ଡାଇମେନ୍‌ସନର ନବ ସୂତ୍ରଧର

ଗୋଟେ ଧାରଣା ରହିଆସିଛି ଯେ, ଗଣିତରେ ଝିଅମାନେ ପୁଅମାନଙ୍କଠାରୁ ଦୁର୍ବଳ। କିନ୍ତୁ ଏଥିରେ ଅନେକ ପରିବର୍ତ୍ତନ ଦେଖାଦେଲାଣି। ଏବେ ଆଉ କୌଣସି କ୍ଷେତ୍ର ଝିଅମାନଙ୍କ ସକାଶେ ଅଭେଦ୍ୟ ଥିବା ମନେହେଉ ନାହିଁ। ନିକଟରେ ଅନ୍ତର୍ଜାତୀୟ ଗଣିତ ସଂଘ (ଆଇଏମ୍‌ୟୁ) ୨୦୨୨ ଫିଲ୍ଡସ ମେଡାଲ ବିଜେତାମାନଙ୍କ ନାମ ଘୋଷଣା କରିଛି। ସେମାନେ ହେଲେ ୟୁକ୍ରେନ୍‌ ଗଣିତଜ୍ଞ ମାରିନା ଭାୟାଜୋଭସ୍କା, ଫ୍ରାନ୍ସର ହୁଗୋ ଡୋମିନିଲ୍‌-କୋପିନ୍‌, ଆମେରିକାର ଜୁନ୍‌ ହୁହ ଏବଂ ବ୍ରିଟିଶ ଗଣିତଜ୍ଞ ଜେମ୍ସ ମେନାର୍ଡ। ତେବେ ଯୁଦ୍ଧ ଜର୍ଜରିତ ୟୁକ୍ରେନର ମହିଳା ଗଣିତଜ୍ଞ ମାରିନା ଉକ୍ତ ମେଡାଲ ପାଇଥିବା ଚାରି ଜଣଙ୍କ ଭିତରୁ ଜଣେ ହୋଇପାରିଛନ୍ତି। ଗଣିତରେ ନୋବେଲ ପୁରସ୍କାର ଭାବେ ଗଣାଯାଉଥିବା ଫିଲ୍ଡସ ମେଡାଲ ପାଇବାରେ ମାରିନା ବିଶ୍ୱର ଦ୍ୱିତୀୟ ମହିଳା। ୨୦୧୪ରେ ଇରାନୀୟ ଗଣିତଜ୍ଞ ମାରିୟମ୍‌ ମିର୍ଜାଖାନି ପ୍ରଥମ ମହିଳା ଭାବେ ଏହି ସମ୍ମାନ ପାଇଥିଲେ। ଉଲ୍ଲେଖଯୋଗ୍ୟ, ବିଂଶ ଶତାବ୍ଦୀର କାନାଡୀୟ ଗଣିତଜ୍ଞ ଜେ. ସି. ଫିଲ୍ଡସଙ୍କ ଦ୍ୱାରା ଟରୋଣ୍ଟ ବିଶ୍ୱବିଦ୍ୟାଳୟରେ ସ୍ଥାପନ କରାଯାଇଥିବା ଫିଲ୍ଡସ ମେଡାଲ୍ସ ପ୍ରତି ୪ ବର୍ଷରେ ଥରେ ପ୍ରଦାନ କରାଯାଇଥାଏ। ଏଥିରେ ବିଜେତାଙ୍କୁ ଏକ ଫଳକ, ୧୬୯ ଗ୍ରାମ୍‌ର ୧୪ କାରେଟ୍‌ରେ ନିର୍ମିତ ସ୍ବର୍ଣ୍ଣ ପଦକ ଏବଂ ୧୫,୦୦୦ କାନାଡୀୟ ଡଲାର (ଭାରତୀୟ ମୁଦ୍ରାରେ ୯ ଲକ୍ଷ ୧୦ ହଜାର ଟଙ୍କା) ପ୍ରଦାନ କରାଯାଉଛି।
ସୁଇଜରଲାଣ୍ଡ୍‌ର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମାଥ୍‌ମେଟିକ୍ସ ଅଫ୍‌ ଦି ଇକୋଲେ ପଲିଟେକ୍‌ନିକ୍‌ ଫେଡେରାଲେ ଡେ ଲଉସାନି (ଇପିଏଫ୍‌ଏଲ୍‌)ରେ ଫୁଲ୍‌ ପ୍ରଫେସର ଭାବେ କାର୍ଯ୍ୟରତ ମାରିନା ୨ ଡିସେମ୍ବର ୧୯୮୪ରେ ୟୁକ୍ରେନ୍‌ର କିଭ୍‌ରେ ଜନ୍ମଗ୍ରହଣ କରିଥିଲେ। ସେ ମାତାପିତାଙ୍କ ତିନି ଝିଅଙ୍କ ମଧ୍ୟରେ ବଡ଼। ପିତା ଆଣ୍ଟୋନୋଭ୍‌ ଏୟାରକ୍ରାଫ୍ଟ ଫାକ୍ଟ୍ରିରେ କେମିଷ୍ଟି ବା ରସାୟନବିତ୍‌ ଥିବା ବେଳେ ମାତା ହେଉଛନ୍ତି ଇଞ୍ଜିନିୟର। କିଭ୍‌ ନାଚୁରାଲ ସାଇନ୍ସ ଲେସେୟମ୍‌ରେ ସେ ଉଚ୍ଚ ମାଧ୍ୟମିକ ଶିକ୍ଷା ଗ୍ରହଣ କରିଥିଲେ। ବୃତ୍ତିଗତ ଗଣିତ ଗବେଷକ ଆଣ୍ଡ୍ରି ନ୍ୟାଜ୍‌ୟୁକ୍‌ ସେହି ସ୍କୁଲରେ ଶିକ୍ଷକ ଥିବା ବେଳେ ମାରିନା ତାଙ୍କଠାରୁ ଶିକ୍ଷା ଗ୍ରହଣ କରିଥିଲେ। ହାଇସ୍କୁଲରେ ପଢ଼ିବା ବେଳେ ସେ ଜାତୀୟ ଗଣିତ ପ୍ରତିଯୋଗିତାରେ ୧୩ ତମ ସ୍ଥାନ ଦଖଲ କରିଥିଲେ। କିଭ୍‌ସ୍ଥିତ ତାରସ୍‌ ସିଭ୍‌ଚେଙ୍କୋ ନ୍ୟାଶନାଲ ୟୁନିଭର୍ସିଟିରେ ଉଚ୍ଚଶିକ୍ଷା କରୁଥିବା ବେଳେ କ୍ରମାଗତ ୨୦୦୨, ୨୦୦୩, ୨୦୦୪ ଏବଂ ୨୦୦୫ରେ ଅନ୍ତର୍ଜାତୀୟ ଗଣିତ ପ୍ରତିଯୋଗିତାରେ ଉତ୍କର୍ଷ ପ୍ରତିପାଦନ କରିଥିଲେ। ସେଥିମଧ୍ୟରୁ ୨୦୦୨ ଓ ୨୦୦୫ରେ ପ୍ରଥମ ସ୍ଥାନ ହାସଲ କରି ବିଶ୍ୱ ଗଣିତ ଦୁନିଆରେ ନାମ ଅର୍ଜନ କରିଥିଲେ। ୨୦୦୫ରେ ସେ ଗବେଷଣାତ୍ମକ ସନ୍ଦର୍ଭ ପ୍ରସ୍ତୁତି କାର୍ଯ୍ୟରେ ପ୍ରଥମେ ସହ-ଲେଖକ ହୋଇପାରିଥିଲେ। ୨୦୦୭ରେ ସେ ୟୁନିଭର୍ସିଟି ଅଫ୍‌ କାଇସେର୍‌ସ୍ଲାଉଟର୍ନରୁ ଗଣିତରେ ସ୍ନାତକୋତ୍ତର କରିବା ପରେ ୨୦୧୦ରେ ଦି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମାଥ୍‌ମେଟିକ୍ସ ଅଫ୍‌ ଦି ନ୍ୟାଶନାଲ ଏକାଡେମୀ ଅଫ୍‌ ସାଇସେନ୍ସ ଅଫ୍‌ ୟୁକ୍ରେନ୍‌ରୁ ପିଏଚ୍‌ଡି ଡିଗ୍ରୀ ଅର୍ଜନ କରିଥିଲେ। ୨୦୧୩ରେ ଜର୍ମାନୀର ୟୁନିଭର୍ସିଟି ଅଫ୍‌ ବନ୍‌ରୁ ମଧ୍ୟ ଡକ୍ଟୋରେଟ୍‌ (ଡକ୍ଟର. ରେର୍‌.ନାଟ୍‌.) କରିଥିଲେ। ମଡୁଲାର ଫଙ୍କଶନ ଆଣ୍ଡ୍‌ ସ୍ପେସାଲ ସାଇକଲ୍ସ ଏବଂ ଆନାଲିଟିକ୍‌ ନମ୍ବର ଥିଓରୀ ଉପରେ ତାଙ୍କ ପ୍ରବନ୍ଧ ବିଶିଷ୍ଟ ଗଣିତଜ୍ଞଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ଏତିକିରେ ତାଙ୍କ ଗବେଷଣା ସୀମିତ ନ ଥିଲା। ସେ ବର୍ଲିନ୍‌ ମାଥ୍‌ମେଟିକାଲ୍‌ ସ୍କୁଲ, ହମ୍‌ବୋଲ୍ଡ ୟୁନିଭର୍ସିଟି ଅଫ୍‌ ବର୍ଲିନ୍‌ ଏବଂ ଆମେରିକାର ପ୍ରିନ୍ସଟନ୍‌ ୟୁନିଭର୍ସିଟିରେ ପୋଷ୍ଟଡକ୍ଟରାଲ ରିସର୍ଚ୍ଚ କରିବାର ସୁଯୋଗ ପାଇଥିଲେ। ଗଣିତରେ ଅଗାଧ ଜ୍ଞାନ ହାସଲ କରିବା ପରେ ସେ ସୁଇଜରଲାଣ୍ଡ୍‌ର ଇପିଏଫ୍‌ଏଲ୍‌ରେ ୨୦୧୮ ଜାନୁୟାରୀରେ କିଛି ଦିନ ପାଇଁ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରିବା ପରେ ଫୁଲ୍‌ ପ୍ରଫେସର ରୂପେ ଶିକ୍ଷାଦାନ କରିଆସୁଛନ୍ତି।
ମାରିନା ଭାୟାଜୋଭସ୍କା ୨୦୧୬ରେ ଡାଇମେନସନ ୮ରେ ସ୍ଫିୟର୍‌-ପାକିଂ ପ୍ରୋବଲେମ୍‌ ସମାଧାନ କରିବା ପରେ ଅନ୍ତର୍ଜାତୀୟ ଗଣିତ ମଣ୍ଡଳୀରେ ହଇଚଇ ସୃଷ୍ଟି କରିଥିଲେ। ପୂର୍ବରୁ ଥ୍ରୀ ଡାଇମେନ୍‌ସନ୍‌ ଉପରେ ଥିବା ଜଟିଳ ଗଣିତର ସମାଧାନ ଆସିପାରିଥିଲା। କିନ୍ତୁ ୮ ଓ ୨୪ ଡାଇମେନ୍‌ସନ ସଂକ୍ରାନ୍ତ ସୂତ୍ର ମାଧ୍ୟମରେ ମାରିନା ଯେଉଁ ଚିତ୍ତାକର୍ଷକ ସହଜ ସମାଧାନ ଆଣିପାରିଲେ, ତାହା ଆଜି ତାଙ୍କୁ ବିଶ୍ୱ ଶ୍ରେଷ୍ଠ ଗଣିତଜ୍ଞଙ୍କ ତାଲିକାରେ ସ୍ଥାନ ଦେଇପାରିଛି। ଏହି ଗଣିତ ସାଧନା ଯୋଗୁ ସେ ୨୦୧୬ରେ ସାଲେମ୍‌ ପୁରସ୍କାରଠାରୁ ଆରମ୍ଭ କରି ୨୦୨୨ ଫିଲ୍ଡସ ମେଡାଲ ପାଇବା ଭିତରେ ଅନେକ ସମ୍ମାନ ପାଇପାରିଛନ୍ତି। ତେବେ ଫିଲ୍ଡସ ମେଡାଲ ତାଙ୍କ କ୍ୟାରିୟରକୁ ଅଧିକ ଆକର୍ଷଣୀୟ କରିଦେଇଛି। ହେଲେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ନେଇ ତାଙ୍କ ମନରେ ଅନେକ କ୍ଷୋଭ ଥିବା କହିଛନ୍ତି। ରୁଷିଆ କ୍ଷେପଣାସ୍ତ୍ର ଆକ୍ରମଣରେ ୟୁକ୍ରେନ୍‌ର ଜଣେ ବିଶିଷ୍ଟ ଗଣିତଜ୍ଞଙ୍କ ମୃତ୍ୟୁ ପରେ ମାରିନା ତାଙ୍କ ଉଦ୍ଦେଶ୍ୟରେ ଏକ ବକ୍ତୃତା ଉତ୍ସର୍ଗ କରିଥିଲେ। ସେ କହିଥିଲେ, ଯେତେବେଳେ ତାଙ୍କ ଭଳି ବ୍ୟକ୍ତିଙ୍କ ମୃତ୍ୟୁ ଘଟୁଛି ଭାବିନେବାକୁ ହେବ ଭବିଷ୍ୟତ ମରିଯାଉଛି।
ମାରିନାଙ୍କ ବ୍ୟକ୍ତିଗତ ଜୀବନ କହିଲେ ଇପିଏଫ୍‌ଏଲ୍‌ର ପଦାର୍ଥ ବିଜ୍ଞାନ ପ୍ରଫେସର ଡାନିଲ୍‌ ଇଭ୍‌ଟୁଶିନ୍‌ସ୍କାଏ ହେଉଛନ୍ତି ତାଙ୍କ ସ୍ବାମୀ। ହାଇସ୍କୁଲ ପଢ଼ା ପରେ ଏକ ଫିଜିକ୍ସ କ୍ଲାସ୍‌ରେ ସେ ତାଙ୍କୁ ଭେଟିବା ପରେ ସମ୍ପର୍କ ବଢ଼ିଥିଲା। ଉଭୟଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି।

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri