ରାସ୍ତା ହେଲାଣି ମୃତ୍ୟୁଯନ୍ତା

ଭୁବନେଶ୍ୱରରେ ଖାଲଖମା ରାସ୍ତା ଯୋଗୁ ଦୁର୍ଘଟଣା ଘଟି ଯୁବ ଡାକ୍ତର ଅମିତ ବିଶୋଇଙ୍କ ମୃତ୍ୟୁ ଘଟିଛି। ସେପ୍ଟେମ୍ବର ୨୩ ବିଳମ୍ବିତ ରାତିରେ ଡ୍ୟୁଟିସାରି ଫେରିବା ବେଳେ କଟକ ରୋଡ୍‌ ବମିଖାଲ ନିକଟରେ ତାଙ୍କ କାର୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। କ୍ଷତିଗ୍ରସ୍ତ ଗାଡ଼ିର ଛବି ଦେଖିଲେ ବୁଝାପଡ଼ୁଛି ଯେ, ସେହି ଗାଡ଼ିର ବେଗ ଦ୍ରୁତ ଥାଇପାରେ। ସମ୍ଭବତଃ ସେଥିପାଇଁ ଚାଳକ ନିୟନ୍ତ୍ରଣରେ ଆଣି ନ ପାରିବାରୁ ଗାଡ଼ିର ଧକ୍କା ହୋଇଥିଲା। ଲକ୍ଷ୍ମୀସାଗର ଥାନାରେ ଅମିତଙ୍କ ପିତା ଏତଲା ଦେବା ପରେ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି। କିନ୍ତୁ ଅମିତଙ୍କ କାର୍‌ ଖାଲରେ ପଡ଼ି ଉପରକୁ ଉଠି ଫୁଟ୍‌ ଓଭରବ୍ରିଜ ବିମ୍‌ରେ ଧକ୍କା ଖାଇଥିଲା ବୋଲି କୁହାଯାଉଛି। ଦୁର୍ଘଟଣା ସ୍ଥଳୀ ନିକଟ ରାସ୍ତାରେ ବୃହତ୍‌କାୟ ଖାଲଖମା ସବୁ ରହିଛି, ଯାହା ଏହି ଆଶଙ୍କାକୁ ମଜଭୁତ କରିଛି। ଏହି କାରଣକୁ ହୁଏତ ଘୋଡ଼ାଯାଇପାରେ କିନ୍ତୁ ବାସ୍ତବତାକୁ ସ୍ବୀକାର କରିବାକୁ ପଡ଼ିବ। ପୂର୍ବରୁ ମଧ୍ୟ ରାଜଧାନୀରେ ଖାଲଖମା ରାସ୍ତା ଅନେକ ଲୋକଙ୍କ ଜୀବନ ନେଇଥିବା ଦେଖାଯାଇଛି। କେବଳ ଭୁବନେଶ୍ୱର ନୁହେଁ, ଓଡ଼ିଶାର ଅନ୍ୟ ସହରଗୁଡ଼ିକରେ ସମାନ ଘଟଣା ଦେଖିବାକୁ ମିଳେ। କଟକରେ ମଧ୍ୟ ରାସ୍ତାରେ ଖାଲଖମା ହେବା କିମ୍ବା ପାଣି ଜମିବା କଥା ସମସ୍ତେ ଜାଣନ୍ତି। ଏଭଳି ସ୍ଥିତିରେ ଦୁର୍ଘଟଣା ଘଟିବା ସ୍ବାଭାବିକ। କିନ୍ତୁ ସ୍ମାର୍ଟସିଟି ଭୁବନେଶ୍ୱରର ଖାଲଖମାପୂର୍ଣ୍ଣ ରାସ୍ତା ପ୍ରମାଣ କରୁଛି, ଏହି ସହର କେତେ ସ୍ମାର୍ଟ। ଏହି ସହରରେ ଥିବା ରାସ୍ତା ପାର୍ଶ୍ୱର ନର୍ଦ୍ଦମାରେ ପଡ଼ି ଅନେକ ଲୋକଙ୍କ ଜୀବନ ବିଗତ ବର୍ଷଗୁଡ଼ିକରେ ଯିବାର ଖବର ବାରମ୍ବାର ଆସିଛି। ସହରର ବିଭିନ୍ନ ରାସ୍ତାରେ ଯେଉର୍ଁଭଳି ପାଣିର ସୁଅ ଛୁଟୁଛି ସେଥିରୁ ପରିସ୍ଥିତି ସହଜରେ ବୁଝି ହେଉଛି। ଯଦି ଏହି ପରିସ୍ଥିତି ଲାଗି ରହେ ତେବେ ହୁଏତ ଗାଡ଼ି ପରିବର୍ତ୍ତେ ଭୁବନେଶ୍ୱରର ରାଜରାସ୍ତାରେ ଡଙ୍ଗା ଚାଲିବ। ଏଭଳି ପରିସ୍ଥିତି କେବଳ ଭୁବନେଶ୍ୱର ଭିତରେ ସୀମିତ ରହିନାହିଁ। ୨୦୨୩ ମସିହାରେ ବିଳମ୍ବରେ ଆସିଥିବା ବର୍ଷାଋତୁ ପ୍ରମାଣ କରୁଛି ଯେ,ରାଜ୍ୟର ସହରାଞ୍ଚଳରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ରାସ୍ତାର ପରିସ୍ଥିତି ଅତ୍ୟନ୍ତ ଶୋଚନୀୟ।
ଦେଖାଯାଏ, ରାସ୍ତାରେ ଦୁର୍ଘଟଣା ଘଟିବା ପରେ ପୋଲିସ ଏହାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଦିଏ। ସବୁଠୁ ଚିନ୍ତାଜନକ ହେଉଛି, କୌଣସି ପରିସ୍ଥିତିରେ ପୋଲିସ ରାସ୍ତା ନିର୍ମାଣରେ ଜଡ଼ିତ ଇଞ୍ଜିନିୟର କିମ୍ବା ଠିକାଦାରଙ୍କୁ ଗିରଫ କରିବା ଦେଖାଯାଏ ନାହିଁ। ଖାଲଖମା ଯୋଗୁ ଘଟୁଥିବା ଦୁର୍ଘଟଣା ସକାଶେ ସମ୍ପୃକ୍ତ ରାସ୍ତାର ମରାମତି ଦାୟିତ୍ୱରେ ଥିବା କର୍ମକର୍ତ୍ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କେବେହେଲେ ଗ୍ରହଣ କରାଯାଇ ନାହିଁ। ମନେପଡ଼େ ସେହି ବମିଖାଲ ଫ୍ଲାଏ ଓଭର ଦୁର୍ଘଟଣା। ପ୍ରଥମେ ୨୦୧୭ ସେପ୍ଟେମ୍ବର ୧୦ରେ ଫ୍ଲାଏଓଭରରୁ ଏକ କଂକ୍ରିଟ ଖଣ୍ଡ ଭାଙ୍ଗିପଡ଼ିବା ଫଳରେ ତାହା ଦୁଇଜଣ ସ୍କୁଟର ଆରୋହୀଙ୍କ ଉପରେ ପଡ଼ିଥିଲା। ଏହି ଦୁଇଜଣ ଥିଲେ ବାପଝିଅ। ଦୁର୍ଘଟଣାରେ ବାପର ମୃତ୍ୟୁ ଘଟିଥିଲା। ପୁନର୍ବାର ସେହି ଫ୍ଲାଏ ଓଭରରୁ ୨୦୧୮ ମେ ୩ରେ ଏକ ଅଂଶ ଭୁଶୁଡ଼ିପଡ଼ିବା ଯୋଗୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ସାଧାରଣରେ ଅନେକ ପ୍ରତିବାଦ ସତ୍ତ୍ୱେ ସମ୍ପୃକ୍ତ ଠିକାଦାର ପଣ୍ଡା ଇନ୍‌ଫ୍ରାପ୍ରୋଜେକ୍ଟସ୍‌ ପ୍ରାଇଭେଟ ଲିମିଟେଡ୍‌ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ପୁନର୍ବାର ୧୩ ସେପ୍ଟେମ୍ବର ୨୦୨୩ରେ ବମିଖାଲ ଫ୍ଲାଏଓଭର ବ୍ରିଜ୍‌ରେ ବାଇକ ଦୁଘର୍ର୍ଟଣା ଘଟି ତଳକୁ ଖସିପଡ଼ି ଜଣଙ୍କର ମୃତ୍ୟୁ ହୋଇଥିଲା। କୁହାଯାଇପାରେ ରାସ୍ତାର ଓ୍ବାରେଣ୍ଟି ସମୟ ପରେ ଖାଲଖମା ପାଇର୍ଁ ଇଞ୍ଜିନିୟର ଓ ଠିକାଦାର ଦାୟୀ ନୁହନ୍ତି। କିନ୍ତୁ ଓ୍ବାରେଣ୍ଟି ମଧ୍ୟରେ ଖାଲଖମାରେ ପଡ଼ି ଦୁର୍ଘଟଣା ହେଲେ ମଧ୍ୟ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। କେହି ଉତ୍ତରଦାୟୀ ହେଉ ନ ଥିବାରୁ ରାସ୍ତା ନିର୍ମାଣରେ ଦୁର୍ନୀତି ଆକାଶଛୁଆଁ ହୋଇଗଲାଣି। ଗୋଟିଏ ପଟେ ମୋଟରଗାଡ଼ି ଏବଂ ଦୁଇଚକିଆ ଯାନଗୁଡ଼ିକର ଅହେତୁକ ସଂଖ୍ୟା ବୃଦ୍ଧି ସହିତ ଅତ୍ୟାଧୁନିକ ଗାଡ଼ି ରାଜ୍ୟରେ ବ୍ୟବହୃତ ହେଉଛି। ଅନ୍ୟ ପଟେ ଗାଡ଼ିଚାଳକମାନଙ୍କୁ ଏବଂ ରାସ୍ତାକଡ଼ର ପଥଚାରୀଙ୍କୁ ଆଧୁନିକ ରାସ୍ତାର ଉଚିତ ବ୍ୟବହାର ସମ୍ପର୍କରେ ତାଲିମ ଦେବାର କୌଣସି ବ୍ୟବସ୍ଥା ନାହିଁ। ଗୋଟିଏ ପଟେ ମର୍ସିଡିଜ୍‌ ଏବଂ ବିଏମ୍‌ଡବ୍ଲ୍ୟୁ ଗାଡ଼ି ଦ୍ରୁତଗତିରେ ଗଡୁଥିବା ବେଳେ ରାଜ୍ୟବାସୀ ସେଗୁଡ଼ିକୁ ଅଣଦେଖା କରି ରାଜରାସ୍ତାକୁ ନିଜର ବାରିପଟ ଭଳି ବ୍ୟବହାର କରୁଛନ୍ତି। ଟ୍ରାଫିକ ପୋଲିସବାହିନୀର ସଦସ୍ୟମାନେ କେବଳ ଛକରେ ନୀରବ ହୋଇ ଠିଆ ହେବା ବ୍ୟତୀତ ଅନ୍ୟ କୌଣସି ନିୟନ୍ତ୍ରଣ ସମ୍ପର୍କରେ ତାଲିମ ପାଇ ନ ଥିବା ଭଳି ମନେହୁଏ, ଯେଉଁଥିପାଇଁ ସବୁ ରାସ୍ତାରେ ଭୁଲ୍‌ ପାର୍ଶ୍ୱରେ ଗାଡ଼ି ଚଳାଇବା ଚାଳକଙ୍କୁ କେହି ଜଣେ ଅଟକାଇବାକୁ ଆଗେଇ ଆସୁନାହାନ୍ତି। ରାସ୍ତାରେ ଏହିଭଳି ଅରାଜକତା ବୃଦ୍ଧି ପାଇବାରେ ଲାଗିଛି ବୋଲି ଆଜି ସ୍ପଷ୍ଟ ବୁଝାପଡ଼ୁଛି। ଏଥିସହିତ ରାସ୍ତା ମରାମତି ହୋଇ ପାରୁ ନ ଥିବାରୁ ଦୁର୍ଘଟଣାଜନିତ ମୂଲ୍ୟବାନ ଜୀବନହାନି ବୃଦ୍ଧିପାଇବା ସ୍ବାଭାବିକ ଦୃଶ୍ୟ ହୋଇଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri