ମୃତ୍ତିକାର ଆର୍ତ୍ତନାଦ

ଡ. ସୁବାସ ଚନ୍ଦ୍ର ପାତ୍ର

ଦୁର୍ଗତି ପ୍ରଗତିର ବୋଧହୁଏ ସବୁଠୁ ବିଶ୍ୱସ୍ତ ସହଚର। ଯେଉଁ ମାଟି ମା’ ଦିନେ ମଣିଷର ଭରସାର ମୂଳପିଣ୍ଡ ଥିଲା, ଯାହା ଉପରେ ମଣିଷ ପାଦ ଥାପୁଥିଲା ଏହି ବିଶ୍ୱାସ ନେଇ ଯେ ତା’ର ପାଦତଳ ମାଟି ଘୁଞ୍ଚିିଯିବ ନାହିଁ, କି ଦବି ଯିବ ନାହିଁ, ଆଜି ସେହି ମାଟି ପ୍ରତି ମଣିଷ ଯେ ଖାଲି ଅହରହ ବିଶ୍ୱାସଘାତକତା କରୁଛି ତା’ ନୁହେଁ, ତା’ ପ୍ରତି ଅକଥନୀୟ ଅତ୍ୟାଚାର ଓ ନିର୍ଯାତନା ମଣିଷର ଏକ ଦୈନନ୍ଦିନ କାର୍ଯ୍ୟକ୍ରମ ହେଲାଣି। ଏହି ଅତ୍ୟାଚାର କେତେବେଳେ ରାଷ୍ଟ୍ରୀୟ, କେତେବେଳେ ସାମାଜିକ ତ କେତେବେଳେ ବ୍ୟକ୍ତିଗତ।
ରାଷ୍ଟ୍ର ଚାହେଁ ଦେଶର ନାଗରିକମାନେ ଏକ ସ୍ବଚ୍ଛନ୍ଦ ଜୀବନଯାପନ କରନ୍ତୁ। ଏହା ରୂପାୟିତ କରିବାକୁ ଯାଇ ଧରିତ୍ରୀକୁ ଯଦି ବିବସ୍ତ୍ର କରିବାକୁ ପଡ଼ିଲା, ପ୍ରହାର ପରେ ପ୍ରହାର କରିବାକୁ ପଡ଼ିଲା, ତା’ହେଲେ ଏ ସ୍ବଚ୍ଛନ୍ଦ ଜୀବନଯାପନର ଅର୍ଥ କ’ଣ? ମାଟି ସହିତ, ମୃତ୍ତିକା ସହିତ ଏକ ସମ୍ମାନଶୀଳ, ସହାବସ୍ଥାନ ରୀତିରେ ମଧ୍ୟ ଏ ଲକ୍ଷ୍ୟ ହାସଲ କରିହେବ। ହୁଏତ ଏହା ବ୍ୟୟସାପେକ୍ଷ ହୋଇପାରେ, କିନ୍ତୁ ତାତ୍କାଳିକ ସୁଖ ପାଇଁ ଚିରନ୍ତନ ବିପତ୍ତି ଡାକିଆଣିବା କେଉଁ ବୁଦ୍ଧିମତ୍ତାର ପରିଚୟ? ଗମନାଗମନର ସୁବିଧା ପାଇଁ ଗ୍ରାମାଞ୍ଚଳକୁ ରାସ୍ତାଘାଟ କରାଗଲା। କିନ୍ତୁ ଏହାର ନିର୍ମାଣ ବେଳେ ଏବଂ ନିର୍ମାଣ ପରବର୍ତ୍ତୀ ଘଟଣାଗୁଡ଼ିକ ମାଟି ମା’ ଆଖିରୁ ଲୁହ ଝରାଇଲା। କୌଣସି ପରିବେଶଗତ ବୈଜ୍ଞାନିକ ଅନୁଚିନ୍ତା ପ୍ରକଟ ନ କରି, ବେପରୁଆ ଭାବରେ କଣ୍ଟ୍ରାକ୍ଟରମାନେ ଏଠୁ ସେଠୁ ଅବୈଧ ଭାବରେ ମାଟି ଖୋଳି ଆଣିଲେ। ଅସଚେତନ ଗ୍ରାମବାସୀ ମଧ୍ୟ ଅର୍ଥଲୋଭରେ ନିଜ ଉର୍ବର ଚାଷଜମିର ଉପର ମୂଲ୍ୟବାନ ମାଟିକୁ ବିନା ଦ୍ୱିଧାରେ ବିକିଦେଲେ। ଯେଉଁ ‘ଉପର ମାଟି’ (ଟପ୍‌ ସଏଲ) ଗଠନ ହେବା ପାଇଁ ହଜାର ହଜାର ବର୍ଷଲାଗେ, ତାହା ମାତ୍ର କେଇ ମିନିଟ୍‌ରେ କଂକ୍ରିଟ ଜଙ୍ଗଲ ଭିତରେ ପଶିଗଲା। ପ୍ରଗତିପ୍ରସୂତ ଦୁର୍ଗତି ଏତିକିରେ ସୀମିତ ରହିଲା ନାହିଁ। ରାସ୍ତା ଗଲା ଗାଁକୁ, ଆଉଗଲା ଚୋରା ମଦ ଓ ନିଶାଦ୍ରବ୍ୟ ଏବଂ ଫେରିଲା ଗ୍ରାମ୍ୟ ସରକାରୀ ଜଙ୍ଗଲରୁ ଚୋରା କାଠ ନେଇ!
ଆମେ ମାଟି ଖୋଳିଲେ, କିନ୍ତୁ ବର୍ଷା ମାଡ଼ରେ ମାଟି ଉପର ନରମ ଅଂଶକୁ ବଞ୍ଚେଇବା ପାଇଁ ଗଛ ଲଗେଇଲେ ନାହିଁ। ସମାନ୍ତରାଳ ଭାବରେ ସରକାରୀ ଜଙ୍ଗଲ ଲୁଟ୍‌ ହେଲା ଏବଂ ଗଛ ଉପରେ ମାଡ଼ ହୋଇ ବର୍ଷାର ପ୍ରହାର -ଶକ୍ତି କମେଇବା ଭଳି ଆଉ କୌଣସି ପ୍ରାକୃତିକ ‘ସକ୍‌ ଅବଜର୍‌ବର’ ରହିଲା ନାହିିଁ। ଫଳତଃ ଜଙ୍ଗଲ ଚଟାଣର ନରମ ମାଟି ବର୍ଷାରେ ଧୋଇ ଆସି ଚଟାଣକୁ ଟାଙ୍ଗରା କଲା, ନଦୀ ଅବା କେନାଲର ଗର୍ଭକୁ ପୋତି ପକାଇଲା, ନଦୀ ଅଗଭୀର ହେଲା, ବନ୍ୟାଜଳ ଅଧିକ ଅଞ୍ଚଳକୁ ମାଡ଼ିଲା; ଅଧିକ ଚାଷ କ୍ଷତିଗ୍ରସ୍ତ ହେଲା। ଜଙ୍ଗଲ ଏହି ଅବସ୍ଥା ଭୋଗୁଥିବା ବେଳେ ବ୍ୟକ୍ତିଗତ ସ୍ତରରେ ମଣିଷ ନିଜ ଡିହରେ ଥିବା ପୁରୁଣା ଗଛସବୁ ହାଣି ପକାଇଲା। ସୂକ୍ଷ୍ମ ଭାବରେ ଜଙ୍ଗଲ ଦୃଶ୍ୟର ଏଠି ମଧ୍ୟ ପୁନରାବୃତ୍ତି ଘଟିଲା, ଅର୍ଥାତ ଡିହର ନରମ ମାଟି ଧୋଇ ଆସି ବିଲରେ ପଡ଼ିଲା ଅବା ବନ୍ୟା ସ୍ରୋତରେ ନଦୀକୁ ବୋହିଗଲା।
ଖାଲି ରାସ୍ତା ନିର୍ମାଣ, ବସତି ସ୍ଥାପନ, ବସତି ପାଇଁ ବ୍ୟବହୃତ ମାଟିଇଟା ତିଆରି, ମାଟିର ଏ ପୃଥିବୀକୁ ଯେ ଖିନ୍‌ଭିନ୍‌ କରି ପକାଇଛି ତାହା ନୁହେଁ, ଆତ୍ମନିଯୁକ୍ତି ନାମରେ ବ୍ୟବସାୟିକ ମନୋଭାବ ଏବଂ ସରକାରୀ ବ୍ୟବସ୍ଥାର ଗଭୀର ନିଦ୍ରା ଓ ଅର୍ଥଭୋଗ ପରିସ୍ଥିତିକୁ ଆହୁରି ଭୟାବହ କରିଦେଇଛି। ମତ୍ସ୍ୟ ଚାଷ ମାଧ୍ୟମରେ ଆତ୍ମନିଯୁ୍‌କ୍ତି କଥାଟି ଉପରକୁ ଭଲ ଶୁଭେ, କିନ୍ତୁ କ୍ଷେତ୍ରରେ ଏହାର ବ୍ୟଭିଚାର ଦେଖିଲେ ହିଁ ପରିସ୍ଥିତିର ଭୟାବହତା ଉପଲବ୍ଧି କରିହେବ। ବିନା ସରକାରୀ ଅନୁମୋଦନରେ ହଜାର ହଜାର ଏକର ଚାଷଜମିକୁ ଚିଙ୍ଗୁଡ଼ି ତଥା ଅନ୍ୟାନ୍ୟ ମାଛ ଘେରିରେ ପରିଣତ କରିବା, ଅଞ୍ଚଳର ପ୍ରାକୃତିକ ଜଳନିଷ୍କାସନର ବ୍ୟବସ୍ଥାକୁ ପଙ୍ଗୁ କରି କୃତ୍ରିମ ବନ୍ୟା ମାଧ୍ୟମରେ କ୍ଷତି ଘଟାଇବା, ବନ୍ୟାଜଳର ପ୍ରାକୃତିକ ଗତିପଥ ପରିବର୍ତ୍ତନ ଯୋଗୁ ଚାଷଜମିଗୁଡ଼ିକ ଧୋଇ ହୋଇ ନଦୀଗର୍ଭରେ ଲୀନ ହେବା ହିଁ, ଏ ‘ସୁନ୍ଦର ଆତ୍ମନିଯୁକ୍ତି’ର ‘ସୁନ୍ଦର’ ପାର୍ଶ୍ୱ ପ୍ରତିକ୍ରିୟା!
ଏ ତ ଗ୍ରାମାଞ୍ଚଳର କଥା। ସହରୀ ଲୋକ ମଧ୍ୟ ଭିନ୍ନ ଭାବରେ ମାଟିକୁ ପଦାଘାତ କରି ଅର୍ଥ ସାଉଁଟିବାକୁ ଲାଗିଛନ୍ତି। ନିଜ ଡିହର ଶେଷ ବର୍ଗ ଇଞ୍ଚକୁ କଂକ୍ରିଟରେ ପରିଣତ କରି, ତା’ ଉପରେ ଟାଇଲ ଆଚ୍ଛାଦିତ କରି ପରିଚ୍ଛନ୍ନତାର ଡିଣ୍ଡମ ପିଟିବା, ମୃତ୍ତିକା-ହତ୍ୟାର ଏକ ଷଡ଼ଯନ୍ତ୍ର ତଥା ଆତ୍ମ-ହତ୍ୟାକାରୀ ପଦକ୍ଷେପ। ଏଣେ ବର୍ଷାଜଳ ଅମଳ ପାଇଁ ନିଜ ଡିହରେ ପ୍ରକଳ୍ପ ନିର୍ମାଣ କରିବା, ତେଣେ ବର୍ଷାଜଳକୁ ମାଟିରେ ଆପେ ଆପେ ଭେଦିବାକୁ ଦେଇ ଭୂତଳ ଜଳସ୍ତର ବୃଦ୍ଧି କରିବାକୁ ଚେଷ୍ଟିତ ନ ହେବା ଏକ ପ୍ରକାର ବୀଭତ୍ସ ବିଡ଼ମ୍ବନା। ସହରୀ ଲୋକଙ୍କୁ ଏବେ ପରିଚ୍ଛନ୍ନତା-ରୋଗ ଘାରିଛି। ଅଯଥାରେ ମାଟି ଉପରେ ଟାଇଲ ବିଛେଇ ମୃତ୍ତିକାକୁ ଅଣନିଃଶ୍ୱାସୀ କରିବା କ୍ରମରେ ପ୍ରାକୃତିକ ତାପର ବିକିରଣରେ ନିଜେ ଧଇଁସଇଁ ହୋଇ ବାତାନୁକୂଳିତ ଖୁଆଡ଼ ଭିତରେ ଆବଦ୍ଧ ହୋଇ ସେ ଯେ ବନ୍ଦୀଜୀବନ ଯାପନ କରୁଛି, ସେ କଥା ଭାବିବାକୁ ତା’ର ଆଗ୍ରହ ନାହିଁ।
ଆଗରୁ ସହର ରାସ୍ତାର ଉଭୟ ପାର୍ଶ୍ୱରେ କିଛି ଅଂଶ ମାଟିଖଣ୍ଡ ଥାଏ, ଯାହା ଉପର ଦେଇ ବର୍ଷାଜଳ ବୋହିଯାଇ ଡ୍ରେନ୍‌ରେ ପଡ଼ିବା ଅବସରରେ କିଛି ପାଣି ମାଟି ପିଇ ଯାଉଥିଲା। ଶହଶହ କିଲୋମିଟର ରାସ୍ତାକଡ଼ର ଏଇ ମାଟି ମୃତ୍ତିକାର ସ୍ବାସ୍ଥ୍ୟ ତଥା ଭୂତଳ ଜଳସ୍ତର ବୃଦ୍ଧି ପାଇଁ ବରଦାନ ସଦୃଶ ଥିଲା। ଏବେ ସହରର ଲୋକସଂଖ୍ୟା ଓ ଯାନସଂଖ୍ୟା ବୃଦ୍ଧି ସହିତ ତାଳଦେଇ ରାସ୍ତାର ପ୍ରଶସ୍ତୀକରଣ ସମ୍ଭବ ହେଉ ନ ଥିବା ଯୋଗୁ ‘ଡ୍ରେନ୍‌ ଟୁ ଡ୍ରେନ୍‌’ (ଏପଟ ନାଳଠୁ ସେପଟ ନାଳ ଯାଏ) କଂକ୍ରିଟ କରି ଦିଆଯାଉଛି, ଯାହା ସହରର ଉତ୍ତାପ ବଢ଼େଇବା, କଂକ୍ରିଟ ଓ ମୃତ୍ତିକାର ଅନୁପାତକୁ ହ୍ରାସ କରିବା ସହ ଜଳସ୍ତରକୁ ମଧ୍ୟ କମେଇ ଦେଉଛି। ଫଳତଃ ଗ୍ରୀଷ୍ମରେ ପାଣିପମ୍ପ, ଅନ୍ୟାନ୍ୟ ଜଳଉତ୍ସ ଶୁଖିଯାଉଛି ଏବଂ ଗଛଲତାଗୁଡ଼ିକ ପୃଷ୍ଠ-ଜଳସ୍ତର (ସରଫେସ୍‌ ୱାଟର) ହ୍ରାସର ଶିକାର ହୋଇ ଝାଉଁଳି ପଡୁଛନ୍ତି, ଯେଉଁଥିପାଇଁ ସହରର ସବୁଜ-ଆଚ୍ଛାଦନ ଆଉ ସବୁଜ ଦିଶୁନାହିଁ।
ମାଟି ମଣିଷର ମା’, ତା’ର ହିତୈଷୀ ବନ୍ଧୁ। ଯେ ଯାଏ ମଣିଷ, ମାଟି ପ୍ରତି ସମ୍ମାନଶୀଳ, ସମ୍ବେଦନଶୀଳ ବ୍ୟବହାର ପ୍ରଦର୍ଶନ ନ କରିଛି, ସେ ଯାଏ ଏ ଭୟାବହ ପ୍ରକ୍ରିୟାର ବିପରୀତୀକରଣ ସମ୍ଭବ ନୁହେଁ। ମୃତ୍ତିକାର ସୂକ୍ଷ୍ମ ଆର୍ତ୍ତନାଦକୁ ଶୁଣୁ ନ ଥିବା ମଣିଷକୁ ଭବିଷ୍ୟତରେ ତା’ର ଅନ୍ତିମ କ୍ଷଣରେ ଅବା ଅନ୍ତିମ କ୍ରିୟା ପାଇଁ ମୁଠାଏ ମାଟି ବା କାଦୁଅ ପେଣ୍ଡାଟିଏ ମିଳିବନି!
ପୂର୍ବତନ ଅଧ୍ୟକ୍ଷ, ଜେଲ ରୋଡ଼, ବାଲେଶ୍ୱର
ମୋ. :୯୪୩୭୩୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri