ମହୋତ୍ସବର ଅମୃତ

ଉପେନ୍ଦ୍ର ବିଶ୍ୱାଳ

ଏଇମାତ୍ର ପୂରିଛି ୭୫ବର୍ଷ। ଆରମ୍ଭ ହୋଇଯାଇଛି ସ୍ବାଧୀନତାର ଅମୃତ ମହୋତ୍ସବ। ଅର୍ଥାତ ବର୍ଷତମାମ ମହୋତ୍ସବ ମାଧ୍ୟମରେ ଅମୃତ ସନ୍ଧାନରେ ବ୍ରତୀ ରହିବ ଭାରତ। ସେଇ ‘ଅମୃତ’ ସମ୍ବନ୍ଧେ ଆଗକୁ ଆମର ଆଲୋଚନା। ତା’ପୂର୍ବରୁ ଟିକିଏ ମାତ୍ର ମନ୍ଥନ କରିବା ଏଇ ୭୫ବର୍ଷକୁ ନେଇ। କାଳର ଅନନ୍ତ ପ୍ରବାହରେ ୭୫ବର୍ଷ କିଛି ବି ନୁହଁ ସତ କିନ୍ତୁ ୭୫ ବର୍ଷର ଏହି ଦୀର୍ଘ ଅବଧି ଥିଲା ସ୍ବାଧୀନୋତ୍ତର ଭାରତକୁ ଗଢ଼ିବାରେ, ଆଗକୁ ବଢ଼ିବାରେ ମାହେନ୍ଦ୍ର ମୁହୂର୍ତ୍ତ। ସମସାମୟିକ ସ୍ବାଧୀନତା ପାଇଥିବା ବା ଆମ ପଛରେ ପରାଧୀନ ମୁକ୍ତ ହୋଇଥିବା ଜାପାନ, ଚାଇନା ଆଦି ଦେଶ ଆମଠାରୁ କାହିଁ କେତେ ଆଗରେ। ପୁନଶ୍ଚ ୧୯୪୭ ଅଗଷ୍ଟ ୧୫ରେ କ୍ଷମତା ହସ୍ତାନ୍ତର ସମୟରେ ଇଂଲଣ୍ଡର ତତ୍କାଳୀନ ଇମ୍ପେରିଆଲ ବ୍ୟାଙ୍କରେ ପ୍ରାୟ ୩୪୫୨ କୋଟି ଟଙ୍କା ଗଚ୍ଛିତ ଥିଲା ଆମର। ଅର୍ଥାତ ଅପର୍ଯ୍ୟାପ୍ତ ଅର୍ଥ ଇଂରେଜମାନେ ଲୁଟିନେଇ ଚାଲିଗଲା ପରେ ବି (କେବଳ ଇଂରେଜଙ୍କ ଦ୍ୱାରା ପ୍ରାୟ ୨୭୮ ଲକ୍ଷ କୋଟି ଟଙ୍କାରୁ ଊଦ୍ଧର୍‌ବ, ୨୦୧୨ ମସିହାର ମୂଲ୍ୟାୟନ। ପୁନଶ୍ଚ ଆଜି ଦିନରେ ବି ଆମ ସମୃଦ୍ଧ ଅତୀତର ସାକ୍ଷୀ ହେଉଛି ଦ୍ବାଦଶ ଶତାବ୍ଦୀରେ ନିର୍ମିତ ପୁରୀ ଏମାର ମଠରେ ପୋତା ସମ୍ପତ୍ତି, ଯେଉଁଠୁ ୨୦୧୦ରେ ଖନନ ସମୟରେ ବି ଉଦ୍ଧାର ହୋଇଥିଲା ଶହେ କୋଟି ଟଙ୍କାରୁ ଊଦ୍ଧର୍‌ବ ମୂଲ୍ୟର ରୁପା ଇଟା। ସୌଜନ୍ୟ – ସ୍ମୃତି ସୌରଭର ସ୍ବପ୍ନ ସମୃଦ୍ଧିର) ଏକ ଅଭାବୀ ବା ନିଅଣ୍ଟିଆ ଦେଶ ନ ଥିଲା ବରଂ ଅନ୍ୟ ଦେଶ ତୁଳନାରେ ଥିଲା ଏକ ବଳକା ଦେଶ। କାହିଁକି କେଜାଣି ସ୍ବାଧୀନତା ପରେ ରାଷ୍ଟ୍ର ଉତ୍ଥାନର ଉତ୍ସାହ, ଉଚ୍ଛ୍ବାସ, ଉଦ୍ଦୀପନା ଊଣା ହୋଇ ଚାଲିଲା ଧୀରେ ଧୀରେ। ରାଷ୍ଟ୍ରୀୟ ସ୍ବାର୍ଥ ଅପେକ୍ଷା ବ୍ୟକ୍ତି ସ୍ବାର୍ଥ ପ୍ରାଧାନ୍ୟ ପାଇଲା। ଦେଶ ପ୍ରଗତିର, ଜାତି ଜାଗରଣର ଜୋସ୍‌ ହ୍ରାସ ପାଇଲା। ସହସ୍ର ସହସ୍ର ଶହୀଦଙ୍କ ଶୋଣିତରେ ସିକ୍ତ ଯେଉଁ ମାଟି, ସେ ମାଟିରେ ସତେଯେମିତି ମଡ଼କ ପଡ଼ିଲା ଦେଶପ୍ରେମ। ଦୃଢ଼ମନା ହୋଇ ଦେଶକୁ ଗଢ଼ିବା ପରିବର୍ତ୍ତେ ଶୀର୍ଷ ନେତୃତ୍ୱ ସୁଖ-ସଉକର ଶେଠ ବନିଗଲେ। ଦେଶବାସୀଙ୍କ ଭିତରେ ବି ବଢ଼ି ବଢ଼ି ଚାଲିଲା ସ୍ବାର୍ଥୀ ମନୋବୃତ୍ତି। ଜନ ମାନସିକତା ମଉଜ-ମଜ୍‌ଲିସ ମୁହାଁ ହେଇଗଲା। ଫଳତଃ ଦୁର୍ନୀତି ଏକ ମହାଦ୍ରୁମରେ ପରିଣତ ହେବାକୁ ଲାଗିଲା। ଅନ୍ୟାୟ, ଅନୀତି, ଅଧର୍ମ, ଅନାଚାର ଆଦି ସାରା ଦେଶକୁ ମାଡି ବସିଲା। ଫଳରେ ତ୍ୟାଗର ଭୂମିରେ ଆଜି ଭୋଗର ଭୋକ। ଦେଶରେ ଦେଶପ୍ରେମର ଏଭଳି ଦୁର୍ଭିକ୍ଷ ସମୟରେ ରାଷ୍ଟ୍ରଭକ୍ତିର ନିର୍ଝରିଣୀ ଆଗାମୀ ଭାରତ ପାଇଁ ଆଶ୍ବାସନାର ଆଶା ସଞ୍ଚାର କରେ। ଆତ୍ମପ୍ରତ୍ୟୟ ଅଭାବରୁ ଜଡ଼ପ୍ରାୟ ଜାତିର ସୁପ୍ତ ପ୍ରାଣରେ ରାଷ୍ଟ୍ରପ୍ରେମ ଭରି ସେମାନଙ୍କୁ ଜାଗ୍ରତ କରିବାର ଅଭିନବ ଅଭିଯାନ ଅତ୍ୟନ୍ତ ଅଭିନନ୍ଦନୀୟ। ଜାତିପ୍ରୀତି ଜାଗରଣର ପ୍ରଥମ ପର୍ବରେ ଅନୁଷ୍ଠିତ ହେଉଛି ଦେଶପ୍ରେମର କବିତା ଆସର ତଥା ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି। ଏହାରି ମାଧ୍ୟମରେ କ୍ରାନ୍ତିକାରୀ, ବଳିଦାନୀମାନଙ୍କୁ ସ୍ମରଣପୂର୍ବକ ପ୍ରତିଟି ପ୍ରାଣରେ ‘ରାଷ୍ଟ୍ରବୋଧ’ର ବାର୍ତ୍ତା ଭରିବା ହେଉଛି ଏହାର ଅସଲ ଉଦ୍ଦେଶ୍ୟ। ପ୍ରେମ-ଫଗୁଣ-ପ୍ରଣୟକୁ ନେଇ ମାତିଥିବା କବିମାନଙ୍କୁ ଜୀବନରେ ଅନ୍ତତଃ ପ୍ରଥମ ଥର ପାଇଁ (ଯଦି) ହେଲେ ବି ମାତୃ ମନ୍ତ୍ରରେ ଦୀକ୍ଷିତ ହେବାର ସୁଯୋଗ ଦେଲା ଏହି ଅମୃତ ମହୋତ୍ସବ। ଅବଶ୍ୟ ପ୍ରହ୍ଲାଦଙ୍କ ମୁହଁରେ ‘ହରିନାମ’ ଅପେକ୍ଷା ହିରଣ୍ୟକଷିପୁଙ୍କ ମୁହଁରୁ ଉଚ୍ଚାରିତ ‘ହରିନାମ’ ଅଧିକ ଆନନ୍ଦଦାୟକ। ସାହିତ୍ୟ ଜଗତରେ ସମ୍ପ୍ରତି ଫାହିତ୍ୟର ପ୍ରାବଲ୍ୟ। ସାହିତ୍ୟ ଭୂମିରେ ଶସ୍ତା ପ୍ରେମ ଫସଲ। ଯେଉଁ ସାହିତ୍ୟ ଦିନେ କଙ୍କାଳ ଦେହରେ ପ୍ରାଣ ସଞ୍ଚାର କରିବାକୁ ପଣ କରିଥିଲା, ଜାତିକୁ ଜାଜ୍ୱଲ୍ୟମାନ କରିବାକୁ ବଜ୍ର ଆହ୍ବାନ ଦେଉଥିଲା, ଅନ୍ୟାୟ ବିରୋଧରେ ଲଢ଼ିବାକୁ ବିହଙ୍ଗମାନଙ୍କ ଭିତରେ ବି ବିପ୍ଳବର ବୀଜ ବପନ କରୁଥିଲା; ସେଇଠି ଆଜି ସମାଜ ଜୀବନର ଛବି, ରାଷ୍ଟ୍ରୀୟତାର ଛବି ସାହିତ୍ୟ ଆକାଶରୁ ଉଭାନ। ସାହିତ୍ୟର ଏତାଦୃଶ ଅବତରଣକୁ ନେଇ ବ୍ୟଥିତ କବି ପ୍ରାଣର ଆବେଦନ-
‘ଚୋରା ଚଇତାଳି ରସିକ ବିଳାସେ ଭାସିଲେ କି ହେବ ଭାଇ, ଭାରତ ମାତାର ଚରଣରେ ଯଦି ଦେବାକୁ କିଛି ବି ନାହିଁ । ଲେଖାରେ ତେବେ ଭରିଦେବା ଆସ ରାଷ୍ଟ୍ରପ୍ରେମର ଗୀତି, ତାହା ହିଁ ହେବ ମାଆ ପ୍ରତି ଆମ ଶ୍ରେଷ୍ଠ ଭକ୍ତି ମୁକତି’॥
ଅତଏବ, ଏହି ‘ଅମୃତ ମହୋତ୍ସବ’ ମାଧ୍ୟମରେ ରାଷ୍ଟ୍ରଭକ୍ତିର କବିତା ଆସର ଖୁବ୍‌ ପ୍ରଶଂସନୀୟ। ରାଷ୍ଟ୍ରବୋଧର ଅଭାବ ବା ଅବକ୍ଷୟ ତମଷାଚ୍ଛନ୍ନ କରିଦିଏ ରାଷ୍ଟ୍ରର ଭାଗ୍ୟାକାଶକୁ। ତନ୍ଦ୍ରାଚ୍ଛନ୍ନ କରିରଖେ ଜାତିକୁ। ଦେଶପ୍ରୀତିର ଅଭାବରେ ମାତୃଭୂମି ପ୍ରତି ମମତ୍ୱର ବି ଅଭାବ ହୁଏ। ମଉଳିଯାଏ ସମ୍ପର୍କର ମଧୁରତା। ସମନ୍ବୟ ଓ ସମ୍ବେଦନଶୀଳତା ହ୍ରାସ ଘଟେ। ଫଳତଃ ଭ୍ରଷ୍ଟାଚାର ବ୍ୟାପିବା ସହିତ ସଂକୀର୍ଣ୍ଣ ସ୍ବାର୍ଥୀ ହୋଇଉଠେ ମଣିଷ। ବ୍ୟକ୍ତିର ଦୃଷ୍ଟି ନିଜଠାରେ ନିବଦ୍ଧ ରୁହେ। ଜାତିର ଜୀବନନାଟିକା ସଦୃଶ ଜାତୀୟ ସଂହତି ବ୍ୟାହତ ହେବା ସହିତ ସଂସ୍କୃତିର ସଙ୍କରୀକରଣ ଦେଖାଦିଏ। ପରିଣତିରେ ଦେଶ ଦୁର୍ଦ୍ଦିନ ଆଡକୁ ଅଗ୍ରସର ହୁଏ ଧୀରେ ଧୀରେ। ରାଷ୍ଟ୍ରୀୟତାର ମଡ଼କ ହେଲେ ରାଷ୍ଟ୍ରର ଅସ୍ମିତା, ଅଖଣ୍ଡତା ପ୍ରତି ବିପଦ ଘନେଇ ଆସେ। ଅର୍ଥାତ ପତନମୁଖୀ ହୁଏ ରାଷ୍ଟ୍ର। ମୁଣ୍ଡ ବିହୀନ ଶରୀର ଯାହା, ରାଷ୍ଟ୍ରବୋଧର ଅଭାବ ହେଉଛି ତାହା। ରାଷ୍ଟ୍ରବୋଧର ଜାଗରଣ ହିଁ ରାଷ୍ଟ୍ରକୁ ବିବିଧ ସଙ୍କଟରୁ ରକ୍ଷା କରିଥାଏ। ଯେଉଁ ଜାତିର ରାଷ୍ଟ୍ରବୋଧ ଯେତେ ଅଧିକ, ସେ ଜାତି ସେତେ ସମୃଦ୍ଧ, ସମୁନ୍ନତ, ସେତିକି ଗୌରବାନ୍ବିତ, ମହିମାମଣ୍ଡିତ। ରାଷ୍ଟ୍ରଭକ୍ତିର ଏପରି ଗୌରବ ଗାଥା କୁହେ ଦୁଇ ଦଶନ୍ଧିର ଭିଏଟ୍‌ନାମ – ଆମେରିକା ଯୁଦ୍ଧ, ଏଗାର ବର୍ଷର ଭିଏଟ୍‌ନାମ-ଚାଇନାର ସୀମା ଯୁଦ୍ଧ, ବର୍ଷଅଧିକ କାଳର ଜାପାନ-ସଂଯୁକ୍ତ ରୁଷ୍‌ ଯୁଦ୍ଧ ଆଦି। କ୍ଷୁଦ୍ର ଦେଶ ଭିଏଟ୍‌ନାମ ଓ ଜାପାନର ଜୟଗୀତି ଲେଖିଛି, ଦେଶପ୍ରେମ ଦେଖିଛି ଏ ଯୁଦ୍ଧ। ରାଷ୍ଟ୍ରବୋଧର ଅଭାବ ହିଁ ଅସ୍ତଗାମୀ କରାଇଥାଏ ଭୂମିର ଭାଗ୍ୟକୁ, ଅତୀତ ଭାରତ ଭୋଗିଲାପରି। ନ ହେଲେ ହଜାର ହଜାର ମାଇଲ ଦୂରରୁ ଆସିଥିବା ହାତଗଣତି କେଇଟା ଆକ୍ରମଣକାରୀ କ’ଣ ବୃହତ୍‌ ସୁନାର ଏ ଭୂଖଣ୍ଡକୁ ଶହ ଶହ ବର୍ଷ ଧରି ଏମିତି ଶାସନ-ଶୋଷଣ କରି ଲହୁ-ଲୁହାଣ କରିଥାନ୍ତେ କି? ଦେଶପ୍ରେମ ଅଭାବରେ କେବଳ ବିପନ୍ନ ହୁଏନି ଭୂଖଣ୍ଡ; ସାମୂହିକ, ସାମଗ୍ରିକ ଓ ଶାଶ୍ୱତ ବିକାଶ ବି ତା’ର ବାଧାପ୍ରାପ୍ତ ହୁଏ। ଜାତିର ଉତ୍ଥାନ ବା ରାଷ୍ଟ୍ରର ସମୃଦ୍ଧି ତ ସ୍ବତଃ ପାତାଳରୁ ଫୁଟି ବାହାରି ନଥାଏ ବା ସ୍ବର୍ଗରୁ ଛିଣ୍ଡି ନଥାଏ ! ମାଟିର ସନ୍ତାନମାନେ ହିଁ ଗଢ଼ିଥାନ୍ତି ମାଟିକୁ ମାଟିମନସ୍କପଣିଆ ଦ୍ୱାରା। ଏହି ମାଟିମନସ୍କ ଭାବ ହିଁ ବ୍ୟକ୍ତି ହୃଦୟରେ ମହତ ଭାବକୁ ଉଜାଗର କରାଇଥାଏ। ମଣିଷ ମହାନତା ମାର୍ଗରେ ଅନୁଧାବନ କରେ। ମାଟିର ମହତ ବୃଦ୍ଧି ପାଇଁ ସାଧନା କରେ, ଶ୍ରମ ସ୍ବୀକାର କରେ। ଏଣୁ ପ୍ରତିଟି ଭୂଖଣ୍ଡର ଭବ୍ୟ ଭବିଷ୍ୟତ ପାଇଁ ରାଷ୍ଟ୍ରବୋଧ ଏକାନ୍ତ ଜରୁରୀ। ରାଷ୍ଟ୍ରବୋଧ ହେଉଛି ମାଆର ମଙ୍ଗଳାଚରଣ। ମର୍ଯ୍ୟାଦାର ମହକ। ସର୍ଜନାର ସୂତ୍ର। ସମ୍ଭାବନାର ସଂଘୋଷ। ଜାତିର ଜୟଗୀତି।
ରାଷ୍ଟ୍ରବୋଧ-ସଂସ୍କୃତିର ସୌରଭ। ରାଷ୍ଟ୍ରୀୟ ଚେତନାକୁ ବିକଶିତ କରାଏ ରାଷ୍ଟ୍ରବୋଧ। ବ୍ୟକ୍ତି ସ୍ବାର୍ଥ ଅପେକ୍ଷା ସମଷ୍ଟିର ସ୍ବାର୍ଥ କଥା କୁହେ ରାଷ୍ଟ୍ରବୋଧ। ଦେଶପ୍ରେମ ରହିଲେ ମଣିଷ ଅଧିକ ସମ୍ବେଦନଶୀଳ ହୁଏ। ଦେଶର ସମ୍ପତ୍ତି, ସଂଶାଧନକୁ ନଷ୍ଟ କରିବାକୁ ଅପରାଧ ବୋଲି ବିବେଚନା କରେ। ଅତଏବ ହେ ରାଷ୍ଟ୍ର ମନ୍ଦିରର କୋଟି ପୂଜାରୀ ଦଳ, ଆସ ସେହି ଅମୃତ ସନ୍ଧାନରେ ବ୍ରତୀ ହେବା। ରାଷ୍ଟ୍ର ଜାଗରଣରେ ଭାଗୀଦାର ହେବା। ମନରେ ଦୃଢ଼ ସଂକଳ୍ପ ଭରିବା – ‘ମରିବା ତ ମାଟି ପାଇଁ, ଜିଇବା ତ ଜାତି ପାଇଁ’। ଯେମିତି କି ସାରା ଦୁନିଆ ଆଗାମୀ ଦିନରେ ଭାରତକୁ ପୁଣି ଦେଖିବ ଜଗତଗୁରୁ ଭାବରେ। ଆମେ ରହୁ ବା ନ ରହୁ, ମାତୃଭୂମିର ଗୌରବ-ସୌରଭ ଅକ୍ଷୁଣ୍ଣ ରହୁ।
ଗୋଡିଶୂଳ, ସଜନାଗଡ଼, ବାଲେଶ୍ୱର
ମୋ:୯୪୩୭୪୩୬୦୭୩


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri