ମୃତ୍ତିକାର ଆର୍ତ୍ତନାଦ

ଡ. ସୁବାସ ଚନ୍ଦ୍ର ପାତ୍ର

ଦୁର୍ଗତି ପ୍ରଗତିର ବୋଧହୁଏ ସବୁଠୁ ବିଶ୍ୱସ୍ତ ସହଚର। ଯେଉଁ ମାଟି ମା’ ଦିନେ ମଣିଷର ଭରସାର ମୂଳପିଣ୍ଡ ଥିଲା, ଯାହା ଉପରେ ମଣିଷ ପାଦ ଥାପୁଥିଲା ଏହି ବିଶ୍ୱାସ ନେଇ ଯେ ତା’ର ପାଦତଳ ମାଟି ଘୁଞ୍ଚିିଯିବ ନାହିଁ, କି ଦବି ଯିବ ନାହିଁ, ଆଜି ସେହି ମାଟି ପ୍ରତି ମଣିଷ ଯେ ଖାଲି ଅହରହ ବିଶ୍ୱାସଘାତକତା କରୁଛି ତା’ ନୁହେଁ, ତା’ ପ୍ରତି ଅକଥନୀୟ ଅତ୍ୟାଚାର ଓ ନିର୍ଯାତନା ମଣିଷର ଏକ ଦୈନନ୍ଦିନ କାର୍ଯ୍ୟକ୍ରମ ହେଲାଣି। ଏହି ଅତ୍ୟାଚାର କେତେବେଳେ ରାଷ୍ଟ୍ରୀୟ, କେତେବେଳେ ସାମାଜିକ ତ କେତେବେଳେ ବ୍ୟକ୍ତିଗତ।
ରାଷ୍ଟ୍ର ଚାହେଁ ଦେଶର ନାଗରିକମାନେ ଏକ ସ୍ବଚ୍ଛନ୍ଦ ଜୀବନଯାପନ କରନ୍ତୁ। ଏହା ରୂପାୟିତ କରିବାକୁ ଯାଇ ଧରିତ୍ରୀକୁ ଯଦି ବିବସ୍ତ୍ର କରିବାକୁ ପଡ଼ିଲା, ପ୍ରହାର ପରେ ପ୍ରହାର କରିବାକୁ ପଡ଼ିଲା, ତା’ହେଲେ ଏ ସ୍ବଚ୍ଛନ୍ଦ ଜୀବନଯାପନର ଅର୍ଥ କ’ଣ? ମାଟି ସହିତ, ମୃତ୍ତିକା ସହିତ ଏକ ସମ୍ମାନଶୀଳ, ସହାବସ୍ଥାନ ରୀତିରେ ମଧ୍ୟ ଏ ଲକ୍ଷ୍ୟ ହାସଲ କରିହେବ। ହୁଏତ ଏହା ବ୍ୟୟସାପେକ୍ଷ ହୋଇପାରେ, କିନ୍ତୁ ତାତ୍କାଳିକ ସୁଖ ପାଇଁ ଚିରନ୍ତନ ବିପତ୍ତି ଡାକିଆଣିବା କେଉଁ ବୁଦ୍ଧିମତ୍ତାର ପରିଚୟ? ଗମନାଗମନର ସୁବିଧା ପାଇଁ ଗ୍ରାମାଞ୍ଚଳକୁ ରାସ୍ତାଘାଟ କରାଗଲା। କିନ୍ତୁ ଏହାର ନିର୍ମାଣ ବେଳେ ଏବଂ ନିର୍ମାଣ ପରବର୍ତ୍ତୀ ଘଟଣାଗୁଡ଼ିକ ମାଟି ମା’ ଆଖିରୁ ଲୁହ ଝରାଇଲା। କୌଣସି ପରିବେଶଗତ ବୈଜ୍ଞାନିକ ଅନୁଚିନ୍ତା ପ୍ରକଟ ନ କରି, ବେପରୁଆ ଭାବରେ କଣ୍ଟ୍ରାକ୍ଟରମାନେ ଏଠୁ ସେଠୁ ଅବୈଧ ଭାବରେ ମାଟି ଖୋଳି ଆଣିଲେ। ଅସଚେତନ ଗ୍ରାମବାସୀ ମଧ୍ୟ ଅର୍ଥଲୋଭରେ ନିଜ ଉର୍ବର ଚାଷଜମିର ଉପର ମୂଲ୍ୟବାନ ମାଟିକୁ ବିନା ଦ୍ୱିଧାରେ ବିକିଦେଲେ। ଯେଉଁ ‘ଉପର ମାଟି’ (ଟପ୍‌ ସଏଲ) ଗଠନ ହେବା ପାଇଁ ହଜାର ହଜାର ବର୍ଷଲାଗେ, ତାହା ମାତ୍ର କେଇ ମିନିଟ୍‌ରେ କଂକ୍ରିଟ ଜଙ୍ଗଲ ଭିତରେ ପଶିଗଲା। ପ୍ରଗତିପ୍ରସୂତ ଦୁର୍ଗତି ଏତିକିରେ ସୀମିତ ରହିଲା ନାହିଁ। ରାସ୍ତା ଗଲା ଗାଁକୁ, ଆଉଗଲା ଚୋରା ମଦ ଓ ନିଶାଦ୍ରବ୍ୟ ଏବଂ ଫେରିଲା ଗ୍ରାମ୍ୟ ସରକାରୀ ଜଙ୍ଗଲରୁ ଚୋରା କାଠ ନେଇ!
