ପାଶ୍ଚାତ୍ୟ ପାଇଁ ଅସଲି ପରୀକ୍ଷା

ଡାରୋନ୍‌ ଆକ୍‌ମୋଗ୍ଲୁ

ରୁଷିଆର ୟୁକ୍ରେନ୍‌ ଆକ୍ରମଣ ସମ୍ଭବତଃ ଯୋଜନା ଅନୁସାରେ ଯାଇପାରୁନାହିଁ ଓ ଉକ୍ତ ଯୁଦ୍ଧର ସବୁଠୁ ଖରାପ ପରିଣାମ ଆସିବାକୁ ବାକି ରହିଛି। ରୁଷିଆର ବିଭିନ୍ନ ସଂସ୍ଥା ଏବଂ ଗୋଷ୍ଠୀତନ୍ତ୍ର ସରକାରର ମୁଷ୍ଟିମେୟ ବ୍ୟକ୍ତିମାନଙ୍କ ବିରୋଧରେ ପାଶ୍ଚାତ୍ୟ ବ୍ୟାପକ ଆର୍ଥିକ କଟକଣା ଲଗାଇଛି ବୋଲି ଅନେକେ ଭାବୁଥିଲେ ବି ବାସ୍ତବରେ ସେମାନେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଶାସନର ପାଶ୍ଚାତ୍ୟରେ ଥିବା ମୂଳ ଆଧାରକୁ ଟାର୍ଗେଟ କରିନାହାନ୍ତି। ପୁଟିନଙ୍କ କ୍ଷମତାର ଆଧାର ହେଉଛି ସ୍ବେଚ୍ଛାଚାର ଏବଂ ସରକାରରେ ଥିବା ମୁଷ୍ଟିମେୟ ରାଜନୈତିକ ପ୍ରଭାବଶାଳୀ ଧନୀ ବର୍ଗର ବ୍ୟକ୍ତିମାନେ। ପ୍ରକୃତରେ ଜଣେ ସ୍ବେଚ୍ଛାଚାରୀ ଯେମିତି ଚାହେଁ ଦେଶକୁ ସେମିତି ଶାସନ କରେ ଏବଂ ତାଙ୍କ ମେଣ୍ଟକୁ ସମୃଦ୍ଧ କରେ। ସେ ଦେଶର ପ୍ରାକୃତିକ ସଂସାଧନଗୁଡ଼ିକରୁ କିମ୍ବା ଏକଚାଟିଆ କ୍ଷମତା ବଳରେ ବିପୁଳ ଧନ ସମ୍ପତ୍ତି ଠୁଳ କରିଥାଏ। ମୁଷ୍ଟିମେୟ ଧନୀମାନଙ୍କର ଧନ ସମ୍ପତ୍ତି ବୃଦ୍ଧି ପାଇଲେ ବି ସ୍ବେଚ୍ଛାଚାରୀ କ୍ଷମତା କିପରି ସେମାନଙ୍କ ସମ୍ପତ୍ତି ଜବତ କରେ ଓ ସେମାନଙ୍କ ପରିବାରର କ୍ଷତି କରିଥାଏ , ସେ ସମ୍ପର୍କରେ ସେମାନେ ଅବଗତ ଥାଆନ୍ତି। ସେମାନଙ୍କ ସମ୍ମୁଖରେ ଦୁଇଟି ବିକଳ୍ପ ରହିଥାଏ। ପ୍ରଥମଟି ହେଲା, ସ୍ବେଚ୍ଛାଚାରକୁ ରୋକିବା ଲାଗି ମୌଳିକ ଓ ବୈଧାନିକ ସଂସ୍ଥାଗୁଡ଼ିକର ବିକାଶ କରିବା। ଏପରି କି ଢାଞ୍ଚାଗତ ସଂସ୍କାର ସକାଶେ ପଥ ସହଜ କରିବା। ଦ୍ୱିତୀୟ ବିକଳ୍ପ ହେଉଛି, ସେମାନଙ୍କ ସମ୍ପତ୍ତି ଓ ପରିବାରକୁ ବିଦେଶକୁ ଫଠାଇବା। ରୁଷିଆର ଧନୀ ବ୍ୟବସାୟୀ ମିଖାଇଲ ଖୋଡୋରକୋଭସ୍କିଙ୍କୁ ଯେଭଳି ପୁଟିନ ୨୦୦୦ ଦଶନ୍ଧିର ପ୍ରାରମ୍ଭରେ ବନ୍ଦୀ କରି ତାଙ୍କ ସମ୍ପତ୍ତି ଜବତ କରିବା ସହ ଦେଶାନ୍ତର କରିଥିଲେ ସେଭଳି ସ୍ଥିତିର ସମ୍ମୁଖୀନ ନ ହେବା ଲାଗି ସେମାନେ ଏଭଳି ପଥ ଆପଣାଇଥାଆନ୍ତି।
ରୁଷିଆର ବହୁ ରାଜନୈତିକ ପ୍ରଭାବଶାଳୀ ଧନୀ ବ୍ୟବସାୟୀମାନେ ଦ୍ୱିତୀୟ ବିକଳ୍ପକୁ ଗ୍ରହଣ କରି ଲାଭ ଉଠାଇଛନ୍ତି। ପାଶ୍ଚାତ୍ୟ ଦେଶଗୁଡ଼ିକର ଦୁଇ ପ୍ରକାର ସହାୟତା ଦ୍ୱାରା ଏହା ସମ୍ଭବ ହୋଇଛି। ପ୍ରଥମତଃ ପାଶ୍ଚାତ୍ୟ ବ୍ୟାଙ୍କିଙ୍ଗ୍‌ ସିଷ୍ଟମ୍‌ ସେମାନଙ୍କ କଳାଧନକୁ ବିଦେଶରେ ଜମା କରିବା ପାଇଁ ସୁଯୋଗ ଦେଉଛି। ଲଣ୍ଡନ, ସୁଇଜର୍‌ଲାଣ୍ଡ, ଲକ୍ସେମ୍‌ବର୍ଗ, ସାଇପ୍ରସ୍‌, ଜର୍ସି, ବହାମାସ୍‌ ଏବଂ କେମ୍ୟାନ ଦ୍ୱୀପ ଭଳି ଅନେକ ଛୋଟ ଛୋଟ ଦେଶ ବହୁ ବର୍ଷ ଧରି ମୁଷ୍ଟିମେୟ ଧନୀ ତଥା ରାଜନୈତିକ ବ୍ୟକ୍ତିିମାନଙ୍କ ଇଚ୍ଛାପୂରଣ କରୁଛନ୍ତି। ୟୁରୋପିଆନ୍‌ ବ୍ୟାଙ୍କଗୁଡ଼ିକ ମଧ୍ୟ ଏହି ପ୍ରକ୍ରିୟାରେ ଭାଗ ନେଇ ଆସୁଛନ୍ତି। କେବଳ ଏତିକି ନୁହେଁ, ଆମେରିକାର ଆର୍ଥିକ ବ୍ୟବସ୍ଥା ସେଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଯୋଗାଇଦେଇଛି। ଦ୍ୱିତୀୟରେ ପାଶ୍ଚାତ୍ୟ ଅର୍ଥ ବ୍ୟବସ୍ଥାଗୁଡ଼ିକ ଏହିସବୁ ଧନୀ ପରିବାରକୁ ସେମାନଙ୍କ ପୁଞ୍ଜି ବ୍ୟବସ୍ଥାରେ ଅଂଶୀଦାର ହେବା ଲାଗି ଅମନ୍ତ୍ରଣ କରେ। ସେମାନଙ୍କୁ ସମ୍ପତ୍ତି କିଣିବା (ବହୁ ସମୟରେ ଟ୍ରଷ୍ଟ ଏବଂ କାଗଜକଲମରେ ସୀମିତ ଥିବା କମ୍ପାନୀ ମାଧ୍ୟମରେ) ଏବଂ ସେମାନଙ୍କ ପିଲାମାନଙ୍କୁ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବାକୁ ଅନୁମତି ଦେଇଥାଏ।
ଏହା ଗ୍ରହଣ କରିବା ଯୁକ୍ତିଯୁକ୍ତ ଯେ, ଯଦି ରୁଷିଆର ରାଜନୈତିକ ପ୍ରଭାବସମ୍ପନ୍ନ ଧନୀମାନଙ୍କ ପାଇଁ ପାଶ୍ଚାତ୍ୟର ଆର୍ଥିକ ସୁନା ଯନ୍ତାର ଦ୍ୱାର ଖୋଲା ରହି ନ ଥାଆନ୍ତା ତେବେ ଏକ ସ୍ବେଚ୍ଛାଚାରୀ ବା ଏକଚ୍ଛତ୍ରବାଦୀ ବ୍ୟକ୍ତିତ୍ୱ ପ୍ରତିଷ୍ଠା କରିବାରେ ପୁଟିନଙ୍କ ଶକ୍ତିକୁ ସଙ୍କୁଚିତ କରାଯାଇପାରିଥାଆନ୍ତା। ରୁଷିଆ ବ୍ୟତୀତ ଗଲ୍‌ଫଦେଶସମୂହ, ଚାଇନା, ଭାରତ, ତୁର୍କୀ, କେତେକ ଲାଟିନ ଆମେରିକୀୟ ଦେଶ ଏବଂ ୟୁକ୍ରେନ ଭଳି ଦେଶର ଅତି ଧନୀ ବ୍ୟକ୍ତିବିଶେଷମାନେ ସେମାନଙ୍କ କଳାଧନ ଓ ସମ୍ପତ୍ତିକୁ ସୁରକ୍ଷିତ ରଖିବା ସକାଶେ ପାଶ୍ଚାତ୍ୟ ଆର୍ଥିକ ସଂସ୍ଥା ଏବଂ ସରକାରଗୁଡ଼ିକର ଆପରାଧିକ ପ୍ରକ୍ରିୟାରେ ଭାଗୀଦାରି ହୋଇଛନ୍ତି। ଏହି ସବୁ ବ୍ୟବସ୍ଥା କେବଳ ରୁଷିଆ ଏବଂ ଅନ୍ୟ ଦେଶରେ ସ୍ବେଚ୍ଛାଚାରୀ ସରକାରଗୁଡ଼ିକୁ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିନାହିଁ, ବରଂ ସେମାନେ ପାଶ୍ଚାତ୍ୟ ଆର୍ଥିକ ସଂସ୍ଥା ଓ ଅର୍ଥ ବ୍ୟବସ୍ଥାଗୁଡ଼ିକୁ ସମ୍ପୂର୍ଣ୍ଣ ପ୍ରଭାବିତ କରିଛନ୍ତି। ଅତି ଧନୀ ବ୍ୟକ୍ତିବିଶେଷଙ୍କ ଅର୍ଥର ନଗଦ କାରବାର ଆର୍ଥିକ ବଜାରକୁ ପରିବର୍ତ୍ତନ କରିଦେଇଛି। ଆର୍ଥିକ ମଧ୍ୟସ୍ଥତାର ସ୍ବରୂପକୁ ବଦଳାଇବା ସହ ବୈଶ୍ୱିକ ଅସନ୍ତୁଳନତା ବୃଦ୍ଧି କରିଛି। ବିଶ୍ୱର ବିଭିନ୍ନ ଦେଶରୁ ପ୍ରଚୁର ଅର୍ଥ ପ୍ରବାହ ଯୋଗୁ ୧୯୯୦ ପରଠାରୁ ଆମେରିକା, ଇଂଲଣ୍ଡ ଏବଂ ଅନ୍ୟ ପାଶ୍ଚାତ୍ୟଦେଶଗୁଡ଼ିକରେ କରେଣ୍ଟ ଆକାଉଣ୍ଟ ଡେଫିସିଟି ଲାଗିରହିଛି । ଏହାର ତିନି ଦଶନ୍ଧି ପରେ ଅନ୍ତର୍ଜାତୀୟ ଅର୍ଥ ବ୍ୟବସ୍ଥାରେ କଳା ଟଙ୍କା ଢେର ବଢିଯାଇଛି। ୟୁନିଭର୍ସିଟି ଅଫ୍‌ କାଲିଫର୍ଡ଼ିଆର ଗାବ୍ରିଏଲ୍‌ ଜୁକ୍‌ମ୍ୟାନ ଆକଳନ କରିଛନ୍ତି ଯେ, ବୈଶ୍ୱିକ ଆର୍ଥିକ ସମ୍ପତ୍ତିର ଅନୂ୍ୟନ ୮% ( ୭.୫ ଟ୍ରିଲିୟନରୁ ଅଧିକ ଡଲାର) ଏବେ ଟ୍ୟାକ୍ସ ହେଭେନ (ଯେଉଁ ଅର୍ଥ ବ୍ୟବସ୍ଥାରେ ବିଦେଶୀ ନିବେଶକଙ୍କ ପାଇଁ କମ୍‌ ଟ୍ୟାକ୍ସ ବ୍ୟବସ୍ଥା ରହିବା ସହ ଆର୍ଥିକ ଗୋପନୀୟତା ରକ୍ଷା କରାଯାଇଥାଏ)ରେ ରହିଛି। ଏହି ପରିମାଣରେ ପାଶ୍ଚାତ୍ୟ ଅର୍ଥ ବ୍ୟବସ୍ଥାରେ ରହିଥିବା କଳାଟଙ୍କା ଏଥିତ୍ରେ ସାମିଲ ନୁହେଁ। ଯଦି ଏସବୁ ହିସାବ କରାଯାଏ ତେବେ କଳାଟଙ୍କାର ଏକ ବଡ଼ ଅଂଶ ହିଁ ସ୍ବେଚ୍ଛାଚାରୀ ବା ଏକଚ୍ଛତ୍ରବାଦୀ ବ୍ୟକ୍ତି ବା ସରକାରଗୁଡ଼ିକର ରହିଛି। ଜୁକ୍‌ମ୍ୟାନ ଜାଣିବାକୁ ପାଇଛନ୍ତି ଯେ, ରୁଷିଆରେ ସମସ୍ତ ହାଉସ ହୋଲ୍‌ଡ ଓ୍ବେଲ୍‌ଥର ପ୍ରାୟ ୫୨% ଏବଂ ଏପରିକି ଗଲ୍ଫ ଦେଶଗୁଡ଼ିକର ଏହାଠାରୁ ଅଧିକ ପ୍ରତିଶତ ଅନ୍ୟ ଦେଶର ଆର୍ଥିକ ସଂସ୍ଥାଗୁଡ଼ିକରେ ରହିଛି।
ଅର୍ଥ ବ୍ୟବସ୍ଥାରେ ଏଭଳି ବେଆଇନ ପୁଞ୍ଜି ପ୍ରବାହ ବିଶ୍ୱରେ ସାମାଜିକ ଓ ରାଜନୈତିକ ସମସ୍ୟା ବଢାଇଦେଇଛି। ସମ୍ଭବତଃ ବେଆଇନ ଆର୍ଥିକ ପ୍ରବାହ ଯୋଗୁ ବର୍ଷେ କି ଦୁଇ ବର୍ଷ ହେବ ପାଶ୍ଚାତ୍ୟ ଶେୟାର ବଜାର ଉଚ୍ଚ ରହିଛି ଓ ଧନୀମାନଙ୍କୁ ଆହୁରି ଲାଭ ଦେଇଛି। ପାଶ୍ଚାତ୍ୟ ଗ୍ରହଣ କରୁଥିବା କଳାଟଙ୍କା ବ୍ୟବସାୟିକ ସଂସ୍ଥାର ମାଲିକମାନଙ୍କୁ ଓ ଟ୍ରଷ୍ଟଗୁଡ଼ିକର ଟ୍ୟାକ୍ସ ଫାଙ୍କିବା ଧାରାକୁ ଗତିଶୀଳ କରିଛି। ଏହା ପଛରେ ବ୍ୟାଙ୍କର, ଆକାଉଣ୍ଟାଣ୍ଟ ଏବଂ ଲୟରମାନଙ୍କ ସହଯୋଗ ବି ରହୁଛି। ସେହିପରି ପାନାମା ପେପର୍ସ ଏବଂ ପରେ ପାଣ୍ଡେରା ପେପର୍ସ ଦର୍ଶାଇଛି ଯେ,ବାହାର ଦେଶରେ କଳା ଟଙ୍କା ଠୁଳ କରି ଟ୍ୟାକ୍ସ ଫାଙ୍କିବା ଏଭଳି ହେଉଛି ଯାହା କି ବିଶ୍ୱାସ ବାହାରେ। ବିଶ୍ୱର ହଜାର ହଜାର ବ୍ୟବସାୟୀ, ରାଜନେତା ଏବଂ ସେଲିବ୍ରିଟି ବାହାର ଦେଶରେ କଳାଟଙ୍କା ଠୁଳ କରିବାରେ ଲିପ୍ତ ରହିଛନ୍ତି। ଏହି ସବୁ ବ୍ୟବସ୍ଥା ପାଶ୍ଚାତ୍ୟ ଗଣତନ୍ତ୍ର ଓ ଆର୍ଥିକ ସଂସ୍ଥାଗୁଡ଼ିକ ଉପରେ ଏକ କଳଙ୍କ ଲଗାଇଛି। ବିଶ୍ୱର ଏକଚ୍ଛତ୍ରବାଦୀ ତଥା ଲୋକଙ୍କ ଟଙ୍କାରେ ଧନୀ ତଥା ସ୍ବେଚ୍ଛାଚାରୀ ପାଲଟିଥିବା ବ୍ୟକ୍ତି ବା ସରକାର ପାଶ୍ଚାତ୍ୟ ଅର୍ଥ ବ୍ୟବସ୍ଥାରେ ପ୍ରଚୁର କଳାଟଙ୍କା ଠୁଳ କରୁଥିବା ଏବଂ ଏଥିତ୍ରେ ପାଶ୍ଚାତ୍ୟ ଆଭିଜାତ୍ୟବର୍ଗ ସାମିଲ ରହିବା ଯୋଗୁ ପାଶ୍ଚାତ୍ୟ ସରକାରଗୁଡ଼ିକ ଧନୀମାନଙ୍କଠାରୁ ଟ୍ୟାକ୍ସ ସଂଗ୍ରହ କରିବାକୁ ଅକ୍ଷମ ହେଉଛନ୍ତି। ଫଳରେ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଏବଂ ସେବା କ୍ଷେତ୍ରଗୁଡ଼ିକ ପଛେଇ ଯିବା ସହ ଅସମାନତା ତୀବ୍ର ହୋଇଛି।
ୟୁକ୍ରେନ ବିରୋଧରେ ପୁଟିନଙ୍କ ଯୁଦ୍ଧ ପାଶ୍ଚାତ୍ୟ ରାଜନେତାମାନଙ୍କୁ ଏକ ଝଟକା ଦେଇଛି। ସେମାନେ କଠୋର ବାଣିଜି୍ୟକ କଟକଣା ସମର୍ଥନରେ ବାହାରିଛନ୍ତି। ଅଧିକାଂଶ ରୁଷିଆନ ବ୍ୟାଙ୍କକୁ ଏସ୍‌ଡବ୍ଲ୍ୟୁଆଇଏଫ୍‌ଟି ଫାଇନାନ୍ସିିଆଲ ମେସେଜିଂ ସିଷ୍ଟମ୍‌ରୁ ବାହାର କରିବା ସହ ରୁଷିଆନ ସେଣ୍ଟ୍ରାଲ୍‌ ବ୍ୟାଙ୍କର ଫରେନ୍‌ ଏକ୍ସଚେଞ୍ଜ ହୋଲଡିଂର ସିଂହଭାଗ ଅଚଳ କରିଦେଇଛନ୍ତି। କିନ୍ତୁ ଏବେ ପ୍ରଚଳିତ ଅର୍ଥ ବ୍ୟବସ୍ଥାର ଏକ ପ୍ରମୁଖ ବିଷୟ ଭାବେ ଉଭା ହୋଇଛି ଟିକସ ଫାଙ୍କି । ଏହାକୁ ରୋକିବା ଏବଂ କଳାଟଙ୍କାକୁ ନିୟନ୍ତ୍ରଣ ଲାଗି ଆହୁରି ଅଧିକ ସାହସ ଦରକାର। ତେବେ ଏହି ଧାରାକୁ ପରିବର୍ତ୍ତନ କରିବାକୁ ହେବ। ସେମାନଙ୍କ ଲାଗି ଏହା ଏକ ଅସଲି ପରୀକ୍ଷା। ପାଶ୍ଚାତ୍ୟ ନୀତିନିର୍ଦ୍ଧାରକମାନେ ଟ୍ୟାକ୍ସ ଫାଙ୍କିବା ଉପରେ ଲଗାମ ଲଗାଇ ପାରିବେ। ଏହା ହେଲେ ସେମାନେ ଦେଶରେ ନୂଆ ଭିତ୍ତିଭୂମି ଓ ସାମାଜିକ ଯୋଜନା ପାଇଁ ଅଧିକ ଟିକସ ସଂଗ୍ରହ କରି ପାରିବେ। ଯଦି ଭଲ କାମ ମାଧ୍ୟମରେ ପାଶ୍ଚତ୍ୟ ଇତିହାସରେ ନିଜକୁ ଦେଖିବାକୁ ଚାହଁୁଛି ତେବେ କେବଳ ରୁଷିଆକୁ ଟାର୍ଗେଟ କରିବା ଯଥେଷ୍ଟ ହେବ ନାହିଁ, ବରଂ ନିଜ ଭ୍ରଷ୍ଟାଚାର ଦୂର କରିବାକୁ ପଡ଼ିବ।
ପ୍ରାଧ୍ୟାପକ( ଅର୍ଥନୀତି), ମାସାଚ୍ୟୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍‌ନୋଲୋଜି


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri