ଶିକାର ହେଲେ ଯାତ୍ରୀ

ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାର ଖୋଳତାଡ଼ ଚାଲିଛି ବୋଲି କୁହାଯାଉଛି। ୨ ଜୁନ୍‌ରେ ଘଟିଥିବା ସେହି ଭୟଙ୍କର ଦୁର୍ଘଟଣା ପରେ ମଧ୍ୟ ଓଡ଼ିଶାର ବିଭିନ୍ନ ସ୍ଥାନରେ ରେଳଗାଡ଼ିଜନିତ ଛୋଟବଡ଼ ଦୁର୍ଘଟଣା ଲାଗି ରହିଛି। ଏଥିରୁ ବୁଝାପଡ଼ୁଛି ଯେ ପୂର୍ବରୁ ମଧ୍ୟ ଏହିଭଳି କ୍ଷୁଦ୍ର ଓ ମଧ୍ୟମ ଧରଣର ଦୁର୍ଘଟଣା ସବୁବେଳେ ଲାଗି ରହିଆସୁଛି। ଏବେ ମନେହେଉଛି ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ ହେବା ପରେ ଏହିସବୁ ଦୁର୍ଘଟଣା ପଦାକୁ ଆସୁଛି ଓ ଜନସାଧାରଣ ତାହା ଜାଣିପାରୁଛନ୍ତି। ଯାତ୍ରୀଙ୍କ ସୁରକ୍ଷାକୁ ଭାରତୀୟ ରେଳପଥ ବାରମ୍ବାର ଅଣଦେଖା କରୁଥିବାରୁ ବାହାନଗା ଭଳି ଅଘଟଣ ଘଟିଲା ବୋଲି ଚାରିଆଡ଼େ ଆଲୋଚନା ହେଉଛି। କିନ୍ତୁ ଅନ୍ୟ ଯେଉଁ ପ୍ରସଙ୍ଗଟି କମ୍‌ ଆଲୋଚିତ ହୋଇଛି ତାହା ହେଲା ଟ୍ରେନ୍‌ ଭିତରେ ଯାତ୍ରୀଙ୍କ ଅସମ୍ଭାଳ ଭିଡ଼। ବାହାନଗା ଦୁର୍ଘଟଣାରେ ଦୁଇଟି ଯାତ୍ରୀବାହୀ ରେଳଗାଡ଼ିର ୫ଟି ବଗିରେ ଯେଉଁମାନଙ୍କ ଅଧିକ ମୃତ୍ୟୁ ଘଟିଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଦୁଇଟି ବିନା ସଂରକ୍ଷଣ ବଗିରେ ଥିବା ଲୋକ ବୋଲି ଜଣାପଡ଼ିଛି। ଭାରତର ଜନସଂଖ୍ୟା ଦେଖିଲେ ୧୪୦ କୋଟିରୁ ଊର୍ଦ୍ଧ୍ୱ। ୨୦୨୧-୨୨ ଆର୍ଥିକ ବର୍ଷର ସୂଚନା ଅନୁଯାୟୀ ଭାରତୀୟ ରେଳପଥରେ ଦୈନିକ ୨ କୋଟି ୪୦ ଲକ୍ଷରୁ ଊର୍ଦ୍ଧ୍ୱ ଯାତ୍ରୀ ଯାତାୟାତ କରିଥାଆନ୍ତି। ଏଥିସହିତ ୨୦୩.୮୮ ମିଲିୟନ ଟନ୍‌ ମାଲ୍‌ ପରିବହନ କରାଯାଇପାରୁଛି। କେବଳ ଯାତ୍ରୀବାହୀ ଗାଡ଼ିକୁ ଦେଖିଲେ ଯଦି ଦୈନନ୍ଦିନ ଯାତ୍ରା କରୁଥିବା ସଂଖ୍ୟାର ମାତ୍ର ୨୦ ପ୍ରତିଶତ ବିନା ସଂରକ୍ଷଣ ଏବଂ ବିନା ଟିକେଟରେ ଯାତାୟାତ କରୁଛନ୍ତି, ତେବେ ସେହି ସଂଖ୍ୟା ଦୈନିକ ୪୦ ଲକ୍ଷରୁ ଅଧିକ ହେବ। ଏଭଳି ବରାଟକାୟ ସଂଖ୍ୟାର ଯାତ୍ରୀଙ୍କ ଏକ ଅଂଶ ଯେତେବେଳେ କୌଣସି ଦୁର୍ଘଟଣାର ସମ୍ମୁଖୀନ ହେଉଛି, ସେତେବେଳେ ତାଙ୍କର କିଛି ଆତାପତ୍ତା ପାଇବା କଷ୍ଟକର କିମ୍ବା ଅସମ୍ଭବ। ଯଦି ଉପରଲିଖିତ ତଥ୍ୟ ଅନୁଯାୟୀ ବାର୍ଷିକ ହିସାବ କରାଯାଏ ତେବେ ୭୦୦ କୋଟିରୁ ଊର୍ଦ୍ଧ୍ୱ ଯାତ୍ରୀ ଭାରତୀୟ ରେଳଗାଡ଼ିରେ ଯିବାଆସିବା କରୁଛନ୍ତି। ଗତ ୫୦ ବର୍ଷ ମଧ୍ୟରେ ରେଳଯାତ୍ରୀଙ୍କ ସଂଖ୍ୟା ତିନି ଗୁଣାରୁ ଅଧିକ ହୋଇଛି। କିନ୍ତୁ ସେହି ଅନୁଯାୟୀ ଭିତ୍ତିଭୂମିର ବୃଦ୍ଧି କରାଯାଇପାରି ନାହିଁ। ଫଳରେ ବଗିଗୁଡ଼ିକରେ ଯାତ୍ରୀମାନେ ଖୁନ୍ଦାଖୁନ୍ଦି ହୋଇ ଯାଇଥାଆନ୍ତି। ଏହା ବିଶେଷକରି ସାଧାରଣ ବଗିରେ ଅଧିକ ମାତ୍ରାରେ ଦୃଷ୍ଟିଗୋଚର ହୋଇଥାଏ। ବାହାନଗା ରେଳ ଦୁର୍ଘଟଣାକୁ ଦେଖିଲେ ଯେଉଁମାନଙ୍କ ମୃତ୍ୟୁ ଘଟିଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ସାଧାରଣ ବଗିର ଯାତ୍ରୀ ଥିବା କୁହାଯାଉଛି। ସେଥିରେ ଅନେକେ ବିନା ଟିକେଟଧାରୀ ରହିଥାଇପାରନ୍ତି। ଏହି ଟ୍ରେନତ୍ରୟ ଦୁର୍ଘଟଣାରେ ଯେଉଁମାନଙ୍କ ପ୍ରାଣ ଯାଇଛି ସେମାନଙ୍କ ମଧ୍ୟରୁ ଅନେକଙ୍କ ମୁହଁ ଚିହ୍ନା ପଡ଼ୁ ନ ଥିବା ବେଳେ ନାମ ମଧ୍ୟ ଜଣାପଡ଼ୁ ନାହିଁ। ସେଭଳି କ୍ଷେତ୍ରରେ ମୃତକଙ୍କ ପରିବାର କିଭଳି ଉପଯୁକ୍ତ ଅନୁକମ୍ପାମୂଳକ ସହାୟତା ପାଇବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ବିଶ୍ୱର ସର୍ବାଧିକ ଜନବହୁଳ ରାଷ୍ଟ୍ର ଭାବେ ଭାରତ ଗର୍ବ କରୁଥିଲେ ମଧ୍ୟ ଏହାର ଲୋକମାନେ ଆର୍ଥିକ ଦୃଷ୍ଟିରୁ ସ୍ବାବଲମ୍ବୀ ହୋଇପାରୁନାହାନ୍ତି। ସେଥିପାଇଁ ଚାକିରି ବା କାର୍ଯ୍ୟ ଅନ୍ବେଷଣରେ ଅସଂଖ୍ୟ ଲୋକ ପ୍ରତ୍ୟହ ଦେଶର ବିଭିନ୍ନ ପ୍ରାନ୍ତକୁ ଯିବାଆସିବା କରିଥାଆନ୍ତି। ଅପେକ୍ଷାକୃତ ଭାବେ ଦୂର ସ୍ଥାନ ଯାତ୍ରା ଲାଗି ଟ୍ରେନ୍‌ ଟିକେଟ ଶସ୍ତା ହେଉଥିବାରୁ ସେମାନେ ଏହି ମାଧ୍ୟମକୁ ବାଛିଥାଆନ୍ତି। ଆଉ ଏକ ପରିସଂଖ୍ୟାନ କହୁଛି, ପ୍ରତି ୭ ଜଣରେ ୬ ଜଣ ଅଣସଂରକ୍ଷିତ ଟିକେଟ କରିଥାଆନ୍ତି। ପୁଣି ବିନା ଟିକେଟରେ ଅତି ଦୟନୀୟ ଭାବେ ଲୋକେ ଯାଉଥିବାର ଦେଖିବାକୁ ମିଳେ। ସରକାରୀ ତଥ୍ୟ ଅନୁଯାୟୀ ବାହାନଗା ରେଳ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାରେରୁ ଊର୍ଦ୍ଧ୍ୱ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ସମସ୍ତେ ଜାଣନ୍ତି ବାସ୍ତବତାଠାରୁ ଏହି ସଂଖ୍ୟା ବହୁଦୂରରେ। ଯେଉଁମାନଙ୍କ ନାମ ଓ ଠିକଣା ମିଳିଛି ସେମାନଙ୍କ ବିଷୟରେ ଜଣାପଡ଼ିଛି। କିନ୍ତୁ ଅନେକ ଆହତଙ୍କୁ ହସ୍ପିଟାଲ ନିଆଯିବା ପରେ ସେମାନଙ୍କ ବିଷୟରେ ତଥ୍ୟ ମିଳୁଥିବା ବେଳେ ଶବାଗାରରେ ଥିବା ମୃତଦେହକୁ ସମ୍ପର୍କୀୟମାନେ ଚିହ୍ନିବା ପରେ ସେମାନଙ୍କ ବିଷୟରେ ଯାହା କିଛି ସୂଚନା ପଦାକୁ ଆସିଛି। କହିବାକୁ ଗଲେ ଦୁର୍ଘଟଣା ପରେ ସଂରକ୍ଷିତ ବଗିରେ ଯାତ୍ରୀଙ୍କୁ ଗଣିବା ସମ୍ଭବ ହେଉଥିବା ବେଳେ ଅଣସଂରକ୍ଷିତ ବଗିରେ ସେହି ସୁବିଧା ମିଳିପାରି ନ ଥାଏ।
କୋଭିଡ୍‌-୧୯ ବେଳେ ହୋଇଥିବା ଲକ୍‌ଡାଉନ୍‌ ଓ ଶଟ୍‌ଡାଉନଜନିତ ଦୁଃଖର ସର୍ବାଧିକ ଶିକାର ହୋଇଥିଲେ ପ୍ରବାସୀ ଶ୍ରମିକ। ଅଚାନକ ଟ୍ରେନ୍‌ଗୁଡ଼ିକୁ ବାତିଲ କରିଦିଆଯିବା ଦ୍ୱାରା ଗୋଟେ ରାଜ୍ୟରୁ ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଇଥିବା ଲୋକ ସ୍ବସ୍ଥାନକୁ ଫେରିଯିିବା ପାଇଁ ଡହଳବିକଳ ହୋଇଥିଲେ। ଚାଲିଚାଲି ବାଟରେ ଯାଉଥିବା ବେଳେ ଅନେକ ହଜାର ଲୋକଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଯେଉଁମାନଙ୍କ ଜୀବନ ଚାଲିଗଲା ସେମାନଙ୍କ ନାମ ଦୁନିଆରୁ ସବୁ ଦିନ ପାଇଁ ହଜିଗଲା। ପ୍ରଶାସନିକ ଅସହଯୋଗ ସେତେବେଳେ ପ୍ରବାସୀମାନଙ୍କୁ କିଭଳି କଲବଲ କରିଥିଲା ତାହା ଅନେକଙ୍କ ମନରେ ତାଜା ହୋଇ ରହିଥିବ। ଏବେ ବାହାନଗା ଦୁର୍ଘଟଣା ପରେ ପୁନଶ୍ଚ ପ୍ରବାସୀ ଶ୍ରମିକଙ୍କ କଥା ଉଠିଛି। ବିଶେଷକରି ଶାଲିମାର-ଚେନ୍ନାଇ ସେଣ୍ଟ୍ରାଲ କରମଣ୍ଡଳ ଏକ୍ସପ୍ରେସରେ କୋଲକାତାରୁ ଚେନ୍ନାଇ ଯାଉଥିବା ବ୍ୟକ୍ତିଙ୍କ ମଧ୍ୟରେ ଅନେକ ଦିନ ମଜୁରିଆ ଓ ଶ୍ରମିକ ରହିଥିବା ଜଣାପଡ଼ିଛି। ଏଭଳି ସ୍ଥଳେ ଭାରତୀୟ ରେଳପଥ ଏହାର ଭିତ୍ତିଭୂମିକୁ ସୁଦୃଢ଼ କରିବା ଦରକାର। ବହୁତ ବର୍ଷ ଧରି ଶୁଣି ଆସୁଛୁ ଯେ, ଭାରତୀୟ ରେଳପଥ ତା’ର ଭିତ୍ତିଭୂମି ସୁଦୃଢ଼ କରୁଛି। ବେଳା ପଡ଼ିଲେ ସତ୍ୟ ପରିସ୍ଥିତି ଜଣାପଡ଼େ। ବାହାନଗା ଜଣାଇଦେଲା ଯେ, ଉପରଠାଉରିଆ ଭାବେ ଏବଂ କେବଳ ରାଜନୈତିକ ସୁବିଧା ନେବା ସକାଶେ ଗୋଟିଏ ପରେ ଗୋଟିଏ ‘ବନ୍ଦେ ଭାରତ’ ରେଳଗାଡ଼ି ଆରମ୍ଭ କରିଦେଉଥିବା ସରକାର ତାହାର ମୌଳିକ ଦାୟିତ୍ୱ ତୁଲାଉ ନାହିଁ। ଶିକାର ହେଲେ ଏକ ହଜାରରୁ ଊର୍ଦ୍ଧ୍ୱ ଯାତ୍ରୀ।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri