ଚିକିତ୍ସକ ଓ ଚିକିତ୍ସିତଙ୍କ ସମ୍ପର୍କ

ଡ. ଜୟଦେବ ସାହୁ

ସେଦିନ ଚୋରଟି ବୁର୍ଲାର ଜଣେ ଡାକ୍ତରଙ୍କ ଉଦ୍ଦେଶ୍ୟରେ ଚିଠିଟି ଲେଖି ଚୋରି କରିଥିବା ଦୁଇଚକିଆ ଯାନ ଉପରେ ରଖି ଦେଇଥିଲା। ଚିଠିରେ ଲେଖିଥିଲା, ”ଆଜ୍ଞା ଆପଣଙ୍କ ବାଇକ ବୋଲି ଜାଣି ନ ଥିଲି। ଆପଣ ଜଣେ ମହାନ୍‌ ଡାକ୍ତର। ଆପଣଙ୍କ ଯାନକୁ ମଁୁ ଚୋରି କରି ଅନୁତପ୍ତ।“ ଏହା ଚୋରଟିର ଜଣେ ଲୋକପ୍ରିୟ ଡାକ୍ତର ପ୍ରତି ଥିବା ସମ୍ମାନକୁ ପ୍ରତିପାଦନ କରେ। ଭାରତରେ ଡାକ୍ତର ନାରାୟଣଙ୍କ ଅନ୍ୟ ସ୍ବରୂପ। ସେଥିପାଇଁ କୁହାଯାଏ ‘ବୈଦ୍ୟ ନାରାୟଣ ହରିଃ।’ ଭାରତୀୟ ସମାଜ ଡାକ୍ତରଙ୍କୁ ଭଗବାନର ଆସନ ଦିଏ। ଡାକ୍ତରଙ୍କ ବିନା ସମାଜର କଳ୍ପନା କରାଯାଇ ନ ପାରେ। କଥାରେ ଅଛି ‘ଯେଉଁଠି ଡାକ୍ତର ନାହାନ୍ତି, ସେଠି ବାସକରିବା ଅନୁଚିତ।’ ଧନିକ ଶ୍ରୋତ୍ରିୟୋ ରାଜା ନଦୀ ବୈଦ୍ୟସ୍ତୁ ପଞ୍ଚମ, ପଞ୍ଚ ଯତ୍ର ନ ବିଦ୍ୟତେ ତତ୍ର ବାସଂ ନ କାରୟେତ। ଡାକ୍ତର ଆମର ଯତ୍ନ ନିଅନ୍ତି ଏବଂ ନୂତନ ଜୀବନ ପ୍ରଦାନ କରନ୍ତି। ପ୍ରତି ମା’ବାପାଙ୍କ ଇଚ୍ଛା ତାଙ୍କ ସନ୍ତାନ ସନ୍ତତି ଡାକ୍ତର ହୁଅନ୍ତୁ। ଦେଖାଯାଏ ଭଲ ପାଠ ପଢ଼ୁଥିବା ଛାତ୍ରୀଛାତ୍ର ହିଁ ଚିକିତ୍ସକ ହୁଅନ୍ତି। ମାନବ ସେବା କରିବା ପାଇଁ ସେମାନେ ସୁଯୋଗ ପାଆନ୍ତି। କିଛି ଡାକ୍ତର ଏହାକୁ ସେବା ଭାବରେ ଗ୍ରହଣ କରୁଥିବାବେଳେ ଆଉ କିଛି ଡାକ୍ତର ଏହାକୁ ପେସା ରୂପେ ଗ୍ରହଣ କରନ୍ତି। ଯେଉଁମାନେ ଡାକ୍ତରୀ ପାଠକୁ ସେବା ଭାବରେ ଗ୍ରହଣ କରନ୍ତି, ସେମାନେ ସମାଜରେ ଆଦୃତ ହୋଇଥାନ୍ତି।
ଓଡ଼ିଶା ସରକାର ଡାକ୍ତରମାନଙ୍କ ଗୁରୁତ୍ୱ ଉପଲବ୍ଧି କରି ବିନା ଦାବିରେ ଅବସର ବୟସସୀମା ୬୦ରୁ ୬୫ ବର୍ଷ କରିଛନ୍ତି। ଅନୁନ୍ନତ ଅଞ୍ଚଳରେ ନିଯୁକ୍ତି ପାଇଁ ପ୍ରୋତ୍ସାହନ ରାଶି ମଧ୍ୟ ଦେଉଅଛନ୍ତି। ଡାକ୍ତରଙ୍କ ଘରୋଇ ଚିକିତ୍ସା ଉପରେ ମଧ୍ୟ କଟକଣା କରାଯାଇନାହିଁ। ସରକାରଙ୍କ ଉଦ୍ଦେଶ୍ୟ ହେଲା ଜନତା ଠିକ୍‌ ଚିକିତ୍ସା ଲାଭ କରନ୍ତୁ। କିନ୍ତୁ ବିଡ଼ମ୍ବନାର ବିଷୟ ଏହି ଯେ, ସାଧାରଣ ଜନତା ଡାକ୍ତରଖାନାରେ ହଇରାଣ ହରକତ ହେଉଥିବା ଦେଖାଯାଉଛି। ଡାକ୍ତର ରୋଗୀର କଥା ଶୁଣିବା ଅବସ୍ଥାରେ ନ ଥାଆନ୍ତି। ଅନେକ ସମୟରେ ସରକାରୀ ଡାକ୍ତରଖାନାରେ ବି ହାତଗୁଞ୍ଜା ଦେବାକୁ ପଡ଼େ। ଯେଉଁ ଡାକ୍ତର ସରକାରୀ ଡାକ୍ତରଖାନାରେ ଠିକ୍‌ ଭାବେ କଥା ହୁଅନ୍ତି ନାହିଁ ସେ ଘରୋଇ ଡାକ୍ତରଖାନାରେ ସହାସ୍ୟ ବଦନରେ କଥା ହୁଅନ୍ତି ଏବଂ ରୋଗୀକୁ ସମୟ ଦିଅନ୍ତି। ସେଥି ପାଇଁ ଯାହା ପାଖରେ ଅର୍ଥ ଅଛି ସେ ଘରୋଇ ଡାକ୍ତରଖାନାକୁ ଯାଏ। ଅବଶ୍ୟ ସବୁ ଡାକ୍ତର ଯେ ଏମିତି, ଏହା କହିବା ଭୁଲ୍‌। ଏମିତି ବି ଡାକ୍ତର ଅଛନ୍ତି ଯେଉଁମାନେ ରୋଗୀ ସେବାକୁ ନିଜ ବ୍ରତ ଭାବରେ ଗ୍ରହଣ କରିଛନ୍ତି। ପୁଣେର ଡାକ୍ତର ଅଭିଜିତ ସୋନାଉଅନେ ଗରିବ ଲୋକଙ୍କ ସେବା ପାଇଁ ଅଗଷ୍ଟ ୧୫, ୨୦୧୫ରେ ଚାକିରିରୁ ଇସ୍ତଫା ଦେଇ ନିଜକୁ ଗରିବଙ୍କ ସେବାରେ ଉତ୍ସର୍ଗୀକୃତ କରିଛନ୍ତି। କଳାହାଣ୍ଡିରେ ଏମିତି ଜଣେ ଅବସରପ୍ରାପ୍ତ ଶିଶୁରୋଗ ବିଶେଷଜ୍ଞ ଅଛନ୍ତି, ଯିଏ ମାତ୍ର ପଚାଶ ଟଙ୍କାରେ ଏବେ ବି ରୋଗୀ ଚିକିତ୍ସା କରୁଛନ୍ତି। ଯାହା ପାଖରେ ପଇସା ନ ଥିବ ସେ ତାଙ୍କଠାରୁ ପଇସା ନ ନେଇ ତାଙ୍କୁ ମିଳିଥିବା ନମୁନା ଔଷଧ ବିତରଣ କରନ୍ତି। ଏମିତି ଡାକ୍ତରଙ୍କ ଅଭାବ ଆମ ଦେଶରେ ନାହିଁ।
ରୋଗୀ ଓ ଡାକ୍ତରଙ୍କ ସମ୍ପର୍କ ଅତି ପବିତ୍ର। ଡାକ୍ତର ରୋଗୀ ପାଇଁ ଭଗବାନ। ରୋଗୀର ଡାକ୍ତର ଉପରେ ଅଗାଧ ବିଶ୍ୱାସ ଓ ଭରସା। କୋଭିଡ୍‌-୧୯ ସମୟରେ ନିଜ ପ୍ରାଣକୁ ବାଜି ଲଗାଇ ଅନେକ ଡାକ୍ତର ରୋଗୀଙ୍କ ସେବାଶୁଶ୍ରୂଷା କଲେ। ସେଥିପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଗୁଡ଼ିକ ଡାକ୍ତରମାନଙ୍କ ପାଇଁ ଘଣ୍ଟି ବଜାଇ କରୋନା ଯୋଦ୍ଧା ଭାବରେ ସମ୍ମାନ ଜ୍ଞାପନ ନିମନ୍ତେ ଲୋକମାନଙ୍କୁ ଅନୁରୋଧ କଲେ। ସାରା ଦେଶ କରୋନା ଯୋଦ୍ଧାଙ୍କ ପାଇଁ ଏକ ହୋଇ ସମ୍ମାନ ଜ୍ଞାପନ କଲା। କିନ୍ତୁ ଏହି ସମୟରେ ଆଉ ଏକ ଦୃଶ୍ୟ ଦେଖାଗଲା। ରୋଗୀ ଓ ଡାକ୍ତରଙ୍କ ଭିତରେ ଏକ ଫାଟ ସୃଷ୍ଟି ହେଲା। କରୋନା ଭୟରେ ରୋଗୀ ଓ ଚିକିତ୍ସକଙ୍କ ଭିତରେ ଦୂରତା ବଢ଼ିଗଲା। ଅନ୍ୟ ରୋଗରେ ପୀଡ଼ିତଙ୍କ ଦୁଃଖ ବଢ଼ିଗଲା। ଅନେକେ ଠିକ୍‌ ସମୟରେ ଚିକିତ୍ସା ନ ପାଇ ମୃତ୍ୟୁବରଣ କଲେ। ରୋଗୀଙ୍କ ସମ୍ପର୍କୀୟ ଓ ଡାକ୍ତରଙ୍କ ଭିତରେ ବଚସା, ହିଂସାକୁ ପ୍ରୋତ୍ସାହନ କଲା। ଏକ ପବିତ୍ର ସମ୍ପର୍କରେ ଭଟ୍ଟା ପଡ଼ିଲା। ଏଥିରେ ଗୋଟିଏ ପକ୍ଷକୁ ଦୋଷ ଦିଆଯାଇ ନ ପାରେ। ରୋଗୀର ସମ୍ପର୍କୀୟମାନେ ଚିନ୍ତା କରିବା ଦରକାର ଯେ, ଡାକ୍ତରମାନେ ବି ମଣିଷ। ସେମାନଙ୍କର ବି ପରିବାର ଅଛି। ସବୁବେଳେ ରୋଗୀର ଆଶା ମୁତାବକ ସେବା ମିଳି ନ ପାରେ। ରୋଗୀଙ୍କ ସମ୍ପର୍କୀୟମାନେ ଉତ୍‌କ୍ଷିପ୍ତ ହୋଇ ହିଂସା ଆଚରଣ କରିବା ଅନୁଚିତ। ଏକ ଆକଳନରୁ ଜଣାଯାଏ ଯେ, ୭୫ ପ୍ରତିଶତ ଡାକ୍ତର ତାଙ୍କ କର୍ମସ୍ଥଳୀରେ ହିଂସାର ଶିକାର ହୋଇଛନ୍ତି। ଏହା ଜନସମାଜ ପାଇଁ ଏକ ଶୁଭଙ୍କର ଲକ୍ଷଣ ନୁହେଁ। ଅନେକ ସମୟରେ ରୋଗୀମାନେ ଡାକ୍ତରଙ୍କ ନାମରେ କୋର୍ଟର ଦ୍ୱାରସ୍ଥ ହୁଅନ୍ତି ଏବଂ କ୍ଷତିପୂରଣ ଦାବି କରନ୍ତି। ଏହା ରୋଗୀ ଓ ଚିକିତ୍ସକଙ୍କ ସମ୍ପର୍କକୁ ଆହୁରି ଖରାପ କରେ। ଊନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଡାକ୍ତରଙ୍କ ନାମରେ ମକଦ୍ଦମା କରିବା ଏକ ପ୍ରକାର ବିରଳ ଥିଲା। ଇଂଲଣ୍ଡରେ ଡାକ୍ତର ଯଦି ଠିକ୍‌ ଚିକିତ୍ସା କରିଛନ୍ତି ତେବେ ସେ କୌଣସି କ୍ଷତିପୂରଣ ଦେବେ ନାହିଁ। ଆମେରିକାରେ ଯେ କୌଣସି ଚିକିତ୍ସା ସମ୍ପର୍କରେ ଡାକ୍ତର ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇବେ ଏବଂ ତା’ପରେ ହିଁ ଚିକିତ୍ସା କରିବେ। ଏଥିରେ ଅବହେଳା କଲେ ଡାକ୍ତରଙ୍କୁ କ୍ଷତିପୂରଣ ଦେବାକୁ ପଡ଼ିବ। ଭାରତରେ ମଧ୍ୟ ରୋଗୀର ରୋଗ ସମ୍ପର୍କରେ ଜାଣିବାର ଅଧିକାର ଅଛି। କିନ୍ତୁ ବେଳେ ବେଳେ ଡାକ୍ତରଙ୍କ ମନମୁଖି କାରବାର ପାଇଁ ରୋଗୀ ହନ୍ତସନ୍ତ ହେବା କଥା ନଜରକୁ ଆସେ । ତେବେ ଡାକ୍ତରଙ୍କ ସୁରକ୍ଷା ପାଇଁ ଅନେକ କଡ଼ା ନିୟମ ଥିଲାବେଳେ ରୋଗୀଙ୍କ ହିତ ପାଇଁ ସେମିତି ଆଖିଦୃଶିଆ ନିୟମ ନାହିଁ।
ମାନବ ସେବା ହିଁ ମାଧବ ସେବା। ସେଥିପାଇଁ ଡାକ୍ତରଙ୍କ ଆସନ ଏବେ ବି ବହୁ ଉଚ୍ଚରେ। ବହୁ ଅତୀତରୁ ଡାକ୍ତରଙ୍କ ପ୍ରତି ଜନତାର ସମ୍ମାନ ଅତୁଟ ରହିଛି। ରୋଗୀ ସେବାକୁ ପ୍ରାଧାନ୍ୟ ଦେବା ପାଇଁ ଭାରତର ମହାମନୀଷୀମାନେ ଉପଦେଶ ଦେଇଛନ୍ତି। ରୋଗୀମାନଙ୍କୁ ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ ଭଗବାନ ଗୌତମ ବୁଦ୍ଧ ତାଙ୍କ ଶିଷ୍ୟମାନଙ୍କୁ ପରାମର୍ଶ ଦେଉଥିଲେ। ସମ୍ରାଟ ଅଶୋକ ମଧ୍ୟ ମଣିଷ ଓ ପଶୁଙ୍କ ସେବା କରିବା ନିମନ୍ତେ ସାମ୍ରାଜ୍ୟରେ ନିୟମ ପ୍ରଣୟନ କରିଥିଲେ। ପ୍ରାଚୀନ ଭାରତୀୟ ଚିକିତ୍ସକ ଚରକ ଥରେ କହିଥିଲେ, ”ଏକ ଭଲ ଚିକିତ୍ସକ ମା, ବାପା ଓ ଭାଇ ଭଳି ରୋଗୀକୁ ସ୍ନେହ କରି ଜୀବନ ଦାନ କରେ।“ ଏହି ସେବାର ମହାନତାକୁ ବଜାୟ ରଖିବା ପାଇଁ ଚିକିତ୍ସା ବିଜ୍ଞାନର ଜନକ ହିପୋକ୍ରେଟିସ ଡାକ୍ତରଙ୍କ ପାଇଁ ଶପଥପାଠ ଛାଡ଼ି ଯାଇଛନ୍ତି। ସବୁ ଡାକ୍ତରୀ ଛାତ୍ରମାନେ ଡାକ୍ତର ହେବା ପୂର୍ବରୁ ଏହି ଶପଥପାଠ କରିଥାନ୍ତି। ଶପଥ ପାଠରେ ଲେଖା ଅଛି, ମୁଁ ଜାତି, ଧର୍ମ, ବର୍ଣ୍ଣ, ଧନୀ, ଦରିଦ୍ର ନିର୍ବିଶେଷରେ ସମସ୍ତଙ୍କ ଯତ୍ନ ନେବି ଏବଂ ଗରିବ ଓ ଗୃହ ଶୂନ୍ୟଙ୍କ ପାଇଁ ମୋର କିଛି ସମୟ ବିନିଯୋଗ କରିବି। ଏହି ଶପଥପାଠକୁ ଯଦି ସବୁ ଡାକ୍ତର ପାଳନ କରନ୍ତି ତେବେ ରୋଗୀମାନେ ଅବହେଳିତ ହୋଇ ରହିବେ ନାହିଁ। ସେମାନଙ୍କ ଭଲ ବ୍ୟବହାର ରୋଗୀକୁ ଶୀଘ୍ର ଭଲ କରିବାରେ ସହାୟକ ହୁଏ। ତେଣୁ ଚିକିତ୍ସକ ମାନବବାଦୀ ହେବା ଅତ୍ୟନ୍ତ ଜରୁରୀ।
ଭବାନୀପାଟନା,
ମୋ- ୭୯୭୮୯୯୦୦୧୬


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri