ଗଞ୍ଜାମ,୧।୧୧,(ଅନାଥ ତରାଇ ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଋଷିକୁଲ୍ୟା ନଦୀରେ ଆସିଥିବା ବନ୍ୟା ଯୋଗୁ ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳରେ କେତେକ କୃଷ୍ଣସାର ମୃଗ ଭାସିଯାଉଥିବା ଦେଖିବାକୁ ମିଳିଥିଲା। ଅଗ୍ନିଶମ ବାହିନୀ, ବନ ବିଭାଗ, ଏସଏଫଏଫ ଟିମ ଏବଂ ସ୍ଥାନୀୟ ଲୋକଙ୍କ ମିଳିତ ଉଦ୍ୟମରେ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବାଲିଆ ଅଞ୍ଚଳରୁ ୧୦ଟି କୃଷ୍ଣସାର ମୃଗଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଦୁଇଟିର ପ୍ରାଣହାନି ଘଟିଛି। ରମ୍ଭା, ପୁରୁଷୋତ୍ତମପୁର ଏବଂ ଖଲ୍ଲିକୋଟର ଫରେଷ୍ଟରମାନେ ମଧ୍ୟ ଏହି ଉଦ୍ଧାର କାର୍ଯ୍ୟରେ ସକ୍ରିୟ ସହଯୋଗ କରିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଉଦ୍ଧାର ହୋଇଥିବା କୃଷ୍ଣସାରମାନଙ୍କୁ ଖଲ୍ଲିକୋଟ ବନାଞ୍ଚଳ ଅଧୀନରେ ଥିବା ଚିକିଲି ଜଙ୍ଗଲରେ ଛାଡ଼ି ଦିଆଯାଇଛି। ସାମାନ୍ୟ ଆହତ ହୋଇଥିବା ଗୋଟିଏ କୃଷ୍ଣସାରକୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯିବା ପରେ ଜଙ୍ଗଲରେ ଛଡ଼ାଯାଇଥିବା ବେଳେ ମୃତ ଦୁଇଟିର ଶବ ବ୍ୟବଚ୍ଛେଦ କରାଯାଇଛି। ସୂଚନାଯୋଗ୍ୟ ଯେ, ବନ ବିଭାଗ ପକ୍ଷରୁ ଗତ ଫେବୃଆରୀ ୨୦୨୬ରେ କରାଯାଇଥିବା ଗଣନା ଅନୁଯାୟୀ ଗଞ୍ଜାମ ଜିଲାରେ ମୋଟ ୯,୨୮୭ଟି କୃଷ୍ଣସାର ରହିଛନ୍ତି, ଯେଉଁଥିରେ ୫,୮୩୨ଟି ମାଈ, ୨,୧୦୪ଟି ପୁରୁଷ ଏବଂ ୧,୩୫୧ଟି ଶାବକ ଅନ୍ତର୍ଭୁକ୍ତ। ପୂର୍ବରୁ ୨୦୨୫ ଜାନୁଆରୀରେ ଏହି ସଂଖ୍ୟା ୮,୭୮୯ ରହିଥିଲା।

