ଆର୍‌ଟି-ପିସିଆର୍‌ ପରୀକ୍ଷାକୁ ଗୁରୁତ୍ୱ ଦିଆଯାଉନି: ଅସମ୍ଭାଳ ସ୍ଥିତିରେ କରୋନା

ବାଲେଶ୍ୱର ଅଫିସ, ୨୧।୪-ବାଲେଶ୍ୱର ଜିଲାରେ କରୋନା ସଂକ୍ରମଣ ସ୍ଥିତି ଜଟିଳ ହେବାରେ ଲାଗିଛି। ବେକାବୁ ସ୍ଥିତିର ମୁକାବିଲା କରିବା ପାଇଁ ଆର୍‌ଟି-ପିସିଆର୍‌ ଓ ଆଣ୍ଟିଜେନ୍‌ ପରୀକ୍ଷା ମୁଖ୍ୟ ଆଧାର। ଆଣ୍ଟିଜେନ ଟେଷ୍ଟ ରିପୋର୍ଟ ଖୁବ୍‌ କମ୍‌ ସମୟ ମଧ୍ୟରେ ମିଳିଯାଉଥିବାରୁ ଏହାକୁ ଅଧିକାଂଶ ଗୁରୁତ୍ୱ ଦେଉଛନ୍ତି। ଫଳରେ ଆଣ୍ଟିଜେନ୍‌ ପରୀକ୍ଷାରେ ନେଗେଟିଭ ଆସୁଥିବା ରିପୋର୍ଟ ଆର୍‌ଟି-ପିସିଆରରେ ପଜିଟିଭ ଆସୁଥିବା ଅଭିଯୋଗ ହେଉଛି। ଏସବୁ ସତ୍ତ୍ୱେ ଜିଲାରେ ଆର୍‌ଟି-ପିସିଆର୍‌ ଅପେକ୍ଷା ଆଣ୍ଟିଜେନ୍‌ ଉପରେ ଗୁରୁତ୍ୱ ଦିଆଯାଉଛି।
ଜିଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ୍‌ ଆର୍‌ଟି-ପିସିଆର୍‌ ଓ ଆଣ୍ଟିଜେନ୍‌ ପରୀକ୍ଷା କରାଯାଉଥିବା ବେଳେ ବିଭିନ୍ନ ବ୍ଲକରେ କେବଳ ଆଣ୍ଟିଜେନ୍‌ ପରୀକ୍ଷା କରାଯାଉଛି। ଏବେ ଆର୍‌ଟି-ପିସିଆର୍‌ ୬ଶହ ଟାର୍ଗେଟ୍‌ ରଖାଯାଇଥିବା ବେଳେ ଆଣ୍ଟିଜେନ୍‌ ପରୀକ୍ଷା ୧୪ଶହ ରଖାଯାଇଛି। ପ୍ରତିଦିନ ହସ୍‌ପିଟାଲକୁ ଯେକୌଣସି ଲୋକ ଆସିଲେ ପ୍ରଥମେ ଆଣ୍ଟିଜେନ୍‌ ପରୀକ୍ଷା କରାଯାଉଛି। ତା’ପରେ ଆଣ୍ଟିଜେନ୍‌ ରିପୋର୍ଟ ନେଗେଟିଭ୍‌ ଥାଇ ଲକ୍ଷଣ ଦେଖାଗଲେ ହିଁ ଆର୍‌ଟି-ପିସିଆର୍‌ ପରୀକ୍ଷା କରିବାକୁ କୁହାଯାଉଛି ବୋଲି କୋଭିଡ୍‌ କଣ୍ଟ୍ରୋଲ ରୁମ୍‌ରୁ ସୂଚନା ମିଳିଛି। ତେବେ ଜିଲାରେ ଥିବା ଆର୍‌ଟିପିସିଆର୍‌ ଟାର୍ଗେଟ୍‌ ଅନୁସାରେ ପରୀକ୍ଷା ହେଉ ନ ଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ହସ୍‌ପିଟାଲରେ ଆର୍‌ଟି-ପିସିଆର୍‌ ପରୀକ୍ଷା ଅପେକ୍ଷା ଆଣ୍ଟିଜେନ୍‌ ପରୀକ୍ଷା ପାଇଁ ବାହାର ରାଜ୍ୟର ଟିକେଟ୍‌ ନ ହେଲେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ କିମ୍ବା କଣ୍ଟ୍ରୋଲ ରୁମ୍‌ର ଅନୁମତି ଥିଲେ ହିଁ ପରୀକ୍ଷା ହୋଇପାରିବ। ନ ହେଲେ କେବଳ ଆଣ୍ଟିଜେନ୍‌ ପରୀକ୍ଷା କରି ଛାଡ଼ି ଦେଉଛନ୍ତି। କିନ୍ତୁ ଆର୍‌ଟି-ପିସିଆର୍‌ ପରୀକ୍ଷା ବହୁତ କମ୍‌ କରାଯାଉଛି। ଯେଉଁଥିପାଇଁ କେତେ ପଜିଟିଭ୍‌ ତାହା ସ୍ପଷ୍ଟ ଜଣାପଡୁନି। ବେଳେ ବେଳେ ଲକ୍ଷଣ ଥାଇ ବି ଆର୍‌ଟି-ପିସିଆର ପରୀକ୍ଷା ନ କରି ଆଣ୍ଟିଜେନ୍‌ ପରୀକ୍ଷା କରାଯାଉଛି। ଅନ୍ୟ ଜିଲାରେ ଆର୍‌ଟି-ପିସିଆର୍‌ ପରୀକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ବାଲେଶ୍ୱର ଜିଲାରେ ଆଣ୍ଟିଜେନ୍‌ ପରୀକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ତେବେ କରୋନା ମହାମାରୀର ବୃଦ୍ଧିକୁ ଦେଖି ଜିଲାରେ ଆର୍‌ଟି-ପିସିଆର୍‌ ପରୀକ୍ଷା ଅଧିକ କରାଯାଉ ବୋଲି ସାଧାରଣରେ ଦାବି ହୋଇଛି।
ଜିଲା କୋଭିଡ୍‌ ନୋଡାଲ ଅଧିକାରୀ ଡା. ସୁଭ୍ରଜିତ୍‌ ଗିରିଙ୍କ ସୂଚନା ଅନୁସାରେ, ଗତ ୧୬ ତାରିଖରେ ୨୨୩୬ଟି ଆଣ୍ଟିଜେନ୍‌ ଏବଂ ୩୬୪ଟି ଆର୍‌ଟି-ପିସିଆର୍‌ ପରୀକ୍ଷା କରାଯାଇଥିଲା। ୧୭ରେ ୨୦୦୯ଟି ଆଣ୍ଟିଜେନ, ୪୬୮ ଆର୍‌ଟି-ପିସିଆର୍‌, ୧୮ରେ ୧୧୬୯ଟି ଆଣ୍ଟିଜେନ୍‌, ୫୦୩ଟି ଆର୍‌ଟି-ପିସିଆର୍‌ ଏବଂ ୧୯ରେ ୨୩୪୪ ଆଣ୍ଟିଜେନ୍‌, ୪୮୨ଟି ଆର୍‌ଟି-ପିସିଆର୍‌ ପରୀକ୍ଷା କରାଯାଇଛି। ଆଣ୍ଟିଜେନ୍‌ ପରୀକ୍ଷା ୨୪ ଘଣ୍ଟିଆ କରାଯାଉଥିବା ବେଳେ ଆର୍‌ଟି-ପିସିଆର୍‌ ପରୀକ୍ଷା ସକାଳ ୯ରୁ ୫ଟା ଯାଏ କରାଯାଉଛି। ବାକି ଅଧିକ ଗୁରୁତର କେସ୍‌ ଆସିଲେ ଆର୍‌ଟି-ପିସିଆର୍‌ ପରୀକ୍ଷା କରାଯାଇଥାଏ। ଯେହେତୁ ଆଣ୍ଟିଜେନ୍‌ ପରୀକ୍ଷାରେ ୧୫ମିନିଟ୍‌ରେ ରିପୋର୍ଟ ବାହାରୁଛି ସେଥିପାଇଁ ଏହାକୁ ଅଧିକ ଗୁରୁତ୍ୱ ଦିଆଯାଉଛି।
ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଲ ସେନ ଜଗଦ୍ଦେବ କହିଛନ୍ତି ଯେ, ଯେତିକି ଟାର୍ଗେଟ୍‌ ଅଛି ସେତିକି ପରୀକ୍ଷା କରାଯାଉଛି। ମାର୍ଚ୍ଚ ୧୭ରେ ଦିନକୁ ୩ଶହ ଆର୍‌ଟି-ପିସିଆର୍‌ ଏବଂ ଆଣ୍ଟିଜେନ୍‌ ୧୭୦୦ଟି ପରୀକ୍ଷା ପାଇଁ ଟାର୍ଗେଟ୍‌ ଥିଲା। ଏପ୍ରିଲ ୧୭ରେ ଆସିଥିବା ଗାଇଡ୍‌ଲାଇନ୍‌ ଅନୁସାରେ ବର୍ତ୍ତମାନ ଜିଲାରେ ୬୦୦ ଆର୍‌ଟି-ପିସିଆର୍‌ ଏବଂ ଆଣ୍ଟିଜେନ୍‌ ପରୀକ୍ଷା ୧୪୦୦ ଟାର୍ଗେଟ୍‌ ରହିଛି। ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ଆମେ ଏତିକି ଲେଖାଏଁ ପରୀକ୍ଷା କରୁଛୁ।