସମସ୍ତଙ୍କ ପାଇଁ ସମାନ। ଅନ୍ୟଟି ହେଲା ବିବାହ, ଛାଡ଼ପତ୍ର, ରକ୍ଷଣାବେକ୍ଷଣ, ପୋଷ୍ୟ ସନ୍ତାନ, ସମ୍ପତ୍ତିରେ ଅଧିକାର ଭଳି ସିଭିଲ ମାମଲା; ଯେଉଁଥିରେ ଦେଶରେ ବିଭିନ୍ନ ଧାର୍ମିକ ସମ୍ପ୍ରଦାୟମାନଙ୍କ ପାଇଁ ଅଲଗା ଅଲଗା ନିୟମ ରହିଛି। ସମାନ ନାଗରିକ ସଂହିତାର ଅର୍ଥ ହେଉଛି ଦେଶର ବିଭିନ୍ନ ସମ୍ପ୍ରଦାୟ ଭିତରେ ଥିବା ଅଲଗା ଅଲଗା ଆଇନ ପରିବର୍ତ୍ତେ ସମସ୍ତ ନାଗରିକଙ୍କ ପାଇଁ ଗୋଟିଏ ଆଇନ। ଭାରତ ହେଉଛି ବିଶ୍ୱରେ ସବୁଠାରୁ ବଡ଼ ଗଣତନ୍ତ୍ର। କିନ୍ତୁ ନିଜର ସ୍ବତନ୍ତ୍ର ସମ୍ବିଧାନ ହେବାର ୭୧ ବର୍ଷ ପରେ ବି ଆମେ ‘ସମସ୍ତ ନାଗରିକଙ୍କ ପାଇଁ ସମାନ ନିୟମ’ ଏପରି କଥା ସୁନିଶ୍ଚିତ କରିପାରିନେ। ଆମେ ଗର୍ବ କରୁଛେ ଯେ ଆମ ଦେଶ ହେଉଛି ଧର୍ମ ନିରପେକ୍ଷ ଦେଶ କିନ୍ତୁ ଧର୍ମ ଆଧାରରେ ଦେଶରେ ହୋଇଥିବା ଅଲଗା ଅଲଗା ଆଇନକୁ ପାଳନ କରୁଛେ। ସମ୍ବିଧାନର ଧାରା ୧୪ରେ କହୁଛେ ଯେ ଆଇନ ଆଗରେ ସମସ୍ତେ ସମାନ ଓ ଦେଶର ଆଇନ ଉପରେ ସମସ୍ତଙ୍କର ସମାନ ଅଧିକାର ଅଛି କିନ୍ତୁ ସମସ୍ତଙ୍କ ପାଇଁ ସମାନ ଆଇନ ଆମେ କରିପାରିନେ। ଲିଙ୍ଗଗତ ସମାନତା, ମହିଳାଙ୍କ ସଶକ୍ତୀକରଣ କଥା କହୁଛେ କିନ୍ତୁ ପରିବାରରେ ମହିଳାଙ୍କୁ ସେମାନଙ୍କର ଅଧିକାରରୁ ବଞ୍ଚିତ କରୁଛେ। ସମ୍ପତ୍ତିରେ ଅଧିକାର, ବିବାହ, ଛାଡ଼ପତ୍ର ଆଦି ଅନେକ କ୍ଷେତ୍ରରେ ମହିଳାମାନଙ୍କୁ ବିଭିନ୍ନ ପର୍ସନାଲ ଲ’ ନାଁରେ ବଞ୍ଚିତ କରୁଛେ।
୧୯୮୫ରେ ଶାହାବାନୋ ମାମଲାରେ ସୁପ୍ରିମକୋର୍ଟ ଯେଉଁ ବହୁ ଚର୍ଚ୍ଚିତ ରାୟ ଦେଇଥିଲେ ତାହା ସେତେବେଳେ ଦେଶରେ ସମାନ ନାଗରିକ ସଂହିତା ଲାଗୁ କରିବା ନେଇ ବାଟ ଫିଟିଥିଲା। ଯଦି ସେତେବେଳର ସରକାର ସୁପ୍ରିମକୋର୍ଟଙ୍କ ରାୟକୁ ଅକାମି କରିବା ପାଇଁ ସଂସଦରେ ଆଇନ ଆଣି ନ ଥାନ୍ତେ ହୁଏତ ଏତେବେଳକୁ ଭାରତରେ ସମାନ ନାଗରିକ ଆଇନ ଲାଗୁ ହୋଇସାରନ୍ତାଣ। ୬୯ବର୍ଷର ବୟସ୍କ ମହିଳା ଶାହାବାନୋ ୪୩ ବର୍ଷ ନିଜ ସ୍ବାମୀଙ୍କ ସହିତ ରହିବା ପରେ ହଠାତ୍‌ ତାଙ୍କ ସ୍ବାମୀ ଅହମ୍ମଦ ଖାଁ ତାଙ୍କୁ ମୁସଲମାନ ଆଇନ ସରିଆ ଅନୁସାରେ ତିନି ତଲାକ ଦେଇଥିଲେ। ମୁସଲମାନ ଆଇନ ଅନୁସାରେ ତାଙ୍କୁ ଚଳିବା ପାଇଁ ତାଙ୍କ ସ୍ବାମୀ ତାଙ୍କୁ କୌଣସି କ୍ଷତିପୂରଣ ଦେଲେ ନାହିଁ; ଯାହାଫଳରେ ସେ ସୁପ୍ରିମକୋର୍ଟ ଯାଇଥିଲେ ଓ ପରେ ଯାହା ହେଲା ଦେଶର ରାଜନୀତି ଓ ସାମାଜିକ କ୍ଷେତ୍ର ପାଇଁ ଏକ ଆହ୍ବାନ ଛାଡ଼ି ଦେଇଗଲା।
ସମସ୍ୟାର ଆରମ୍ଭ ସ୍ବାଧୀନତାର ପୂର୍ବରୁ। ବ୍ରିଟିଶ ସରକାରଙ୍କର ଆଇନରେ ହିନ୍ଦୁ, ମୁସଲିମ, ଶିଖ୍‌, ଜୈନ, ଖ୍ରୀଷ୍ଟିଆନ, ବୌଦ୍ଧ ଆଦି ସମସ୍ତଙ୍କ ପାଇଁ ମଧ୍ୟ ସିଭିଲ ମାମଲା କ୍ଷେତ୍ରରେ ଅଲଗା ଅଲଗା ନିୟମ ଥିଲା। ଏହା ବ୍ରିଟିଶରମାନଙ୍କର ଏକ ସୁଚିନ୍ତିତ ଚାଲ୍‌ ଥିଲା କହିଲେ ଭୁଲ୍‌ ହେବ ନାହିଁ। ଏହାଦ୍ୱାରା ସେମାନେ ଭାରତୀୟ ଲୋକଙ୍କୁ ଧାର୍ମିକ ଆଧାରରେ ବିଭାଜିତ କରିକି ରଖିବା ପାଇଁ ପ୍ରୟାସ କରୁଥିଲେ। ଆଉ ଗୋଟିଏ କଥା ଲକ୍ଷ୍ୟ କରିବା କଥା ଯେ ବ୍ରିଟିଶର ମାନେ କିନ୍ତୁ ଗୋଟିଏ ପ୍ରକାର ଆପରାଧିକ ଆଇନ (Criminal Law) କରିଥିଲେ ଯଥା ପେନାଲ କୋଡ୍‌, ଏଭିଡେନ୍ସ ଆକ୍ଟ ଇତ୍ୟାଦି। ଏସବୁ ସମସ୍ତଙ୍କ ପାଇଁ ସମାନ ଥିଲା। ଏହା ପଛରେ ଥିବା କାରଣ ହେଉଛି ବ୍ରିଟିଶର ମାନେ ଆଇନ କାନୁନ ନାଁରେ ଲୋକମାନଙ୍କୁ ଦଣ୍ଡର ଭୟ ଦେଖାଇ ଶାସନ କରିବା ପାଇଁ ଚାହୁଁଥିଲେ। ସେମାନେ ନାଗରିକର ଅଧିକାର ବିଷୟରେ ଚିନ୍ତା କରୁ ନ ଥିଲେ ସେଥିପାଇଁ ସିଭିଲ ଆଇନକୁ ବିଭିନ୍ନ ଧାର୍ମିକ ସମ୍ପ୍ରଦାୟ ଉପରେ ଛାଡିଦେଇଥିଲେ। ଏହା ଦ୍ୱାରା ଆଉ ଗୋଟିଏ ଲାଭ ବ୍ରିଟିଶରଙ୍କ ଥିଲା ଯେ ବିଭିନ୍ନ ଧାର୍ମିକ ମୁଖ୍ୟମାନେ ଭାବିବେ କି ବ୍ରିଟିଶ ସରକାର ସେମାନଙ୍କର ପ୍ରଥାରେ ହସ୍ତକ୍ଷେପ କରୁନାହାନ୍ତି। ଯେତେବେଳେ ଦେଶର ସମ୍ବିଧାନ ପ୍ରସ୍ତୁତ ହେଲା ସମ୍ବିଧାନର ବ୍ୟବସ୍ଥାପିକା ମଣ୍ଡଳୀରେ ସମାନ ନାଗରିକ ସଂହିତାକୁ ଲାଗୁ କରିବା ନେଇ ସହମତି ହୋଇପାରିଲା ନାହିଁ। ଶେଷରେ ନିଷ୍ପତ୍ତି ହୋଇଥିଲା କି ବର୍ତ୍ତମାନ ଅଲଗା ଅଲଗା ନିୟମ ଥାଉ, କିନ୍ତୁ ଭବିଷ୍ୟତରେ ଯେତେବେଳେ ଦେଶରେ ଲୋକମାନେ ସମାନ ନାଗରିକ ସଂହିତା ଲାଗୁ ହେଉ ବୋଲି ଆବଶ୍ୟକ ଭାବିବେ ସେତେବେଳେ ଏହାକୁ ଲାଗୁ କରାଯିବ। ସମ୍ବିଧାନର ଅନୁଚ୍ଛେଦ ୪୪ରେ ଉଲ୍ଲେଖ ଅଛି, the State shall endeavour to secure for the citizens a uniform civil code throughout the territory of India, ଅର୍ଥାତ୍‌ ସମାନ ନାଗରିକ ସଂହିତା ଲାଗୁ କରିବା ପାଇଁ ଦେଶ ନିଶ୍ଚିତ ପ୍ରୟାସ କରିବ। ଆମ୍ବେଡକରଙ୍କ ଆଇନ ମନ୍ତ୍ରିତ୍ୱ ସମୟରେ ସେ ସମାନ ନାଗରିକ ସଂହିତା ଲାଗୁ କରିବା ପାଇଁ ପ୍ରୟାସ କରିଥିଲେ। ହେଲେ ସଫଳ ହୋଇପାରି ନ ଥିଲେ। ସମ୍ବିଧାନର ଅନୁଚ୍ଛେଦ ୪୪ ଓ ବାବା ସାହେବ ଯେଉଁ ଅପେକ୍ଷା ଦେଶର ପରବର୍ତ୍ତୀ ପିଢ଼ି ଉପରେ ରଖିଥିଲେ ତାହା ଆଜି ଯାଏଁ ଅଧୁରା ହୋଇ ରହିଗଲା। ସେତେବେଳର ମହିଳା ସାଂସଦ ତଥା ଭାରତର ପ୍ରଥମ ସ୍ବାସ୍ଥ୍ୟ ମନ୍ତ୍ରୀ ଅମ୍ରିତା କାଉର କହିଥିଲେ ଯେ ସମାନ ନାଗରିକ ସଂହିତା ଲାଗୁ ନ ହୋଇଥିବାର ଅର୍ଥ ହେଉଛି ପୁରୁଷ ପ୍ରାଧାନ୍ୟ ସମାଜରେ ମହିଳାଙ୍କ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ଭାରତ ବିଫଳ।
ସମସ୍ୟା କେଉଁଠି ଅଛି? କାହିଁକି ଦେଶରେ ସମାନ ନାଗରିକ ସଂହିତା ଲାଗୁ ହୋଇପାରିନାହିଁ? ଯେତେବେଳେ ବି ଦେଶରେ ନାଗରିକ ସଂହିତା ଲାଗୁକରିବା କଥା ଆସିଛି ଏହାକୁ ଧାର୍ମିକ ଅଧିକାର ଓ ସ୍ବତନ୍ତ୍ରତା ଉପରେ ହସ୍ତକ୍ଷେପ ଭାବି ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ଜାଣିବା ଉଚିତ ଯେ ସମାନ ନାଗରିକ ସଂହିତାରେ ଦେଶରେ ଥିବା ସମସ୍ତ ପ୍ରକାରର ପର୍ସନାଲ ଲ’କୁ ଧ୍ୟାନରେ ରଖି, ସେଥିରେ ସୁଧାର ଆଣି, ସମସ୍ତଙ୍କର ଗ୍ରହଣଯୋଗ୍ୟ ହେଲା ଭଳି ନିୟମ ପ୍ରଣୟନ ହେବ। ୧୯୮୫ ଓ ୨୦୧୭ରେ ସୁପ୍ରିମକୋର୍ଟ ତ୍ରିପଲ ତଲାକ୍‌କୁ ବେଆଇନ ଘୋଷଣା କରିଥିଲେ; ଯାହା ‘ମୁସଲିମ ପର୍ସନାଲ ଲ’ ଅନୁସାରେ ବୈଧ ଥିଲା। ୨୦୦୩ରେ ଫାଦର ଜନ ଭାଲାମୋତମଙ୍କ ମାମଲାରେ ଯେତେବେଳେ ସୁପ୍ରିମକୋର୍ଟ ସମାନ ନାଗରିକ ସଂହିତା କଥା ଉଲ୍ଲେଖ୍ୟ କରିଥିଲେ ସେତେବେଳେ ଖ୍ରୀଷ୍ଟିଆନମାନଙ୍କର ଉତ୍ତରାଧିକାରର ଏକ ନିୟମକୁ ଅସାମ୍ବିଧାନିକ କହିଥିଲେ। ନିକଟରେ ଜୁଲାଇ ୭, ୨୦୨୧ରେ ଦିଲ୍ଲୀ ହାଇକୋର୍ଟ ଯେଉଁ ମାମଲାରେ ସମାନ ନାଗରିକ ସଂହିତାର ଆବଶ୍ୟକତା କଥା କହିଛନ୍ତି ତାହା ଏକ ହିନ୍ଦୁ ବିବାହକୁ ନେଇ। ତେଣୁ କଥା ଧାର୍ମିକ ଅଧିକାରର ନୁହେଁ, ବରଂ ଏହା ହେଉଛି ଲିଙ୍ଗଗତ ସମାନତାର, ମହିଳା ସଶକ୍ତୀକରଣର, ମହିଳାମାନଙ୍କର ସମ୍ମାନ ଓ ଅଧିକାରର । ସମାନ ନାଗରିକ ସଂହିତା ହେଉଛି ନାଗରିକ ଓ ମାନବିକ ଅଧିକାରର କଥା, ବିଭିନ୍ନ ସମ୍ପ୍ରଦାୟ ଭିତରେ ସଂହତି ଓ ସମନ୍ବୟ ସୃଷ୍ଟିର କଥା।
‘ସମାନ ନାଗରିକ ସଂହିତା’ ଏପରି ଏକ ପ୍ରସଙ୍ଗ ନୁହେଁ ଯେ, ଯାହାକୁ ସଂସଦରେ ସଂଖ୍ୟା ଅଛି ବୋଲି ପାରିତ କରାଇ ଲାଗୁ କରିହେବ। ଏହାକୁ ଲୋକମାନଙ୍କ ସହମତିରେ ହିଁ ଲାଗୁ କରାଯିବାର ପ୍ରାସଙ୍ଗିକତା ରହିଛି। ବିତର୍କ ହେଉ, ଆଲୋଚନା ହେଉ। ବିଭିନ୍ନ ସମୟରେ ଅଦାଲତମାନେ ଏହାକୁ ଲାଗୁ କରିବା ନେଇ ସପକ୍ଷରେ କହିଛନ୍ତି। ଏବେ ବାକି ରହିଲା ସରକାର ଏହାକୁ କେବେ ଲାଗୁକରିବେ। ଏକ ଡ୍ରାଫ୍ଟ ବିଲ୍‌ ଆସିବା ଦରକାର। ସମାଜର ସବୁ ବର୍ଗର ମତାମତ ନିଆଯାଇ ସରକାର ଏହା ଉପରେ ଆବଶ୍ୟକୀୟ ସଂଶୋଧନ କରି ଏହାକୁ ଲାଗୁ କରିପାରନ୍ତେ। ସମସ୍ତ ନାଗରିକଙ୍କ ପାଇଁ ସମାନ ନିୟମ ଏକ ଆଦର୍ଶ ବ୍ୟବସ୍ଥା, ଏହାକୁ ଲାଗୁ କରିବାରେ ବିରୋଧ ଏବଂ ବିଳମ୍ବ ନ ହେଉ।
ହରିରାଜପୁର, ପୁରୀ
ମୋ.-୮୨୪୯୮୬୮୯୬୧


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri