ନୂଆଦିଲ୍ଲୀ, ୧।୧୧: ଭାରତ, ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀମାନେ ଶନିବାର ଆଟଲାଣ୍ଟାଠାରେ ଇଣ୍ଡୋ-ପାସିଫିକ୍ ଅଞ୍ଚଳ ପାଇଁ ପାରସ୍ପରିକ ପ୍ରାଥମିକତାଗୁଡ଼ିକୁ ବାସ୍ତବତାରେ ପରିଣତ କରିବା ଦିଗରେ ହୋଇଥିବା ପ୍ରଗତିର ସମୀକ୍ଷା କରିଛନ୍ତି। ଆସନ୍ତା ମାସରେ ଫିଲିପାଇନ୍ସରେ କ୍ୱାଡ ଶୀର୍ଷ ସମ୍ମିଳନୀ ଆୟୋଜନ କରିବାର ଯୋଜନା ମଧ୍ୟରେ ଏହି ବୈଠକ ହୋଇଛି।
ଆଟଲାଣ୍ଟାଠାରେ ଆୟୋଜିତ ଜି୨୦ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ ଅବସରରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ଜାପାନର ବୈଦେଶିକ ମନ୍ତ୍ରୀ ତୋଶିମିତ୍ସୁ ମୋତେଗି ଏବଂ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ୱଙ୍ଗଙ୍କ ସହ ସାକ୍ଷାତ କରିଛନ୍ତି। ଏହି ଅବସରରେ ଆମେରିକା, ଭାରତ, ଜାପାନ ଏବଂ ଅଷ୍ଟ୍ରେଲିଆ ଆଞ୍ଚଳିକ ସ୍ତରରେ ଚାଇନାର ବଢ଼ୁଥିବା ଆର୍ଥିକ ଓ ରଣନୈତିକ ପ୍ରଭାବର ମୁକାବିଲା ପାଇଁ ପ୍ରୟାସକୁ ଜୋରଦାର କରିଛନ୍ତି। ଏହି ଚାରି ଦେଶ ଦୁର୍ବଳ ବିଶ୍ୱ ଯୋଗାଣ ଶୃଙ୍ଖଳା ଉପରେ ରଣନୈତିକ ନିର୍ଭରଶୀଳତା ହ୍ରାସ କରିବା, ଆର୍ଥିକ ବାଧ୍ୟବାଧକତାର ମୁକାବିଲା କରିବା ଏବଂ ସମଗ୍ର ଇଣ୍ଡୋ-ପାସିଫିକ ଅଞ୍ଚଳରେ ସାମୁଦ୍ରିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ନିଜର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ଶନିବାର ଆଟଲାଣ୍ଟାଠାରେ ମିଳିତ ବୈଠକ କରି ୪ ଦେଶର ବୈଦେଶିକ ମନ୍ତ୍ରୀମାନେ ଏକ ମୁକ୍ତ ଏବଂ ଖୋଲା ଇଣ୍ଡୋ-ପାସିଫିକ ଅଞ୍ଚଳ ପାଇଁ ନିଜ ସଂକଳ୍ପକୁ ଦୋହରାଇଛନ୍ତି। ସେମାନେ ଆର୍ଥିକ ସୁରକ୍ଷା, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଉନ୍ନତ ପ୍ରଯୁକ୍ତିବିଦ୍ୟା ଏବଂ ସାମୁଦ୍ରିକ ସହଯୋଗକୁ ସେମାନଙ୍କର ବର୍ଦ୍ଧିତ କାର୍ଯ୍ୟସୂଚୀର କେନ୍ଦ୍ରବିନ୍ଦୁରେ ରଖିଛନ୍ତି। ତେବେ ମିଳିତ ବିବୃତିରେ ଶୀର୍ଷ ସମ୍ମିଳନୀ ପାଇଁ କୌଣସି ସମୟସୀମା ଉଲ୍ଲେଖ କରାଯାଇ ନାହିଁ।
ଯଦିଓ ମିଳିତ ବିବୃତିରେ ଚାଇନର ନାମ ସ୍ପଷ୍ଟ ଭାବେ ନିଆଯାଇ ନାହିଁ, ତଥାପି ଏହାର ଭାଷା ଗୁରୁତ୍ୱପୂର୍ଣ୍ଣ ଯୋଗାଣ ଶୃଙ୍ଖଳାରେ ବେଜିଂର ପ୍ରଭାବ, ଶିଳ୍ପ କ୍ଷେତ୍ରରେ ଅତ୍ୟଧିକ ଉତ୍ପାଦନ, ରପ୍ତାନି କଟକଣା ଏବଂ ଦିନକୁ ଦିନ ବଢ଼ୁଥିବା ଆକ୍ରମଣାତ୍ମକ ଆଞ୍ଚଳିକ ମନୋଭାବକୁ ନେଇ କ୍ୱାଡ ସଦସ୍ୟମାନଙ୍କ ମଧ୍ୟରେ ଥିବା ଦୀର୍ଘଦିନର ଚିନ୍ତାକୁ ସ୍ପଷ୍ଟ କରୁଛି। ବୈଠକ ପରେ ଜାରି ମିଳିତ ବିବୃତିରେ ମନ୍ତ୍ରୀମାନେ ଆର୍ଥିକ ବାଧ୍ୟବାଧକତା, ମନମୁଖି ରପ୍ତାନି କଟକଣା ଏବଂ ଅଣ-ବଜାର ନୀତି ଓ କାର୍ଯ୍ୟକଳାପ ଯାହା ଅତ୍ୟଧିକ ଉତ୍ପାଦନ ସୃଷ୍ଟି କରି ଗୁରୁତ୍ୱପୂର୍ଣ୍ଣ ଶିଳ୍ପଗୁଡ଼ିକରେ ବିଶ୍ୱ ଯୋଗାଣ ଶୃଙ୍ଖଳାକୁ ବାଧାପ୍ରାପ୍ତ କରେ ସେ ସମ୍ପର୍କରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ମେରେ ଘୋଷଣା କରାଯାଇଥିବା ‘କ୍ୱାଡ କ୍ରିଟିକାଲ ମିନେରାଲ୍ସ ଇନିସିଏଟିଭ’କୁ ଆଗକୁ ବଢ଼ାଇ ୪ଦେଶ କୌଣସି ଗୋଟିଏ ଯୋଗାଣକାରୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ପୁନଃଚକ୍ରଣ ଏବଂ ରିକଭରି ନେଟୱର୍କକୁ ମଜଭୁତ କରିବାକୁ ସହମତ ହୋଇଛନ୍ତି।

