ଗଣତନ୍ତ୍ରର ନୂଆ ମୁହଁ

ରୁଷିଆ ୨୪ ଫେବୃୟାରୀ ୨୦୨୨ରେ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ଇତିମଧ୍ୟରେ ଚାରି ଦିନ ବିତିଗଲାଣି। ୟୁକ୍ରେନ୍‌ ଛୋଟିଆ ରାଷ୍ଟ୍ର ହୋଇଥିବାରୁ ବିଶ୍ୱବାସୀ ଭାବୁଥିଲେ କ୍ୱିଭ୍‌ ମସ୍କୋ ପାଖରେ ଆତ୍ମସମର୍ପଣ କରିଦେଇପାରେ। ଏହି ଆଶଙ୍କା ଅଧିକ ଦୃଢ଼ୀଭୂତ ହୋଇଥିଲା ଯେତେବେଳେ ଆମେରିକା ଓ ନର୍ଥ ଆଟ୍‌ଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ) ୟୁକ୍ରେନ୍‌କୁ ସିଧାସଳଖ ସାମରିକ ସହାୟତା ଦେବେ ନାହିଁ ବୋଲି କହିଥିଲେ। ତେବେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଯେଭଳି ଭାବେ ଟକ୍କର ଦେଉଛନ୍ତି, ତାହା ସମସ୍ତଙ୍କୁ ଆଚମ୍ବିତ କରୁଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆଧୁନିକ ଯୁଦ୍ଧରେ ଦେଶର ଗୁରୁତ୍ୱକୁ ଗୌଣ କରିହେବ ନାହିଁ। ୟୁକ୍ରେନ୍‌ କଥା ଦେଖିଲେ କେହି ଚିନ୍ତା କରି ନ ଥିଲେ ଯେ ପ୍ରତ୍ୟେକ ନାଗରିକର ଦୁଆରମୁହଁରେ ଯୁଦ୍ଧ ଆସି ପହଞ୍ଚିଲେ ସମସ୍ତେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଯିବେ। ରୁଷିଆ ସୈନ୍ୟ ତୁଳନାରେ ୟୁକ୍ରେନ୍‌ର ସୈନ୍ୟ ଦୁର୍ବଳ ପଡ଼ିଯାଇ ଆତ୍ମସମର୍ପଣ କରିବେ ବୋଲି ଯେଉଁ ଚିନ୍ତା କରାଯାଉଥିଲା ତାହାର ମଞ୍ଜି ଆଫଗାନିସ୍ତାନରେ ପ୍ରଥମେ ପୋତା ହୋଇଥିଲା। ୨୦୨୧ ଅଗଷ୍ଟରେ ଆମେରିକାର ସୈନ୍ୟ ପ୍ରତ୍ୟାହାର ଘୋଷଣା ହେବା ମାତ୍ରକେ ସେଠାକାର ସରକାର ଦାୟିତ୍ୱରେ ଥିବା ଟାଣୁଆ ନେତାମାନେ ନିଜ ପରିବାର ଓ ବିପୁଳ ଧନ ଧରି ଦେଶ ଛାଡ଼ି ପଳାଇଥିଲେ। ସେଥିପାଇଁ ଏହି ଧାରଣା ସୃଷ୍ଟି ହୋଇଥିଲା ଯେ, ୟୁକ୍ରେନରେ ମଧ୍ୟ ସେହିପରି କାପୁରୁଷତା ଦେଖିବାକୁ ମିଳିବ। ହୁଏତ ସେହି ଚିନ୍ତା ରଖି ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କୁ ଉଦ୍ଧାର କରିବା ପାଇଁ ଆମେରିକା ନିଜ ତରଫରୁ ପ୍ରସ୍ତାବ ଦେଇଥିଲା। ଏହି ପ୍ରସ୍ତାବର ଉତ୍ତରରେ ରାଷ୍ଟ୍ରପତି ଜେଲେନ୍‌ସ୍କି କହିଲେ ଯେ, ମୋ ଦେଶକୁ ସାହାଯ୍ୟ କରିବାକୁ ଚାହୁଁଥିଲେ ଅସ୍ତ୍ର ଦିଅ, ମୁଁ ପଳାତକ ନୁହେଁ।
ଏହି ସ୍ତମ୍ଭ ପଢ଼ିଲା ବେଳକୁ ୟୁକ୍ରେନ୍‌ରେ ଏବେ ମଧ୍ୟ ଗୁଳି ଫୁଟୁଛି ଓ ଲୋକେ ମରୁଛନ୍ତି। ଦୀର୍ଘ କିଛିବର୍ଷ ଧରି ବିଶ୍ୱବ୍ୟାପୀ ଏକତରଫା ସ୍ରୋତ ବୋହିଆସୁଛି। ଚାଇନାର ସି ଜିନ୍‌ପିଙ୍ଗ୍‌, ରୁଷିଆର ପୁଟିନ୍‌, ବ୍ରାଜିଲ୍‌ର ଜୈର୍‌ ବୋଲ୍‌ସେନାରୋ, ହଙ୍ଗେରୀର ଭିକ୍ଟର ଓରବାନ୍‌, ତୁର୍କୀର ଏର୍ଡୋଗାନ, ଫିଲିପାଇନ୍ସର ଡୁଟେର୍ଟେ, ଆଫ୍ରିକା ଓ ଏସିଆ ମହାଦେଶର ଆହୁରି ଅନେକ ଏକଚ୍ଛତ୍ରବାଦୀ ନେତା ଭୋଟ ମାଧ୍ୟମରେ ଜିଣିକରି ନିଜ ଦେଶକୁ ସମ୍ପୂର୍ଣ୍ଣ ଭାବେ କବଳିତ କରି ରଖିଥିବାର ଯେଉଁ ଦୃଷ୍ଟାନ୍ତ ସବୁ ଦେଖିବାକୁ ମିଳୁଛି, ସେଥିରୁ ବିଶ୍ୱାସ ଜନ୍ମିଥିଲା ଯେ ବିଶ୍ୱବ୍ୟାପୀ ଗଣତନ୍ତ୍ରର ମୃତ୍ୟୁ ଘଟିଲାଣି। ପୁଟିନ୍‌ଙ୍କର ୟୁକ୍ରେନ୍‌ ଉପରେ ଆକ୍ରମଣ ସେହି ସ୍ଥିର ପାଣିକୁ ଚହଲେଇ ଦେଇଛି। ଏହି ପ୍ରଚ୍ଛଦପଟରେ ମନେହେଉଥିଲା ଯେପରି ପୁଟିନ୍‌ଙ୍କ ବିଜୟ ଆଖିପିଛୁଳାକେ ହେବ। କିନ୍ତୁ ଏବେ ପ୍ରମାଣ ମିଳୁଛି ଯେ ଭୋଟ ପରିବର୍ତ୍ତେ ଯୁଦ୍ଧ ଆଣିଦିଏ ବାସ୍ତବ ଗଣତନ୍ତ୍ର। ଦେଶର ଦ୍ୱାହି ଦେଇ ଆଭ୍ୟନ୍ତରୀଣ ସମସ୍ୟା ସୃଷ୍ଟି କଲେ ବାହ୍ୟ ଶକ୍ତି ପ୍ରବେଶ ପାଇଁ ସହଜ ହୋଇପଡ଼େ। ଆଜିର ସ୍ଥିତିରେ ଜଣାପଡୁଛି ଯେ ଜେଲେନ୍‌ସ୍କି ଜଣେ ସଂଖ୍ୟାଲଘୁ ଇହୁଦୀ ନେତା ହୋଇଥିବା ସତ୍ତ୍ୱେ ତାଙ୍କ ନେତୃତ୍ୱ ଯୋଗୁ ସାଧାରଣ ୟୁକ୍ରେନ୍‌ବାସୀ ଦେଶ ଲାଗି ନିଜ ଜୀବନ ଦେବାକୁ ପ୍ରସ୍ତୁତ ହେଲେଣି। କେବଳ ସେତିକି ନୁହେଁ, ୟୁକ୍ରେନ୍‌ ରୁଷିଆର ଆକ୍ରମଣକୁ ପ୍ରତିହତ କରିବାରୁ ଏବେ ଅନ୍ୟ ଦେଶଗୁଡ଼ିକ ବିଭିନ୍ନ ପ୍ରକାର ସାହାଯ୍ୟ କରିବାକୁ ଆଗେଇ ଆସିଲେଣି। ପାଶ୍ଚାତ୍ୟ ବିଶ୍ୱର ଏକ ବିରାଟକାୟ ଅର୍ଥନୈତିକ ବ୍ୟବସ୍ଥା ବେଲ୍‌ଜିୟମଭିତ୍ତିକ ‘ସ୍ବିଫ୍ଟ’ (ସୋସାଇଟି ଫର୍‌ ଓ୍ବାଲର୍‌ଡଓ୍ବାଇଡ୍‌ ଇଣ୍ଟରବ୍ୟାଙ୍କ ଫାଇନାନ୍ସିଆଲ୍‌ ଟେଲିକମ୍ୟୁନିକେଶନ)ରୁ ରୁଷିଆକୁ ବାଦ୍‌ ପକାଇବା ପାଇଁ ସମସ୍ତେ ଏକମତ ହୋଇସାରିଲେଣି। ସ୍ବିଫ୍ଟ ଏଭଳି ଏକ ଆର୍ଥିକ ବ୍ୟବସ୍ଥା ଯାହାଦ୍ୱାରା ବିଶ୍ୱର ବଡ଼ ବ୍ୟାଙ୍କଗୁଡ଼ିକ ବୈଦେଶିକ ମୁଦ୍ରା କାରବାର କରିଥାଆନ୍ତି। ସେଥିରୁ ବାଦ୍‌ ପଡ଼ିଗଲେ ରୁଷିଆର ପ୍ରବଳ ଆର୍ଥିକ କ୍ଷତି ହେବ। ସେହିଭଳି ରୁଷିଆର କେନ୍ଦ୍ରୀୟ ବ୍ୟାଙ୍କକୁ ମଧ୍ୟ ଅନ୍ୟସବୁ ପାଶ୍ଚାତ୍ୟ ଦେଶରେ ବ୍ୟବସାୟ କରିବାକୁ ବାରଣ କରିଦିଆଗଲାଣି। ପ୍ରତ୍ୟେକ ଦିନ ନୂଆ ପଦ୍ଧତିର ବିରୋଧକୁ ରୁଷିଆ ସମ୍ମୁଖୀନ ହେବାକୁ ଲାଗିଲାଣି। ୟୁକ୍ରେନ୍‌ ଯଦି ଏହିଭଳି ବିରୋଧ କରି ଆଉ କିଛିଦିନ ଯୁଦ୍ଧକୁ ଟାଣିନେବ, ତେବେ ତା’ପାଖରେ ହତିଆର ଓ ଅର୍ଥ ପହଞ୍ଚିବାକୁ ଆରମ୍ଭ ହେବ। ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି, ୟୁକ୍ରେନ୍‌ର ପଡ଼ୋଶୀ ରାଷ୍ଟ୍ରଗୁଡ଼ିକରେ ପ୍ରତିକ୍ରିୟା। ପୋଲାଣ୍ଡ ଭଳି ଦେଶରେ ନାଗରିକ ବିଚଳିତ ହେଲେଣି। ସେଠାକାର ଗଣମାଧ୍ୟମରେ କୁହାଯାଉଛି, ୟୁକ୍ରେନ୍‌ ପରେ ରୁଷିଆ ଅନ୍ୟସବୁ ପୂର୍ବତନ କମ୍ୟୁନିଷ୍ଟ ଦେଶ ଉପରେ ନଜର ପକାଇବ। ସେଥିପାଇଁ ନିଜ ଦେଶରେ କ୍ଷତି କରାଇବା ପରିବର୍ତ୍ତେ ଅନେକ ପଡ଼ୋଶୀ ଯୁବକ ୟୁକ୍ରେନ୍‌ ଯାଇ ଲଢ଼ିବାକୁ ଆଗ୍ରହୀ ହେଲେଣି। ଏହା ସଙ୍କେତ ଦେଉଛି ଯେ, ଜେଲେନ୍‌ସ୍କିଙ୍କ ନେତୃତ୍ୱ କେତେକ ମୌଳିକ ବିଷୟକୁ ବଦଳାଇବାକୁ ଆରମ୍ଭ କଲାଣି। ଯୁଦ୍ଧରେ ମୀମାଂସା ହେବା ବିଳମ୍ବ ହେବାରୁ ହଙ୍ଗେରୀର ଓରବାନ୍‌ଙ୍କଠାରୁ ଆରମ୍ଭକରି ତୁର୍କୀର ଏର୍ଡୋଗାନଙ୍କ ପର୍ଯ୍ୟନ୍ତ କଠୋର ଭାଷାରେ ନିନ୍ଦା କଲେଣି। ଏହି ପରିସ୍ଥିତିରେ ଭାରତ ନିଜକୁ ଏକ ଅଡୁଆ ସ୍ଥାନରେ ନେଇ ରଖିଲାଣି। ପ୍ରଥମେ ଜାତିସଂଘ ନିରାପତ୍ତା ପରିଷଦ (ୟୁଏନ୍‌ଏସ୍‌ସି)ରେ ଅଣାଯାଇଥିବା ରୁଷିଆ ବିରୋଧୀ ପ୍ରସ୍ତାବରେ ଭାରତ ଭୋଟ ଦେବାରୁ ନିବୃତ୍ତ ରହିଲା। ଏହାର ଅର୍ଥ ରୁଷିଆକୁ ସମର୍ଥନ। ପୃଥିବୀର ସର୍ବବୃହତ୍‌ ଗଣତନ୍ତ୍ର ଭାବେ ଭାରତର ଏହି ନିଷ୍ପତ୍ତି ତା’ର ଭାବମୂର୍ତ୍ତିକୁ ବିଶ୍ୱବ୍ୟାପୀ କ୍ଷତି ପହଞ୍ଚାଇଛି। ଭାରତ ସହ ଚାଇନା ଓ ୟୁଏଇ ମଧ୍ୟ ଭୋଟ ଦେବାରୁ ନିବୃତ୍ତ ହୋଇଥିଲା। ଏବେ ଏହି ଦୁଇ ଦେଶ ଯୁଦ୍ଧ ମାଧ୍ୟମରେ କୌଣସି ସମସ୍ୟାର ସମାଧାନ ହୋଇପାରିବ ନାହିଁ ବୋଲି ଉଭୟେ ବିବୃତି ଦେଇସାରିଲେଣି। କିନ୍ତୁ ଭାରତ ନୀରବ ରହିଛି। କୁହାଯାଉଛି ଭାରତର ପ୍ରତିରକ୍ଷା ସାମଗ୍ରୀ ପାଇଁ ରୁଷିଆ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇଥିବାରୁ ସେହି ଦେଶ ବିରୋଧରେ ମତ ଦେବା ପାଇଁ କେନ୍ଦ୍ର ସରକାର ଅନିଚ୍ଛୁକ। ସମଗ୍ର ପୃଥିବୀର ସ୍ଥିତି ଅତି ଶୀଘ୍ର ବଦଳିବାକୁ ଆରମ୍ଭ କଲାଣି। ଭାରତ ତାହାର ଗଣତାନ୍ତ୍ରିକ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇ ପରିବର୍ତ୍ତିତ ପରିସ୍ଥିତିରେ କେଉଁଭଳି ନିଜକୁ ସାମ୍ନାରେ ରଖିବ ତାହା ଦେଖିବାକୁ ବାକି ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁର ରାଜତାରକା

ଭାରତସାରା ଚର୍ଚ୍ଚା ହେଉଛି ଯେ ଦୁଇବର୍ଷ ତଳେ ରାଜନୈତିକ ଦଳ ତାମିଲାଗା ଭେଟ୍ରି କାଜାଗମ୍‌ (ଟିଭିକେ) ଗଢ଼ି ଅଭିନେତାରୁ ରାଜନେତା ପାଲଟିଥିବା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟ ଗ୍ରୀନ୍‌…

ନିର୍ବାଚନ ପ୍ରକ୍ରିୟାରେ ଭୋଟର

”ଆଜିକାଲି ଜଣେ ଗୃହହୀନ ବ୍ୟକ୍ତିଙ୍କ ବାସସ୍ଥାନର ଆବଶ୍ୟକତା ପୂରଣ କରିବାକୁ ହେଲେ ବିଏଲ୍‌ଓ (ବୁଥ ସ୍ତରୀୟ ଅଧିକାରୀ) ରାତିରେ ଯାଇ ସେହି ବ୍ୟକ୍ତି ପ୍ରକୃତରେ ତାଙ୍କ ପ୍ରଦତ୍ତ…

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri