ନୂଆ ‘ରାମସାର କ୍ଷେତ୍ର’ ସାତକୋଶିଆ

ପ୍ର. ରମେଶ ଚନ୍ଦ୍ର ପରିଡ଼ା

ନିକଟରେ (୨ ଅଗଷ୍ଟ ୨୦୨୨) ଆମ ରାଜ୍ୟର ଅନ୍ୟତମ ବନଭୂମିବେଷ୍ଟିତ ସୁପ୍ରସିଦ୍ଧ ଆର୍ଦ୍ରଭୂମି ସାତକୋଶିଆକୁ ‘ରାମସାର କ୍ଷେତ୍ର’ ରୂପେ ସ୍ବୀକୃତି ମିଳିଛି। ଫଳରେ ଏହା ଏବେ ପରିଗଣିତ ହେବ ଅନ୍ୟତମ ‘ଆନ୍ତର୍ଜାତିକ ଗୁରୁତ୍ୱପୂର୍ଣ୍ଣ ଆର୍ଦ୍ରଭୂମି’ (ଓ୍ବେଟ୍‌ଲ୍ୟାଣ୍ଡ ଅଫ୍‌ ଇଣ୍ଟର୍‌ନ୍ୟାଶନାଲ ଇମ୍ପୋର୍ଟାନ୍‌ସ) ରୂପେ । ଅତଏବ ଏହାର ସୁରକ୍ଷା ଏବଂ ବିକାଶ ପାଇଁ ମିଳିବ ଆନ୍ତର୍ଜାତିକ ସହାୟତା। ଆମ ରାଜ୍ୟରେ ଏହିଭଳି ସ୍ବୀକୃତି ଲାଭ କରିଥିବା ଅନ୍ୟ ଦୁଇଟି କ୍ଷେତ୍ର ହେଲା ଚିଲିକା ଏବଂ ଭିତରକନିକା। ଅନ୍ୟପକ୍ଷରେ ବର୍ତ୍ତମାନ ସାତକୋଶିଆ ସମେତ ଦେଶର ୧୦ ନୂତନ କ୍ଷେତ୍ରକୁ ଏ ମାନ୍ୟତା ମିଳିବା ଫଳରେ ଏହାର ସଂଖ୍ୟା ପହଞ୍ଚତ୍ଛି ୬୪ରେ।
ଇରାନ୍‌ର ରାମସାରଠାରେ ୧୯୭୧ ମସିହାରେ ଅନୁଷ୍ଠିତ ହୋଇଥିଲା ପରିବେଶ ଓ ପରିସଂସ୍ଥା ଲାଗି ଗୁରୁତ୍ୱ ବହନ କରୁଥିବା ବିଶ୍ୱର ଆର୍ଦ୍ରଭୂମିଗୁଡ଼ିକର ସୁପରିଚାଳନା ଓ ସୁରକ୍ଷା ଲାଗି ଏକ ଆନ୍ତର୍ଜାତିକ ସମ୍ମିଳନୀ। ଏଥିରେ ଯୋଗ ଦେଇଥିଲେ ୧୭୧ଟି ଦେଶ। ଏହି ସମ୍ମିଳନୀକୁ କୁହାଯାଏ ‘ଦି ରାମସାର କନ୍‌ଭେନ୍‌ସନ୍‌ ଅନ୍‌ ଓ୍ବେଟ୍‌ଲ୍ୟାଣ୍ଡ୍‌ସ ଅଫ୍‌ ଇଣ୍ଟରନ୍ୟାଶନାଲ ଇମ୍ପୋର୍ଟାନ୍‌ସ’। ବିଶେଷକରି ବିବିଧ ଜଳଚର ପକ୍ଷୀ ତଥା ପରିସଂସ୍ଥା ଲାଗି ଗୁରୁତ୍ୱ ବହନ କରୁଥିବା ଅନ୍ୟାନ୍ୟ ପ୍ରାଣୀ ଓ ଉଦ୍ଭିଦ ପ୍ରଜାତିର ବାସସ୍ଥଳୀ ହୋଇଥିବା ଆର୍ଦ୍ରଭୂମିଗୁଡ଼ିକୁ ଏଥିରେ ‘ରାମସାର କ୍ଷେତ୍ର’ ରୂପେ ସ୍ବୀକୃତି ପ୍ରଦାନ କରାଗଲା। ଏହାକୁ ନେଇ ସ୍ବାକ୍ଷରିତ ହେଲା ଏକ ଚୁକ୍ତି। ତେବେ ତାହା କାର୍ଯ୍ୟକାରୀ ହେଲା ୧୯୭୫ ମସିହା ଡିସେମ୍ବର ୨୧ରୁ।
ପ୍ରଥମେ ଏହାର ଅନ୍ତର୍ଭୁକ୍ତ କରାଯାଇଥିଲା ପୃଥିବୀର ପ୍ରାୟ ୨୦୦୦ଟି ଆର୍ଦ୍ରଭୂମି (୨୦ କୋଟି ଏକର କ୍ଷେତ୍ରଫଳ ବିଶିଷ୍ଟ)। ଏଗୁଡ଼ିକୁ ମାନ୍ୟତା ଦିଆଯିବାର କାରଣ ହେଲା ଯେ ‘ଏଗୁଡ଼ିକ ବ୍ୟାପକ ସଂସାଧନ ଏବଂ ସମୁନ୍ନତ ପରିସଂସ୍ଥା ଯୋଗାଇଥାନ୍ତି, ଯେପରିକି ଖାଦ୍ୟ, ଜଳ, ତନ୍ତୁ ଇତ୍ୟାଦିର ଯୋଗାଣ, ଭୂତଳ ଜଳର ପୁନଃ ଭରଣ, ଜଳ ବିଶୋଧନ, ବନ୍ୟା ଅବରୋଧ, ମୃତ୍ତିକାକ୍ଷୟ ଅବରୋଧ ଏବଂ ପରିବେଶ ନିୟନ୍ତ୍ରଣ। ପୁନଶ୍ଚ ଏହା ବିଲୁପ୍ତପ୍ରାୟ ତଥା ସଙ୍କଟାପନ୍ନ ଜୀବଜନ୍ତୁଙ୍କୁ ସୁରକ୍ଷା ଦେବା, ଜୈବ ବିବିିଧତାକୁ ଋଦ୍ଧିମନ୍ତ କରିବା, ଜଳଚର ପକ୍ଷୀ ଓ ମାଛ ଆଦି ଜୀବଙ୍କୁ ଖାଦ୍ୟ ଓ ବାସ ଯୋଗାଇବା, ବିରଳ ପ୍ରାଣୀ ଓ ଉଦ୍ଭିଦମାନ ଧାରଣ କରିବା ଲାଗି ମଧ୍ୟ ସକ୍ଷମ । କୌଣସି ନୂତନ ଆର୍ଦ୍ରଭୂମି ‘ରାମସାର କ୍ଷେତ୍ର’ ତାଲିକାର ଅନ୍ତର୍ଭୁକ୍ତ କରିବାକୁ ହେଲେ ଏହିସବୁ କଥା ବିଚାରକୁ ନିଆଯାଏ।
ରାମସାର କନ୍‌ଭେନ୍‌ର ଦୈନନ୍ଦିନ କାର୍ଯ୍ୟ ନିର୍ବାହ ଲାଗି ସୁଇଜର୍‌ଲାଣ୍ଡର ‘ଗ୍ଲାନ’ଠାରେ ଥିବା ‘ଇଣ୍ଟରନ୍ୟାଶନାଲ ୟୁନିୟନ ଫର୍‌ କଞ୍ଜରଭେସନ ଅଫ୍‌ ନେଚର’ର କାର୍ଯ୍ୟାଳୟରେ ଏକ ‘ସେକ୍ରେଟାରିଏଟ୍‌’ ରହିଛି। ପୁନଶ୍ଚ ଏହାର ମଧ୍ୟ ଏକ ବୈଜ୍ଞାନିକ ଏବଂ ପ୍ରଯୁକ୍ତିବିଦ୍ୟା ସମୀକ୍ଷା ପ୍ୟାନେଲ୍‌ ରହିଛି, ଯାହାକି ଉପରୋକ୍ତ ସର୍ତ୍ତମାନ ପୂରଣ କରୁଥିବା ଆର୍ଦଭୂମି କଥା ବିଚାରକୁ ନେଇ ନୂତନ ଭାବେ ସେଗୁଡ଼ିକୁ ଏ ମାନ୍ୟତା ପ୍ରଦାନ ଲାଗି ସୁପାରିସ କରେ ଏବଂ କାର୍ଯ୍ୟକାରୀ କମିଟି ଏହା ପ୍ରଦାନ କରେ। ଆମ ଦେଶ ଏହି କନ୍‌ଭେନ୍‌ସନର ସଦସ୍ୟ ହେଲା ୧୯୮୨ ମସିହା ଫେବୃୟାରୀ ୧ରେ।
ଏବେ ‘ରାମସାର କ୍ଷେତ୍ର’ ରୂପେ ନୂତନ ଭାବେ ସ୍ବୀକୃତି ପାଇଛି ଭାରତର ୧୦ଟି ଆଦ୍ରଭୂମି। ସେଗୁଡ଼ିକ ମଧ୍ୟରୁ ୬ଟି ତାମିଲନାଡୁରେ ଅବସ୍ଥିତ ଏବଂ ଅବଶିଷ୍ଟ ୪ଟି ମଧ୍ୟରୁ ଗୋଟିଏ ଗୋଟିଏ କରି ରହିଛି ଓଡ଼ିଶା, ଗୋଆ, କର୍ନାଟକ ଏବଂ ମଧ୍ୟପ୍ରଦେଶରେ। ଆମ ରାଜ୍ୟର ନୂତନ ‘ରାମସାର କ୍ଷେତ୍ର’ ସାତକୋଶିଆ ମହାନଦୀ ଉପରେ ଅନୁଗୋଳ ଜିଲାରେ ଅବସ୍ଥିତ। ଏହା ପ୍ରାୟ ୨୨ କିଲୋମିଟର ଲମ୍ବ ଏବଂ ୯୮୮.୩୦ ବର୍ଗ କିଲୋମିଟର ଆୟତନ ବିଶିଷ୍ଟ। ଏଠାରେ ରହିଛି ବହୁବିଧ ବିରଳ ଜୀବଜନ୍ତୁ ତଥା ଉଦ୍ଭିଦ ପ୍ରଜାତିର ସମୃଦ୍ଧ ଏକ ପରିସଂସ୍ଥା। ତାହାର ଅନ୍ତର୍ଭୁକ୍ତ ହେଲା ଶାଳ ସମେତ ବିବିଧ ବୃକ୍ଷରାଜିର ପର୍ଣ୍ଣମୋଚୀ ଏବଂ ନଦୀ ଶଯ୍ୟାର ଜଙ୍ଗଲ। ତହିଁରେ ବାସ କରୁଥିବା ଜୀବଜନ୍ତୁ ହେଲେ ଚିତାବାଘ, ବଣୁଆ କୁକୁର, ବନ୍ୟ ଶୂକର, ହରିଣ, ଶମ୍ବର, ନାନାଜାତିର ମାଙ୍କଡ଼, ଝିଙ୍କପକ୍ଷୀ, ପାଙ୍ଗୋଲିନ୍‌, ଅଜଗର ଓ ଅନ୍ୟାନ୍ୟ ସାପ, ବୃହଦାକାର ଗୁଣ୍ଡୁଚି ମୂଷା ଇତ୍ୟାଦି। ପୁନଶ୍ଚ ଏହାର ଜଳରାଶିରେ ଅଛନ୍ତି ବଉଳାକୁମ୍ଭୀର, ଘଡ଼ିଆଳ, ବିଭିନ୍ନ ପ୍ରକାର ମାଛ ଓ ଜଳଚର ପ୍ରାଣୀ।
ଏହି ଆର୍ଦ୍ରଭୂମି ଭାରତର ଦୁଇଟି ବିଶାଳ ଜୈବ-ଭୌଗୋଳିକ (ବାୟୋ ଜିଓଗ୍ରାଫିକ୍‌) ଅଞ୍ଚଳ, ଦାକ୍ଷିଣାତ୍ୟ ଉପଦ୍ୱୀପ ଏବଂ ପୂର୍ବଘାଟର ସଙ୍ଗମସ୍ଥଳ ହୋଇଥିବାରୁ ଏହା ଜୈବ ବିବିଧତାରେ ଏପରି ସମୃଦ୍ଧ। ସେଥିପାଇଁ ଏହାକୁ ୧୯୭୬ ମସିହାରେ ‘ଓ୍ବାଇଲ୍ଡ ଲାଇଫ୍‌ ସାଙ୍କଚ୍ୟୁଆରୀ’ ରୂପେ ଘୋଷଣା କରାଯାଇଥିଲା। ଏହା ବାଘମାନଙ୍କର ଏକ ଆଶ୍ରୟସ୍ଥଳୀ ଥିଲା। ଏଣୁ ୨୦୦୭ ମସିହାରେ ‘ନ୍ୟାଶନାଲ ଟାଇଗର କଞ୍ଜର୍ଭ ଅଥରିଟି’ ଏହାକୁ ‘ଟାଇଗର ରିଜର୍ଭ’ର ସ୍ବୀକୃତି ଦେଲା ଏବଂ ସ୍ଥିର କରାଗଲା ମଧ୍ୟପ୍ରଦେଶର କାହ୍ନା ଜାତୀୟ ଉଦ୍ୟାନରୁ ୬ଟି ବାଘ ଆଣି ଏଠାରେ ରଖିବାକୁ। ତେବେ ସେଠାରୁ ଅଣାଯାଇଥିବା ପ୍ରଥମ ବାଘଟିର ଏଠାରେ ମୃତ୍ୟୁ ଘଟିଲା। ସେଥିପାଇଁ ଏ ଦିଗରେ ଅଧିକ ଅନୁଧ୍ୟାନ ପରେ ସେଠାକୁ ସେଗୁଡ଼ିକ ଆଣିବା ପାଇଁ ସ୍ଥିର କରାଯାଇ ଏ ଯୋଜନାକୁ ୨୦୦୯ ମସିହାଠାରୁ ସ୍ଥଗିତ ରଖାଯାଇଛି।
ଏପରିସ୍ଥଳେ, ଏବେ ସାତକୋଶିଆକୁ ‘ରାମସାର କ୍ଷେତ୍ର’ ରୂପେ ଆନ୍ତର୍ଜାତିକ ମାନ୍ୟତା ମିଳିବା ଆମ ପାଇଁ ଏକ ଖୁସି ଏବଂ ଗୌରବର କଥା।
ଉଷା ନିବାସ, ୧୨୪/୭୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର ମୋ: ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri