ଓ୍ବାଶିଂଟନ, ୧।୧୧: ୨୯ ଅକ୍ଟୋବର ୨୦୨୬ ସୁଦ୍ଧା ଉପଲବ୍ଧ ଫେଡେରାଲ ଇଲେକ୍ସନ କମିଶନ ତଥ୍ୟ ଅନୁଯାୟୀ କୋଟିପତି ଶିଳ୍ପୋଦ୍ୟୋଗୀ ଏଲନ୍ ମସ୍କ ୨୦୨୫ରୁ ରିପବ୍ଲିକାନ-ସମର୍ଥିତ ରାଜନୈତିକ ଆକ୍ସନ କମିଟି ଏବଂ ରାଜନୈତିକ ସଂଗଠନଗୁଡ଼ିକୁ ୪୪୫.୭୭ ମିଲିୟନ ଡଲାର ପ୍ରଦାନ କରିଛନ୍ତି। ଏହି ଆର୍ଥିକ ଅବଦାନ ଆମେରିକା ରାଜନୀତିରେ ମସ୍କଙ୍କ ବଢ଼ୁଥିବା ସମ୍ପୃକ୍ତି ଏବଂ ୨୦୨୬ ଆମେରିକା ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ପୂର୍ବରୁ ରିପବ୍ଲିକାନ ରାଜନୈତିକ ସଂଗଠନଗୁଡ଼ିକ ପ୍ରତି ତାଙ୍କର ସମର୍ଥନକୁ ଦର୍ଶାଉଛି। ମସ୍କଙ୍କ ରାଜନୈତିକ ପାଣ୍ଠିର ଏକ ପ୍ରମୁଖ ଅଂଶ ‘ଆମେରିକା ପିଏସି’କୁ ଯାଇଛି, ଯାହା ରିପବ୍ଲିକାନ ପ୍ରାର୍ଥୀ ଏବଂ ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟକଳାପକୁ ସମର୍ଥନ କରିବା ପାଇଁ ମସ୍କଙ୍କ ଦ୍ୱାରା ପ୍ରତିଷ୍ଠିତ ଏକ ରାଜନୈତିକ ଆକ୍ସନ କମିଟି। ଏହି ସଂଗଠନ ତାଙ୍କଠାରୁ ପ୍ରାୟ ୨୧୬ ମିଲିୟନ ଡଲାର ପାଇଛି। ଏହାର କାର୍ଯ୍ୟକଳାପ ମଧ୍ୟରେ ରାଜନୈତିକ ବିଜ୍ଞାପନ, ଭୋଟରଙ୍କ ନିକଟରେ ପହଞ୍ଚତ୍ବା, ମେସେଜ ମାଧ୍ୟମରେ ପ୍ରଚାର ଏବଂ ନିର୍ବାଚନୀ ଅଂଶଗ୍ରହଣକୁ ପ୍ରଭାବିତ କରିବା ସହ ପ୍ରତିଯୋଗିତାମୂଳକ ନିର୍ବାଚନରେ ରିପବ୍ଲିକାନ ପ୍ରାର୍ଥୀମାନଙ୍କୁ ସମର୍ଥନ କରିବା ପାଇଁ ଅନ୍ୟାନ୍ୟ ପ୍ରୟାସ ସାମିଲ ରହିଛି। ଅନ୍ୟ ଏକ ପ୍ରମୁଖ ପାଣ୍ଠି ପ୍ରାପ୍ତକାରୀ ସଂଗଠନ ହେଉଛି ‘ସିନେଟ ଲିଡରସିପ ଫଣ୍ଡ’, ଯାହା ଆମେରିକା ସିନେଟେରେ ରିପବ୍ଲିକାନ ପ୍ରାର୍ଥୀମାନଙ୍କୁ ଆସନ ଜିତିବାରେ ସାହାଯ୍ୟ କରିବା ଉପରେ କେନ୍ଦ୍ରୀଭୂତ ଏକ ରିପବ୍ଲିକାନ-ସମର୍ଥିତ ସୁପର ପିଏସି। ଏହାକୁ ମସ୍କ ପ୍ରାୟ ୧୬୮ ମିଲିୟନ ଡଲାର ପ୍ରଦାନ କରିଛନ୍ତି। ଏହା ବ୍ୟତୀତ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭସ୍ସ ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ରିପବ୍ଲିକାନ ପ୍ରାର୍ଥୀମାନଙ୍କୁ ସମର୍ଥନ କରୁଥିବା ‘କଂଗ୍ରେସନାଲ ଲିଡରଶିପ ଫଣ୍ଡ’ ସହିତ ଅନ୍ୟ କେତେକ ରିପବ୍ଲିକାନ-ସମର୍ଥିତ ରାଜନୈତିକ ଗୋଷ୍ଠୀକୁ ମଧ୍ୟ ଅତିରିକ୍ତ ପାଣ୍ଠି ଯାଇଛି। ଆମେରିକା ପିଏସି ପ୍ରତିନିଧି ସଭା ଏବଂ ସିନେଟ ଉଭୟକୁ ମିଶାଇ ୪୩ଟି ସଂସଦୀୟ ନିର୍ବାଚନ ମଣ୍ଡଳୀ ଆଡ଼କୁ ନିଜର ସମ୍ବଳ ନିୟୋଜିତ କରିଥିବା ଜଣାପଡିଛି।