ଆମେ ମାଟି ଖୋଳିଲେ, କିନ୍ତୁ ବର୍ଷା ମାଡ଼ରେ ମାଟି ଉପର ନରମ ଅଂଶକୁ ବଞ୍ଚେଇବା ପାଇଁ ଗଛ ଲଗେଇଲେ ନାହିଁ। ସମାନ୍ତରାଳ ଭାବରେ ସରକାରୀ ଜଙ୍ଗଲ ଲୁଟ୍‌ ହେଲା ଏବଂ ଗଛ ଉପରେ ମାଡ଼ ହୋଇ ବର୍ଷାର ପ୍ରହାର -ଶକ୍ତି କମେଇବା ଭଳି ଆଉ କୌଣସି ପ୍ରାକୃତିକ ‘ସକ୍‌ ଅବଜର୍‌ବର’ ରହିଲା ନାହିିଁ। ଫଳତଃ ଜଙ୍ଗଲ ଚଟାଣର ନରମ ମାଟି ବର୍ଷାରେ ଧୋଇ ଆସି ଚଟାଣକୁ ଟାଙ୍ଗରା କଲା, ନଦୀ ଅବା କେନାଲର ଗର୍ଭକୁ ପୋତି ପକାଇଲା, ନଦୀ ଅଗଭୀର ହେଲା, ବନ୍ୟାଜଳ ଅଧିକ ଅଞ୍ଚଳକୁ ମାଡ଼ିଲା; ଅଧିକ ଚାଷ କ୍ଷତିଗ୍ରସ୍ତ ହେଲା। ଜଙ୍ଗଲ ଏହି ଅବସ୍ଥା ଭୋଗୁଥିବା ବେଳେ ବ୍ୟକ୍ତିଗତ ସ୍ତରରେ ମଣିଷ ନିଜ ଡିହରେ ଥିବା ପୁରୁଣା ଗଛସବୁ ହାଣି ପକାଇଲା। ସୂକ୍ଷ୍ମ ଭାବରେ ଜଙ୍ଗଲ ଦୃଶ୍ୟର ଏଠି ମଧ୍ୟ ପୁନରାବୃତ୍ତି ଘଟିଲା, ଅର୍ଥାତ ଡିହର ନରମ ମାଟି ଧୋଇ ଆସି ବିଲରେ ପଡ଼ିଲା ଅବା ବନ୍ୟା ସ୍ରୋତରେ ନଦୀକୁ ବୋହିଗଲା।
ଖାଲି ରାସ୍ତା ନିର୍ମାଣ, ବସତି ସ୍ଥାପନ, ବସତି ପାଇଁ ବ୍ୟବହୃତ ମାଟିଇଟା ତିଆରି, ମାଟିର ଏ ପୃଥିବୀକୁ ଯେ ଖିନ୍‌ଭିନ୍‌ କରି ପକାଇଛି ତାହା ନୁହେଁ, ଆତ୍ମନିଯୁକ୍ତି ନାମରେ ବ୍ୟବସାୟିକ ମନୋଭାବ ଏବଂ ସରକାରୀ ବ୍ୟବସ୍ଥାର ଗଭୀର ନିଦ୍ରା ଓ ଅର୍ଥଭୋଗ ପରିସ୍ଥିତିକୁ ଆହୁରି ଭୟାବହ କରିଦେଇଛି। ମତ୍ସ୍ୟ ଚାଷ ମାଧ୍ୟମରେ ଆତ୍ମନିଯୁ୍‌କ୍ତି କଥାଟି ଉପରକୁ ଭଲ ଶୁଭେ, କିନ୍ତୁ କ୍ଷେତ୍ରରେ ଏହାର ବ୍ୟଭିଚାର ଦେଖିଲେ ହିଁ ପରିସ୍ଥିତିର ଭୟାବହତା ଉପଲବ୍ଧି କରିହେବ। ବିନା ସରକାରୀ ଅନୁମୋଦନରେ ହଜାର ହଜାର ଏକର ଚାଷଜମିକୁ ଚିଙ୍ଗୁଡ଼ି ତଥା ଅନ୍ୟାନ୍ୟ ମାଛ ଘେରିରେ ପରିଣତ କରିବା, ଅଞ୍ଚଳର ପ୍ରାକୃତିକ ଜଳନିଷ୍କାସନର ବ୍ୟବସ୍ଥାକୁ ପଙ୍ଗୁ କରି କୃତ୍ରିମ ବନ୍ୟା ମାଧ୍ୟମରେ କ୍ଷତି ଘଟାଇବା, ବନ୍ୟାଜଳର ପ୍ରାକୃତିକ ଗତିପଥ ପରିବର୍ତ୍ତନ ଯୋଗୁ ଚାଷଜମିଗୁଡ଼ିକ ଧୋଇ ହୋଇ ନଦୀଗର୍ଭରେ ଲୀନ ହେବା ହିଁ, ଏ ‘ସୁନ୍ଦର ଆତ୍ମନିଯୁକ୍ତି’ର ‘ସୁନ୍ଦର’ ପାର୍ଶ୍ୱ ପ୍ରତିକ୍ରିୟା!
ଏ ତ ଗ୍ରାମାଞ୍ଚଳର କଥା। ସହରୀ ଲୋକ ମଧ୍ୟ ଭିନ୍ନ ଭାବରେ ମାଟିକୁ ପଦାଘାତ କରି ଅର୍ଥ ସାଉଁଟିବାକୁ ଲାଗିଛନ୍ତି। ନିଜ ଡିହର ଶେଷ ବର୍ଗ ଇଞ୍ଚକୁ କଂକ୍ରିଟରେ ପରିଣତ କରି, ତା’ ଉପରେ ଟାଇଲ ଆଚ୍ଛାଦିତ କରି ପରିଚ୍ଛନ୍ନତାର ଡିଣ୍ଡମ ପିଟିବା, ମୃତ୍ତିକା-ହତ୍ୟାର ଏକ ଷଡ଼ଯନ୍ତ୍ର ତଥା ଆତ୍ମ-ହତ୍ୟାକାରୀ ପଦକ୍ଷେପ। ଏଣେ ବର୍ଷାଜଳ ଅମଳ ପାଇଁ ନିଜ ଡିହରେ ପ୍ରକଳ୍ପ ନିର୍ମାଣ କରିବା, ତେଣେ ବର୍ଷାଜଳକୁ ମାଟିରେ ଆପେ ଆପେ ଭେଦିବାକୁ ଦେଇ ଭୂତଳ ଜଳସ୍ତର ବୃଦ୍ଧି କରିବାକୁ ଚେଷ୍ଟିତ ନ ହେବା ଏକ ପ୍ରକାର ବୀଭତ୍ସ ବିଡ଼ମ୍ବନା। ସହରୀ ଲୋକଙ୍କୁ ଏବେ ପରିଚ୍ଛନ୍ନତା-ରୋଗ ଘାରିଛି। ଅଯଥାରେ ମାଟି ଉପରେ ଟାଇଲ ବିଛେଇ ମୃତ୍ତିକାକୁ ଅଣନିଃଶ୍ୱାସୀ କରିବା କ୍ରମରେ ପ୍ରାକୃତିକ ତାପର ବିକିରଣରେ ନିଜେ ଧଇଁସଇଁ ହୋଇ ବାତାନୁକୂଳିତ ଖୁଆଡ଼ ଭିତରେ ଆବଦ୍ଧ ହୋଇ ସେ ଯେ ବନ୍ଦୀଜୀବନ ଯାପନ କରୁଛି, ସେ କଥା ଭାବିବାକୁ ତା’ର ଆଗ୍ରହ ନାହିଁ।
ଆଗରୁ ସହର ରାସ୍ତାର ଉଭୟ ପାର୍ଶ୍ୱରେ କିଛି ଅଂଶ ମାଟିଖଣ୍ଡ ଥାଏ, ଯାହା ଉପର ଦେଇ ବର୍ଷାଜଳ ବୋହିଯାଇ ଡ୍ରେନ୍‌ରେ ପଡ଼ିବା ଅବସରରେ କିଛି ପାଣି ମାଟି ପିଇ ଯାଉଥିଲା। ଶହଶହ କିଲୋମିଟର ରାସ୍ତାକଡ଼ର ଏଇ ମାଟି ମୃତ୍ତିକାର ସ୍ବାସ୍ଥ୍ୟ ତଥା ଭୂତଳ ଜଳସ୍ତର ବୃଦ୍ଧି ପାଇଁ ବରଦାନ ସଦୃଶ ଥିଲା। ଏବେ ସହରର ଲୋକସଂଖ୍ୟା ଓ ଯାନସଂଖ୍ୟା ବୃଦ୍ଧି ସହିତ ତାଳଦେଇ ରାସ୍ତାର ପ୍ରଶସ୍ତୀକରଣ ସମ୍ଭବ ହେଉ ନ ଥିବା ଯୋଗୁ ‘ଡ୍ରେନ୍‌ ଟୁ ଡ୍ରେନ୍‌’ (ଏପଟ ନାଳଠୁ ସେପଟ ନାଳ ଯାଏ) କଂକ୍ରିଟ କରି ଦିଆଯାଉଛି, ଯାହା ସହରର ଉତ୍ତାପ ବଢ଼େଇବା, କଂକ୍ରିଟ ଓ ମୃତ୍ତିକାର ଅନୁପାତକୁ ହ୍ରାସ କରିବା ସହ ଜଳସ୍ତରକୁ ମଧ୍ୟ କମେଇ ଦେଉଛି। ଫଳତଃ ଗ୍ରୀଷ୍ମରେ ପାଣିପମ୍ପ, ଅନ୍ୟାନ୍ୟ ଜଳଉତ୍ସ ଶୁଖିଯାଉଛି ଏବଂ ଗଛଲତାଗୁଡ଼ିକ ପୃଷ୍ଠ-ଜଳସ୍ତର (ସରଫେସ୍‌ ୱାଟର) ହ୍ରାସର ଶିକାର ହୋଇ ଝାଉଁଳି ପଡୁଛନ୍ତି, ଯେଉଁଥିପାଇଁ ସହରର ସବୁଜ-ଆଚ୍ଛାଦନ ଆଉ ସବୁଜ ଦିଶୁନାହିଁ।
ମାଟି ମଣିଷର ମା’, ତା’ର ହିତୈଷୀ ବନ୍ଧୁ। ଯେ ଯାଏ ମଣିଷ, ମାଟି ପ୍ରତି ସମ୍ମାନଶୀଳ, ସମ୍ବେଦନଶୀଳ ବ୍ୟବହାର ପ୍ରଦର୍ଶନ ନ କରିଛି, ସେ ଯାଏ ଏ ଭୟାବହ ପ୍ରକ୍ରିୟାର ବିପରୀତୀକରଣ ସମ୍ଭବ ନୁହେଁ। ମୃତ୍ତିକାର ସୂକ୍ଷ୍ମ ଆର୍ତ୍ତନାଦକୁ ଶୁଣୁ ନ ଥିବା ମଣିଷକୁ ଭବିଷ୍ୟତରେ ତା’ର ଅନ୍ତିମ କ୍ଷଣରେ ଅବା ଅନ୍ତିମ କ୍ରିୟା ପାଇଁ ମୁଠାଏ ମାଟି ବା କାଦୁଅ ପେଣ୍ଡାଟିଏ ମିଳିବନି!
ପୂର୍ବତନ ଅଧ୍ୟକ୍ଷ, ଜେଲ ରୋଡ଼, ବାଲେଶ୍ୱର
ମୋ. :୯୪୩୭୩୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri