
ଦାରିଙ୍ଗବାଡ଼ି,୨୨ା୧(ଅରୁଣ ସାହୁ): ନୂଆବର୍ଷ ଏବେ ସରିବାକୁ ବସିଲାଣି କିନ୍ତୁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଶୀତର ମଜା ନେବା ପାଇଁ ଜିଲା ତଥା ଜିଲା ବାହାରୁ ଦୈନିକ ଶହଶହ ପର୍ଯ୍ୟଟକ ଦାରିଙ୍ଗବାଡ଼ିକୁ ବୁଲିବାକୁ ଆସିବା ସହ ବଣଭୋଜି କରି ମଜା ନେଉଛନ୍ତି। ଡୁଲୁରୀ ପାଇନ ବଣ ସମେତ କିରିକୁଟି ଲଭର୍ସ ପଏଣ୍ଟ, ହିଲଭିୟୁ ପାର୍କ, ନେଚର ପାର୍କ, ଶାନ୍ତି ଉପତ୍ୟକା, ମିଡିୟୁବାନ୍ଦା ଜଳପ୍ରପାତ ଆଦିରେ ବଣଭୋଜିର ମଜା ନେଉଛନ୍ତି ପର୍ଯ୍ୟଟକ।
ପ୍ରକାଶ ଯେ, ଗତ କିଛିଦିନ ହେଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଶୀତର ପ୍ରକୋପ ବୃଦ୍ଧି ସହ ୧ ସପ୍ତାହ ହେଲା ତୁଷାରପାତ ହେଉଛି। ଚାରିଆଡ଼େ ଶୀତ ଧୀରେ ଧୀରେ କମିବା ସହ ଗରମ ଜଣାପଡୁଛି କିନ୍ତୁ କନ୍ଧମାଳ ଜିଲାରେ ବିଶେଷକରି ଦାରିଙ୍ଗବାଡ଼ିରେ ଶୀତର ଲହରୀ ଅବ୍ୟାହତ ରହିଛି। ଫଳରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିରହିଛି ବୋଲି କୁହାଯାଉଛି।